ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କୋକସରା ପ୍ରେମୀ ଯୁଗଳଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲା କଳାହାଣ୍ଡି ଯୁବ ବିଜେଡି

କୋକସରା ପ୍ରେମୀ ଯୁଗଳଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲା କଳାହାଣ୍ଡି ଯୁବ ବିଜେଡି 

ପୋଲିସର ଆତ୍ମହତ୍ୟା ତଥ୍ୟ ଉପରେ ପ୍ରଶ୍ନବାଚୀ, ଜିଲ୍ଲାରେ ବଢ଼ୁଥିବା ଅପରାଧ ଓ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ଉଦ୍‌ବେଗ 

ଭବାନୀପାଟଣା, କଳାହାଣ୍ଡି | ୬ ନଭେମ୍ବର ୨୦୨୬ କଳାହାଣ୍ଡି ଜିଲ୍ଲାର କୋକସରା ଥାନା ଅଞ୍ଚଳରେ ପ୍ରେମୀ ଯୁଗଳଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା ସମଗ୍ର ଜିଲ୍ଲାବାସୀଙ୍କୁ ସ୍ତବ୍ଧ କରିଦେଇଛି। କୋକସରା ଥାନା ଅନ୍ତର୍ଗତ ଟେଣ୍ଡାପାଲି ଗ୍ରାମର ୨୧ ବର୍ଷୀୟ ଅଜିତ କୁମାର ନାଏକ ଏବଂ ଧର୍ମଗଡ଼ ଅଞ୍ଚଳର ୧୭ ବର୍ଷୀୟା ପ୍ରିୟଦର୍ଶିନୀ ନାଏକଙ୍କ ମୃତଦେହ ବେହେରା ଗ୍ରାମ ନିକଟସ୍ଥ ଭଣରାଡଙ୍ଗରୀ ପାହାଡ଼ର ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେବା ଘଟଣା ଅତ୍ୟନ୍ତ ଦୁଃଖଦ, ହୃଦୟବିଦାରକ ବିଷୟ ଏଣୁ ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ହେଉ ବୋଲି କଳାହାଣ୍ଡି ଜିଲ୍ଲା ଯୁବ ବିଜେଡି ଏକ ଘରୋଇ ହୋଟେଲରେ ସାମ୍ବାଦିକ ସମ୍ମିଳନୀ କରି ଦାବି କରିଛି।

ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ଅନୁସାରେ, ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା ଏବଂ ଜାତିଗତ ଭିନ୍ନତା କାରଣରୁ ପରିବାର ପକ୍ଷରୁ ଏହି ସମ୍ପର୍କକୁ ବିରୋଧ କରାଯାଉଥିଲା। ଅନ୍ୟପକ୍ଷରେ ମୃତ ଯୁବକଙ୍କ ପରିବାର ପକ୍ଷରୁ ମୃତଦେହର ଅବସ୍ଥା ଓ ଅନ୍ୟାନ୍ୟ ପରିସ୍ଥିତିକୁ ଆଧାର କରି ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ଗୁରୁତର ଅଭିଯୋଗ କରାଯାଇଛି। ଏପରିକି ମୃତ ଯୁବତୀଙ୍କ ପରିବାର ମଧ୍ୟ ତଦନ୍ତରେ ସନ୍ତୁଷ୍ଟ ନଥିବା ଜଣାପଡ଼ିଛି। ଏଣୁ ଏହି ଘଟଣାର ବିଧିବଦ୍ଧ ଓ ନିରପେକ୍ଷ ତଦନ୍ତ ହେବା ନିତାନ୍ତ ଜରୁରୀ ବୋଲି ଯୁବ ବିଜେଡି ମନେକରୁଛି।

ଯଦିଓ କଳାହାଣ୍ଡି ପୋଲିସ ପ୍ରାଥମିକ ତଦନ୍ତ ଓ ଶବବ୍ୟବଚ୍ଛେଦ ରିପୋର୍ଟ ଆଧାରରେ ଏହାକୁ ଆତ୍ମହତ୍ୟା ବୋଲି ଦର୍ଶାଇଛି, ତଥାପି ମୃତକଙ୍କ ପରିବାର ପକ୍ଷରୁ ଉଠାଯାଇଥିବା ଗୁରୁତର ଅଭିଯୋଗ ଏବଂ ଘଟଣାକୁ ନେଇ ସୃଷ୍ଟି ହୋଇଥିବା ସନ୍ଦେହର ନିରାକରଣ ହେବା ଅତ୍ୟନ୍ତ ଜରୁରୀ।

କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ବଢ଼ୁଥିବା ଅପରାଧ ଓ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ମଧ୍ୟ ବିଜୁ ଯୁବ ଜନତା ଦଳ ଗଭୀର ଉଦ୍‌ବେଗ ପ୍ରକାଶ କରୁଛି। ଗତ ୫ ନଭେମ୍ବରରେ କୋକସରା ଥାନା ଅନ୍ତର୍ଗତ ଲଡୁଗାଁ-ସୁପାଡ଼ ରାସ୍ତା କଡ଼ରେ ଥିବା ଏକ ଚାଷଜମିରୁ ଜଣେ ଯୁବକଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ଘଟଣା ଏବଂ ଗୋଲାମୁଣ୍ଡା ବ୍ଲକର କେଗାଁ ଅଞ୍ଚଳର ଜଣେ ବରିଷ୍ଠ ସାମ୍ବାଦିକ ୨ ନଭେମ୍ବରଠାରୁ ନିଖୋଜ ଥିବା ଘଟଣା ଜିଲ୍ଲାର ସାଧାରଣ ଜନତାଙ୍କ ମନରେ ଭୟ ଓ ଅସୁରକ୍ଷାର ଭାବନା ସୃଷ୍ଟି କରିଛି। ଏହି ଘଟଣାଗୁଡ଼ିକ ପୋଲିସର ଅପରାଧ ନିୟନ୍ତ୍ରଣ, ଅପରାଧୀଙ୍କୁ ଚିହ୍ନଟ କରିବା ଏବଂ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବାର କାର୍ଯ୍ୟଦକ୍ଷତା ଉପରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗୋଟିଏ ପଟେ ଯୁବକଙ୍କ ନିର୍ମମ ହତ୍ୟା, ଅନ୍ୟପଟେ ଜଣେ ବରିଷ୍ଠ ସାମ୍ବାଦିକଙ୍କ ନିଖୋଜ ଘଟଣା ଏବଂ ପୂର୍ବରୁ ଘଟିଥିବା ପ୍ରେମୀ ଯୁଗଳଙ୍କ ରହସ୍ୟଜନକ ମୃତ୍ୟୁ ଜିଲ୍ଲାର ଆଇନଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ସୂଚନା ଅଧିକାର ତଥ୍ୟ ଅନୁସାରେ ଗତ ୨୮ ମାସରେ ୭୨ଟି ହତ୍ୟା ମାମଲା ଓ ୨୩୪ଟି ବଳାତ୍କାର ମାମଲା ରୁଜୁ ହୋଇଛି। ଜିଲ୍ଲାରେ ଅପରାଧ ଘଟିବା ପରେ ତଦନ୍ତ ଆରମ୍ଭ ହେବା ଅପେକ୍ଷା ଅପରାଧ ରୋକିବା ଓ ନାଗରିକଙ୍କ ଜୀବନର ସୁରକ୍ଷା କରିବା ଉପରେ ପୋଲିସ ପ୍ରଶାସନ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଯୁବ ବିଜେଡି ସଭାପତି ଅବିନାଶ ଠାକୁର କହିଛନ୍ତି। 

ବିଜୁ ଯୁବ ଜନତା ଦଳ, କଳାହାଣ୍ଡି ପକ୍ଷରୁ ଆମେ ସ୍ପଷ୍ଟ ଭାବେ କହିବାକୁ ଚାହୁଁଛୁ ଯେ, ଏହା ଆତ୍ମହତ୍ୟା ହେଉ କିମ୍ବା ହତ୍ୟା, ଘଟଣା ପଛରେ ଥିବା ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିବା ଆବଶ୍ୟକ। କେବଳ ପ୍ରାଥମିକ ତଦନ୍ତ ଆଧାରରେ ଜନସାଧାରଣଙ୍କ ମନରେ ଥିବା ସନ୍ଦେହ ଦୂର ହୋଇପାରିବ ନାହିଁ। ଯଦି ଜାତିଗତ ବିଭେଦ, ପାରିବାରିକ ଚାପ କିମ୍ବା ସାମାଜିକ ପ୍ରତିବନ୍ଧକ ଏହି ଦୁଇଟି ଅମୂଲ୍ୟ ଜୀବନ ହରାଇବା ପଛରେ କୌଣସି ଭୂମିକା ନିର୍ବାହ କରିଥାଏ, ତେବେ ଏହା ସମଗ୍ର ସମାଜ ପାଇଁ ଏକ ଲଜ୍ଜାଜନକ ବିଷୟ। ପରିବାରର ସମ୍ମାନ, ଜାତି, ସମ୍ପ୍ରଦାୟ କିମ୍ବା ସାମାଜିକ ପ୍ରତିଷ୍ଠା ନାମରେ କୌଣସି ବ୍ୟକ୍ତିଙ୍କ ଜୀବନ ଓ ସ୍ୱାଧୀନତାକୁ ବିପଦରେ ପକାଇବାର ଅଧିକାର କାହାରି ନାହିଁ।

ଏହି ପରିପ୍ରେକ୍ଷୀରେ ବିଜୁ ଯୁବ ଜନତା ଦଳ, କଳାହାଣ୍ଡି ପକ୍ଷରୁ ରାଜ୍ୟ ସରକାର ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦୃଢ଼ ଦାବି କରାଯାଉଛି ଯେ —

୧. ଏହି ସମ୍ବେଦନଶୀଳ ଘଟଣାର କ୍ରାଇମବ୍ରାଞ୍ଚ ଦ୍ୱାରା ନିରପେକ୍ଷ, ସ୍ୱଚ୍ଛ ଓ ସମୟବଦ୍ଧ ତଦନ୍ତ କରାଯାଉ।

୨. ଉଭୟ ମୃତକଙ୍କ ପରିବାର ପକ୍ଷରୁ ଉଠାଯାଇଥିବା ହତ୍ୟା ଅଭିଯୋଗର ସମସ୍ତ ଦିଗକୁ ଗୁରୁତ୍ୱର ସହ ତଦନ୍ତ ପରିସରଭୁକ୍ତ କରାଯାଉ।

୩. ଶବବ୍ୟବଚ୍ଛେଦ ରିପୋର୍ଟ, ଫରେନସିକ୍ ପ୍ରମାଣ, ଘଟଣାସ୍ଥଳର ପରିସ୍ଥିତି ଏବଂ ଅନ୍ୟାନ୍ୟ ସମସ୍ତ ତଥ୍ୟର ବୈଜ୍ଞାନିକ ଯାଞ୍ଚ କରାଯାଉ।

୪. ଘଟଣା ପଛରେ କୌଣସି ଅପରାଧିକ ଷଡ଼ଯନ୍ତ୍ର, ଧମକ, ପ୍ରରୋଚନା କିମ୍ବା ଅନ୍ୟ କୌଣସି ଅପରାଧ ପ୍ରମାଣିତ ହେଲେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

୫. ତଦନ୍ତର ଅଗ୍ରଗତି ସମ୍ପର୍କରେ ମୃତକଙ୍କ ପରିବାରକୁ ଅବଗତ କରାଯାଇ ସେମାନଙ୍କୁ ନ୍ୟାୟ ପ୍ରଦାନ ସୁନିଶ୍ଚିତ କରାଯାଉ।

୬. ଗୋଲାମୁଣ୍ଡା ଅଞ୍ଚଳରେ ୫ ନଭେମ୍ବରରେ ଘଟିଥିବା ଯୁବକଙ୍କ ହତ୍ୟାକାଣ୍ଡର ତୁରନ୍ତ ତଦନ୍ତ କରାଯାଇ ଅପରାଧୀଙ୍କୁ ଗିରଫ କରାଯାଉ।

୭. ୨ ନଭେମ୍ବରଠାରୁ ନିଖୋଜ ଥିବା କେଗାଁ ଅଞ୍ଚଳର ବରିଷ୍ଠ ସାମ୍ବାଦିକ ସୁଶାନ୍ତ କୁମାର ଦଳେଇଙ୍କୁ ଖୋଜି ବାହାର କରିବା ପାଇଁ ପୋଲିସ ପ୍ରଶାସନ ତ୍ୱରିତ ଓ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରୁ।

୮. କଳାହାଣ୍ଡି ଜିଲ୍ଲାରେ ଅପରାଧ ନିୟନ୍ତ୍ରଣ, ରାତ୍ରିକାଳୀନ ପାଟ୍ରୋଲିଂ ଏବଂ ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ ନିରୀକ୍ଷଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯାଉ।

ଆମର ଉଦ୍ଦେଶ୍ୟ କାହାକୁ ଦୋଷୀ ସାବ୍ୟସ୍ତ କରିବା ନୁହେଁ, ବରଂ ସତ୍ୟର ଉନ୍ମୋଚନ ଏବଂ ମୃତକଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବା। ଦୁଇଟି ଯୁବ ଜୀବନର ଅକାଳ ମୃତ୍ୟୁକୁ କେବଳ ଏକ ସାଧାରଣ ଅପମୃତ୍ୟୁ ଘଟଣା ଭାବେ ଗ୍ରହଣ କରିବା ପରିବର୍ତ୍ତେ ଏହାର ପ୍ରତ୍ୟେକ ଦିଗର ଗଭୀର ତଦନ୍ତ ହେବା ଉଚିତ। ସେହିପରି ଜିଲ୍ଲାରେ ଘଟୁଥିବା ହତ୍ୟାକାଣ୍ଡ, ଧର୍ଷଣ ଓ ନିଖୋଜ ଘଟଣାଗୁଡ଼ିକୁ ଗୁରୁତ୍ୱର ସହ ନେଇ ଲୋକଙ୍କ ମଧ୍ୟରେ ସୁରକ୍ଷା ଓ ଆଇନ ପ୍ରତି ଆସ୍ଥା ଫେରାଇ ଆଣିବା ପୋଲିସ ପ୍ରଶାସନର ଦାୟିତ୍ୱ। ରାଜ୍ୟ ସରକାର ଏହି ସମସ୍ତ ଘଟଣାର ଗମ୍ଭୀରତାକୁ ଉପଲବ୍ଧି କରି ଆବଶ୍ୟକ ପଦକ୍ଷେପ ନିଅନ୍ତୁ ବୋଲି ଜିଲ୍ଲା ଯୁବ ବିଜେଡି ସଭାପତି ଅବିନାଶ ଠାକୁର କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେଡି ନେତା ପ୍ରଦୀପ ମୁଣ୍ଡ, ଜିଲ୍ଲା ଯୁବ ବିଜେଡି ସଭାପତି ଅବିନାଶ ଠାକୁର, ରାଜ୍ୟ ବରିଷ୍ଠ ଯୁବ ଉପସଭାପତି ମଣ୍ଟୁ ନାଏକ, ରାଜ୍ୟ ଯୁବ ଉପସଭାପତି ମନିନ୍ଦ୍ର ମହାନ୍ତି, ଯୁବ ନେତା ଙ୍କ ସମେତ ଅନ୍ୟାନ୍ୟ ଯୁବ ବିଜେଡି ନେତୃବୃନ୍ଦ ଓ କର୍ମକର୍ତ୍ତାମାନେ ପ୍ରମୁଖ ଉପସ୍ଥିତ ଥିଲେ।

Related posts

ରାଜ୍ୟ ସଭାପତିଙ୍କ ଗ୍ରସ୍ତ ପରେ ଯାଜପୁର, ଦଶରଥପୁର ଓ ବିଞ୍ଝାରପୁର ହେଲା ଗେରୁଆ ମୟ

Sunil Chandra Nayak

ବିଭିନ୍ନ ଦାବି ନେଇ କଂଗ୍ରେସର ପ୍ରତିବାଦ

Sunil Chandra Nayak

ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କୁ ସ୍ଵାଗତ ସମର୍ଦ୍ଧନା

masiha

Leave a Comment

error: Content is protected !!