ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ସଂକଳ୍ପ’ ଆୟୋଜିତ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଉଦ୍‌ଯାପିତ

‘ସଂକଳ୍ପ’ ଆୟୋଜିତ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଉଦ୍‌ଯାପିତ

 ଶେଷ ସଂଧ୍ୟାରେ ନାଟକ ‘ଲୁହା ଶିକୁଳି’ ମଂଚସ୍ଥ.

ରାଉରକେଲା: ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ, ଓଡିଶା ସରକାର ଏବଂ ରାଉରକେଲା ଇସ୍ପାତ କାରଖାନା ଆନୁକୂଲ୍ୟରେ ସାଂସ୍କୃତିକ କଳା ପରିଷଦ ‘ସଂକଳ୍ପ’ ରାଉରକେଲା ଦ୍ୱାରା ଆୟୋଜିତ ୧୮ତମ ରାଜ୍ୟସ୍ତରୀୟ ଓଡିଆ ନାଟକ ମହୋତ୍ସବ ଆଜି ସଂଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ଶେଷ ସଂଧ୍ୟାରେ ସ୍ଥାନୀୟ ସିଭିକ୍ ସେଂଟରଠାରେ ରାଉରକେଲାର ପଂଚତତ୍ୱ ପକ୍ଷରୁ ନାଟକ ‘ଲୁହା ଶିକୁଳି’ ମଂଚସ୍ଥ ହୋଇଯାଇଛି। ନାଟକଟିକୁ ଆନନ୍ଦ ଶଙ୍କର ଦାଶ ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ଇଂ. ଜନ୍ମେଜୟ ମହାନ୍ତି। ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ସୌରଭ ମିଶ୍ର। ଆଲୋକ ରେ ସାଗର ସ୍ୱରୂପ ସ୍ୱାଇଁ, ମଂଚଶିଳ୍ପୀ ଅମୂଲ୍ୟ ବିଶୋଇ ଓ ସ୍ମାରକ ସହଯୋଗ କରିଥିଲେ । ବିଭିନ୍ନ ଭୂମିକାରେ ଶୁଭମ ସାମନ୍ତରାୟ, ସ୍ମାରକ ଅନୁରାଗ, ମନିଶା, ଶିବାନୀ ମହାନ୍ତି, ସାନିଆ ସାହୁ, ଜନ୍ମେଜୟ ମହାନ୍ତି, ରମେଶ ଜେନା, ସୌମ୍ୟଜିତ୍ ଭାରତୀ, ହିତେଶ ମଣ୍ଡଳ, ଏସ.କେ. ରେହାନ୍‌, ଦେବାଶିଷ, ସାହିଲ ଓ କାହ୍ନା ମହାରଣା ଅଂଶଗ୍ରହଣ କରିଥିଲେ। ଅପରାଧୀକୁ ଦଣ୍ଡ ଦେବା ସହଜ, କିନ୍ତୁ ତା’ ଭିତରେ ଥିବା ମଣିଷଟିକୁ ପୁଣି ଜାଗ୍ରତ କରିବା ହିଁ ପ୍ରକୃତ ଆହ୍ୱାନ। ଏହି ନାଟକ ଜଟିଳ ସାମାଜିକ ଓ ମାନବୀୟ ପ୍ରଶ୍ନକୁ ନେଇ ଏକ ଚିନ୍ତା ଉଦ୍ରେକକାରୀ କାହାଣୀକୁ ନେଇ ଗତିଶୀଳ ହୋଇଥିଲା । କ୍ଷମା, ସ୍ନେହ, ପ୍ରେମ ଓ ମମତାର ଅପୂର୍ବ ଶକ୍ତି ମାଧ୍ୟମରେ ଜଣେ ମଣିଷର ହୃଦୟରେ କିପରି ପରିବର୍ତ୍ତନର ଆଲୋକ ଜାଳି ପାରେ ଏବଂ ମଣିଷକୁ ବଦଳାଇବାର ଶକ୍ତି କେବଳ ଲୁହା ଶିକୁଳିରେ ନୁହେଁ ବରଂ ମାନବିକତାର ଅଦୃଶ୍ୟ ବନ୍ଧନରେ ରହିଛି, ଏହିଭଳି ବିଷୟବସ୍ତୁକୁ ନେଇ ନାଟକଟି ରଚିତ। ଉଦ୍‌ଯାପନୀ ସଂଧ୍ୟାରେ ‘ସଂକଳ୍ପ’ର ସଭାନେତ୍ରୀ ଡଃ କିଶୋରୀ ଦାଶ ଅଧ୍ୟକ୍ଷତା ଆୟୋଜିତ ସଭାରେ ରଘୁନାଥପାଲି ବିଧାୟକ ତଥା ସୁନ୍ଦରଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦୁର୍ଗା ଚରଣ ତନ୍ତୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ରୂପେ ଐତିହାସିକ ତଥା ପ୍ରଧ୍ୟାପକ ଡଃ ପ୍ରଭାତ କୁମାର ମଲ୍ଲିକ ଏବଂ ବରେଣ୍ୟ ଅତିଥି ଭାବେ ବିଶିଷ୍ଟ ଚାଟାର୍ଡ ଆକାଉଂଟାଂଟ ସନ୍ତୋଷ କୁମାର ଅଗ୍ରୱାଲ ଏବଂ ବିଶିଷ୍ଟ ସମାଜସେବୀ ତଥା କଳାନୁରାଗି ବିରେନ୍ କୁମାର ସେନାପତି ଯୋଗ ଦେଇଥିଲେ। ଏହି ଅବସରରେ ଅନୁଷ୍ଠାନର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ଶିକ୍ଷାବିତ, ସଂସ୍କୃତି ପ୍ରେମୀ ଅକ୍ଷୟ କୁମାର ଧଳଙ୍କ ଅବଦାନ କୁ ସମ୍ମାନ ଜଣାଇ ମିହିର ବରଣ ମୁଖାର୍ଜୀ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଉଦ୍‌ଘୋଷିକା ଶୁଭଶ୍ରୀ ଦାଶ ସଂଯୋଜନା କରିଥିବା ବେଳେ ସାଧାରଣ ସଂପାଦକ ପ୍ରକାଶ କୁମାର ସାହାଣୀ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟତମ ଉପଦେଷ୍ଟା ତଥା ବିଶିଷ୍ଟ ନାଟ୍ୟ ବ୍ୟକ୍ତିତ୍ୱ ପ୍ରଶନ୍ନ କୁମାର ଦାଶ ମଂଚାସୀନ ଥିଲେ। ନାଟକର ନିର୍ଦ୍ଦେଶକଙ୍କୁ ‘ସଂକଳ୍ପ’ସମ୍ମାନରେ ଓ ନାଟ୍ୟାନୁଷ୍ଠାନକୁ ଚିତ୍ତ ରଣା ସ୍ମୃତି ସମ୍ମାନରେ ସଂବର୍ଦ୍ଧିତ କରାଯାଇଥିଲା। ସମସ୍ତ ଅଭିନେତା ଅଭିନେତ୍ରୀ ଓ ଅଂଶଗ୍ରହଣକାରୀମାନଙ୍କୁ ପ୍ରଶସ୍ତି ପତ୍ର ପ୍ରଦାନ କରାଯାଇଥିଲା। ଅଭିନେତ୍ରୀ, ଉଦଘୋଷିକା ତଥା ଆକାଶବାଣୀ ର ସମ୍ବାଦ ପାଠିକା ଶୁଭଶ୍ରୀ ଦାଶ ଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା l କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନ ପକ୍ଷରୁ ଗଣପତି ରଣା, ପ୍ରିୟଦର୍ଶନ ରାଉତ, ଅକ୍ଷୟ ଧଳ, ଦିପ୍ତି ରଂଜନ ବାରିକ, ଅଧ୍ୟାପକ ବସନ୍ତ କୁମାର ଦାସ, ରଶ୍ମୀ ରେଖା ଦାସ, ରାନୁ ମହାପାତ୍ର, ପ୍ରବିର ମିଶ୍ର, ହେମନ୍ତ ବେହେରା, ରମେଶ ଚନ୍ଦ୍ର ସେଠୀ, ଶରତ ଚନ୍ଦ୍ର ଦାଶ, ବଟକୃଷ୍ଣ ଶତପଥୀ, ସଂଜୟ ମହାନ୍ତି, କୁଞ୍ଜନଲାଲ ବୋଷ, ରସରାଜ ବାରିକ୍ ପ୍ରମୁଖ ସହଯୋଗ କରିଥିଲେ। ଅତିଥିମାନେ ସଂକଳ୍ପର ପ୍ରତିଷ୍ଠା ଓ ପ୍ରଗତିରେ ବିଶେଷ ଅବଦାନ ଥିବା ଇହ ଲୋକ ତ୍ୟାଗ କରିଥିବା ପାଂଚ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସ୍ମାରକୀ ଜାତୀୟ ନାଟକ ମହୋତ୍ସବ – ୨୦୨୪ର ଦ୍ଵିତୀୟ ସନ୍ଧ୍ୟା ମଞ୍ଚସ୍ଥ ହେଲା ନାଟକ “ଲଙ୍ଗ୍ ମାର୍ଚ୍ଚ”

masiha

ନାଟ୍ୟଧାରାରେ ନାଟକ “ଜୟଯାତ୍ରା” 

masiha

“କାନ୍ଦ ମାଷ୍ଟ୍ରେ” ଓଡ଼ିଆ ଚଳଚ୍ଚିତ୍ରର ଅଡିଓ ଓ ଟ୍ରେଲର ରିଲିଜ୍ 

Sunil Chandra Nayak

Leave a Comment

error: Content is protected !!