ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ଭୂସ୍ବର୍ଗ ସାଜଇ ଧରା

ଭୂସ୍ବର୍ଗ ସାଜଇ ଧରା

    ବେଣୁଧର ସୂତାର

 

ପ୍ରାଚୀ ଲଲାଟରେ ଲୋହିତ ତରଙ୍ଗ

ନବ ଉଷା ଆଗମନ

ନିର୍ଜନ ନିଶିର ନିରବତା ଭାଙ୍ଗେ

ନିଶାନ୍ତ କାକଳି ସ୍ବନ

ସବୁ, ପ୍ରତୀକ୍ଷାର ଅବସାନ

ଦୂର ତପୋବନୁ ମୁନି କଣ୍ଠୁ ଶୁଭେ

ପବିତ୍ର ଓଁକାର ତାନ ।।

ଅରୁଣ ଉଦୟ ଶୁଭ ଅବସର

ଝରିଯାଏ ସ୍ବର୍ଣ୍ଣ ରେଣୁ

ଚାରୁ ସ୍ବପ୍ନମୟ ବର୍ଣ୍ଣିଳ ବଳୟ

ପ୍ରକୃତିର ଅନୁକୋଣୁ

ଦୂର, ପ୍ରାଚୀ ଗଗନର କୋଳେ

ଉଦୟ ଅରୁଣ ଲଲାମ ଲାଲିମା

ଦୀପ୍ତି କାନ୍ତି ସମୁଜ୍ବଳେ ।।

ଅୟୀ ପ୍ରକୃତିର ଲାବଣ୍ୟ ସୁଷମା

ପ୍ରଭାତର ଅବକାଶ

ପୁଲକିତ ଶୋଭା ବର୍ଣ୍ଣମୟ ବିଭା

ଅବନୀ ମୋହିନୀ ବେଶ

ସତେ, ପ୍ରୀତି ପଦ୍ମରାଗ ନେଇ

ମିହିର ପରଶେ କମଳିନୀ ହସେ

ନିମିଳିତ ଆଖି ଫେଇ ।।

ଶାନ୍ତ ଶୀତଳ ସ୍ନିଗ୍ଧ ମଧୁର

ଶାଶ୍ବତୀ ପ୍ରକୃତି ଶୋଭା

ଗୋଧୂଳି ସଞ୍ଜର ମତୁଆଲା ଜହ୍ନ

ଆହା କେଡ଼େ ମନଲୋଭା

ସେଇ, କବରୀ ରଙ୍ଗର ରାତି

କୁଆଁତାରା ଶୋଭେ

                  ବାରୁଣୀ ଗଗନେ

ହୀରକ ସୁନ୍ଦର ଜ୍ୟୋତି ।।

ଆହାକି ମୋହନ ତାରାଫୁଲେ ଜହ୍ନ

ସରସୀରେ ନୀଳ କଇଁ

ପ୍ରୀତିଅନୁରାଗେ ଚନ୍ଦ୍ରିକାପରାଗେ

ପ୍ରଣୟ ପରଶ ଦେଇ

ସେତ, ଚନ୍ଦ୍ରପ୍ରିୟା ନିରିମାଖି

ପବିତ୍ର ପ୍ରେମର ଜୋଛନା ବାସର

ଚିର ବନ୍ଧନର ସାକ୍ଷୀ ।।

ନୀଳ ଆକାଶର ବିପୁଳ ବିସ୍ତାର

ଦୂର ଦିଗ୍ ବଳୟ ଚୁମେ

ଗୋଧୂଳି ପରଶେ ବଉଳର ବାସେ

ରଜନୀର ତନ୍ଦ୍ରା ଜମେ

ସତେ, ସ୍ବପ୍ନର ଅମରାବତୀ

କିଆ କେତକୀର ବାସ୍ନା ବିଭୋର

ରୂପସୀ ଜୋଛନା ରାତି ।।

ପ୍ରୀତି ମାଧୁରିମା ପ୍ରେମ ପରିସୀମା

ଦୂରତା ନହୁଏ କଳି

ମୁଗ୍ଧ ପ୍ରେମାଳାପେ ପ୍ରଣୟ ଶୃଙ୍ଗାର

ପ୍ରେମର ମୁକ୍ତାବଳୀ

ପ୍ରେମେ, ବହୁଛି ଅମିୟ ଧାରା

ରବି ଆଉ ଶଶୀ ମିଶି ଦିବାନିଶି

ଭୂସ୍ବର୍ଗ କରନ୍ତି ଧରା ।।

ସଲିଳ ସମୀର ବିପୁଳ ସମ୍ଭାର

ଆଲୋକ ଅନ୍ଧାର ଭରି

ମାଟିର ମହକ ମନୋଜ୍ଞ ପୁଲକ

ମମତାର ମଧୁପୁରୀ

ଅବା, ସାକ୍ଷାତ ସେ ଅନ୍ନପୂର୍ଣ୍ଣା

ଯା ପାଇଁ ସମ୍ଭବ ପ୍ରକୃତି ବିଭବ

ଵିପୁଳା ବିଚିତ୍ର ବର୍ଣ୍ଣା ।।

କେଶଦୁରାପାଳ କେନ୍ଦୁଝର

 

Related posts

ତେରେସିଂହା କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୨’ ଅନୁଷ୍ଠିତ

Sunil Chandra Nayak

ନର୍ଥ ଆଫ୍ରିକା(ତୁନିଶିଆ)ଦେଶରୁ କ୍ରିଷ୍ଣା ଡିକେଙ୍କୁ ନିମନ୍ତ୍ରଣ

Sunil Chandra Nayak

ରାୟଗଡା ଜିଲ୍ଲାରେ ଶଙ୍ଖ ନାଦ

Sunil Chandra Nayak

Leave a Comment

error: Content is protected !!