ଭୂସ୍ବର୍ଗ ସାଜଇ ଧରା
ବେଣୁଧର ସୂତାର
ପ୍ରାଚୀ ଲଲାଟରେ ଲୋହିତ ତରଙ୍ଗ
ନବ ଉଷା ଆଗମନ
ନିର୍ଜନ ନିଶିର ନିରବତା ଭାଙ୍ଗେ
ନିଶାନ୍ତ କାକଳି ସ୍ବନ
ସବୁ, ପ୍ରତୀକ୍ଷାର ଅବସାନ
ଦୂର ତପୋବନୁ ମୁନି କଣ୍ଠୁ ଶୁଭେ
ପବିତ୍ର ଓଁକାର ତାନ ।।
ଅରୁଣ ଉଦୟ ଶୁଭ ଅବସର
ଝରିଯାଏ ସ୍ବର୍ଣ୍ଣ ରେଣୁ
ଚାରୁ ସ୍ବପ୍ନମୟ ବର୍ଣ୍ଣିଳ ବଳୟ
ପ୍ରକୃତିର ଅନୁକୋଣୁ
ଦୂର, ପ୍ରାଚୀ ଗଗନର କୋଳେ
ଉଦୟ ଅରୁଣ ଲଲାମ ଲାଲିମା
ଦୀପ୍ତି କାନ୍ତି ସମୁଜ୍ବଳେ ।।
ଅୟୀ ପ୍ରକୃତିର ଲାବଣ୍ୟ ସୁଷମା
ପ୍ରଭାତର ଅବକାଶ
ପୁଲକିତ ଶୋଭା ବର୍ଣ୍ଣମୟ ବିଭା
ଅବନୀ ମୋହିନୀ ବେଶ
ସତେ, ପ୍ରୀତି ପଦ୍ମରାଗ ନେଇ
ମିହିର ପରଶେ କମଳିନୀ ହସେ
ନିମିଳିତ ଆଖି ଫେଇ ।।
ଶାନ୍ତ ଶୀତଳ ସ୍ନିଗ୍ଧ ମଧୁର
ଶାଶ୍ବତୀ ପ୍ରକୃତି ଶୋଭା
ଗୋଧୂଳି ସଞ୍ଜର ମତୁଆଲା ଜହ୍ନ
ଆହା କେଡ଼େ ମନଲୋଭା
ସେଇ, କବରୀ ରଙ୍ଗର ରାତି
କୁଆଁତାରା ଶୋଭେ
ବାରୁଣୀ ଗଗନେ
ହୀରକ ସୁନ୍ଦର ଜ୍ୟୋତି ।।
ଆହାକି ମୋହନ ତାରାଫୁଲେ ଜହ୍ନ
ସରସୀରେ ନୀଳ କଇଁ
ପ୍ରୀତିଅନୁରାଗେ ଚନ୍ଦ୍ରିକାପରାଗେ
ପ୍ରଣୟ ପରଶ ଦେଇ
ସେତ, ଚନ୍ଦ୍ରପ୍ରିୟା ନିରିମାଖି
ପବିତ୍ର ପ୍ରେମର ଜୋଛନା ବାସର
ଚିର ବନ୍ଧନର ସାକ୍ଷୀ ।।
ନୀଳ ଆକାଶର ବିପୁଳ ବିସ୍ତାର
ଦୂର ଦିଗ୍ ବଳୟ ଚୁମେ
ଗୋଧୂଳି ପରଶେ ବଉଳର ବାସେ
ରଜନୀର ତନ୍ଦ୍ରା ଜମେ
ସତେ, ସ୍ବପ୍ନର ଅମରାବତୀ
କିଆ କେତକୀର ବାସ୍ନା ବିଭୋର
ରୂପସୀ ଜୋଛନା ରାତି ।।
ପ୍ରୀତି ମାଧୁରିମା ପ୍ରେମ ପରିସୀମା
ଦୂରତା ନହୁଏ କଳି
ମୁଗ୍ଧ ପ୍ରେମାଳାପେ ପ୍ରଣୟ ଶୃଙ୍ଗାର
ପ୍ରେମର ମୁକ୍ତାବଳୀ
ପ୍ରେମେ, ବହୁଛି ଅମିୟ ଧାରା
ରବି ଆଉ ଶଶୀ ମିଶି ଦିବାନିଶି
ଭୂସ୍ବର୍ଗ କରନ୍ତି ଧରା ।।
ସଲିଳ ସମୀର ବିପୁଳ ସମ୍ଭାର
ଆଲୋକ ଅନ୍ଧାର ଭରି
ମାଟିର ମହକ ମନୋଜ୍ଞ ପୁଲକ
ମମତାର ମଧୁପୁରୀ
ଅବା, ସାକ୍ଷାତ ସେ ଅନ୍ନପୂର୍ଣ୍ଣା
ଯା ପାଇଁ ସମ୍ଭବ ପ୍ରକୃତି ବିଭବ
ଵିପୁଳା ବିଚିତ୍ର ବର୍ଣ୍ଣା ।।
କେଶଦୁରାପାଳ କେନ୍ଦୁଝର