ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା ଅଲିଅଳି ତଅପୋଇ 

    ଅଲିଅଳି ତଅପୋଇ 

                    ଶ୍ଯାମା ପ୍ରସାଦ୍ ବୋଷ୍ 

ଅଲିଅଳି ଅଟେ ତଅପୋଇ ନାମେ 
ସାଧବ ଦୁଲଣୀ ଟିଏ 
ସାତ ଭାଇର ସେ ଭାରି ଅଲିଅଳି
ଗୋଟିଏ ଭଉଣୀ ସିଏ ।
ଅତି ସୁକୁମାରୀ ସେ ସାଧବ କୁମାରୀ 
ସରଗର ଚାନ୍ଦ ପରି 
ଅତି ଯତନରେ ସ୍ନେହ ଆଦରରେ 
ବଢିଥିଲା ଫୁଲ ପରି । 
ସାତ ଭାଇ ଙ୍କର ଆଖିର ତାରା ସେ 
ସୁଖର ପସରା ଭରି 
ଗେଲବସର ରେ ବଢୁ ଥିଲା ସତେ 
ଚନ୍ଦ୍ରକଳା ସମ ସରି । 
ସାତ ଭାଇ ସାତ ଭାଉଜ ଙ୍କ ମେଳେ 
ଆନନ୍ଦରେ ଦିନ ସାରି
ଜୀବନରେ ତାର ହସ ଖୁସି ଭରି 
ରହିଥିଲା ଅସୁମାରୀ । 
ସାଧବ ପୁଅ ଯେ ସାତ ଭାଇ ତାର 
ବଣିଜ ବେପାର କରି 
ଧନ ଦଉଲତ ବୋହି ଆଣିବାକୁ 
ଗଲେ ସେ ଦରିଆ ପାରି । 
ସାତ ଭାଉଜ ଙ୍କୁ ସାତ ଭାଇ ତାର 
ଦାୟିତ୍ୱରେ ଛାଡି ଦେଲେ 
ଟିକିଏ ବି ଦୁଃଖ ନପାଏ ଯେମିତି 
ଭାଉଜଙ୍କୁ କହିଗଲେ । 
ଅତି ଅଲିଅଳି ତଅପୋଇ ସେତ 
ସୁଖେ କାଟୁଥିଲା ଦିନ 
ଭାଉଜ ମାନେ ତ ସହି ପାରିଲେନି 
କଲେ କେତେ ହୀନିମାନ । 
ପୋଇଲି ପରାଏ ଖଟାଇଲେ ତାକୁ 
ଖୁଦ ମଳୁଖକୁ ଦେଇ 
ବନ କୁ ପଠାଇ ଦେଉଥିଲେ ତାକୁ 
ଯାଉଥିଲା ଛେଳି ନେଇ । 
ଛେଳି ଚରାଇଲା ଯାତନା ସହିଲା 
କେତେ ଦୁଃଖ କଷ୍ଟ ପାଇ 
ଅତି ସୁକୁମାରୀ ହେଲା ହୀନିମାନୀ 
ବାସି ଅଇଁଠା କୁ ଖାଇ । 
ସାତ ଭାଇଙ୍କୁ ସେ ଝୁରି ହେଉଥିଲା 
ରହିଥିଲା ପଥ ଚାହିଁ
ଦୁଃଖର ବୋଝ ତା ବଢି ଯାଉଥିଲା 
ଭାଇଙ୍କର ଦେଖା ନାହିଁ । 
ଛଅ ଭାଉଜ ଙ୍କ ବଢେ ଅତ୍ଯାଚାର 
ସାନ ଭାଉଜ ଟି ଏକା 
ତଅପୋଇ ଦୁଃଖେ ସମଦୁଃଖୀ ଥିଲା 
ଦୂରାଇ ମନରୁ ଶଙ୍କା । 
ତଅପୋଇ କି ସେ ଭାରି ଭଲପାଏ 
ଆଦର ଯତନ କରେ 
କହି ପାରେ ନାହିଁ ସହି ପାରେ ନାହିଁ 
ଛଅ ଯାଆଙ୍କର ଡରେ ।
ଘରମଣୀ ନାମେ ଛେଳି ଟିଏ ଥିଲା 
ବଡ ଭାଉଜର ପ୍ରିୟ 
ବନରେ ଦିନେ ସେ ହଜିଗଲା ପୁଣି 
ତଅପୋଇ ମନେ ଭୟ । 
ଝଡ ବରଷା ରେ ରାତିର ଅନ୍ଧାରେ 
ଜରୁଆ ଦେହରେ ତାକୁ 
ବଡ ଭାଉଜ ତା ଘରୁ ତଡିଦେଲା 
ଘରମଣୀ ଖୋଜିବାକୁ । 
ବାଟରେ ଦେଖିଲା ମଙ୍ଗଳା ମାଆର 
ଖୁଦୁରୁକୁଣୀ ର ପୂଜା 
ମନେ ସୁମରିଲା ମଙ୍ଗଳା ମାଆଙ୍କୁ 
ଭୋଗ ଦେଲା ଖୁଦ ଭଜା । 
ଘୋର ବନସ୍ତରେ ଉଚ୍ଚ ଶ୍ବରେ କାନ୍ଦି 
ଡାକୁଥାଏ ଘରମଣୀ
ମଙ୍ଗଳା ମାଆଙ୍କୁ ସୁମରଣା କରି 
ମନେ ହେଲା କେତେ ଭଣି । 
ସାତଭାଇ ଙ୍କର ଫେରିବା ମନାସୀ 
କାନ୍ଦି କାନ୍ଦି ତଅପୋଇ 
ଆଖିର ଲୁହରେ ଅର୍ଘ୍ଯ ଢାଳୁଥିଲା 
କାନ୍ଦୁ ଥିଲା କଇଁ କଇଁ । 
ଖୁଦୁରୁକୁଣୀ ଙ୍କ ଅପାର ଦୟାରୁ 
ସାତଭାଇ ଫେରି ଆସି 
ଦେଖିଲେ ବନସ୍ତେ ଘରମଣୀ ଖୋଜି
ତଅପୋଇ କାନ୍ଦେ ବସି । 
ଅଲିଅଳି ତଙ୍କ ଭଉଣୀ ର ଦୁଃଖ 
ଶୁଣି ସାତ ଭାଇ ତାର 
ଛଅ ଭାଉଜଙ୍କୁ ଦଣ୍ଡିଲେ ତାହାର 
ସାନ ହେଲା ଗଳା ହାର ।
ଅଲିଅଳି ସେହି ତଅପୋଇ ପୁଣି
ସାତଭାଇ ଙ୍କର ପରା 
ସେନେହ ପରଶେ ରହିଲା ହରଷେ 
ଖୁସିରେ ସେ ଆତ୍ମହରା । 
ଖୁଦୁରୁକୁଣୀ ର ଉପାଖ୍ଯାନ ଏହି 
ଅଲିଅଳି ତଅପୋଇ 
ମଙ୍ଗଳା ମାଆର ପୂଜା କରିଥିଲା 
ରହିଛି ବର୍ଣ୍ଣିତ ହୋଇ । 

ଶ୍ଯାମା ପ୍ରସାଦ୍ ବୋଷ୍ 

ବେଗୁନିଁଆ , ମଲ୍ଲୀକ୍ ସାହି 
ଗୋପ୍ , ପୁରୀ 

Related posts

ତିନୋଟି ଅସହାୟ ଗରିବ ପରିବାର ମୁହଁରେ ହସ ଫୁଟାଇଲେ ତିନି ଯୁବ ସମାଜ ସେବୀ 

Sunil Chandra Nayak

ଭାରତର ପ୍ରଧାନ ମନ୍ତ୍ରୀ ଙ୍କ ହର ଘର ତ୍ରିରଙ୍ଗା ପତାକା ବିକ୍ରୟ କାର୍ଜ୍ୟକ୍ରମର ଶୁଭାରମ୍ଭ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ମୁଁ ବାରାଙ୍ଗନା

Sunil Chandra Nayak

Leave a Comment

error: Content is protected !!