ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଶୁଙ୍କ ଶ୍ୱେଟରରେ ବି ପିସି କାରବାର ଅଭିଯୋଗ ୨୦୦ ଟଙ୍କାର ଶ୍ୱେଟର ପାଇଁ ଆସୁଛି ଅର୍ଥ, ହେଲେ ଅଙ୍ଗନୱାଡ଼ିରେ ପହଞ୍ଚୁ ପହଞ୍ଚୁ କମି ଯାଉଛି ମାନ !

ଶିଶୁଙ୍କ ଶ୍ୱେଟରରେ ବି ପିସି କାରବାର ଅଭିଯୋଗ
୨୦୦ ଟଙ୍କାର ଶ୍ୱେଟର ପାଇଁ ଆସୁଛି ଅର୍ଥ, ହେଲେ ଅଙ୍ଗନୱାଡ଼ିରେ ପହଞ୍ଚୁ ପହଞ୍ଚୁ କମି ଯାଉଛି ମାନ !
ଶୀତ ନ ସରୁଣୁ ଚିରିଯାଉଛି କୁନି ଶିଶୁଙ୍କ ଶ୍ୱେଟର
ଡିଏସଡବ୍ଲୁ, ସିଡିପିଓ, ସୁପରଭାଇଜର ,ଅଙ୍ଗନୱାଡି : କାହାରଭାଗ କେତେ 

ଗୋଲାମୁଣ୍ଡା ୨୩/୧୧(ମ ନି ସ) ଗରିବ ଓ ଅସହାୟ ଶିଶୁଙ୍କୁ ଶୀତଦାଉରୁ ସୁରକ୍ଷା ଦେବା ପାଇଁ ସରକାର ଯୋଗାଇ ଦେଉଛନ୍ତି ଶୀତବସ୍ତ୍ର। ଉଦ୍ଦେଶ୍ୟ ମହତ୍, ଯୋଜନା ମଧ୍ୟ ଶିଶୁଙ୍କ ହିତ ପାଇଁ। ହେଲେ ଏହି ଶୀତବସ୍ତ୍ର ଯୋଗାଣରେ ଯଦି ଦୁର୍ନୀତିର ଛାଇ ପଡ଼େ, ତେବେ ଗରିବ ଶିଶୁଙ୍କ ସୁରକ୍ଷା କାହା ଭରସାରେ? ସରକାରୀ ଅର୍ଥ ଖର୍ଚ୍ଚ ହେଉଛି, ଶ୍ୱେଟର ବଣ୍ଟନ ମଧ୍ୟ ହେଉଛି, ହେଲେ ଶ୍ୱେଟରର ଗୁଣବତ୍ତାକୁ ନେଇ ଏବେ ଉଠିଛି ସାଂଘାତିକ ପ୍ରଶ୍ନ।କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଆଇସିଡିଏସ ଅଧୀନରେ ରହିଛି ୧୮୪ଟି ଅଙ୍ଗନୱାଡ଼ି କେନ୍ଦ୍ର। ଏହି କେନ୍ଦ୍ରଗୁଡ଼ିକରେ ମୋଟ ୫ ହଜାର ୩୮୧ ଜଣ ଶିଶୁ ଅଧ୍ୟୟନ ଓ ପ୍ରାକ୍‌-ଶିକ୍ଷା ସହ ବିଭିନ୍ନ ସେବା ପାଉଛନ୍ତି। ଶିଶୁ ପିଛା ୨୦୦ ଟଙ୍କା ମୂଲ୍ୟର ଶ୍ୱେଟର ଯୋଗାଇବାର ବ୍ୟବସ୍ଥା ରହିଛି। ହିସାବକୁ ଦେଖିଲେ ଏହି ୫ ହଜାର ୩୮୧ ଶିଶୁଙ୍କ ପାଇଁ ମୋଟ ୧୦ ଲକ୍ଷ ୭୬ ହଜାର ୨୦୦ ଟଙ୍କାର ଶ୍ୱେଟର ଆବଶ୍ୟକ। ହେଲେ ଅଭିଯୋଗ ହେଉଛି, ଉପରସ୍ତରରୁ ତଳସ୍ତର ପର୍ଯ୍ୟନ୍ତ କଥିତ ପିସି କାରବାର ଯୋଗୁଁ ଶ୍ୱେଟର କିଣା ପାଇଁ ଉଦ୍ଦିଷ୍ଟ ଅର୍ଥର ପୂରା ମୂଲ୍ୟ ଶିଶୁଙ୍କ ପାଇଁ ଖର୍ଚ୍ଚ ହେଉନାହିଁ। ଡିଏସଡବ୍ଲୁ, ସିଡିପିଓ ଓ ସୁପରଭାଇଜର ଏବଂ ଅଙ୍ଗନୱାଡିଙ୍କ ନାମ ନେଇ ଅଭିଯୋଗ ଉଠୁଥିବା ବେଳେ ଏହାର ସତ୍ୟତା ତଦନ୍ତସାପେକ୍ଷ। ଫଳରେ କମ୍ ମୂଲ୍ୟରେ ନିମ୍ନମାନର ଶ୍ୱେଟର କିଣାଯାଇ ଶିଶୁଙ୍କୁ ବଣ୍ଟନ କରାଯାଉଥିବା ଅଭିଯୋଗ ହୋଇଛି। ସବୁଠାରୁ ଦୁଃଖର କଥା, ଶୀତ ଋତୁ ଶେଷ ହେବା ପୂର୍ବରୁ ହିଁ କିଛି ଶ୍ୱେଟର ଚିରି ଯାଉଥିବା ଅଭିଯୋଗ ଆସିଛି। ଯେଉଁ ଶ୍ୱେଟର ଶିଶୁଙ୍କୁ ଶୀତରୁ ରକ୍ଷା କରିବା କଥା, ତାହା ଯଦି କିଛି ଦିନ ମଧ୍ୟରେ ନଷ୍ଟ ହୋଇଯାଏ, ତେବେ ଏହାର ଗୁଣବତ୍ତା ଓ କ୍ରୟ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠିବା ସ୍ୱାଭାବିକ। ସରକାର ଶିଶୁଙ୍କ ହିତ ପାଇଁ ଟଙ୍କା ଦେଉଛନ୍ତି, ହେଲେ ସେହି ଟଙ୍କାର ସୁଫଳ ପ୍ରକୃତରେ ଶିଶୁଙ୍କ ପାଖରେ ପହଞ୍ଚୁଛି ତ? ଶ୍ୱେଟର କିଣାର ଟେଣ୍ଡର, ବିଲ୍, କ୍ରୟ ମୂଲ୍ୟ ଓ ଗୁଣବତ୍ତାର ଯାଞ୍ଚ ହେଲେ ହୁଏତ ସାମ୍ନାକୁ ଆସିପାରିବ ପ୍ରକୃତ ଚିତ୍ର। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ଗୋଲାମୁଣ୍ଡା ଶିଶୁ ବିକାଶ ଅଧିକାରୀ ପଦ୍ମା ମଞ୍ଜରୀ ପ୍ରଧାନଙ୍କୁ ଏ ସମ୍ପର୍କରେ ପଚରାଯିବାରୁ ସେ କହିଛନ୍ତି ଯେ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (ଡିଏସଡବ୍ଲ୍ୟୁ)ଙ୍କ ବ୍ୟାଙ୍କ ଖାତାରୁ ସିଧାସଳଖ ଅଙ୍ଗନୱାଡ଼ି କେନ୍ଦ୍ରର ଯୁଗ୍ମ ଜମାଖାତାକୁ ଅର୍ଥ ଯାଇଥାଏ। ଟେଣ୍ଡର ପାଇଥିବା ସ୍ୱୟଂ ସହାୟକ ଗୋଷ୍ଠୀ ଶୀତବସ୍ତ୍ର ବଣ୍ଟନ କରିଥାନ୍ତି। ଅଙ୍ଗନୱାଡ଼ି କର୍ମୀମାନେ ସିଧାସଳଖ ଟେଣ୍ଡର ପାଇଥିବା ସ୍ଵୟଂ ସହାୟକ ଗୋଷ୍ଠୀ କୁ ଟଙ୍କା ପ୍ରଦାନ କରନ୍ତି ।ତେବେ ବଣ୍ଟନ ସମୟରେ ସେ ଉପସ୍ଥିତ ନଥିବାରୁ ପୋଷାକର ମାନ କିଭଳି ଥିଲା, ସେ ଜାଣିନଥିବା ପ୍ରକାଶ କରିଛନ୍ତି। ଏହା ସମ୍ପର୍କରେ ସେକ୍ଟର ସୁପରଭାଇଜରମାନେ ଅଧିକ ଜାଣିଥିବେ ବୋଲି ସେ କହିଛନ୍ତି । ତେଣୁ ଏହି ଅଭିଯୋଗର ନିରପେକ୍ଷ ତଦନ୍ତ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।

ଦାମୋଦର ଦାସ ଙ୍କ ରିପୋର୍ଟ୍ 

Related posts

ଶ୍ରୀଜଗନ୍ନାଥଙ୍କ ପରମ୍ପରା ଓଡ଼ିଶାର ସଂସ୍କୃତିକୁ ମହାନ୍ କରିଛି , ମ୍ୟୁଜିକ ସର୍କଲର ୨୮ତମ ବିଜୟା ଉତ୍ସବ ପାଳିତ

masiha

ବିଧାୟକଙ୍କ ଦ୍ଵାରା ଶ୍ରେଣୀଗୃହ ନବୀକରଣ ପାଇଁ ୧୦ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ

Sunil Chandra Nayak

ଗୋପବନ୍ଧୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସମ୍ପନ୍ନ

masiha

Leave a Comment

error: Content is protected !!