ସମ୍ବିଧାନ ଦିବସ କୁ ଭୋଟ ଅଧିକାର ଦିବସ ଭାବେ ପାଳନ ଓ ଏସ ଆଇ ଆର୍ କୁ ବାତିଲ କରିବା ଦାବିରେ ସି ପି ଆଇ ଏମ୍ ର ବିକ୍ଷୋଭ
ରାଉରକେଲା: ଆଜି ସି ପି ଆଇ ଏମ୍ ଓ ଇଣ୍ଡିଆ ମେଣ୍ଟ ତରଫରୁ ଦେଶବ୍ୟାପୀ ସମ୍ବିଧାନ ଦିବସ ଓ ଜାତୀୟ ଆଇନ୍ ଦିବସ କୁ ଭୋଟ ଅଧିକାର ଦିବସ ଭାବରେ ପାଳନ କରିବା ସହିତ ଦେଶର ଜନଗଣଙ୍କ ସାମ୍ବିଧାନିକ ଅଧିକାର ର ସୁରକ୍ଷା ପାଇଁ ଓ କେନ୍ଦ୍ର ସରକାର ଆଣିଥିବା ଏସ ଆଇ ଆର୍ କୁ ବାତିଲ କରିବା ଦାବିରେ ଗଣ ବିକ୍ଷୋଭ ପାର୍ଟିର ରାଉରକେଲା ଆଂଚଳିକ କମିଟି ପକ୍ଷରୁ ରାଉରକେଲା ଆମ୍ବାଗାନ ଛକଠାରେ ଅନୁଷ୍ଠିତ ହୋଇଯାଇଛି। ସି ପି ଆଇ ଏମ୍ ରାଉରକେଲା ଆଂଚଳିକ କମିଟି ସଂପାଦକ ରାଜ କିଶୋର ପ୍ରଧାନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ବିମାନ ମାଇତି, ଶ୍ରୀମନ୍ତ ବେହେରା, ଜିଲ୍ଲା କମିଟି ସଦସ୍ୟ ବି ପି ମହାପାତ୍ର, ବସନ୍ତ ନାୟକ, ଆଂଚଳିକ କମିଟି ସଂପାଦକ ମଣ୍ଡଳୀ ସଦସ୍ୟ ବିଶ୍ଵଜିତ ମାଝୀ, ଚନ୍ଦ୍ରଭାନୁ ଦାଶ, ଲକ୍ଷ୍ମୀଧର ନାୟକ, ଆଂଚଳିକ କମିଟି ସଦସ୍ୟ ପ୍ରଭାତ ମହାନ୍ତି, ଅରୁଣ ମହାରଣା, ଅଜିତ ଏକ୍କା, ସମ୍ବିତ ସ୍ବାଇଁ ପ୍ରମୁଖ ବକ୍ତବ୍ୟ ରଖି କହିଥିଲେ ଯେ
୧୯୪୯ ମସିହା ନଭେମ୍ବର ୨୬ ତାରିଖ ଦିନ ଭାରତର ସମ୍ବିଧାନ ପ୍ରଣୟନ ସଭା ଆମ ଦେଶର ସମ୍ବିଧାନକୁ ଗ୍ରହଣ କରିଥିଲା। ପରବର୍ତ୍ତୀ ସମୟରେ, ୧୯୫୦ ମସିହା ଜାନୁଆରୀ ୨୬ ତାରିଖରୁ ଏହା କାର୍ଯ୍ୟକାରୀ ହୋଇଥିଲା। ଏହି ଦିବସକୁ ‘ଜାତୀୟ ଆଇନ ଦିବସ’ ଭାବେ ମଧ୍ୟ ପାଳନ କରାଯାଏ। ଆଜି ଆମେ ସମସ୍ତେ ଜାଣୁ ଯେ, ନରେନ୍ଦ୍ର ମୋଦୀ ସରକାର ଏବଂ ସଂଘ ପରିବାର ଆମ ଦେଶର ସମ୍ବିଧାନକୁ ଯୋଜନାବଦ୍ଧ ଭାବେ ବିକୃତ ଓ ଧ୍ୱଂସ କରିବା ପାଇଁ ସୁଚିନ୍ତିତ ଉଦ୍ୟମ ଚଳାଇଛନ୍ତି। ସେମାନେ ଭାରତର ସମ୍ବିଧାନକୁ ହଟାଇ ଏହା ବଦଳରେ ଏକ ଆଧୁନିକ ରୂପରେ “ମନୁବାଦୀ-ବ୍ରାହ୍ମଣବାଦୀ-କର୍ପୋରେଟ୍-କ୍ଷମତାସର୍ବସ୍ୱ” ଶାସନ ମଡେଲ୍ ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି।
ଏହି ସମ୍ବିଧାନ ବିରୋଧୀ ଷଡ଼ଯନ୍ତ୍ର ଓ ଆକ୍ରମଣକୁ ଆମକୁ ସମସ୍ତ ଶକ୍ତି ଲଗାଇ ଦୃଢ଼ତାର ସହ ପ୍ରତିରୋଧ କରିବାକୁ ହେବ। ଏହି ପରିପ୍ରେକ୍ଷୀରେ, ଚାଲିଥିବା ଏସ ଆଇ ଆର୍ ବିରୋଧୀ ଆନ୍ଦୋଳନର ପୃଷ୍ଠଭୂମିରେ, ପାର୍ଟି ଦେଶ ତମାମ ନଭେମ୍ବର ୨୬ ତାରିଖକୁ ‘ଭୋଟ ସୁରକ୍ଷା ଦିବସ / ଭୋଟ ଅଧିକାର ଦିବସ’ ଭାବେ ପାଳନ କରିବାକୁ ଆହ୍ବାନ କରିଛି।
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଦେଶର ପ୍ରାୟ ୧୩ କୋଟି ଭୋଟର ଙ୍କ ନାମକୁ ଏହି ଏସ ଆଇ ଆର୍ ଜରିଆରେ କେନ୍ଦ୍ର ମୋଦି ସରକାର ଙ୍କ ନିର୍ଦ୍ଦେଶରେ କାଟିଛନ୍ତି। ତାଙ୍କୁ ବରଖାସ୍ତ କରିବା ଓ ଏସ ଆଇ ଆର୍ କୁ ବାତିଲ ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ।
ଏହି ବିକ୍ଷୋଭ କାର୍ଯ୍ୟକ୍ରମ କୁ ଅନ୍ୟମାନଙ୍କ ମଧ୍ୟରେ ବସନ୍ତ ପାଢ଼ୀ, ସଚିନ୍ ରାୟ, ପ୍ରମୋଦ ପରିଡ଼ା, ପ୍ରଦୀପ ଗୈ।ଡ, ଜନ୍ମେଜୟ ଘୋଷ, ଜୟନ୍ତୀ ମୋହିନୀ,କୁନ୍ଦନ ବେହେରା ପ୍ରମୁଖ ପରିଚାଳନା କରିଥିଲେ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

