ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ରେ ଲୋପ ପାଇଯାଇଥିବା କଫି ଚାଷକୁ ପୁନଃ ଉଦ୍ଧାର କରିବା ପାଇଁ ନିର୍ଦ୍ଦେଶ

ଥୁଆମୂଳ ରାମପୁର:୩୧/୦୭-ମ.ନି.ସ: – କଳାହାଣ୍ଡି ଜିଲ୍ଲାରେ ଲୋପପାଇ ଯାଇଥିବା କଫି ଚାଷକୁ ପୁଣି ଚାଷ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ୧୯୮୦ ମସୀହାରେ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅବହେଳିତ ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ସଦର ମହକୁମାରେ କଫି ଚାଷକୁ ନେଇ ରାଜ୍ୟ ତଥା ଦେଶରେ ଚର୍ଚ୍ଚାରେ ରହିଥିଲା। କିନ୍ତୁ ତତ୍କାଳୀନ ସମୟରେ ସରକାରୀ କଳର ଅବହେଳା ଓ ସ୍ଥାନୀୟ ଜନପ୍ରତିନିଧି ଙ୍କର ଅପାରଗତା ଯୋଗୁଁ ଏହି ଅଞ୍ଚଳରେ ଲୋପ ପାଇ ବସିଥିଲା କଫି, ଏହି କଫି ଚାଷ ସମୟରେ ଗରିବ ଲୋକେ ସ୍ଵାବଲମ୍ବୀ ହେବା ସହିତ ଅଞ୍ଚଳରେ ଶାନ୍ତ ପରିବେଶ ସୃଷ୍ଟି କରୁଥିଲା, ସୁନ୍ଦର ପରିବେଶ ମଧ୍ୟରେ ଦେଖଣାହାରି ଲୋକେ ମୋହିତ ହେଉଥିଲେ। ସେସୁନ୍ଦର ପରିବେଶ ଆଉ ନାହିଁ, ଥୁଆମୂଳ ରାମପୁର ବ୍ଳକରେ ଯେଉଁ କଫି ଚାଷ ହେଉଥିଲା ସେହି ସମୟରେ ଚାରିଆଡେ ଘଞ୍ଚ ଜଙ୍ଗଲ ସୃଷ୍ଟି ହେବା ଓ ପାଣିପାଗ ପାଇଁ ବେଶ୍ ଅନୁକୂଳ ସୃଷ୍ଟି କରୁଥିଲା। ଯାହାର ଜ୍ଵଳନ୍ତ ଉଦାହରଣ ଥୁଆମୂଳ ରାମପୁର ରାସ୍ତା ଉପରେ ଥିବା ଏହି କଫି ଗଛ ବର୍ତ୍ତମାନ ମଧ୍ୟ ରାସ୍ତାର ଉଭୟ ପାର୍ଶ୍ୱରେ ଦଣ୍ତାୟମାନ ରହିଛି। ଏଥିରେ ୨୦ ରୁ ଉର୍ଦ୍ଧ୍ବ କଫି ଗଛ ରହିଛି।ତେଣୁ ଏହି ଅଞ୍ଚଳର କଫିର ଇତିହାସର ମୁକ ସାକ୍ଷୀ ଭାବରେ ଏବେବି ଦେଖିବାକୁ ମିଳୁଛି। ଏହାକୁ ଦୃଷ୍ଟିରେ ରଖି ଦୀର୍ଘ ବର୍ଷ ପରେ ପୁଣି କଫି ଚାଷର ଶୁଭାରମ୍ଭ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି । ଏନେଇ ନୂତନ ଜିଲ୍ଲାପାଳ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିବା ଘଟଣାକୁ ନେଇ ବିଭିନ୍ନ ମହଲରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ ଜଣାପଡିଛି ଯେ, ଥୁଆମୂଳ ରାମପୁର ବ୍ଲକରେ ପ୍ରଥମ ପର୍ଯ୍ୟାୟରେ ୧୯୩ ହେକ୍ଟରରୁ ଉର୍ଦ୍ଧ୍ବ ଜମିରେ କଫି ଚାଷ କରାଯିବା ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏବିଷୟରେ ଶୁଣିବା ପରେ କଫି ଚାଷୀଙ୍କ ମଧ୍ୟରେ ପୁଣି ନୂଆ ଆଶା ସଞ୍ଚାର ହୋଇଯାଇଛି ଏହାକୁ ନେଇ ଓଡ଼ିଶା କଫି ମିଶନ ପକ୍ଷରୁ ସ୍ୱତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ନିମନ୍ତେ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର କୋରାପୁଟ ଜିଲ୍ଲାରେ ହେଉଥିବା କଫି ଚାଷ କୁ ନେଇ ଦେଶ ତଥା ବିଦେଶରେ ବେଶ ସୁନାମ ଅର୍ଜନ କରିସାରିଛି। ରାଜ୍ୟ ସରକାରଙ୍କ ପକ୍ଷରୁଏହାର ସୁବ୍ଯବସ୍ଥା ଯୋଗୁଁ ଏହାର ବେଶ ଆଦର ଲାଭ କରିଛି । କୋରାପୁଟ କଫି ପରେ କଳାହାଣ୍ଡି ଜିଲ୍ଲାରେ ପୁଣି କଫି ଚାଷ ପାଇଁ ଉଦ୍ୟମ ଆରମ୍ଭ ହେବାକୁ ଯାଉଛି।ନୂଆ ଜିଲ୍ଲାପାଳ ପି. ଅନ୍ଵେଷା ରେଡ୍ଡୀ ଜିଲ୍ଲାରେ ଯୋଗଦେବା ପରେ ଜଳଛାୟା ବିଭାଗର ଅଧିକାରୀମାନଙ୍କୁ କଫି ଚାଷ କରିବା ଉଦ୍ୟମ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମନରେଗା ଯୋଜନା, କଫି ବୋର୍ଡ, ଡିଏମଏଫ ଫଣ୍ଡ ଦ୍ବାରା ଜଳଛାୟା ବିଭାଗ ପକ୍ଷରୁ କଫି ଚାଷ ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ କରିବାକୁ ଜିଲ୍ଲାପାଳ ରେଡ୍ଡୀ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକର କାଣିଗୁମା, ଗୋପିନାଥପୁର ପଞ୍ଚାୟତର ବଡବଫ୍ଲା,ମହୁଲ ପାଟଣା ପଞ୍ଚାୟତର ଉପର ଚୋବରି ଓ ମହୁଲପାଟଣାରେ କଫି ଚାଷ ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିନିମନ୍ତେ ଯଥାଶୀଘ୍ର ରାଜସ୍ବ ନୀରିକ୍ଷକଙ୍କୁ ଏହି ଜମିର ସର୍ଭେ କାର୍ଯ୍ଯ ଆରମ୍ଭ କରିବା ପାଇଁ ସୂଚନା ଦେଇଛନ୍ତି। କଫି ଚାଷ କରିବା ପାଇଁ ଆଗ୍ରହୀ ଥିବା ଚାଷୀଙ୍କ ପ୍ରଡ୍ୟୁସର ଗୋଷ୍ଠୀ ଗଠନ କରି ଜଳଛାୟା ବିଭାଗର ମୃତ୍ତିକା ସଂରକ୍ଷଣ କମିଟି ଦ୍ଵାରା କଫି ଚାଷ ପାଇଁ ପଦକ୍ଷେପ ନିଆଯିବ ବୋଲି ମତ ପ୍ରକାଶ ପାଇଛି।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ବିଶ୍ଵ ଜନସଂଖ୍ୟା ଦିବସ ପାଳିତ

Sunil Chandra Nayak

ଓ ପି ଏସ୍ ସି ପରୀକ୍ଷା ରେ ଢେ଼ଙ୍କାନାଳ ମାଟିର ଝିଅ ଶୁଭସ୍ମିତା

Sunil Chandra Nayak

ୟୁଏସ୍ଆଇ ସଂଗଠନ ତରଫରୁ ବେଲପୋଷି ବିଦ୍ୟାଳୟରେ ବୃକ୍ଷ ରୋପଣ

Sunil Chandra Nayak

Leave a Comment

error: Content is protected !!