ରାଉରକେଲା/ ରାଉରକେଲାର ଅଗ୍ରଣୀ ନାଟ୍ଯାନୁଷ୍ଠାନ ସମ୍ପର୍କ ସପ୍ତାହକ ଭିତରେ ଦୁଇ ଦୁଇ ଟି ଅପୂର୍ବ ସଫଳତାର ସିଢି ଆରୋହଣ କରିବା ସହିତ ରାଉରକେଲାକୁ ଗୌରବାନ୍ବିତ କରିଛି । ସମ୍ପର୍କର ପ୍ରାଣ ପ୍ରତିଷ୍ଠାତା ନାଟ୍ୟକାର, ନିର୍ଦ୍ଦେଶକ, ଅଭିନେତା ତଥା ନାଟ୍ୟଚର୍ଚ୍ଚା ପତ୍ରିକାର ସମ୍ପାଦକ ଭାସ୍କର ଚନ୍ଦ୍ର ମହାପାତ୍ରଙ୍କ ସଙ୍କଳନ ଓ ସମ୍ପାଦନାରେ ଓଡ଼ିଶାର ପ୍ରଥମ ନାଟ୍ୟପ୍ରବନ୍ଧ ସଙ୍କଳନ “ନାଟ୍ୟପ୍ରବନ୍ଧ ମାନସ ” ଭୁବନେଶ୍ବରର ସୂଚନା ଭବନରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ବାରା ଉନ୍ନୋଚିତ ହୋଇ ଯାଇଛି । ଏହି ବର୍ଣ୍ଣାଢ୍ଯ ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ,ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, କେନ୍ଦ୍ର ସାହିତ୍ୟ ଏକାଡ଼େମୀର କାର୍ଯ୍ୟକ୍ରମ ଅଧିକାରୀ ଡଃ. ମିହିର କୁମାର ସାହୁ, ଓଡ଼ିଶା ସରକାରଙ୍କ ଖଣି ଓ ଇସ୍ପାତ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ସଂଗ୍ରାମ କେଶରୀ ସ୍ବାଇଁ, ସମବାୟ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଭରତ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ସମୀକ୍ଷକ ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଡଃ ସମର ମୁଦୁଲି, ଉତ୍କଳ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଡଃ ନାରାୟଣ ସାହୁ, ଓଡ଼ିଶା ସାହିତ୍ୟ ଏକାଡେମୀର ବରିଷ୍ଠ ସଦସ୍ଯ ଡଃ ବିବେକାନନ୍ଦ ପାଣିଗ୍ରାହୀ, ଏହି ପୁସ୍ତକ ର ପ୍ରକାଶକ ଶୁଭେନ୍ଦୁ ଶେଖର ପାତ୍ର,ସଂକଳ୍ପ ର ସଭାପତି ସୁବ୍ରତା ପତି ଯୋଗଦାନ କରିଥିଲେ । ୪୩୨ପୃଷ୍ଠା ବିଶିଷ୍ଟ ଏହି ପୁସ୍ତକରେ ଓଡ଼ିଶାର ୫୨ଜଣ ବରିଷ୍ଠ ପ୍ରାବନ୍ଧିକଙ୍କ ୫୨ଟି କାଳଜୟୀ ପ୍ରବନ୍ଧ ସ୍ଥାନିତ ହୋଇଛି । ଏହା ଓଡ଼ିଆ ନାଟ୍ୟଜଗତର ଦୁଇ ଶହ ବର୍ଷର ଇତିହାସର ସ୍ବାକ୍ଷର ବହନ କରିଛି । ଏହି ଅବସରରେ ଭଞ୍ଜ କଳା ମଣ୍ଡପ ରେ ସମ୍ପର୍କର କାଳଜୟୀ ଏକକ ନାଟକ “ଅନାମ ଆତ୍ମଲିପି” ସଫଳତାର ସହିତ ମଞ୍ଚସ୍ଥ ହୋଇଥିଲା । ନାଟକର ରଚୟିତା ଓ ନିର୍ଦ୍ଦେଶକ ଭାସ୍କର ଚନ୍ଦ୍ର ମହାପାତ୍ର ଏକ ଘଣ୍ଟା ଧରି ନିଜର ନିଖୁଣ ଏକକ ଅଭିନୟରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଜଣେ ଅନାମଧେୟ ନାଟ୍ଯକାରଙ୍କ ଜୀବନୀ ଉପରେ ଆଧାରିତ ଏହି ନାଟକରେ ସହ ନିର୍ଦ୍ଦେଶକ ଥିଲେ ସୁରେନ୍ଦ୍ର ପାଢୀ, ପ୍ରଚ୍ଛଦ କଣ୍ଠଦାନ କରିଥିଲେ ଅଶୋକ ବଳ, ପୁଷ୍ପା ବିଶୋଇ ଓ ସସ୍ମିତା ବେକ୍। ସଙ୍ଗୀତ- ଶକ୍ତି ପ୍ରସାଦ ମିଶ୍ର, ଆଲୋକ ରାକେଶ ଶତପଥୀ ଦେଇ ଥିବା ବେଳେ ଉପ ସଭାପତି ବିଜୟ ପାତ୍ର ମଞ୍ଚ ପରିଚାଳନା କରିଥିଲେ ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ