ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁର୍ଗମ କୁଲାନାଳ ଗାଁରେ ଜନନୀ ଯନ୍ତ୍ରଣା

ଯାଆଁଳା ସନ୍ତାନ ଜନ୍ମର ୧୨ ଦିନ ପରେ ଜୀବନ ହାରିଲେ ମହିଳା

ଲାଞ୍ଜିଗଡ଼,୦୮/୧୨(ମନିସ)-ଯାଆଁଳା ସନ୍ତାନ ଜନ୍ମ ଦେବା ପରେ ବି ସେ ନଥିଲେ ବିପଦମୁକ୍ତ ! ତେବେ ତାଙ୍କ ପାଇଁ ନା ମିଳିପାରିଲା ଚିକିତ୍ସା ସେବା, ନା କୌଣସି ସରକାରୀ ସହାୟତା ! ସେହିପରି ନିଜର ଚରମ ଅସହାୟତା ଓ ସଚେତନତାର ଅଭାବ ଜଣେ ପ୍ରସୂତି ମହିଳାଙ୍କ ଜୀବନ ନେଇଛି ! ଦୁନିଆ ଦେଖିବାର ଦିନ କେଇଟା ମଧ୍ୟରେ ଦୁଇଟି ଯାଆଁଳା ଛୁଆ ନିଜ ଜନ୍ମଦାତ୍ରୀ ମାଆକୁ ହରାଇଛନ୍ତି ! ଏପରି ଏକ ଦୁଃଖଦ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ କୁଲାନାଳ ଗାଁରେ ! ଯାହା ଆଜିର ଉପଲବ୍ଧ ସରକାରୀ ସ୍ବାସ୍ଥ୍ୟସେବାର ବିକଳ ପରିସ୍ଥିତିକୁ ଉଜାଗର କରିଛି ! ସୂଚନା ଅନୁଯାୟୀ, କୁଲାନାଳ ଗାଁର ଗଦ ମାଝୀଙ୍କ ସ୍ତ୍ରୀ ଲାଖ ମାଝୀ ଗତ ନଭେମ୍ବର ୨୧ ତାରିଖରେ ଯାଆଁଳା ସନ୍ତାନ ଜନ୍ମ ଦେଇଥିଲେ ! ତେବେ ଶାରୀରିକ ଅସୁସ୍ଥତା, ରକ୍ତହୀନତା ଭଳି ସମସ୍ୟାର ଶିକାର ହୋଇଥିବା ଲାଖ ଯାଆଁଳା ସନ୍ତାନ ଜନ୍ମର ୧୨ ଦିନ ପରେ ମ୍ରୁତ୍ୟୁବରଣ କରିଛନ୍ତି ! ମାଆର ମ୍ରୁତ୍ୟୁ ପରେ ଦୁଇ ନବଜାତ ମାଆ ଛେଉଣ୍ଡ ହୋଇଯାଇଥିବାବେଳେ ମ୍ରୁତ ମହିଳାଙ୍କ ପୂର୍ବରୁ ଚାରିଜଣ ସନ୍ତାନ ମଧ୍ୟ ଅନାଥ ହୋଇ ପଡ଼ିଛନ୍ତି ! ସ୍ବାମୀ ଗଦ ମାଝୀ ସ୍ତ୍ରୀର ମ୍ରୁତ୍ୟୁ ପରେ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ! ପୂର୍ବର ଚାରି ସନ୍ତାନ ସହିତ ବର୍ତ୍ତମାନର ଦୁଇ ନବଜାତଙ୍କୁ କେମିତି ସମ୍ଭାଳିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି ! ତେବେ କୁଲାନାଳ ଗାଁଠାରୁ ମାତ୍ର ଚାରି କିମି ଦୂରରେ ଲାଞ୍ଜି ସ୍ବାସ୍ଥ୍ୟ ଉପକେନ୍ଦ୍ର ରହିଥିବାବେଳେ ମହିଳା ସ୍ବାସ୍ଥ୍ୟ କର୍ମୀ କିମ୍ବା ସ୍ବାସ୍ଥ୍ୟ ବିଭାଗର ଅନ୍ୟ କର୍ମକର୍ତ୍ତା ମହିିଳାଙ୍କ ବିପଜ୍ଜନକ ଗର୍ଭାବସ୍ଥା ସଂପର୍କରେ ସୂଚୀତ ଥାଇ ବି ତାଙ୍କ ପ୍ରତି ଅବହେଳା କରିବାରୁ ଲାଖଙ୍କ ମ୍ରୁତ୍ୟୁ ଘଟିଲା ବୋଲି କୁହାଯାଉଛି ! ଏଥିଯୋଗୁଁ ହିଁ ଲାଖଙ୍କ ଯାଆଁଳା ସନ୍ତାନ ମଧ୍ୟରୁ ପ୍ରଥମ କନ୍ୟାଶିଶୁ ଘରେ ଜନ୍ମ ହେବାପରେ ଅତ୍ୟନ୍ତ ସଂକଟାପନ୍ନ ପରିସ୍ଥିତିରେ ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ! ସେଠାରେ ସେ ଦ୍ବିତୀୟ ଶିଶୁକୁ ଜନ୍ମ ଦେଇଥିଲେ ! ସେଠାରେ ରକ୍ତହୀନତା ଯୋଗୁଁ ଗୋଟିଏ ୟୁନିଟ୍ ରକ୍ତ ବି ଦିଆଯାଇଥିଲା ! ତେବେ ଚିକିତ୍ସା ବ୍ୟବସ୍ଥା ନସରୁଣୁ ସେମାନେ ହସ୍ପିଟାଲରୁ ଘରକୁ ପଳାଇ ଆସିଥିଲେ ! ତେବେ ଆଶା, ମହିଳା ସ୍ବାସ୍ଥ୍ୟ କର୍ମୀ ପ୍ରସବ ପରବର୍ତ୍ତୀ ଯତ୍ନ ଓ ପରିଦର୍ଶନ ନକରିବାରୁ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ବିପଦ ଆଡ଼କୁ ଗତି କରିବା ସହିତ ଶିଶୁ ଜନ୍ମର ୧୨ ଦିନ ପରେ ଲାଖ ଆଖି ବୁଜିଥିଲେ ! ଏବେ ୪ ସନ୍ତାନଙ୍କ ସହିତ ୨ ନବଜାତଙ୍କ ଦାୟିତ୍ବ ନେବା ଗଦଙ୍କ ପାଇଁ ମୁସ୍କିଲ ହୋଇପଡ଼ିଛି ! ଏପରି ପରିସ୍ଥିତିରେ ଦୁଇ ନବଜାତଙ୍କ ଦାୟିତ୍ବ ଜିଲ୍ଲା ଶିଶୁ ମଙ୍ଗଳ ସମିତି ନେଇଥିବା ଓ ଭବାନୀପାଟଣାସ୍ଥିତ ନେହରୁ ସେବାକେନ୍ଦ୍ରରେ ଥଇଥାନ କରାଯାଇଥିବା ଜଣାପଡ଼ିଛି !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

କବିତା ସାହୁ  ଙ୍କ କବିତା କଳା କାହ୍ନୁ ବଇଶୀ ଧର 

Sunil Chandra Nayak

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ମଣିମା

ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!