ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୭ ପ୍ରସ୍ତାବକୁ ମୋହର: ଗ୍ରାଣ୍ଟ୍-ଇନ୍-ଏଡ୍ ସ୍କୁଲ୍‌ ପାଇଁ ଲାଗୁ ହେଲା ସପ୍ତମ ବେତନ କମିସନ

 ମଙ୍ଗଳବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ  ବସିଥିବା କ୍ୟାବିନେଟ୍‌ ବୈଠକରେ  ମୋଟ୍‌ ୧୭ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। କ୍ୟାବିନେଟ ନିଷ୍ପତ୍ତି ଅନୁସାରେ ରାଜ୍ୟର ବେସରକାରୀ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ମଦ୍ରାସାର ଶିକ୍ଷକ ଓ କର୍ମଚାରୀମାନେ ଏଣିକି ସପ୍ତମ ବେତନ ହାରରେ ଦରମା ପାଇବେ। ୨୦୨୧ ମସିହା ଡିସେମ୍ବର ୩୧ସୁଦ୍ଧା ଶତ ପ୍ରତିଶତ ଅନୁଦାନ ପାଉଥିବା ବିଦ୍ୟାଳୟ ହିଁ ଏଥିପାଇଁ ଯୋଗ୍ୟ ବିବେଚିତ ହେବେ। ଏହା ଦ୍ବାରା ୨୬,୧୬୪ଜଣ ଶିକ୍ଷକ ଓ କର୍ମଚାରୀ ଉପକୃତ ହେବେ।ରାଜକୋଷରୁ ବାର୍ଷିକ ୨୮୦.୪୮କୋଟି ଟଙ୍କାର ଅତିରିକ୍ତ ବ୍ୟୟ ହେବ। ଏ ସଂକ୍ରାନ୍ତୀୟ ପ୍ରସ୍ତାବରେ ଆଜି ରାଜ୍ୟ କ୍ୟାବିନେଟ୍ ମୋହର ବାଜିଛି।

ସେହିଭଳି କ୍ୟାବିନେଟ୍‌ର ନିଷ୍ପତ୍ତି ମୁତାବକ ‘ନଦୀ ଗର୍ଭ ସୀମିତ ଜଳ ସଂରକ୍ଷଣ ଆନିକଟ ନିର୍ମାଣ’ ଯୋଜନାରେ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଚୌଧୁରୀ ଗଡ଼ା ଗ୍ରାମ ନିକଟରେ ମହାନଦୀରେ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ତିଖିରି ଗ୍ରାମ ନିକଟରେ ପାଇକା ନଦୀରେ ଆନିକଟ ସେତୁ ନିର୍ମାଣ ହେବ। ଏହି ପ୍ରକଳ୍ପ ନିର୍ମାଣ ପାଇଁ ୩୪୪ କୋଟି ୬୭ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ଓ ୩୬ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ। ଏହି ଦୁଇଟି ପ୍ରକଳ୍ପ କ୍ୟାବିନେଟ୍‌ର ଅନୁମୋଦନ ପାଇଛି। ପ୍ରକଳ୍ପ ଦ୍ବାରା ଜଗତସିଂହପୁର ଜିଲ୍ଲାସ୍ଥିତ କୁଜଙ୍ଗ ବ୍ଲକ୍‌, ପାରାଦୀପ ନଗରପାଳିକା ଓ କେନ୍ଦ୍ରାପଡ଼ା ଜିଲ୍ଲାସ୍ଥିତ ମାର୍ଶାଘାଇ ଓ ମହାକାଳପଡ଼ା ବ୍ଲକ୍‌ର ୮୯ଟି ଗ୍ରାମର ଲୋକଙ୍କର ପାନୀୟ ଜଳ ଓ ଘରୋଇ ବ୍ୟବହାର ନିମନ୍ତେ ପର୍ଯ୍ୟାପ୍ତ ଜଳ ମିଳିବ।

ସେହିପରି ଜଳଜୀବନ ମିସନ୍ ଯୋଜନାରେ ଅନୁଗୁଳ ଜିଲ୍ଲାରେ ଦୁଇଟି ବୃହତ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପର ଟେଣ୍ଡର୍‌କୁ କ୍ୟାବିନେଟ୍‌ ଅନୁମୋଦନ ମିଳିଛି। ଏହା ଦ୍ବାରା ଅନୁଗୁଳ ଓ ବଅଁରପାଳ ବ୍ଲକ୍‌ ଅଧୀନରେ ୪୮ଟି ପଞ୍ଚାୟତର ଲୋକ ବିଶୁଦ୍ଧ ପାନୀୟ ଜଳ ପାଇବେ।

କ୍ୟାବିନେଟ୍‌ରେ ଚାଷ ସଂକ୍ରାନ୍ତୀୟ ଦୁଇଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ରାଜ୍ୟକୁ ଆଳୁ, ପିଆଜ, ପନିପରିବା ଓ ମସଲା ଉତ୍ପାଦନରେ ଆତ୍ମନିର୍ଭରଶୀଳ କରିବା ଓ ଚାଷୀଙ୍କ ରୋଜଗାର ବୃଦ୍ଧି କରିବା ନିମନ୍ତେ ‘ଆଳୁ, ପନିପରିବା ଓ ମସଲା ଉନ୍ନୟନ ଯୋଜନା’ କାର୍ଯ୍ୟକାରୀ କରାଯିବ। ଏ ବାବଦରେ ୪ ବର୍ଷରେ ୧୧୪୨.୨୪ କୋଟି ଟଙ୍କା ବ୍ୟୟ କରାଯିବ। କୃଷିରେ ମହିଳା ସଶକ୍ତୀକରଣ ସହ ରାଜ୍ୟରେ ଛତୁ ଚାଷକୁ ଦ୍ବିଗୁଣିତ କରିବା ପାଇଁ ଯୋଜନା ପ୍ରଣୟନ କରାଯାଇଛି। ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ୫ ବର୍ଷରେ ୩୬୭.୧୯ କୋଟି ଟଙ୍କାର ବ୍ୟୟ ଅଟକଳ ଅନୁମୋଦନ କରାଯାଇଛି।

ସେହିପରି ଲଘୁ ଖଣିଜ ପଦାର୍ଥର ବିକାଶ ଓ ନିୟନ୍ତ୍ରଣ ପ୍ରକ୍ରିୟା ଆଉ ରାଜସ୍ବ ବିଭାଗ ହାତରେ ରହିବନି। ଏହା ଇସ୍ପାତ ଓ ଖଣି ବିଭାଗକୁ ହସ୍ତାନ୍ତର କରାଯାଇଛି। ଏହି ପରିବର୍ତ୍ତିତ ବ୍ୟବସ୍ଥାର ସୁନିୟନ୍ତ୍ରଣ ପାଇଁ ଓଏମ୍ଏମ୍‌ସି ରୁଲ୍‌ସ୍‌, ୨୦୧୬ରେ ସଂଶୋଧନ କରାଯାଇଛି। ଆଜି ଏ ସଂକ୍ରାନ୍ତୀୟ ପ୍ରସ୍ତାବ କ୍ୟାବିନେଟ୍‌ରେ ପାରିତ ହୋଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

୨୨ଟି ପଛୁଆ ବର୍ଗର ଜାତିକୁ ରାଜ୍ୟର ସାମାଜିକ ଓ ଶିକ୍ଷାଗତ ପଛୁଆବର୍ଗ (ଏସଇବିସି) ତାଲିକାରେ ସାମିଲ

Sunil Chandra Nayak

ପ୍ରତି ଜିଲ୍ଲାରେ ଏସଏଚଜି ମହିଳାଙ୍କୁ ଦିଆଯିବ ଡ୍ରାଇଭିଂ ଟ୍ରେନିଂ

Sunil Chandra Nayak

NEP-2020: ଓଡ଼ିଶାକୁ ‘ନଲେଜ୍ କ୍ୟାପିଟାଲ୍’ ଭାବେ ଗଢ଼ିବା ପାଇଁ ଦୁଇ ଦିନିଆ ଜାତୀୟ ସ୍ତରୀୟ କର୍ମଶାଳା

Leave a Comment

error: Content is protected !!