ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଅପର୍ତ୍ତି ସେଠୀ ଙ୍କ କବିତା _ _ ଲକ୍ଷ୍ଯ _ _

   _ _ ଲକ୍ଷ୍ଯ _ _

                ଅପର୍ତ୍ତି ସେଠୀ

ଲକ୍ଷ୍ୟ କରି ବୀର ଅର୍ଜ୍ଜୁନ ମାରିଲେ
       ଗାଣ୍ଡିବରୁ ଯେଉଁ ତୀର,
ମୀନ ଆଖି ଭେଦ କରି ଜିତିଥିଲେ
       ଦ୍ର‌ଉପଦୀ ସ୍ଵୟମ୍ବର।
ଲକ୍ଷ୍ୟ କରି ରାମ ପେଶି ଏକ ବାଣ  
       ନେଇଥିଲେ ବାଳୀ ପ୍ରାଣ,
ଲକ୍ଷ୍ୟ କରାଗଲେ ସ୍ଥିର କରି ମନ
       କାର୍ଯ୍ୟଟି ହୁଏ ସାଧନ।
ଲକ୍ଷ୍ୟ କରି ପକ୍ଷୀ ସନ୍ଧ୍ୟା ଆଗମନେ
       ବାହୁଡେ ଆପଣା ନିଡ,
ଲକ୍ଷ୍ୟ କରି ବତ୍ସା ଗାଈ ପାଶେ ଧାଏଁ
       ଶିଶୁ ଲକ୍ଷ୍ୟ ମାଆ କୋଳ।
ମଦ୍ଯପର ଲକ୍ଷ୍ୟ ମଦଭାଟିଠାରେ
       ଭ‌ଅଁରର ଲକ୍ଷ୍ୟ ଫୁଲେ,
ପ୍ରେମିକର ଲକ୍ଷ୍ୟ ପ୍ରେମିକା ପାଖରେ
       ପାନପତ୍ରେ ତୀର ମାରେ।
ଲକ୍ଷ୍ୟ କରି ମାଛରଙ୍କା ଯେଉଁପରି
       ଝାମ୍ପି ନେଇଯାଏ ମୀନ,
ସେଭଳି ନେତାର ଲକ୍ଷ୍ୟ ଭୋଟ୍‌‌ ପାଇଁ
       ହାତେଇବାକୁ ଆସନ।
ଦୋକାନୀର ଲକ୍ଷ୍ୟ ଗରାଖଙ୍କଠାରେ
       ଗାୟକର ସଙ୍ଗୀତରେ,
ମଳୟ ପରଶେ କୋଇଲୀର ଲକ୍ଷ୍ୟ
       ଗହଳିଆ ଆମ୍ଵଡାଳେ।
ମାଆଟିର ଲକ୍ଷ୍ୟ ନିଜ ସନ୍ତାନଠିଁ
       ଭକ୍ତ ଲକ୍ଷ୍ୟ ଭଗବାନ,
ଗୁରୁଙ୍କର ଲକ୍ଷ୍ୟ ଉତ୍ତମ ଶିଷ୍ଯରେ
       ଛାତ୍ରର ବିଦ୍ଯାଧ୍ଯୟନ।
ସଜନୀର ଲକ୍ଷ୍ୟ ନିରୋଳା ରଜନୀ
      ଲୋଭୀ ଲକ୍ଷ୍ୟ ଧନଠାରେ,
ଚୋରଟିର ଲକ୍ଷ୍ୟ ଚୋରି କରିବାକୁ
       ଖୋଜିବୁଲେ ଅନ୍ଧାରରେ।
ବହିଯାଏ ନ‌ଈ ଏକ ଲକ୍ଷ୍ୟ ନେଇ
       ମିଶିବାକୁ ସାଗରରେ,
ରୋଗୀଟିର କିନ୍ତୁ ଅରୁଚି ପାଟିଟା
       ଲକ୍ଷ୍ୟ ଥାଏ ପଖାଳରେ।
କାମୁକର ଲକ୍ଷ୍ୟ ପରକିୟା ପ୍ରୀତି
        ସାଧୁର ଜଗତ ହିତେ,
କୂଳଟାର ଲକ୍ଷ୍ୟ ଦେହ ଭୋକ ସୁଖ
        ପର ପୁରୁଷର ସାଥେ।
ଲକ୍ଷ୍ୟଟି ଏମିତି ଅଦୃଶ୍ଯ ଶବ୍ଦଟି
        ସବୁରି ଜୀବନ ସ୍ଵପ୍ନ,
କବିଟିର ଲକ୍ଷ୍ୟ ଯେହ୍ନେ କାବ୍ୟ ସୃଷ୍ଟି
       ଶବ୍ଦ ଭାଷା,ଭାବ, ଜ୍ଞାନ।
ଜୀବନର ଲକ୍ଷ୍ୟ କେବଳ ମରଣ 
       ଏଇତ ବିଧି ବିଧାନ,
ଶେଷ ଲକ୍ଷ୍ୟ ପୁଣି ମୁକତିର‌ ଧାମ
       ଶେଷ ଗୀତ ରାମନାମ।

ପାଳକଣା‌, କୋରୋ‌, କେନ୍ଦ୍ରାପଡା

   

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା = ଶ୍ରୀରାମ ନବମୀ

Sunil Chandra Nayak

କୁମାର ରଞ୍ଜନ ଙ୍କ କବିତା = ସତହେଲା ଜହ୍ନ ମାମୁଁ ଲୋରୀ 

masiha

ଅର୍ଜୁନୀ ଚରଣ ବେହେରା ଙ୍କ ଭଜନ= ଜଗଜ୍ଜନ ବନ୍ଧୁ ଜେମା ଜୀବବନ୍ଧୁ   

Sunil Chandra Nayak

Leave a Comment

error: Content is protected !!