ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ପ୍ରବନ୍ଧ

ସୁବ୍ରତ କୁମାର ପ୍ରଧାନ ଙ୍କ ଆଲେଖ୍ୟ // କ୍ରାନ୍ତିକାରୀ ବୀର ବିଛନ୍ଦ ଚରଣ ପ୍ରଧାନ

କ୍ରାନ୍ତିକାରୀ ବୀର ବିଛନ୍ଦ ଚରଣ ପ୍ରଧାନ

             ( ୧୦୬ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ )

                                ସୁବ୍ରତ କୁମାର ପ୍ରଧାନ

ସେ ଥିଲେ ଭାରତୀୟ ମୁକ୍ତି ସଂଗ୍ରାମର ଅନନ୍ୟ ଯୋଦ୍ଧା ତଥା ତାଳଚେର ପ୍ରଜାମଣ୍ଡଳ ଆନ୍ଦୋଳନର ଡିଟେକ୍ଟର ସଂଗ୍ରାମୀ ବିଛନ୍ଦ ଚରଣ ପ୍ରଧାନ।ତାଙ୍କର ଜନ୍ମ ୧୯୧୮ ଫେବୃଆରୀ ୨୦ ତାରିଖ ତାଳଚେର ର କଣିହାଁ ବ୍ଲକ ଅନ୍ତର୍ଗତ କଂସମୁଣ୍ଡା ଗ୍ରାମରେ।ପିଲାଟି ଦିନରୁ ସେ ଖୁବ ବିଚକ୍ଷଣ,ମେଧାବୀ,ଓ ସ୍ଵାଧୀନଚେତା ଥିଲେ। ଯୁବରାଜ ହାଇସ୍କୁଲ ରୁ ସଫଳତାର ସହ ମାଟ୍ରିକ ପାସ କରିଥିଲେ। ତତ୍କାଳୀନ ସମୟରେ ତାଳଚେର ରାଜାଙ୍କ ଅନ୍ୟାୟ ଅତ୍ୟାଚାର ଓ ଅନ୍ଧାରୀ ଶାସନ ସବୁ ସୀମା ଟପି ଯାଇଥାଏ।ପଢିଲା ବେଳେ ତାଙ୍କର ଶିକ୍ଷକ ଶ୍ରୀଯୁକ୍ତ ପବିତ୍ର ମୋହନ ପ୍ରଧାନ ( ପରେ ଓଡ଼ିଶା ର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ)ଙ୍କ ଆହ୍ୱାନ ରେ ଝାସ ଦେଇଥିଲେ ଜଣେ ବିପ୍ଲବୀ ଭାବରେ। ରାଜାଙ୍କ କୁଶାସନ ରେ ଅତିଷ୍ଠ ହୋଇ ନିକଟସ୍ଥ ଅନୁଗୋଳ ରାଜ୍ୟ କୁ ପଳାୟନ କରିଥିଲେ। ୬ ସେପ୍ଟେମ୍ବର ୧୯୩୮ ମସିହା ବୀରଭୂମି କୋଶଳା ର ମା ରାମଚଣ୍ଡୀ ପୀଠରେ ” ପ୍ରଜାମଣ୍ଡଳ ” ଗଠନ ପାଇଁ , ପ୍ରଥମ ସଭାରେ ଯୋଗଦାନ ପାଇଁ ଆସୁଥିବା ବେଳେ ତାଙ୍କର ଦୁଇ ସହଯୋଗୀ ଙ୍କୁ ଗିରଫ କରାହେଲା।ଯଦିଓ ବିଛନ୍ଦ ବାବୁ ଚତୁରତାର ସହ ସେଠାରୁ ଖସି ଗଲେ, କିନ୍ତୁ ପୋଲିସ ତାଙ୍କର ଦୁଇ ସହକର୍ମୀ ଙ୍କୁ ଅକଥନୀୟ ଯନ୍ତ୍ରଣା ବେତ୍ରାଘାତ କୁ ଲୁଚି ଦେଖିଥିଲେ।ତରୁଣ ମନରେ ତାଙ୍କର ଜାତୀୟତାବାଦ ଓ ବିପ୍ଲବ ର ବହ୍ନି ଜଳି ଉଠିଥିଲା। ଭୀଷ୍ମ ଙ୍କ ଭଳି ପ୍ରତିଜ୍ଞା କରିଥିଲେ ସଂଗ୍ରାମୀ ମାନଙ୍କୁ ଏକତ୍ରିତ କରି ଜନ୍ମଭୂମି କୁ ମୁକ୍ତ କରିବା।୧୯୪୨ ମସିହାରେ ଭାରତଛାଡ ଆନ୍ଦୋଳନ ସମୟରେ ଏକ ମିଥ୍ୟା ଘଟଣା ପ୍ରଘଟ ହେଲା ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନ ଙ୍କୁ ରାଜା ଓ ଇଂରାଜ ମାନେ ମିଶି ହତ୍ୟା କରିଛନ୍ତି।ଏହାର ଉଦ୍ଦେଶ୍ୟ ଥିଲା ବୃହତ୍ତର ଆନ୍ଦୋଳନ କୁ ପ୍ରତିହତ କରିବା।କିନ୍ତୁ ସେତେବେଳକୁ ପବିତ୍ର ବାବୁ ଜେଲ୍ ରୁ ଫେରାର ହୋଇ ସାରିଥାନ୍ତି । ସଂଗ୍ରାମୀ ପଞ୍ଚସଖା ମଧ୍ୟ ଜେଲରେ ଥାଆନ୍ତି। ପ୍ରଜାମଣ୍ଡଳ ଆନ୍ଦୋଳନ ନିଃସକ୍ରିୟ ଓ ନେତାଶୂନ୍ୟ ଭଳି ଥିଲା। ସେତେବେଳେ ଏଭଳି ଘଡିସନ୍ଧି ମୂହୁର୍ତ୍ତ ରେ ନେତୃତ୍ବ ନେଇଥିଲେ ସଂଗ୍ରାମୀ ଯୁବକ ବିପ୍ଲବୀ ବିଛନ୍ଦ ଚରଣ।

       ୧୯୪୨ ସେପ୍ଟେମ୍ବର ୨ ତାରିଖରେ ରାଜତନ୍ତ୍ର ବିରୁଦ୍ଧରେ ରାଜବାଟୀ ଧ୍ଵଂସ ଓ ଜେଲ ଭାଙ୍ଗିବା ପାଇଁ ହଜାର ହଜାର ଜନ ସମୁଦ୍ର ମାଡି ଆସିଥିଲେ ରାଜ ପ୍ରାସାଦ ଆଡକୁ। ବିଛନ୍ଦ ବାବୁ ଙ୍କ ଅଗ୍ନି ବର୍ଷି ଭାଷଣ ରେ ସଂଗ୍ରାମ ଉଗ୍ର ରୂପ ଧାରଣ କରିଥିଲା। ଭୟଭୀତ ରାଜା ଇଂରେଜ ପ୍ରଶାସନ ସହାୟତାରେ ସୈନ୍ୟ ଓ ହେଲିକପ୍ଟର ମଗାଇ ଆକାଶମାର୍ଗରୁ ମେସିନ ଗନ ସାହାଯ୍ୟ ରେ ଗୁଳି ବର୍ଷଣ କରିଥିଲେ।ଏଥିରେ ବହୁ ସଂଗ୍ରାମୀ ମୃତାହତ ହୋଇଥିଲେ ।ଭାରତ ସ୍ଵାଧିନତା ଇତିହାସରେ ଏଭଳି ନରସଂହାର ଅତି ବିରଳ ଘଟଣା। ଅଭୂତପୂର୍ବ ଜନ ସମର୍ଥନ ରେ ଭୀତତ୍ରସ୍ତ ରାଜା ଘୋଷଣା କଲେ ବିଛନ୍ଦ ଙ୍କୁ ମୃତ ବା ଜୀବନ୍ତ ଭାବରେ ଧରାଇ ଦେଲେ ଟ- ୫୦୦୦/ ଙ୍କା ପୁରସ୍କାର ପ୍ରଦାନ କରାଯିବ। ବିଛନ୍ଦ ବାବୁ ଙ୍କର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତି ବ୍ୟାଜାପ୍ତି କରି ନିଲାମ କରାଗଲା।ପରିବାରର ସମସ୍ତ ସଦସ୍ୟ ଙ୍କୁ ଜେଲ୍ ରେ ପୁରାଇ ଦଣ୍ଡିତ କରାଯାଇଥିଲା। କିନ୍ତୁ ସ୍ଥିତପ୍ରଜ୍ଞ ବିପ୍ଲବୀ ଅସୀମ ଧୈର୍ଯ୍ୟ ର ସହ ଗୁପ୍ତ ଭାବରେ ଆନ୍ଦୋଳନ ଚାଲୁ ରଖିଲେ। ଗାଁ ଗାଁ ରେ ପୋଲିସ ପଇଁତରା କୁ ସୁରକ୍ଷିତ ମଣିଲେ ନାହିଁ। ଛଦ୍ମବେଶ ରେ ଘଞ୍ଚ ଜଙ୍ଗଲ ଗିରି ବନାନୀ ଦେଇ ପାଦରେ ଚାଲି ଚାଲି ସମ୍ବଲପୁର ରେଳଷ୍ଟେସନ ରେ ପହଞ୍ଚିଲେ। ସେଠାରୁ ଟାଟା ଅଭିମୁଖେ ଯାତ୍ରା କଲେ। ସେଠାରେ ବହୁ କଷ୍ଟ ରେ ଓ ଖାଦ୍ୟାଭାବରେ କାଳାତିପାତ କରିଥିଲେ। ଅଜ୍ଞାତବାସ ରେ କାଶୀ ବୃନ୍ଦାବନ ରେ ପହଞ୍ଚିଲେ। ରାମଦାସ ବାବାଜୀ ଙ୍କ ଠାରୁ ବୈଷ୍ଣବ ଦୀକ୍ଷା ନେଇଥିଲେ।ତାଙ୍କର ଆଧ୍ୟାତ୍ମିକ ଜାଗରଣ ସୃଷ୍ଟି ହୋଇ ବିଭୁ ପ୍ରେମରେ ଅଭିଭୂତ ହେଲେ। ତାଙ୍କୁ ବିଭିନ୍ନ ଦଫା ଲଗାଇ ତା ୨୩/୦୧/୪୪ ରୁ ତା ୧୫/୦୪/୪୬ ପର୍ଯ୍ୟନ୍ତ ମୋଟ୍ ୨ବର୍ଷ ୬ ମାସ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଥିଲା।ସେହି ଜେଲ୍ ରହଣି ମଧ୍ୟରେ ଭଗବତ୍ ଗୀତା ର ସମୁଦାୟ ୭୦୦ ଶହ ଶ୍ଲୋକ କୁ ମୁଖସ୍ଥ କରିଦେଇଥିଲେ।ପୁଣି ଯେତେବେଳେ କର୍ମଭୂମି କୁ ଫେରିଲେ ଲୋକେ ବିଶ୍ୱାସ କରିପାରିଲେ ନାହିଁ,ସେ ବଞ୍ଚିଛନ୍ତି ବୋଲି। ଟ୍ରେନ୍ ରେ ଆସୁଥିବା ବେଳେ ଶୁଣିଲେ ତାଙ୍କ ପିତାଙ୍କ ଛଅ ମାସ ପୂର୍ବରୁ ଦେହାନ୍ତ ହୋଇସାରିଛି।ଗିରଫ ପରୱାନା ଥିବାରୁ ସେ ନିଜେ ଯାଇ ତାଳଚେର କୋର୍ଟ ରେ ପହଞ୍ଚିଥିଲେ।ରାଜା ତାଙ୍କୁ ପ୍ରଶ୍ନ କଲେ ପ୍ରଜାଙ୍କୁ ମତାଇ କେମିତି ମୋ ରାଜ୍ୟ ରେ ନିଆଁ ଲଗାଇ ଦେଲେ। ସ୍ପଷ୍ଟବାଦୀ ଓ ନିର୍ଭୀକ ବିଛନ୍ଦ ବାବୁ ମୁଁ ରାଜାର ପ୍ରଜା ନୁହେଁ କି ସାହୁ ଖାତକ ନୁହଁ।ଯଦି ମୋ କଥାରେ ପ୍ରଜା ମାତି ରାଜତନ୍ତ୍ର ରେ ନିଆଁ ଲଗାଇ ଦେବାକୁ ଚେଷ୍ଟା କଲେ ଏହା ମୋ ଦ୍ଵାରା ହେଲାକି କାହା ଦ୍ଵାରା ହେଲା କହି ହାତ ଟେକି ଦେଲେ।ରାଜା ଅତି ଗମ୍ଭୀରତାରେ ରେ କହିଲେ ବୋଲୁଛ – ପିଲାଟି ଯାହା ବୋଲୁଛି ସତ ବୋଲୁଛି।

         ଦେଶ ସ୍ଵାଧୀନତା ପରେ ସକ୍ରିୟ ରାଜନୀତିରେ ରହି ଜନସେବାରେ ବ୍ରତୀ ରହିଲେ।୧୯୬୪ ରୁ ୧୯୮୪ ମସିହା ପର୍ଯ୍ୟନ୍ତ କଣିହାଁ ବ୍ଲକ ର ଅଧ୍ୟକ୍ଷ ପଦରେ ଥିଲେ।ବହୁବାର ସରପଂଚ ପଦରେ ଅଧିଷ୍ଠିତ ହୋଇଥିଲେ। ମୁଖ୍ୟତଃ କୃଷକ ସମସ୍ୟା ଓ ଜଳସେଚନ ର ସୁବନ୍ଦୋବସ୍ତ କରିଥିଲେ। କୋଇଲାଖଣି ଗୁଡିକ ର ଶ୍ରମିକ ସଂଗଠନ ର ଉପଦେଷ୍ଟା ରହି ଜନହିତକର ଆଇନ କୁ କାର୍ଯ୍ୟକାରୀ କରିଥିଲେ।ଏକ ନିରଅହଂକାରୀ ଓ ସର୍ବଜନାଦୃତ ବ୍ୟକ୍ତିତ୍ଵ ଥିଲେ।ମାନବ ସମାଜ ପାଇଁ ସାହାରା ସାଜିଥିଲେ।ତାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ, ଜାନକୀବଲ୍ଲଭ ପଟ୍ଟନାୟକ ଓ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସସମ୍ମାନେ ସମ୍ବର୍ଦ୍ଧିତ କରିଥିଲେ।ତା ୯/୦୮/୨୦୧୩ ରେ କ୍ରାନ୍ତି ଦିବସ ରେ ମହାମହିମ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆଟ୍ – ହୋମ୍ ଉତ୍ସବରେ ସମ୍ବର୍ଦ୍ଧିତ କରିଥିଲେ।ଏଭଳି ଆଦର୍ଶ,ତ୍ୟାଗୀ,ନିର୍ଭିକ ପ୍ରଖ୍ୟାତ ଶତାୟୁ ସ୍ଵାଧିନତା ସଂଗ୍ରାମୀ ଙ୍କର ୨୦୨୧ ଫେବୃଆରୀ ୫ ତାରିଖରେ ମହାପ୍ରୟାଣ ଘଟିଲା। ସମ୍ପୂର୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ ହୋଇଥିଲା।ତାଙ୍କର ତ୍ୟାଗ, ବଳିଦାନ,ଓ ଆଦର୍ଶ ଯୁଗ ଯୁଗ ପାଇଁ ଆଲୋକ ବର୍ତ୍ତିକା ହୋଇ ଦିଶା ଦେଖାଉଥିବ।

        ଗୋପୀବଲ୍ଲଭପୁର, କୋଶଳା

            ଅନୁଗୋଳ, ୭୫୯୧୩୦     ମୋ – ୯୮୬୧୯୭୦୪୧୮

Related posts

ଆଜିର ଦିବସର ଅନୁଚିନ୍ତା: ଏପ୍ରିଲ୍ ୧୫ : ସୃଜନଶୀଳତା ଓ ସଂଘର୍ଷର ସମନ୍ୱୟ

Sunil Chandra Nayak

ଆଜିର ଦିବସର ଅନୁଚିନ୍ତା : ମେ’ ୯ ତାରିଖ: ବିଜୟର ସ୍ମୃତି ଓ ଏକତାର ଆହ୍ୱାନ

ଦି ଟଲ ମ୍ୟାନ…. ବିଜୁ ପଟ୍ଟନାୟକ

Sunil Chandra Nayak

Leave a Comment

error: Content is protected !!