ଓଁ ନମଃ ଶିବାୟ
ମହଯୋଗୀ ତୁମେ ହେଭୋଳା ଶଙ୍କର
ଆଶୁତୋଷ ନାମ ବହି,
ଅଳ୍ପରେ ସନ୍ତୁଷ୍ଟ ହୁଅ ପ୍ରଭୁତୁମେ
ସକଳ ଭକ୍ତଙ୍କ ପାଇଁ l
ସତ୍ୟର ଆଧାର ବନ୍ଧୁର ପଥେ
ହାତଧରି ଯାଅ ନେଇ,
ତୁମେ ହିଁ ସୁନ୍ଦର ହେ ମହାକାଳ
ଅଦୃଶ୍ୟରେ ଥାଅ ରହି l
ଶାଶ୍ୱତ ପ୍ରେମର ଆଧାର ତୁମେ ତ
ତ୍ୟାଗ ଓ ତିତିକ୍ଷା ପାଇଁ,
ଦେଇଥାଅ ଧର୍ଯ୍ୟ ନିରଳସ ଭାବେ
ଅତି ଆପଣାର ହୋଇ l
ସଂସାର ବୈରାଗୀ ଶ୍ମଶାନ ନିବାସୀ
ଭସ୍ମ ପ୍ରଲେପିତ ବେଶେ,
ବୁଲୁଥାଅ ପ୍ରଭୁ ସାରା ବ୍ରହ୍ମାଣ୍ଡରେ
ସତ୍ୟ ପ୍ରକାଶନ ଆଶେ l
ପନ୍ନଗ ଧାରୀହେ ବ୍ୟାଘ୍ରଛାଲ ପିନ୍ଧି
ଆନନ୍ଦେ ବିଚର ନିତି,
ପଶୁପତି ନାମେ ସଂସାରେ ବିଖ୍ୟାତ
ଅନୁରକ୍ତ ପଶୁପ୍ରତି l
ନିର୍ବଳର ବଳ ହେ ମହାକାଳ
ନୀରବ ନିଶ୍ଚଳେ ରହି,
ଦେଖୁଥାଅ ପ୍ରଭୁ ମଣିଷର କର୍ମ
କେବଳ ଦର୍ଶକ ହୋଇ l
ଯଥା ସମୟରେ ଦେଇଥାଅ ଫଳ
କର୍ମ ଅନୁସାରେ ବାଛି,
ଅଜ୍ଞଜନେ ଯାହା ଭାବି ନେଇଥାନ୍ତି
ଭାଗ୍ୟେଯାହା ଲେଖାଅଛି l
ତୁମବିନା ଜୀବ ଶବ ହୋଇଯାଏ
ତୁମେ ଆତ୍ମା ଆକାରରେ,
ପ୍ରତିଟି ପ୍ରାଣୀର ଜୀବନ ରୂପରେ
ବିଦ୍ୟମାନ ଶରୀରରେ l
ସବୁରି ଭିତରେ ତୁମେ ବିରାଜିଛ
ତୁମମଧ୍ୟେ ସବୁ ଜୀବ,
ଜୀବପ୍ରତି ଦୟା ତୁମ ଆରାଧନା
ନିର୍ଦ୍ଦୟେ ନିଷ୍ଫଳ ଭାବ l
ଅନ୍ତର ଆତ୍ମାରୁ ତୁମେ ପ୍ରକାଶିତ
ମହାସେହି ଜ୍ୟୋର୍ତିବିନ୍ଦୁ,
ଅନ୍ତର ଅଘାତେ ତୁମେ ନଟବର
ବିନାଶର ମହାସିନ୍ଧୁ l
ଜାଗର ଦିନରେ ମହା ଜାଗରିତ
ହୋଇଉଠୁ ଆତ୍ମସତ୍ତା,
ପରୋପକାର ମହାବ୍ରତ ହେଉ
ଆଜିର ଏ ଅନୁଚିନ୍ତା l
ସୁଜାତା ରାଉତ
ଓରାସାହି, ଚାନ୍ଦବାଲି, ଭଦ୍ରକ