ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭିନ୍ନ ବିଭାଗର ମିଳିତ ଉଦ୍ୟମ ଓ ସହଯୋଗ ହିଁ ବାଲ୍ୟ ବିବାହ ରୋକିବା ପାଇଁ ସହାୟକ ହେବ : ଅତିରିକ୍ତ ଜିଲ୍ଲାପାଳ 

ଗୋଟିଏ ବି ଶିଶୁ ବିଦ୍ୟାଳୟ ବାହାରେ ରହିବେ ନାହିଁ, ସମସ୍ତ ବିଦ୍ୟାଳୟର ବାହାରେ ଥିବା ଶିଶୁଙ୍କୁ ଚିହ୍ନଟ କରି ନିୟମିତ କରାଯିବ
ଦକ୍ଷତା ବୃଦ୍ଧି ପାଇଁ ଜିଲ୍ଲା କର୍ମ ନିଯୋଜନ ଅଧିକାରୀ ଓ ଓରମାସଙ୍କ ସହିତ ଯୋଗସୂତ୍ର ସ୍ଥାପନ କରିବା
ଗ୍ରାମ ସ୍ତରରେ ଗାଁ କଲ୍ୟାଣ ସମିତି ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ନିଷେଧର ଦାୟିତ୍ଵ ନେବେ
ଶିଶୁ ମିତ୍ର ପଞ୍ଚାୟତ ଗଠନ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ

ରାୟଗଡା ତା ୨୯ / ୦୩ / ୨୦୨୩ : ଜିଲ୍ଲାରେ ଶିଶୁ ମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଚାଲିଥିବା ସ୍ଵତନ୍ତ୍ର ଅଭିଯାନ “ପ୍ରଚେଷ୍ଟା” ମାଧ୍ୟମରେ ତ୍ରୟ ମାସିକ ସମୀକ୍ଷା ବୈଠକ “ଶିଶୁଙ୍କ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି । ଏହି ଅବସରରେ ଜିଲ୍ଲାରେ ଶିଶୁମାନଙ୍କର ସୁରକ୍ଷା ଓ ବିକାଶ ଦିଗରେ କାର୍ଯ୍ୟ କରୁ ଥିବା କମିଟି ସମୂହ ଯଥା ଜିଲ୍ଲା ସ୍ତରୀୟ ଶିଶୁ ସୁରକ୍ଷା କମିଟି , କିଶୋରୀ ସଶକ୍ତିକରଣ ଓ ବାଲ୍ୟବିବାହ ପ୍ରତିରୋଧ ଟାସ୍କ ଫୋର୍ସ , ଶିଶୁ ଶ୍ରମିକ ନିରାକରଣ ଏବଂ ଚାଇଲ୍ଡ ଲାଇନ ପରାମର୍ଶଦାତା କମିଟିର ସଦସ୍ୟ ସଦସ୍ୟା ମାନେ ଯୋଗ ଦେଇଥିଲେ । ଏହି ମିଳିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା ଅଧ୍ୟକ୍ଷତା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ନିଜ ଅଭିଭାଷଣରେ କହିଥିଲେ ଯେ, ଜିଲ୍ଲାରେ ପ୍ରତ୍ୟେକ ଶିଶୁ ମାନଙ୍କୁ ସୁରକ୍ଷା ଓ ବାଲ୍ୟ ବିବାହକୁ ରୋକିବା ପାଇଁ ପ୍ରଶାସନର ବିଭିନ୍ନ ବିଭାଗ କାର୍ଯ୍ୟ କରୁଛନ୍ତି । ବିଭାଗ ଗୁଡିକ ମଧ୍ୟରେ ଉତ୍ତମ ସମ୍ପର୍କ ଓ ସମନ୍ଵୟ ରଖି ଜିଲ୍ଲାରେ ସମସ୍ତ ଶିଶୁ ମାନଙ୍କୁ ସୁରକ୍ଷା ଦେବା ସହିତ ରାୟଗଡା ଜିଲ୍ଲାକୁ ଶିଶୁ ମିତ୍ର ଜିଲ୍ଲା ହିସାବରେ ଗଢି ତୋଳିବାର ଆବଶ୍ୟକତା ରହିଛି । ସେ କିଶୋର କିଶୋରୀ ମାନଙ୍କୁ ଶିକ୍ଷା ଓ ସଚେତନତା କରାଇବା ସହିତ ଶିଶୁ ମିତ୍ର ଜିଲ୍ଲା ଗଠନ ନିମନ୍ତ ପରାମର୍ଶ ଦେଇଥିଲେ । ଆସନ୍ତା ୩ ମାସ ମଧ୍ୟରେ ବିଦ୍ୟାଳୟ ବାହାରେ ରହୁଥିବା ସମସ୍ତ ଶିଶୁଙ୍କୁ ଚିହ୍ନଟ କରି ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀଙ୍କ ନଜରକୁ ଆଣିବେ ଫଳରେ ସମସ୍ତେ ଯେପରି ନିୟମିତ ବିଦ୍ୟାଳୟକୁ ଆସିବେ ତାହାର ତଦାରଖ କରାଯିବ । ଶିଶୁ ମିତ୍ର ପଞ୍ଚାୟତ ଗଠନ ନିମନ୍ତେ ବିଶେଷ କରି ଗ୍ରାମ ପଂଚାୟତ ସ୍ତରରେ ଏହାର ସଫଳ ରୂପାୟନ ନିମନ୍ତେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସରପଞ୍ଚ,ୱାର୍ଡ ମେମ୍ବର ଓ ଅନ୍ୟ ପଞ୍ଚାୟତ ପ୍ରତିନିଧି ମାନଙ୍କର ପ୍ରମୁଖ ଭୂମିକା ରହିଥିବାରୁ ସେମାନଙ୍କୁ ଦାୟିତ୍ଵ ନେବାପାଇଁ ମତବ୍ୟକ୍ତ କରିଛନ୍ତି । ଆସନ୍ତା ଦିନ ମାନଙ୍କରେ ବିଭିନ୍ନ ବିଭାଗର ସଚେତନତା କାର୍ଯ୍ୟକ୍ରମରେ ବାଲ୍ୟ ବିବାହ ନିଷେଧ, ଶିଶୁ ସୁରକ୍ଷା ପାଇଁ ଥିବା ବିଭିନ୍ନ ବ୍ୟବସ୍ଥା ଗୁଡିକ ବିଷୟରେ ସଚେତନ କରାଯିବ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ ବୈଠକରେ ସୂଚନା ଦେଇ ଗତ ୩ ମାସ ମଧ୍ୟରେ ଜିଲ୍ଲାରେ ବ୍ଲକ, ଗ୍ରାମ ପଞ୍ଚାୟତ ଓ ଗ୍ରାମ ସ୍ତରରେ ବିଭନ୍ନ ବିଭାଗ ମାନଙ୍କ ଦ୍ଵାରା ନିଆଯାଇଥିବା କାର୍ଯ୍ୟ ଗୁଡିକ ବିଷୟରେ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ଶ୍ରୀ ତତ୍ତ୍ବମସି ମହାପାତ୍ର କହିଥିଲେ ଯେ ଯଦି କୌଣସି କିଶୋର ବା କିଶୋରୀ ଅତିକମରେ ୧୮ ବର୍ଷ ପୂରଣ କରିଥିବେ ଓ ଅତିକମରେ ୫ମ ଶ୍ରେଣୀ ପାଠ ପଢିଥିବେ ସେହିଭଳି କିଶୋର କିଶୋରୀ ମାନଙ୍କ ତାଲିକା ପ୍ରସ୍ତୁତ କରି ଜିଲ୍ଲା କର୍ମ ନିୟୋଜନ କାର୍ଯ୍ୟଳୟକୁ ପଠାଇବେ ତେବେ ସେମାନଙ୍କୁ ବିଭିନ୍ନ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମରେ ସାମିଲ କରି ପାରିବା । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଯାଜ୍ଞସେନୀ ବେହେରା ବୈଠକକୁ ସମସ୍ତଙ୍କୁ ସ୍ଵାଗତ କରିଥିଲେ । 

ପ୍ରକାଶ ଥାଉ କି ଯେ, ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ ଓ ଶିଶୁ ମାନଙ୍କ ନିମନ୍ତେ ନିରାପଦ ଓ ସୁରକ୍ଷିତ ପରିବେଶ ନିଶ୍ଚିତ କରିବା ନିମନ୍ତେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ , ୟୁନିସେଫ ଓ ଆକ୍ସନଏଡର ମିଳିତ ପ୍ରୟାସରେ ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟ ଖସଡା ପ୍ରସ୍ତୁତି କରାଯାଇ ଗ୍ରାମ ଗୁଡିକରେ, ବିଭିନ୍ନ ଅନୁଷ୍ଠାନ ମାନଙ୍କରେ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ସଚେତନତା କାର୍ଯ୍ୟକ୍ରମ ଚାଲୁ ରହିଛି । ଗାଁ କଲ୍ୟାଣ ସମିତିକୁ ଗ୍ରାମ୍ୟ ଶିଶୁ ସୁରକ୍ଷା ଓ ମଙ୍ଗଳ କମିଟି ଭାବେ ଶିଶୁ ସୁରକ୍ଷା ବିଷୟରେ ଗୁରୁତ୍ଵ ଦେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ବିଷୟରେ ଆଲୋଚନା କରଯାଇଥିଲା । 

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା ମମତା ଚୌଧୁରୀ, ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ବିଦୁଲତା ହୁଇକା, ଅତିରିକ୍ତ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଗୋପାଳ କୃଷ୍ଣ,ମଙ୍ଗରାଜ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁରେନ୍ଦ୍ର ଗମାଙ୍ଗ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ, କଲ୍ୟାଣ ସିଂ ପୁର ବିଡିଓ ଶ୍ରୀ ସୁନୀଲ କୁମାର ଖରା, ରାମନାଗୁଡା ବିଡିଓ ପ୍ରଭାତୀ ଝୋଡିଆ, ରାୟଗଡ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆକ୍ସନଏଡର ଜିଲ୍ଲା ପରାମର୍ଶଦାତା ରତ୍ନେଶ୍ଵର ସାହୁ, ୟୁନିସେଫର ପରାମର୍ଶଦାତା ଶ୍ରୀ ସନ୍ତୋଷ କୁମାର ବେହେରା, ଜିଲ୍ଲାର ସମସ୍ତ ବାଲ୍ୟବିବାହ ନିଷେଧ ଅଧିକାରୀ, ଜିଲ୍ଲାର ବିଭିନ୍ନ ବ୍ଲକର ପ୍ରତିନିଧି ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟିର ସମସ୍ତ କର୍ମକର୍ତ୍ତାଙ୍କ ସମେତ ଶ୍ରମ ବିଭାଗ, ମଙ୍ଗଳ ବିଭାଗର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହିବା ସହିତ ଆଲୋଚନାରେ ଅଂଶଗ୍ରହଣ କରି ଜିଲ୍ଲାରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ, ଶିଶୁ ଶ୍ରମିକ ନିରାକରଣ ଏବଂ ବାଲ୍ୟ ବିବାହର ସମାପ୍ତ ଦିଗରେ ନିଜର ମତାମତ ପ୍ରଦାନ କରିଥିଲେ । ଶେଷରେ ସମନ୍ଵିତ ଶିଶୁ ବିକାଶ ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ କାମାକ୍ଷୀ ମଞ୍ଜରୀ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।

ରାୟଗଡ଼ା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ରାଇଜିଂ କ୍ଲବ ପକ୍ଷରୁ ‘୮ମ ସର୍ବଭାରତୀୟ ରାଇଜିଂ କପ୍ ଭଲିବଲ୍ ଟୁର୍ଣ୍ଣାମେଣ୍ଟ-୨୦୨୬’ ଆସନ୍ତା ୨୮ ରୁ…..

Sunil Chandra Nayak

ଟ୍ରାକ୍ଟର ଓଲଟି ଦୁର୍ଘଟଣା ୧୫ ଜଣ ଶ୍ରମିକ ଆହତ

Sunil Chandra Nayak

ସିକେରକୁପାଠାରେ ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!