ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିନି ଷ୍ଟାଡିୟମ ନିର୍ମାଣରେ ଲକ୍ଷାଧିକ ଟଙ୍କା ଚଳୁ , ଏହା ପାଇଁ ଦାୟୀ କିଏ ତଦନ୍ତ ସାପେକ୍ଷ

ଜୟପାଟଣା:୨୯/୦୪/୨୩ //ସରକାର କ୍ରୀଡ଼ାର ବିକାଶ ପାଇଁ ରାଜ୍ୟର କୋଣ ଅନୁକୋଣରେ ମିନି ଷ୍ଟାଡିୟମମାନ ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ମାଣର ଉଦ୍ଧେଶ୍ୟ ଖେଳର ବିକାଶ ପରିବର୍ତ୍ତେ ବିନାଶକାରୀ ହୋଇଥିବା ଦୃଷ୍ଟାନ୍ତ ଦେଖିବାକୁ ମିଳୁଛି । ଅମଲାତନ୍ତ୍ର ଲୋକାଭିମୁଖୀ ପରିବର୍ତ୍ତେ ବ୍ୟକ୍ତିକୈଦ୍ରିକ ହେବା ଯୋଗୁଁ ପ୍ରଗତିରେ ବାଧା ଉପୁଜୁଥିବା ଅଭିଯୋଗ ହେଉଛି । ଆମେ ଏପରି ଏକ ଜନପ୍ରିୟ ଖେଳ ପଡିଆ ଉପରେ ଦୃଷ୍ଟି ପକାଇବା ।କଳାହାଣ୍ଡି ଜିଲ୍ଲା ଜୟପାଟଣା ସହରରେ ଥିବା ହାତିଶାଳ ଖେଳ ପଡିଆ ସର୍ବ ପୁରାତନ ପଡିଆ ମଧ୍ୟରୁ ଅନ୍ୟତମ ଶ୍ରେଷ୍ଠ ପଡିଆ । ଏହି ପଡ଼ିଆର ଇତିହାସ ବହୁତ ପୁରାତନ । ଏଠାରେ ୫୦/୬୦ ବର୍ଷ ପୂର୍ବରୁ ଅନେକ ଆନ୍ତଃରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇ ଆସୁଥିଲା । ଏହାର ପ୍ରଭାବରେ ଜୟପାଟଣା ଫୁଟବଲ ଦଳ ରାଜ୍ୟର ଏକ ଅଗ୍ରଣୀ ଦଳ ଭାବେ ବେଶ ଜଣାଶୁଣା ଥିଲା । ଆଜିବି କିଛି ପୁରାତନ ଖେଳାଳି ଅଛନ୍ତି ତାଙ୍କୁ ଦେଖି ବର୍ତ୍ତମାନର ପିଢ଼ି ଅନୁପ୍ରାଣିତ ହୋଇଥାନ୍ତି । ଏହି ଉଚ୍ଚ ସ୍ତରୀୟ କ୍ରୀଡ଼ାବିତ ମାନଙ୍କର କେନ୍ଦ୍ରବିନ୍ଦୁ ବର୍ତ୍ତମାନ ଅର୍ଦ୍ଧେକ ସରିଯାଇ ଥିବା ଜରାଜୀର୍ଣ୍ଣ ପଡିଆ ହାତିଶାଳ ସମସ୍ତଙ୍କର ଆଢୁଆଳରେ ଲୀନ ହେବାକୁ ବସିଛି । ଖେଳାଳି ବନାଇବାର କାରଖାନା ଅଚଳ ହୋଇ ଯାଇଛି । ଯେଉଁ ମାନଙ୍କୁ ଏହି ପବିତ୍ର ମାଟି ଖେଳାଳି ଭାବେ ପରିଚୟ ଦେଲା ପରବର୍ତ୍ତୀ ସମୟରେ ସେମାନଙ୍କ ଭିତରୁ ଅନେକ ରାଜନେତା,ଅଫିସର, ସମାଜସେବୀ ବି ହୋଇଛନ୍ତି । କିନ୍ତୁ ନିଜ ପ୍ରିୟ ପଡିଆ ପ୍ରତି ତାଙ୍କର ମନୋଭାବ ଅକ୍ଷମଣୀୟ । ସେହି ପଡିଆ ଆଉ ପଡିଆ ହୋଇ ନାହିଁ । ପଡ଼ିଆର ରକ୍ଷଣା ବେକ୍ଷଣର ଭାର କାହାରି ନଥିବା ହେତୁ ଏହାର ଅର୍ଦ୍ଧେକ ଭାଗ କିଛି ସ୍ଥାନୀୟ ଅଧିବାସୀ ଅବାଧରେ ଘର କରି ରହିଗଲେ । ଆଉ ଅର୍ଦ୍ଧେକ ପଡ଼ିଆ ଚାରଣ ଭୂମି ତଥା ସାଧାରଣ ଲୋକଙ୍କର ମଳ ତ୍ୟାଗର ସ୍ଥାନ ପାଲୋଟିଛି । ଏହା ଅତ୍ୟନ୍ତ ଦୁଖଦାୟୀ ବୋଲି ସ୍ଥାନୀୟ ଖେଳାଳି ମତ୍ତବ୍ୟକ୍ତ କରିଛନ୍ତି । ଏହି ପଡ଼ିଆର ପୁନରୁଦ୍ଧାର ପାଇଁ ଅନେକ ବର୍ଷ ଅପେକ୍ଷା ପରେ ପ୍ରଶାସନ ଦୃଷ୍ଟି ଦେଇଥିଲେ । ଯାହା ସ୍ଥାନୀୟ ଖେଳାଳିଙ୍କ ମନରେ ନୂତନ ଆଶା ସଂଚାର ହୋଇଥିଲା । ସୂଚନା ଅନୁଯାୟୀ ଏହି ଷ୍ଟାଡିୟମ ପାଇଁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ଚିଠି ନମ୍ବର ୩୭୭୫/ଏକ୍ସଭିଆଇ୧୩୭/୧୬ ,୦୨/୦୯/୨୦୧୬ ତାରିଖରେ ୨୫ ଲକ୍ଷ୍ୟ ଅର୍ଥରାଶି ମଞ୍ଜୁରୀ ପାଇଁ ଜିଲ୍ଲା କ୍ରୀଡ଼ାଧିକାରୀଙ୍କୁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି ପାଇଁ ଚିଠି କରାଯାଇଥିଲା ।ଏହାର ଟେକ୍ନିକାଲ ସେଂକ୍ସନ ୪୭/୨୦୧୬/୧୭(୧୯/୦୭/୨୦୧୬) ତାରିଖରେ ହୋଇଥିଲା ଏବଂ ମେମୋ ନମ୍ବର ୩୭୭୬ /୦୨/୦୯/୨୦୧୬  ତାରିଖରେ ଜୟପାଟଣା ବିଡ଼ିଓଙ୍କୁ ଟେଣ୍ଡର ଆହ୍ୱାନ ପାଇଁ ପତ୍ର ପ୍ରେରଣ ହୋଇଛି । ଏବଂ ପରବର୍ତ୍ତୀ ସମୟରେ ଜଣେ ଠିକାଦାରଙ୍କୁ ଟେଣ୍ଡର ଦିଆଯାଇଛି । କିନ୍ତୁ ପୁଣି ତାହା କୌଣସି ନୋଟିସ ବିନା ଡିପାର୍ଟମେଣ୍ଟ ଦ୍ୱାରା କାର୍ଯ୍ୟ ପରିଚାଳନା କରାଯାଇ ସରକାରୀ ଅନୁଦାନର ଦୁରୂପଯୋଗ ହୋଇଥିବା ଅଭିଯୋଗ ଆସିଛି । ଯାହାର କୋଳରେ କେତେ ଅଳି ଅର୍ଦଳି କରି ମଣିଷ ହେଲୁ ସେ ଆମ ପାଇଁ ଅସୁରକ୍ଷିତ ମନେ ହୁଏ । ବାଡ଼ ଯଦି ଫସଲ ଖାଏ କହିବା କାହାକୁ । କାର୍ଯ୍ୟ ଆରମ୍ଭ ହୋଇ ଦୀର୍ଘ ବର୍ଷ ବିତିଯାଇଥିଲେ ସୁଦ୍ଧା ଏହା ସମ୍ପୂର୍ଣ୍ଣ ହୋଇ ନଥିବା ଲକ୍ଷ କରାଯାଇଛି । ଏପଟେ ବିଭାଗୀୟ କର୍ତ୍ତୃପକ୍ଷ ଏବଂ ଠିକାଦାରଙ୍କର ପ୍ରିୟା ପ୍ରିତୀ ପୋଷଣ ନୀତି ଯୋଗୁଁ ଅର୍ଦ୍ଧ୍ୱନିର୍ମିତ ଷ୍ଟାଡିୟମର ବିଲ ଅତି ଚତୁରତାର ସହିତ ୧୯,୩୬,୦୧୧ (ଉଣେଇସି ଲକ୍ଷ ଛତିଶ ହଜାର ଏଗାର)ଟଙ୍କା ପର୍ଯ୍ୟାୟକ୍ରମେ ଉଠାଇ ଥିବା ସୂଚନା ହସ୍ତଗତ ହୋଇଛି । ଏହି ଅର୍ଥରାଶିରେ କେବଳ ଅସଂପୂର୍ଣ୍ଣ ପ୍ରଚେରୀ ଏବଂ ଛାତ ପଡି ପାରିନଥିବା ଚେଞ୍ଜିଙ୍ଗ ରୁମ ହୋଇ ପାରିଛି । ଯାହାକି ଯେଉଁ ଅର୍ଥରାଶି ଖର୍ଚ୍ଚ ମଞ୍ଜୁର ହୋଇଛି ଅଞ୍ଚଳବାସୀ ତାହାକୁ ସହଜେ ଗ୍ରହଣ କରି ପାରୁନାହାଁନ୍ତି । ଏତେ ଦିନପରେ ପଡ଼ିଆର ଉନ୍ନତିକରଣ ପାଇଁ ଆସିଥିବା ଟଙ୍କାର ଏପରି ଅପବ୍ୟବହାର ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ସ୍ଥାନୀୟ ଖେଳାଳିବୃନ୍ଦ ଦୁଃଖ ପ୍ରକାଶ କରିଛନ୍ତି ।ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ସତ୍ୟ ସାମ୍ନାକୁ ଆସିବ ।ପୁନର୍ବାର ଉକ୍ତ ଷ୍ଟାଡିୟମର ପୁନରୁଦ୍ଧାର କରାଗଲେ ସ୍ଥାନୀୟ ଖେଳାଳିଙ୍କ ମନରେ ପୁଣି ଥରେ ହସ ଫୁଟିବ । ଏବଂ ଅଞ୍ଚଳର କ୍ରୀଡ଼ାର ବିକାଶ ହୋଇ ପାରିବ । ତେଣୁ ସ୍ଥାନୀୟ ବିଧାୟକ,ସାଂସଦ, ବିଭାଗୀୟ କତ୍ତୃପକ୍ଷ,ସ୍ଥାନୀୟ ଜନ ପ୍ରତିନିଧି,ବୁଦ୍ଧିଜୀବୀ ତଥା ଜନତା ଜନାର୍ଦ୍ଦନ ଆନ୍ତରିକତାର ସହିତ ଉଦ୍ୟମ ରଖିଲେ ନିଶ୍ଚୟ ପଡ଼ିଆଟି କାର୍ଯ୍ୟକ୍ଷମ ହୋଇ ପାରିବ ।

ଜଗମୋହନ ପଟ୍ଟନାୟକ, ବରିଷ୍ଠ ପତ୍ରକାର

Related posts

ସାପଘରା ର ରାଖାଡିହ ସାହି ରାସ୍ତା ବେହାଲ; କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ଦାବି

Sunil Chandra Nayak

ବ୍ଲକ ସ୍ତରୀୟ ପରବ ପାଇଁ ପ୍ରସ୍ତୁତି ବୈଠକ 

Sunil Chandra Nayak

ଡାବୁଗାଁ ବ୍ଲକ ରୁ ୧୦ ଜଣ ସୁଭଦ୍ରା ହିତାଧିକାରୀ ଭୁବନେଶ୍ଵର ଗଲେ 

masiha

Leave a Comment

error: Content is protected !!