ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବ୍ୟବସ୍ଥା ଘେରରେ ସିମନବାଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ସମସ୍ତ ମୌଳିକ ସୁବିଧା ପାଇଁ ଦାବୀ 

କନ୍ଧମାଳ,23/08/23:(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଭିନ୍ନ ସମସ୍ୟା ଲାଗିରହିଥିବା ସହ ଛାତ୍ରୀଛାତ୍ରଙ୍କୁ ମୌଳିକ ସୁବିଧା ମିଳିବା କଷ୍ଟ କର ହୋଇପଡିଛି। ବିଦ୍ୟାଳୟରେ ୨୦୦୩ରୁ କମ୍ପ୍ୟୁଟର ଶିକ୍ଷା ବ୍ୟବସ୍ଥା କରାଯାଇଥିଲା କିନ୍ତୁ ତାହା କିଛିଦିନ ପରେ ଅଚଳ ହୋଇ ଦୀର୍ଘ ୨୦ ବର୍ଷ ହେଲା ଆଉ କମ୍ପ୍ୟୁଟର ଶିକ୍ଷା ହେଉନି ଏବଂ ତା’ର ଆଉ ବିକାଶ କରାଯାଉନାହିଁ। ସେହିପରି ବିଦ୍ୟାଳୟରେ ପିଇବା ପାଣିର ବ୍ୟବସ୍ଥା ନାହିଁ, ଖେଳ ପଡିଆ ନ ଥିବାରୁ ଛାତ୍ରୀଛାତ୍ରଙ୍କ ବୌଦ୍ଧିକ, ଶାରୀରିକ ଉନ୍ନତିରେ ବାଧକ ସୃଷ୍ଟି ହେଉଛି। ସେହିପରି ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଶ୍ରେଣୀ ରହିଥିବା ବେଳେ ମୋଟ ୨୭୦ ଛାତ୍ରୀଛାତ୍ର ପଢୁଛନ୍ତି । ଆବଶ୍ୟକ ଶିକ୍ଷକ ଶିକ୍ଷୟିତ୍ରୀ ରହିଛନ୍ତି ହେଲେ ୮ ଟି ଶ୍ରେଣୀ କୋଠାର ଆବଶ୍ୟକତା ରହିଥିବା ବେଳେ ରହିଛି ମାତ୍ର ୪ଟି। ତେଣୁ ବାଧ୍ୟ ହୋଇ ବିପଦ ସଂକୁଳ ଅବସ୍ଥାରେ ରହିଥିବା ଭଙ୍ଗା ଦଦରା ଘରେ ଶିକ୍ଷାଦାନ କରାଯାଉଛି। ବର୍ଷା ଦିନରେ ଘରେ ପାଣି ଗଳୁଥିବା ବେଳେ ଖରା ଦିନରେ ପଙ୍ଖା ନ ଥିବାରୁ ପିଲାଙ୍କ ପାଠପଢ଼ାରେ ବହୁ ସମସ୍ୟା ଦେଖାଯାଉଛି। ଏକ ଭଙ୍ଗା ଦଦରା ଘରେ ରୋଷେଇ କରାଯାଉଥିବା ବେଳେ ଅଧା କିଲୋମିଟର ଦୂର ଯାଇ ଅଙ୍ଗନାୱାଡି କେନ୍ଦ୍ରରେ ରହିଥିବା ନଳକୂପରୁ ପାଣି ଆଣି ମଧ୍ୟାହ୍ନ ଭୋଜନ ରୋଷେଇ କରା ଯାଉଥିବା ରୋଷେଇ ଦାୟିତ୍ୱରେ ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ କୁହାଯାଇଛି। ସେମାନେ ଆହୁରି କହିଛନ୍ତି ଯେ ଡାଇନିଂ ହଲ ନ ଥିବାରୁ ଛାତ୍ର ଛାତ୍ରୀ ମାନେ ଖରା, ବର୍ଷାରେ ବାହାରେ ଏଣେ ତେଣେ ବୁଲି ଖାଉଛନ୍ତି ତେଣୁ ଏହି ସବୁ ସମସ୍ୟାର ସମାଧାନ କରିବାକୁ ମହିଳାମାନେ କହିଛନ୍ତି। ବିଦ୍ୟାଳୟକୁ ରୂପାନ୍ତର କରାଗଲେ ଛାତ୍ରୀଛାତ୍ରଙ୍କୁ ଅତ୍ୟାଧୁନିକ ଶ୍ରେଣୀଗୃହ ମିଳିବ, ଯେଉଁଥିରେ ସ୍ମାର୍ଟ ଡିଜିଟାଲ ଶିକ୍ଷା ବ୍ୟବସ୍ଥା ସହ ଲାଇବ୍ରେରୀ, ଖେଳପଡିଆ, ଶୁଦ୍ଧ ପାନୀୟ ଜଳ, କମ୍ପ୍ୟୁଟର ଶିକ୍ଷା, ବିଜ୍ଞାନ କକ୍ଷ, ସ୍ଥାୟୀ ପାଚେରି ନିର୍ମାଣ, ଅତିରିକ୍ତ ଶ୍ରେଣୀ କୋଠା ନିର୍ମାଣ ଆଦି ସୁବିଧା ହୋଇପାରିବ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି। ପୁରାତନ ବିଦ୍ୟାଳୟକୁ ଅନ୍ୟ ସ୍ମାର୍ଟ ସ୍କୁଲ ଭଳି ରୂପାନ୍ତର କରିବା ଆବଶ୍ୟକ ବୋଲି ପ୍ରଧାନ ଶିକ୍ଷକ ବିଦେଶୀ ନାୟକ କହିଛନ୍ତି। ଏ ନେଇ ଦାରିଙ୍ଗବାଡି ବିଡିଓ ଗଦାଧର ପାତ୍ର କହିଛନ୍ତି, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ ପାଚେରି ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ଏମ୍‌ସିଏଲ (ମହାନଦୀ କୋଲଫିଲ୍‌ଡ ଲିମିଟେଡ୍‌) ପକ୍ଷରୁ ଅନୁଦାନରେ ଉକ୍ତ ବିଦ୍ୟାଳୟର ରୂପାନ୍ତର କାର୍ଯ୍ୟ କରାଯିବାକୁ ଏକ ପ୍ରସ୍ତାବ ଦିଆଯାଇଛି ଏବଂ ଏବେ ବିଦ୍ୟାଳୟର ଶ୍ରେଣୀକୋଠା ମରାମତି କରାଯାଇଛି ବୋଲି ବିଡିଓ କହିଛନ୍ତି।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ଜିଲ୍ଲା ସମବାୟ ଉନ୍ନୟନ ପରିଷଦ ବୈଠକ ଅନୁଷ୍ଠିତ

masiha

ଶତାୟୁ,ପିଏମ୍ ଶ୍ରୀ ବି.ବି.ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳରେ ବର୍ଣ୍ଣାଢ଼୍ୟ ହିନ୍ଦୀ ପକ୍ଷ -୨୦୨୫ ଓ ଦିବସ ଉଦ୍ ଯାପିତ

Sunil Chandra Nayak

ଟ୍ରାଫିକ ସମସ୍ୟା ତଦାରଖ କଲେ ନୂତନ ଏସ୍ପି

Sunil Chandra Nayak

Leave a Comment

error: Content is protected !!