ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୌଳିକ ସୁବିଧାରୁ ଅପହଞ୍ଚ ଗାଁ ଗମ୍ଭାରିଗୁଡା

ଡାବୁଗାଁ, ୩୦/୮ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଅଞ୍ଚଳା ପଞ୍ଚାୟତ ଅଧୀନରେ ଥିବା ଗମ୍ଭାରିଗୁଡା ଗ୍ରାମ ସବୁ କ୍ଷେତ୍ରରେ ଅବହେଳିତ ହୋଇ ରହିଛି | ଗ୍ରାମବାସୀ ସ୍ୱାସ୍ଥ୍ୟ, ଶିକ୍ଷା ଓ ଗମନାଗମନ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି | ଅଞ୍ଚଳା ପଞ୍ଚାୟତ ର ଭଣ୍ଡିମାଳ ଗ୍ରାମର ଏକ ପଡା ଗ୍ରାମ ହେଉଛି ଗମ୍ଭାରିଗୁଡା | ପଞ୍ଚାୟତର ୬ ନଂ ୱାର୍ଡ ଭାବେ ପରିଚିତ ଏହି ଗ୍ରାମ |ପଞ୍ଚାୟତ ସଦର ମହକୁମା ଠାରୁ ୬ କି.ମି ଏବଂ ବ୍ଲକ ସଦର ମହକୁମାଠାରୁ ୧୭ କି.ମି ଦୂରରେ ରହିଛି ଏହି ଗ୍ରାମ | ୫୦ ରୁ ଊର୍ଦ୍ଧ୍ଵ ପରିବାର ବସବାସ କରୁଥିବା ବେଳେ ଲୋକ ସଂଖ୍ୟା ୨୫୦ ରୁ ଊର୍ଦ୍ଧ୍ଵ | ମାଟି ରାସ୍ତା ଯୋଗୁଁ ଲୋକମାନେ ବର୍ଷା ଦିନେ ଯାତାୟତରେ ଅସୁବିଧା ସମ୍ମୁଖୀନ ହୋଇଥାନ୍ତି | ଗ୍ରାମବାସୀ ବର୍ଷାଦିନେ ବ୍ଲକ ଓ ପଞ୍ଚାୟତ କାର୍ଯ୍ୟ|ଳୟକୁ ବହୁ କଷ୍ଟରେ ଆସିଥାନ୍ତି | ଏହା ସହ ବିଦ୍ୟାଳୟକୁ ଯାଉଥିବା ଛୋଟ ଛୋଟ ପିଲା ମାନେ ଅଧୀକ କଷ୍ଟ ଭୋଗିଥାନ୍ତି | ଗ୍ରାମ ମଧ୍ୟରେ ୨୫ ବର୍ଷ ତଳେ ପକ୍କା ରାସ୍ତା ନିର୍ମାଣ ହୋଇଥିଲା | ଗ୍ରାମବାସୀଙ୍କ ପାଇଁ ୩ ଟି ନଳକୂପ ଖନନ କରାଯାଇଛି | ୩ ଟି ଯାକ ନଳକୂପରୁ ଖରାଦିନେ କମ ପାଣି ବାହାରିବା ସହ ଗୋଳିଆ ପାଣି ବାହାରୁଛି | ଲୋକେ ସେହି ଗୋଳିଆ ପାଣି କୁ ଘରକୁ ନେଇ ଛାଣି ପିଇବା ଉପଯୋଗୀ କରିଥାନ୍ତି ଓ ଗାଧୋଇବା ପାଇଁ ଗ୍ରାମ ପାଖରେ ଥିବା ପୋଖରୀ ଉପରେ ନିର୍ଭର କରିଥାନ୍ତି | ଗ୍ରାମବାସୀ ବର୍ଷାଦିନେ ଧାନ ଓ ମକା ଚାଷ କରିଥାନ୍ତି ଓ କିଛି ଲୋକ କୁଲି କରି ପରିବାର ପ୍ରତିପୋଷଣ କରିଥାନ୍ତି | ଗ୍ରାମରେ ବିଦ୍ୟାଳୟ ନାହିଁ | ଗ୍ରାମର ପ୍ରାୟ ୪୦ ରୁ ଊର୍ଦ୍ଧ୍ଵ ଛୋଟ ଛୋଟ ପିଲା ୧ କିମି ଦୂର ଭଣ୍ଡିମାଳ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ପାଠ ପଢିବାକୁ ଯାଉଛନ୍ତି | ଗ୍ରାମର ଅଧିକାଂଶ ପିଲା ୫ମ ଓ ୭ମ ଶ୍ରେଣୀ ରୁ ପାଠ ଛାଡି ଦେଉଛନ୍ତି | ଚଳିତ ବର୍ଷ ଗ୍ରାମର ୨ ଜଣ ପିଲା ୧୦ ଶ୍ରେଣୀ ପାସ କରିଛନ୍ତି କିନ୍ତୁ ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ନଥିବାରୁ ସେମାନେ ଉଚ୍ଚ ଶିକ୍ଷାରୁ ବଞ୍ଚିତ ରହିଛନ୍ତି | ଗ୍ରାମରେ ଅଙ୍ଗନୱାଡି ରହିଛି ଓ ଏଥିରେ ୮ ଜଣ ଶିଶୁ ପ୍ରାକ ଶିକ୍ଷା ଗ୍ରହଣ କରୁଛନ୍ତି | ଗ୍ରାମରେ ୧ ଜଣ ଗର୍ଭବତୀ ମହିଳା ରହିଛନ୍ତି | ଗ୍ରାମର ଲୋକେ କୌଣସି ରୋଗ ରେ ପଡିଲେ ମେଦନା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ୮ କିମି ଓ ୧୭ କିମି ଦୂର ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରନ୍ତି | ଗର୍ଭବତୀ ମହିଳା ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ୩ କିମି ଦୂର ବଣୁଆଗୁଡା ଗ୍ରାମକୁ ଯାଇଥାନ୍ତି | ଗ୍ରାମର ରାସ୍ତା ର ଅବସ୍ଥା ଶୋଚନିୟ ଥିବାରୁ ଗ୍ରାମବାସୀ କୌଣସି ସ୍ଥାନକୁ ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି | ଗ୍ରାମ ଠାରୁ ଭଣ୍ଡିମାଳ ରାସ୍ତା, ଗ୍ରାମ ଠାରୁ ବାଣୁଆଗୁଡା ରାସ୍ତା ଓ ଗ୍ରାମ ଠାରୁ ପଞ୍ଚାୟତକୁ ଯିବା ରାସ୍ତା ମରାମତି ପାଇଁ ୱାର୍ଡ ସଭ୍ୟ ମଦନ ଭତ୍ରା, ଗ୍ରାମବାସୀ ଧନସିଂ ନାୟକ, ଚେତମନ ଚଲାଣ, ବୁଦନ ପନକା, ବୁଦୁରାମ ମାଝି, ଯାଦବ ଭତ୍ରା, ବଳିଆର ପୂଜାରୀ, ବୁଦୁରାମ ପୂଜାରୀ, ଥବିର ମାଝି, ନରସିଂ ନାୟକ, ତ୍ରିନାଥ ପୂଜାରୀ, ବୁଦନ ଭତ୍ରା ଓ ଖଗପତି ପୂଜାରୀ ପ୍ରମୁଖ କହିଛନ୍ତି | ଗ୍ରାମର ରାସ୍ତା ସମ୍ପର୍କରେ ବିଡିଓ ଶରତ ମାଝି ଙ୍କୁ ପଚାରିବାରୁ ସେ କହିଥିଲେ ଯେ ୨୦୨୩-୨୪ ଆର୍ଥିକ ବର୍ଷରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାରେ ଭଣ୍ଡିମାଳ ଠାରୁ ଗମ୍ଭାରିଗୁଡା ପର୍ଯ୍ୟନ୍ତ ୧୦ ଲକ୍ଷ ଟଙ୍କାର ରାସ୍ତା, ୫ ମ ରାଜ୍ୟ ଅର୍ଥ କମିଶନ ଯୋଜନାରେ ୧ ଲକ୍ଷ ୧୦ ହଜାର ଓ ୪ ଲକ୍ଷ ର ୨ଟି ରାସ୍ତା କାମ ରଖା ଯାଇଛି | ବର୍ଷା ଦିନ ସରିବା ପରେ ରାସ୍ତା କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଡାବୁଗାଁ ପଞ୍ଚାୟତ ସମିତି ସାଧାରଣ ବୈଠକ 

ରାଇରଙ୍ଗପୁର ନୂତନ ପୁଲିସ ଜିଲ୍ଲାରେ ପୁଲିସ ଫୋର୍ସଙ୍କ ଯୋଗଦାନ. ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରା ପୁଲିସ ଫୋର୍ସକୁ ସ୍ୱାଗତ

Sunil Chandra Nayak

ରାଉରକେଲା ମହାନଗରରେ ଅନୁଷ୍ଠିତ ହେଲା ପଥ ଉତ୍ସବ

Sunil Chandra Nayak

Leave a Comment

error: Content is protected !!