ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡା ଦର୍ଲିମୁଣ୍ଡା ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ 

ନୂଆପଡା ଦର୍ଲିମୁଣ୍ଡା ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ 

ନୂଆପଡ଼ା,(ସୁଜିତ କୁମାର ପ୍ରଧାନ )ନୂଆପଡ଼ା ବ୍ଲକ ଅନ୍ତର୍ଗତ ଦର୍ଲିମୁଣ୍ଡା ଗ୍ରାମ ପଞ୍ଚାୟତରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ୱରେ ଗ୍ରାମ ପଞ୍ଚାୟତସ୍ତରୀୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଆୟୋଜିତ ହୋଇଯାଇଛି।

କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ସୁର୍ମି ସୋରେନ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଇଶାଣୀ ମିତ୍ର, ନୂଆପଡ଼ା ବିଡିଓ ରୋହିତ ଭୋଇ, ତହସିଲଦାର ଲଲାଟେନ୍ଦୁ ଦଣ୍ଡସେନା, ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ ଓ ସ୍ଥାନୀୟ ସରପଞ୍ଚ ସନ୍ଧ୍ୟାରାଣୀ ମିର୍ଧାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ପଞ୍ଚାୟତ ପ୍ରତିନିଧି ଓ ଗ୍ରାମବାସୀ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମର ଆରମ୍ଭରେ ‘ଝିଅ ପାଇଁ ଗଛଟିଏ’ ଓ ‘ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜିଲ୍ଲାପାଳ ନବଜାତ କନ୍ୟାଶିଶୁ ସ୍ନେହା ବିଶ୍ୱକର୍ମା ଓ ମଣି ଭୋଇଙ୍କୁ କୋଳରେ ଧରି ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଶିଶୁମାନଙ୍କ ପିତାମାତାଙ୍କୁ ଉପହାର ଓ ବୃକ୍ଷଚାରା ପ୍ରଦାନ କରାଯାଇଥିଲା। ଦୁଇଜଣ ଗର୍ଭବତୀ ମହିଳାଙ୍କୁ ମଧ୍ୟ ଫଳ, ପନିପରିବା, ପୁଷ୍ଟିକର ଖାଦ୍ୟସାମଗ୍ରୀ ଓ ଉପହାର ପ୍ରଦାନ କରାଯାଇଥିଲା।ଜିଲ୍ଲାପାଳ କହିଥିଲେ ଯେ, ଜୀବିକା ଅନ୍ୱେଷଣରେ ବାହାର ରାଜ୍ୟକୁ ଯାଉଥିବା ପ୍ରବାସୀ ଶ୍ରମିକମାନେ ବିଭିନ୍ନ ସମୟରେ ଶୋଷଣ ଓ ଅସୁରକ୍ଷିତ ପରିସ୍ଥିତିର ଶିକାର ହେଉଛନ୍ତି। ଲୋକମାନେ ଯେପରି ଜୀବିକା ପାଇଁ ନିଜ ଭିଟାମାଟି ଛାଡ଼ି ବାହାରକୁ ଯିବାକୁ ବାଧ୍ୟ ନ ହୁଅନ୍ତି, ସେଥିପାଇଁ ପଞ୍ଚାୟତ ପ୍ରତିନିଧି ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ସମନ୍ୱିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ କହିଥିଲେ।ଭିବିଜି-ରାମ-ଜି (VBG-RAM-G) ସମେତ ବିଭିନ୍ନ ସରକାରୀ ଯୋଜନା ଓ ପ୍ରକଳ୍ପରେ ଉପଲବ୍ଧ କାର୍ଯ୍ୟସୁଯୋଗର ସୁଫଳ ନେଇ ନିଜ ଗାଁରେ ରହି ପରିବାରର ଆୟ ବୃଦ୍ଧି କରିବାକୁ ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ।ଶିଶୁ ଶ୍ରମିକ ପ୍ରଥାକୁ ରୋକିବା, ପ୍ରତ୍ୟେକ ଶିଶୁଙ୍କୁ ବିଦ୍ୟାଳୟମୁହାଁ କରିବା ଏବଂ ୧୮ ବର୍ଷ ପୂର୍ବରୁ କନ୍ୟାଙ୍କ ବିବାହ ରୋକିବା ଉପରେ ମଧ୍ୟ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ସରକାରୀ ଯୋଜନାଗୁଡ଼ିକର ସୁଫଳ ନେଇ ନିଜ ଅଞ୍ଚଳରେ ଜୀବିକା ସୁଦୃଢ଼ କରିବା ସହ ନୂଆପଡ଼ାକୁ ଏକ ଅଗ୍ରଣୀ ଜିଲ୍ଲା ଭାବେ ଗଢ଼ି ତୋଳିବାରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ସ୍ୱଚ୍ଛତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମହେଶରାମ ସାହିନସାହ, ବସନ୍ତ ସାହୁ, ଦିଲୀପ ଅଗରିଆ ଓ ଦୋଳମଣି ପ୍ରଧାନଙ୍କୁ ‘ସ୍ୱଚ୍ଛତା ଦୂତ’ ଭାବେ ସମ୍ମାନିତ କରାଯାଇଥିଲା।

ପକ୍ଷୀ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଅବସରରେ ପକ୍ଷୀମାନଙ୍କ ପାଇଁ ପାଣି ଓ ଖାଦ୍ୟର ବ୍ୟବସ୍ଥା କରାଯିବା ସହ ଜିଲ୍ଲାପାଳ ବୃକ୍ଷରୋପଣ କରିଥିଲେ। ଏହା ମାଧ୍ୟମରେ ପରିବେଶ ସୁରକ୍ଷା ଓ ଜୈବବିବିଧତା ସଂରକ୍ଷଣର ବାର୍ତ୍ତା ଦିଆଯାଇଥିଲା।

ଜିଲ୍ଲାପାଳ ଦର୍ଲିମୁଣ୍ଡା ପଞ୍ଚାୟତ ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ପ୍ରିୟାଂଶୀ ରାଉତଙ୍କ ଘରକୁ ଯାଇ ତାଙ୍କ ପାଠପଢ଼ା ଓ ପରୀକ୍ଷା ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ। ପରୀକ୍ଷାରେ ଭଲ ପ୍ରଦର୍ଶନ ପାଇଁ ତାଙ୍କୁ ମୂଲ୍ୟବାନ ପରାମର୍ଶ ଦେବା ସହ ଉତ୍ସାହିତ କରିଥିଲେ।

ସେହିପରି ଜିଲ୍ଲାପାଳ ପୂର୍ବରୁ ପ୍ରବାସୀ ଶ୍ରମିକ ଭାବେ କାମ କରୁଥିବା ଗୋକୁଳ ମିର୍ଧାଙ୍କ ଘରକୁ ଯାଇ ତାଙ୍କ ସହ ଆଲୋଚନା କରିଥିଲେ। ପୁନର୍ବାର ପ୍ରବାସ ନ କରି ନିଜ ଅଞ୍ଚଳରେ ରହି ବିଭିନ୍ନ ସରକାରୀ ଯୋଜନା ଓ ଜୀବିକା ସୁଯୋଗର ସୁଫଳ ନେଇ କାମ କରିବାକୁ ସେ ପରାମର୍ଶ ଦେଇଥିଲେ। ସମ୍ପୃକ୍ତ ପରିବାରକୁ ଯୋଗ୍ୟତା ଅନୁଯାୟୀ ବିଭିନ୍ନ ସରକାରୀ ଯୋଜନାର ସୁବିଧା ଯୋଗାଇଦେବାକୁ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

କାର୍ଯ୍ୟକ୍ରମ ମାଧ୍ୟମରେ ଦର୍ଲିମୁଣ୍ଡା ପଞ୍ଚାୟତବାସୀଙ୍କୁ ନିଜ ଅଞ୍ଚଳରେ ରହି ଜୀବିକା ସୁଦୃଢ଼ କରିବା, ସରକାରୀ ଯୋଜନାର ସୁଫଳ ନେବା, ଶିଶୁ ଶ୍ରମ ଓ ବାଲ୍ୟବିବାହ ରୋକିବା ସହ ପ୍ରବାସ ହ୍ରାସ ପାଇଁ ସାମୂହିକ ଭାବେ ଆଗେଇ ଆସିବାର ବାର୍ତ୍ତା ଦିଆଯାଇଥିଲା।

Related posts

ପ୍ରସିଦ୍ଧ ପାକଣାପାଟ ପର୍ବତରେ ଯାନ୍ତାଳ ମେଳାରେ ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କ ନରସିଂହ ବାବାଙ୍କ ପୂଜାର୍ଚ୍ଚନା

Sunil Chandra Nayak

ରାଇରଙ୍ଗପୁରରେ ସ୍ବଛ ଭାରତ ସମୃଦ୍ଧ ଭାରତ ଟ୍ରଷ୍ଟ ଆନୁକୂଲ୍ୟରେ ଧନ୍ବନ୍ତରୀ ଜୟନ୍ତୀ

masiha

ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଦୀର୍ଘଦିନର ଦାବୀ ଜଣାଇ ଫେରିଲେ ନବରଙ୍ଗପୁର ର ରାଜ୍ୟ କର୍ମକର୍ତ୍ତା

masiha

Leave a Comment

error: Content is protected !!