ଡାକ୍ତର ଦୀନବନ୍ଧୁ ସାହାଣୀ ଙ୍କ ଅକାଳ ବିୟୋଗ। ଅଂଚଳରେ ଶୋକ ର ଛାୟା
ଜୁନାଗଡ଼,୨୨/୧୧(ମନୀ ସ)ହୃଦଘାତ କାରଣରୁ ରବିବାର ସକାଳେ ବରିଷ୍ଠ ଡାକ୍ତର ଦୀନବନ୍ଧୁ ସାହାଣୀ (୬୨)ଙ୍କ ପରଲୋକ ଘଟିଛି। ସେ ଜୁନାଗଡ଼ ବ୍ଲକ୍ ଅନ୍ତର୍ଗତ ଚାରବାହାଲ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଭାବେ କାର୍ଯ୍ୟରତ ଥିଲେ।
ସୂଚନା ଅନୁଯାୟୀ, ରବିବାର ସକାଳେ ସେ ହଠାତ୍ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ପ୍ରଥମେ ଚାରବାହାଲ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଡାକ୍ତର ସାହାଣୀ ପୂର୍ବରୁ ଜୁନାଗଡ଼ ଓ ଚିଲଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ କାର୍ଯ୍ୟ କରିଥିଲେ। ଜଣେ ଦକ୍ଷ, ଅଭିଜ୍ଞ ଓ ଉତ୍ତମ ଚିକିତ୍ସକ ଭାବେ ସେ ଅଞ୍ଚଳରେ ବେଶ୍ ପରିଚିତ ଥିଲେ। ରୋଗୀଙ୍କ ପ୍ରତି ତାଙ୍କର ଉତ୍ତମ ବ୍ୟବହାର, ମାନବିକତା ଓ ନିଷ୍ଠାପର ଚିକିତ୍ସା ସେବା ପାଇଁ ସେ ସମସ୍ତଙ୍କ ନିକଟରେ ଆଦରଣୀୟ ହୋଇପାରିଥିଲେ।
ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ଜୁନାଗଡ଼ ଓ ଚାରବାହାଲ ସମେତ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଜଣେ ଅଭିଜ୍ଞ ଓ ଲୋକପ୍ରିୟ ଡାକ୍ତରଙ୍କୁ ହରାଇ ଅଞ୍ଚଳବାସୀ ଗଭୀର ମର୍ମାହତ ହୋଇଛନ୍ତି।
ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍

