ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା – ଜୀବନେ ସତ୍ୟଟି ଏହି

   ଜୀବନେ ସତ୍ୟଟି ଏହି

 

ଜନମ ତୋହର ନ ହେବ ସାର୍ଥକ

        ଅହଂ ଭାବ ଘେନା କଲେ

ଆତ୍ମଜ୍ଞାନ ତୋର ବିନାଶ ହୋଇବ

        ଅସତ୍ୟ ମାର୍ଗରେ ଗଲେ । 

 

ମୋର ମୋର ବୋଲି ଯାହା ତୁ କହୁଛୁ

       ତୋ’ର ବୋଲି କିଛି ନାହିଁ

ଆସିଅଛୁ ଏକା ଯିବୁ ତୁହି ଏକା

        ଗର୍ବ କରୁ କାହିଁ ପାଇଁ ।

 

ଛ’ଖଣ୍ଡି ବାଉଁଶ ଶେଷେ ହେବ ଲୋଡ଼ା

         ଚାରି କାନ୍ଧେ ହେବୁ ବୁହା

ମୋର ମୋର କହି ଯାହା ତୁ ଅର୍ଜୁଛୁ

          କହିବେନି କେହି ଆହା ।

 

ଏନ୍ତୁଡ଼ି ନିଆଁରେ ଶେକା ହୋଇଥିଲୁ

          ଶରୀର ଶକତି ପାଇଁ

ଜୁଇର ନିଆଁରେ ପାଉଁଶ ହୋଇବୁ

          ସଂସାର ପଛରେ ଧାଇଁ ।

 

କର୍ମ ବଳେ ଧର୍ମ ଯାହା ଅର୍ଜିଥିବୁ

          ସେହିଁ ହେବ ତୋର ସାହା

ସତ୍ୟ ପଥେ ଚାଲି ଦୁଃଖ ପାଇଥିଲେ

           ସାହା ହେବେ ଚଉବାହା ।

 

ସତ୍ୟ ପଥେ ଚଳି ଦୁଃଖ ପାଇଥିଲେ

            ହୋଇବୁ ମହତ ଜନ

ସଂସାର ସାଗରେ ବୁଡି ଯାଉଥିଲେ

           ରଖିବେ ଜଗତ ଧନ ।

 

ନିଜ ଧର୍ମେ ରହି ନିଧନ ହୋଇଲେ

        ଦୁଃଖ ନ କରିବୁ ତୁହି

ପର ଧର୍ମ ଭାବ ଅଟେ ଭୟାବହ

        ସାଧୁ ଯାଇଛନ୍ତି କହି ।

 

ଅଧର୍ମ ଭିତରେ ଧର୍ମ ଅଛି ବୋଲି

          ଫଳ ଫଳାଉଛି ମହି

ଦୟାର ଭାବନା କିଛି ହୃଦେ ଅଛି

         ଜୀବନେ ସତ୍ୟଟି ଏହି ।

 

*ଜୟ ଶ୍ରୀଜଗନ୍ନାଥ…………👏*

 

           *ରଞ୍ଜନ କୁମାର ପଣ୍ଡା*

                *କୋରାପୁଟ*

Related posts

ସାରସଗୁଡା ଗ୍ରାମରେ ଷୋହଳ ପ୍ରହର ନାମ ଯଜ୍ଞ ଶୁଭାରମ୍ଭ  

Sunil Chandra Nayak

ତୀର୍ଯ୍ୟକ

Sunil Chandra Nayak

ଭାରା ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ବଦଳି ଦାବୀ ରେ ବେହେରା କେଜିବିଭି ରେ ତାଲା ବନ୍ଦ ଆନ୍ଦୋଳନ

Sunil Chandra Nayak

Leave a Comment

error: Content is protected !!