ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାଷିଙ୍କ ପାଇଁ ମରୀଚିକା ପାଲଟିଛି ମୋଡୋସିଲ ଚେକ ଡ୍ୟାମ, ଚାଷିଙ୍କ କାମରେ ଆସୁନି ଲକ୍ଷାଧିକ ଟଙ୍କାରେ ନିର୍ମିତ ପ୍ରକଳ୍ପ

ଚାଷିଙ୍କ ପାଇଁ ମରୀଚିକା ପାଲଟିଛି ମୋଡୋସିଲ ଚେକ ଡ୍ୟାମ, ଚାଷିଙ୍କ କାମରେ ଆସୁନି ଲକ୍ଷାଧିକ ଟଙ୍କାରେ ନିର୍ମିତ ପ୍ରକଳ୍ପ

କୋକସରା,// ରାଜ୍ୟ ସରକାର ଚାଷିକୁଳଙ୍କ ହିତ ସାଧନ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରି ଜଳସେଚନ ପାଇଁ ନିର୍ମାଣ କରୁଛନ୍ତି ଚେକ ଡ୍ୟାମ । ହେଲେ ବିଭାଗୀୟ ଅଧିକାରୀ ଓ ଠିକାସଂସ୍ଥାର ମିଳିଭଗତରେ ନିର୍ମାଣାଧୀନ ପ୍ରକଳ୍ପରୁ ପାଣି ମୁନ୍ଦାଏ ପାଇବାରୁ ବଞ୍ଚିତ ହେଉଛନ୍ତି ଅଞ୍ଚଳର ଚାଷୀ। ଏହିଭଳି କିଛି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ସାହାଜଖୋଲ ଜଙ୍ଗଲ ପାଦଦେଶରେ ଥିବା ମୋଡୋସିଲ ଚେକ ଡ୍ୟାମ ପ୍ରକଳ୍ପରୁ । ଗତ ୨୦୧୭ ମସିହାରେ ଅଞ୍ଚଳର ଚାଷୀଙ୍କ ପାଇଁ ସାହାଜଖୋଲ ଜଙ୍ଗଲରୁ ବର୍ଷା ଦିନରେ ବୋହି ଆସୁଥିବା ଜଳକୁ ସଂରକ୍ଷଣ କରି ଚେକ ଡ୍ୟାମରେ ପାଣିକୁ ସଂଗୃହିତ କରି ଖରିଫ ଋତୁରେ ଅଞ୍ଚଳର ଆମପାଣି ପଞ୍ଚାୟତର କନ୍ଦାଗଡ଼, ପାତ୍ରବସା, ଅଞ୍ଚଳର ଅଣ ଜଳସେଚିତ ଚାଷଜମିକୁ ଜଳସେଚନ ପାଇଁ ମୋଡୋସିଲ ଚେକ ଡ୍ୟାମର ନିର୍ମାଣ ବିଭାଗୀୟ ଅନୁଦାନ ୬୭ ଲକ୍ଷ ୭୫ ହଜାର ୫୧୩ ଟଙ୍କା ବ୍ୟୟରେ କୋକସରା ବ୍ଲକ କ୍ଷୁଦ୍ର ଜଳସେଚନ ଅଣୁ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିଲା। ହେଲେ ସେହି ସମୟରେ ସ୍ଥାନୀୟ ଚାଷୀଙ୍କ ମତକୁ ଅଣଦେଖା କରି ଠିକାସଂସ୍ଥା ଓ ବିଭାଗୀୟ ଅଧିକାରୀ ମାନେ ନିଜକୁ ସୁହାଇଲା ଭଳି ଚେକ ଡ୍ୟାମ ଓ କେନାଲ ନିର୍ମାଣ କରି ଲକ୍ଷାଧିକ ଟଙ୍କା ପ୍ରକଳ୍ପକୁ ଚାଷିଙ୍କ ହିତକୁ ଦୃଷ୍ଟି ନଦେଇ ଠିକାସଂସ୍ଥା କାର୍ଯ୍ୟକୁ ପ୍ରୋତ୍ସାହିତ କରିଥିବା ନେଇ ଚାଷି ମାନେ ନିର୍ମାଣ କାର୍ଯ୍ୟ ସମୟରେ ଅଭିଯୋଗ କରିଥିଲେ । ହେଲେ କୌଣସି ସୁଫଳ ମିଳି ନଥିଲା। ଚେକ ଡ୍ୟାମ ନିର୍ମାଣର ୬/୭ ବର୍ଷ ମଧ୍ୟରେ କୌଣସି ଚାଷଜମିକୁ ବୁନ୍ଦାଏ ପାଣି ମାଡୁ ନଥିବା ନେଇ ଅଞ୍ଚଳର ଚାଷୀ ଅଭିଯୋଗ କରୁଛନ୍ତି। କହିବାକୁ ଗଲେ ମୋଡୋସିଲ ଚେକ ଡ୍ୟାମ ଚାଷୀଙ୍କ ପାଇଁ ନୁହେଁ ବରଂ ବିଭାଗୀୟ ଅଧିକାରୀ ଓ ଠିକାସଂସ୍ଥା ପାଇଁ ବରଦାନ ପାଲଟିଥିଲା। ଆଜି ଏହି ଅଞ୍ଚଳର ଚାଷି ଜଳସେଚନ ସୁବିଧାରୁ ବଞ୍ଚିତ ରହି ପେଟପାଟଣା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ସ୍ଥାନୀୟ ଲୋକମାନେ କହିଛନ୍ତି। ଏନେଇ ଜୟପାଟଣା କ୍ଷୁଦ୍ର ଜଳସେଚନ ବିଭାଗୀୟ ସହକାରୀ ଯନ୍ତ୍ରୀ ବଣ୍ଟି ବାଗଙ୍କ ପ୍ରତିକ୍ରିୟା ନେବାରୁ ଚେକ ଡ୍ୟାମ ପୁନରୁଦ୍ଧାର ପାଇଁ ବିଭାଗୀୟ ଅନୁଦାନ ପାଇଁ ଉଚ୍ଚ ଅଧିକାରୀଙ୍କୁ ଜଣାଯାଇଛି। ଅନୁଦାନ ଆସିଲେ ଚେକ ଡ୍ୟାମ ମରାମତି ସହ ଉଠା ଜଳସେଚନ ମାଧ୍ୟମରେ ଚାଷିଙ୍କୁ ଜଳସେଚନ ସୁବିଧା ଯୋଗାଇ ଦେବାକୁ ଚେଷ୍ଟା କରାଯିବ ବୋଲି କହିଛନ୍ତି। ତେବେ ଚେକ ଡ୍ୟାମ ନିର୍ମାଣ ସମୟରେ ଏସବୁ ଦିଗ ପ୍ରତି କାହିଁକି ଧ୍ୟାନ ଦିଆ ଗଲାନାହିଁ, ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ବରାଦରେ ନିର୍ମାଣ ହୋଇଥିବା ଚେକ ଡ୍ୟାମ ଚାଷିଙ୍କ ପାଇଁ ମରୀଚିକା ସଦୃଶ ପାଲଟିଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ଗଛପଡ଼ି ଜାତୀୟ ରାଜପଥ ଅବରୋଧ : ଏକାଧିକ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଲା, ୧୦ରୁ ଊର୍ଦ୍ଧ୍ୱ ପଞ୍ଚାୟତ ଅନ୍ଧାରରେ

Sunil Chandra Nayak

ଶାଖା ଡାକଘର କମ୍ପ୍ୟୁଟର ଦୀର୍ଘଦିନ ଧରି ଅଚଳ

masiha

6th Annual function of Amethyst Abacus Brain Master 

Sunil Chandra Nayak

Leave a Comment

error: Content is protected !!