ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ

ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, ତା ୨୪/୦୫: ଭାରତୀୟ ପାଣିପାଗ ବିଭାଗର ପୂର୍ବ ସୂଚନା ଅନୁଯାୟୀ ଆସନ୍ତାକାଲିଠାରୁ ସମ୍ଭାବ୍ୟ ବାତ୍ୟା ରେମାଲ ଯୋଗୁଁ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ସହ ପବନ ବହିବାର ସମ୍ଭାବନା ରହିଛି । ସ୍ୱତନ୍ତ୍ର ରିଲିଫ୍ କମିସନରଙ୍କ ନିର୍ଦ୍ଦେଶକ୍ରମେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାରେ ଏହି ବାତ୍ୟାର ସଫଳ ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରସ୍ତୁତି ବୈଠକରେ ଅଗ୍ନିସମ ବିଭାଗ, ଓପିଟିସିଏଲ୍‌, ଜଳସେଚନ, ସାଲାଇନ୍ ଡିଭିଜନ୍‌-ଆଳି, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ବନଖଣ୍ଡ ବିଭାଗ ଓ ସମସ୍ତ ଲାଇନ ଡିପାର୍ଟମେଂଟ୍‌ର ଅଧିକାରୀମାନେ ଯୋଗ ଦେଇ ନିଜ ନିଜର ବିଭାଗ ପକ୍ଷରୁ ନିଆଯାଇଥିବା ଆଗୁଆ ପଦକ୍ଷେପ ବିଷୟରେ ବୈଠକକୁ ଅବଗତ କରାଇଥିଲେ । କେନ୍ଦ୍ରାପଡ଼ା ଜିଲ୍ଲାରେ କାର୍ଯ୍ୟ କରୁଥିବା ୧୦ଟି ଅଗ୍ନିସମ ବିଭାଗରେ ସର୍ବମୋଟ୍ ୩୦ଟି ଗଛକଟା ମେସିନ୍ କାର୍ଯ୍ୟକ୍ଷମ ଅବସ୍ଥାରେ ଅଛି ଏବଂ ଜରୁରୀ ପରିସ୍ଥିତିରେ ଏଗୁଡ଼ିକୁ ନିୟୋଜିତ କରାଯିବ ବୋଲି ବିଭାଗୀୟ ଅଧିକାରୀ କହିଥିଲେ । ବାତ୍ୟା ଆଶ୍ରୟସ୍ଥଳୀରେ ଆସ୍କାଲାଇଟ୍‌ର ବ୍ୟବହାରକୁ ସକ୍ଷମ କରିବା ପାଇଁ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ବାତ୍ୟା ଯୋଗୁଁ ବିଦ୍ୟୁତ୍ ସରବରାହରେ ବ୍ୟାଘତ ଘଟିଲେ ଯଥାଶୀଘ୍ର ମରାମତି କରିବାକୁ ଓପିଟିସିଏଲ୍‌କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ବର୍ଷା ଜନିତ ଜଳନିଷ୍କାସନ ପାଇଁ ବିହିତ ପଦକ୍ଷେପ ନେବାକୁ ଜଳସେଚନ ଓ ସାଲାଇନ୍ ଡିଭିଜନ୍‌କୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ସମୟରେ ଗର୍ଭବତୀ ମହିଳାଙ୍କୁ ଯଥାଶୀଘ୍ର ସ୍ଥାନାନ୍ତର କରିବା ଏବଂ ପ୍ରତ୍ୟେକ ଚିକିତ୍ସାଳୟରେ ଓଆର୍‌ଏସ୍‌, ଔଷଧ, ହାଲୋଜିନ୍ ବଟିକା, ସାପକାମୁଡ଼ା ଇଂଜେକ୍ସନ୍ ଆଦି ମହଜୁଦ ରଖିବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ଷା ଯୋଗୁ କୁମ୍ଭୀରମାନଙ୍କର ଯାତାୟତ ଉପରେ କଡ଼ା ନଜର ରଖିବାକୁ ଏକ ଟିମ୍ ଗଠନ କରାଯାଇଛି ବୋଲି ବନଖଣ୍ଡ ଅଧିକାରୀ ସୂଚନା ପ୍ରଦାନ କରିଥିଲେ । ବଜ୍ରପାତ ଜନିତ ମୃତ୍ୟୁର ପ୍ରାଥମିକ ତଦନ୍ତ ରିପୋର୍ଟ ଜିଲ୍ଲା ପ୍ରଶାସନକୁ ତୁରନ୍ତ ପ୍ରଦାନ କରିବା ଏବଂ ଏହାର ଯୁଗ୍ମ ତଦନ୍ତ ରିପୋର୍ଟ ସହିତ ଶବ ବ୍ୟବଚ୍ଛେଦ ରିପୋର୍ଟ ପ୍ରଦାନ କରିବାକୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନୀଲୁ ମହାପାତ୍ର ତହସିଲଦାରମାନଙ୍କୁ ପରାମର୍ଶ ଦେଇଥିଲେ । ଶୁଖିଲା ଖାଦ୍ୟ, ଚୁଡ଼ା ଚାଉଳ, ଗୁଡ଼, ମହବତୀ, ଡିଆସିଲି ଆଦି ମହଜୁଦ ରଖିବାକୁ ବେସାମରିକ ଖାଦ୍ୟ ଯୋଗାଣ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଉକ୍ତ ବୈଠକରେ ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପୀତାମ୍ବର ସାମଲ, ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ, ଅତିରିକ୍ତ ଉପ-ଜିଲ୍ଲାପାଳ ଅଶୋକ କୁମାର ଦାସ, ଡକ୍ଟର ସଚ୍ଚିଦାନନ୍ଦ ମିଶ୍ର, ଡେପୁଟି କଲେକ୍ଟର ପଲ୍ଲବୀ ପାତ୍ର, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ, ସମସ୍ତ ତହସିଲଦାର, ବିଡିଓ ଓ ଲାଇନ୍ ଡିପାର୍ଟମେଂଟ୍‌ର ସମସ୍ତ ଅଧିକାରୀ ଯୋଗ ଦେଇଥିଲେ ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ସକ୍ରିୟ ହେବାରେ ଲାଗିଛନ୍ତି ବାଲି ଓ ଗୋଡ଼ି ଦଲାଲ,ବିଭାଗୀୟ ଅଧିକାରୀ ନୀରବ

masiha

ସାନ୍ତାଳୀ ସମାଜର ଆଇକନ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧୀ ପୀଠର ଐତିହ୍ୟ ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଟଙ୍କା ବାକ୍ସରୁ ୧୦ କୋଟି ଟଙ୍କା ଅନୁମୋଦନ ନେଇ ଦାଣ୍ଡବୋଷରେ ବିଶାଳ ଧନ୍ୟବାଦ ଉତ୍ସବ

ସାକରା ଙ୍କୁ ଭତ୍ତା କେବେ?

Sunil Chandra Nayak

Leave a Comment

error: Content is protected !!