ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖାଉଟିଙ୍କୁ କନ୍ଦାଉଛି ଆକାଶଛୁଆଁ ପରିବା ଦର

ଖାଉଟିଙ୍କୁ କନ୍ଦାଉଛି ଆକାଶଛୁଆଁ ପରିବା ଦର

ରାୟଗଡା: ୨୨/୦୬ (ବ୍ୟୁରୋ) ରୋଷେଇ ଘରେ କନ୍ଦାଉଛି ପରିବା ଦର। ପିଆଜ, ଆଳୁ ଓ ଟମାଟ ରୋଷେଇ ଘରର ହେଉଛି ଅତ୍ୟାବଶ୍ୟକ ପରିବା । କେବଳ ଏହି ତିନି ପ୍ରକାରର ପରିବା ଘରେ ଥିଲେ ଗୋଟିଏ ସାଧାରଣ ପରିବାର ଆରାମରେ ଗୋଟିଏ ଦିନ ଚଳିଯାଏ। ଆର୍ଥିକ ସ୍ବଚ୍ଛଳ ପରିବାରର ମଧ୍ୟ ଏହା ଅତ୍ୟାବଶ୍ୟକ ପରିବା ଅଟେ । କିଛି ଦିନ ହେଲା ଆଳୁ ଓ ପିଆଜର କିଲୋ ପ୍ରତି ଦର ୪୦ ଟଙ୍କା ରହିଛି | ଟମାଟୋ ୮୦ ଟଙ୍କାରେ ବିକ୍ରି ହେଉଛି। ରାୟଗଡା ସହରର ନୁୱା ବସଷ୍ଟାଣ୍ଡ ନିକଟ ଓଭର ବ୍ରିଜ ପାଖରେ , ଡେଲିମାର୍କେଟ, ମୁଖ୍ୟ ଡାକଘର ନିକଟ, ଉପ ଜ଼ିଲ୍ଲାପାଳ ଙ୍କ ବାସ ଗୃହ ନିକଟ ରେ, ଓ ମାଛ ବଜାର ଲାଗିକି ପରିବା ବଜାର ଆଦି ସ୍ଥାନ ରେ ପରିବା ସକାଳୁ ଚଢ଼ା ଦରରେ ବିକ୍ରି ହେଉଛି। ଅଧିକାଂଶ ପରିବା ଦର ୬୦ ଟଙ୍କା ଉପରେ ରହିଛି। ବଜାରରେ କଖାରୁ କିଲୋ ପ୍ରତି ୪୦ ଟଙ୍କା ରହିଥିବା ବେଳେ ଲାଉ , ଅମୃତଭଣ୍ଡା କିଲୋ ପ୍ରତି ୪୦ ଟଙ୍କା ରହିଛି । ବନ୍ଧାକୋବି, କାକୁଡ଼ି, କଞ୍ଚାକଦଳୀ, ପୋଇ, ୫୦ ଟଙ୍କା ରହିଛି। ଫୁଲକୋବି ଓ ପୋଟଳ ୮୦ ଟଙ୍କା ଓ ବାଇଗଣ ୬୦ ଟଙ୍କା ରହିଥିବା ବେଳେ କୁନ୍ଦୁରୁ ୫୦ ଟଙ୍କା, ଝୁଡ଼ଙ୍ଗ ୮୦ଟଙ୍କା, ସେହିପରି ଭେଣ୍ଡି ଓ ଜହ୍ନି ୬୦ ଟଙ୍କାରେ ବିକ୍ରି ହେଉଛି। ସେହିପରି କାଙ୍କଡ଼ କିଲୋ ପ୍ରତି ୧୨୦ ଟଙ୍କା , ସିମଲା ମରିଚ ୧୬୦ ଟଙ୍କା ଥିବା ବେଳେ ସଜନା କିଲୋ ପ୍ରତି ୧୪୦ ଟଙ୍କା ରହିଛି ସେହିପରି ଗାଜର ୧୨୦ଟଙ୍କା ଓ କଞ୍ଚାଲଙ୍କା କିଲୋପ୍ରତି ୮୦ ଟଙ୍କାରେ ବିକ୍ରି ହେଉଛି ଅଦା, ରସୁଣ ଦର ଆକାଶ ଛୁଆଁ ରହିଛି। ଅଦା ଓ ରସୁଣର ୨୫୦ ଗ୍ରାମକୁ ୬୦ ଟଙ୍କା ୭୦ ଟଙ୍କା ଦର ରହିଛି। ଏଥି ସହ ଖାଉଟିଙ୍କ ମାନସିକ ଅବସ୍ଥାକୁ ନଜରରେ ରଖି ବେପାରୀମାନେ ଆଉ କେଜି ପ୍ରତି ଦର କହୁନାହାନ୍ତି ପାଏ ୧୫ ଟଙ୍କା, ୨୦ ଟଙ୍କା ଦର କହୁଛନ୍ତି। ଖାଉଟି ମଧ୍ୟ କିଲୋରେ ନକିଣି ୨୫୦ ଗ୍ରାମ(ପାଏ) କିଣୁଥିବା ଦେଖାଯାଉଛି। ଏହା ବ୍ୟତିତ ବିଭିନ୍ନ ସାହିରେ ଥିବା ଛୋଟ ଛୋଟ ଦୋକାନରେ ଦାମ ଆହୁରି ଅଧିକ ରହୁଛି । ବର୍ଦ୍ଧିତ ପରିବା ଦର ଖାଉଟିଙ୍କୁ କନ୍ଦାଇବା ଭଳି ସ୍ଥିତି ସୃଷ୍ଟି କରିଛି ।

ଖରାର ପ୍ରକୋପ ଥିବାରୁ ସ୍ଥାନୀୟ ଅଞ୍ଚଳରୁ ଅଳ୍ପ କିଛି ପରିବା ଉତ୍ପାଦନ ହେଉଛି। ଖରା ଲାଗି ରହିଥିବାରୁ ଦର କମିବାର ନାଁ ନେଉନାହିଁ। ବର୍ଷା ଋତୁର ପରିବା ନଆସିବା ପର୍ଯ୍ୟନ୍ତ ଦାମ କମିବ ନାହିଁ, ବରଂ ବଢ଼ିବ ବୋଲି କିଛି ବେପାରୀ ପ୍ରକାଶ କରିଛନ୍ତି । ଅପର ପକ୍ଷରେ ରାୟଗଡା ଜ଼ିଲ୍ଲାରେ ଯଦିଓ ପରିବା ଚାଷ ହେଉଛି ତାହା ରାୟଗଡା ଖାଉଟିଙ୍କ ଆବଶ୍ୟକତା ଠାରୁ କମ ଉତ୍ପାଦନ ହେଉଥିବାରୁ ପଡୋଶୀ ରାଜ୍ୟ ଛତିଶଗଡ ର ରାଇପୁର ଏବଂ ଆନ୍ଦ୍ରପ୍ରଦେଶ ର ଶ୍ରୀକାକୁଲମ ଓ ପାର୍ବତିପୂରମ ଠାରୁ ପରିବା ଆମଦାନୀ କରିବା ଯୋଗୁଁ ଏଠାରେ ପରିବା ଦର ଆକାଶ ଛୁଆଁ ହୋଇଥିବା ବେପାରୀ ମାନେ କହିଛନ୍ତି। କେବଳ ପରିବା ନୁହେଁ ବଜାରରେ ଡାଲି, ଖାଇବା ତେଲ ଦର ମଧ୍ୟ କନ୍ଦାଇବା ଭଳି ସ୍ଥିତି ସୃଷ୍ଟି କରିଛି । ଅଧିକାଂଶ ଡାଲି ୧୫୦ରୁ ଅଧିକ ରହିଥିବା ବେଳେ ହରଡ଼ ଡାଲି ୧୮୦ ଟଙ୍କାର ବିକ୍ରି ହେଉଛି। ଅନ୍ୟ ରାଜ୍ୟରୁ ଆମଦାନୀ ହେଉଥିବା ଆଳୁ, ପିଆଜ, ଟମାଟ ଓ ଡାଲି ଜାତୀୟ ଦ୍ରବ୍ୟର ଦରକୁ ସ୍ଥାନୀୟ ପ୍ରଶାସନ ନିୟନ୍ତ୍ରଣ କରିବାକୁ ଉପଭୋକ୍ତା ମହଲ ରୁ ଦାବି ହେଉଛି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

 

Related posts

କୁମ୍ଭାଟୁଆ ପକ୍ଷୀର ବାସ ସଂରକ୍ଷଣ ଆଜିର ମୁଖ୍ୟ ଆହ୍ୱାନ

Sunil Chandra Nayak

ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟରେ ବୃକ୍ଷରୋପଣ ଓ କର୍ମଶାଳା ଆୟୋଜିତ

Sunil Chandra Nayak

ନିର୍ଦ୍ଧାରିତ ସମୟ ପୂର୍ବରୁ ବିଦ୍ୟାଳୟ ଛୁଟି, ବ୍ଲକ ଅଧ୍ୟକ୍ଷଙ୍କ ଆପତ୍ତି  

masiha

Leave a Comment

error: Content is protected !!