ବରିଷ୍ଠ ନାଗରିକ ମଞ୍ଚର ୧୮ତମ ଅଧିବେଶନ ଅନୁଷ୍ଠିତ
ଖଇରା,୦୬/୭/୨୪- ବାଲେଶ୍ଵର ଜିଲ୍ଲା ଖଇରା ସ୍ଥିତ ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ଯାଳୟ ପରିସରରେ ମଞ୍ଚର ୧୮ତମ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଉତ୍କଳମଣି ଗୋପବନ୍ଧୁଙ୍କ ୯୬ତମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଦୁର୍ଗା ମଣ୍ଡପ ଠାରେ ଥିବା ଗାନ୍ଧୀ, ଗୋପବନ୍ଧୁ ଓ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ଯାର୍ପଣ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଦିବଙ୍ଗତ ଗୟାଧର ପଣ୍ଡା, ମଧୁସୂଦନ ସେଣ୍ଢ ଓ ଅନ୍ୟ ମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ପରେ ସଭାପତି ଶରତ ଚନ୍ଦ୍ର ବିଶ୍ବାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବରିଷ୍ଠ ନାଗରିକ ବସନ୍ତ ଖିଲାର ଏବଂ ଅନ୍ୟମାନେ ଗୋପବନ୍ଧୁଙ୍କ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ । ମଞ୍ଚ ତରଫରୁ ଡାକ୍ତର ଦିବସରେ ଡାକ୍ତର ମାନଙ୍କୁ ସମ୍ବର୍ଦ୍ଧନା, ନୂତନ ସରକାରଙ୍କୁ ସମ୍ବର୍ଦ୍ଧନା, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ବାଲେଶ୍ଵର ଜିଲ୍ଲା ନୀଳଗିରି ଠାରୁ କେନ୍ଦୁଝରକୁ ରେଳ ଲାଇନ ସଂଯୋଗ ପାଇଁ ନିବେଦନ କରାଯିବା ଏବଂ ଏହା କିପରି ତୁରନ୍ତ କାର୍ଯ୍ୟକାରୀ ହେବ, ଗୋପବନ୍ଧୁଙ୍କୁ ଭାରତରତ୍ନ ପ୍ରଦାନ ପାଇଁ ସରକାରଙ୍କ ନିକଟରେ ପ୍ରସ୍ତାବ ଉପସ୍ଥାପନ କରିବା, ଯାତ୍ରୀ ବିଶ୍ରାମଗାର ପ୍ରତିଷ୍ଠା ନିର୍ମାଣ ନିମନ୍ତେ ବିଧାୟକଙ୍କୁ ଭେଟି ସ୍ଥାନ ନିରୂପଣ କରିବା ଇତ୍ୟାଦି ବିଷୟରେ ଉକ୍ତ ଅଧିବେଶନରେ ଆଲୋଚନା ହୋଇଥିଲା । ଏଥିରେ ମୁକ୍ତିକାନ୍ତ ଶତପଥୀ, ଅନାମ ଚରଣ ପଣ୍ଡା, ପଦ୍ମଲୋଚନ ଦାସ, ବୁଦ୍ଧିରାମ ପାଣିଗ୍ରାହୀ, ଅଭିମନ୍ୟୁ ମହାପାତ୍ର, ଅରୁଣ କୁମାର ସ୍ବାଇଁ, ଦେବେନ୍ଦ୍ର କୁମାର ରାଉତ, ଅନ୍ତର୍ଯ୍ୟାମୀ ପାତ୍ର, ସନ୍ତୋଷ କୁମାର ଶତପଥୀ, ପଦ୍ମନାଭ ପଣ୍ଡା, କୈଳାସ ବେହେରା ପ୍ରମୁଖ ଅନ୍ୟମାନେ ଉପସ୍ଥିତ ଥିଲେ । ସର୍ବ ଶେଷରେ ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟ ପଦ୍ମଲୋଚନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।।
ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ


