ବିପଦ ସାଜିଛି ଜାଳେଣି ଗ୍ଯାସ, ସ୍ଥାନୀୟ ପ୍ରଶାସନ ଓ ବିଭାଗୀୟ ଅଧିକାରୀ ନିରବ, ଦୁଃଖ ବୁଝିବେ କି ମୋହନ ସରକାର ?
ଖଇରା,୨୩/୭/୨୫- ଜାଳେଣି କାଠର ଘୋର ଅଭାବ, ଜଙ୍ଗଲ ସୁରକ୍ଷା ଏବଂ ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ସରକାର ଘରେ ଘରେ ଯୋଗାଇ ଦେଇଛନ୍ତି ଜାଳେଣି ଗ୍ଯାସ । ଯାହାକି ଜାଳେଣି କାଠର ଅଭାବ ଓ ବାୟୁମଣ୍ଡଳ ପ୍ରଦୂଷଣ ମୁକ୍ତରେ ସହାୟକ ହୋଇଛି । ଗ୍ଯାସ ୨ ପ୍ରକାର ସେଥିମଧ୍ୟରୁ ଗୋଟିଏ ହେଲା ଡୋମେଷ୍ଟିକ୍ ଏବଂ ଅନ୍ୟଟି କମରସିଆଲ ଗ୍ଯାସ । ପ୍ରତ୍ୟେକ ଘରେ ଯେଉଁ ରନ୍ଧନ ଗ୍ଯାସ ବ୍ଯବହାର କରାଯାଏ, ତାକୁ ଡୁମେଷ୍ଟିକ୍ ଗ୍ଯାସ ଓ ହୋଟେଲ ଏବଂ ଦୋକାନ ମାନଙ୍କରେ ବ୍ଯବହାର ହେବା ପାଇଁ କମରସିଆଲ ଗ୍ଯାସ ସରକାରୀ ନିୟମରେ ଅଛି । ଏଥିପାଇଁ ଡୁମେଷ୍ଟିକ୍ ଓ କମରସିଆଲ ଗ୍ଯାସ ନାମରେ ୨ଟି କନେକ୍ସନର ବ୍ଯବସ୍ଥା ମଧ୍ୟ ସରକାର କରିଛନ୍ତି । ଡୁମେଷ୍ଟିକ୍ ଗ୍ଯାସର ମୂଲ୍ୟ କମ୍ କିନ୍ତୁ କମରସିଆଲ ଗ୍ଯାସର ମୂଲ୍ୟ ଅଧିକ ଯାହା ସରକାର ଧାର୍ଯ୍ୟ କରିଛନ୍ତି । ହେଲେ କ’ଣ ହେବ ଏହି ଜାଳେଣି ଗ୍ଯାସ ଏବେ ଅଞ୍ଚଳର ଲୋକଙ୍କ ଜୀବନ ମରଣ ସମସ୍ୟା ବଢାଇ ଦେଇଛି । ହାଟଵଜାରରେ ଥିବା ହୋଟେଲ, ମିଠା ଦୋକାନ, ଜଳଖିଆ ଦୋକାନ, ପକୁଡି ଭୁବୁନି ଦୋକାନ, ଚାଉମିନ୍ ଦୋକାନ, ବରାପକୁଡି ଦୋକାନ, ତେଲଭାଜି ଦୋକାନ, ଚାହା ଦୋକାନ, ଚାହାପାନ ଦୋକାନ ଇତ୍ୟାଦି ବିଭିନ୍ନ ବ୍ଯଵସାୟିକ ଦୋକାନ ଗୁଡିକରେ ଡୁମେଷ୍ଟିକ୍ ଗ୍ଯାସ ହୁତୁହୁତୁ ହୋଇ ଜଳୁଥିବାର ଦେଖିବାକୁ ମିଳୁଛି । କିନ୍ତୁ ଏସବୁ ଦୋକାନ ମାନଙ୍କରେ କମରସିଆଲ ଗ୍ଯାସ ବ୍ଯଵହାର ହେବା କଥା । ଅଧିକ ଲାଭ ଆଶାରେ ଦୋକାନୀ କମରସିଆଲ ଗ୍ଯାସ ବ୍ଯଵହାର ନ କରି କମ୍ ମୂଲ୍ୟଯୁକ୍ତ ଡୁମେଷ୍ଟିକ୍ ଗ୍ଯାସ ବ୍ଯଵହାର କରୁଛି । ଅଗ୍ନି ନିର୍ବାପକ ଯନ୍ତ୍ର ମଧ୍ୟ ଦୋକାନରେ ନଥିବା ଦେଖାଯାଏ । ଯଦି କୌଣସି କାରଣରୁ ଗ୍ଯାସ ଲିକ୍ କରେ ଗରାଖଟି ଖାଉଖାଉ ଜଳିପୋଡି ମରିଯାଏ, ସେଥିପାଇଁ କିଏ ହେବ ଦାୟୀ, ନା ମିଳିବ ଇଂସୁରାନ୍ସ, ନା ମିଳିବ ସରକାରୀ ସହାୟତା, ନା ବୁଝିବ କିଏ ଦୁଃଖ । ବିଚରା ଗରାଖର ପରିବାର କାନ୍ଦି କାନ୍ଦି ମରିବେ । ଅବଶ୍ଯ ଏହା ନୂଆ ନୁହେଁ ଗ୍ଯାସ ବଜାରକୁ ଆସିବା ଠାରୁ ଜାରି ରହିଛି । ସରକାରଙ୍କ ନିୟମରେ ଲେଖା ଅଛି ଡୁମେଷ୍ଟିକ୍ ଗ୍ରାହକକୁ ଡୁମେଷ୍ଟିକ୍ ଗ୍ଯାସ ଏବଂ ବ୍ଯଵସାୟୀଙ୍କୁ କମରସିଆଲ ଗ୍ଯାସ ଦେବା ପାଇଁ । ଏପରି ଦୃଶ୍ୟ କେବଳ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଅଞ୍ଚଳର ନୁହେଁ ସମଗ୍ର ଜିଲ୍ଲା ଓ ରାଜ୍ୟରେ ଦୃଷ୍ଟି ଗୋଚର ହୁଏ । ଏଦିଗରେ ସ୍ଥାନୀୟ ପ୍ରଶାସନ ଏବଂ ଯୋଗାଣ ବିଭାଗ ଅଧିକାରୀ କାହିଁକି ନୀରବ ସାଧାରଣରେ ସୃଷ୍ଟି ଉଠିଛି ପ୍ରଶ୍ନ । ଏବିଷୟରେ ଅଧିକ ତଥ୍ୟ ଜାଣିବା ନିମନ୍ତେ ଖଇରା ଇଣ୍ଡେନ ଗ୍ରାମୀଣ ବିତରକଙ୍କୁ ଯୋଗାଯୋଗ କରାଯାଇଥିଲା, ଆମେ ସରକାରଙ୍କ ନିୟମ ଭିତରେ ଚାଲୁଛୁ, ଉଭୟ ଗ୍ଯାସ ଆଣୁଛୁ, ଦୋକାନୀ ମାନଙ୍କୁ ବ୍ଯଵସାୟ ନିମନ୍ତେ କମରସିଆଲ ଗ୍ଯାସ ନେବାପାଇଁ ବୁଝାଉଛୁ, ମୂଲ୍ୟ ଅଧିକ ପାଇଁ କୌଣସି ଦୋକାନୀ ନେଉ ନାହାନ୍ତି, ଘରୋଇ ଗ୍ଯାସ ନେଇ ଦୋକାନରେ ବ୍ଯଵହାର କରୁଛନ୍ତି, କମରସିଆଲ ଗ୍ଯାସ ନେବାକୁ ବାଧ୍ୟ କଲେ ପଡୋଶୀ ବିତରକ କେନ୍ଦ୍ରକୁ ଯାଇ ଡୁମେଷ୍ଟିକ୍ ଗ୍ଯାସ ଆଣି ଦୋକାନୀ ତା’ର ବ୍ଯଵସାୟ କରୁଛି । ଆମ୍ଭେ ଆଣିଥିବା କମରସିଆଲ ଗ୍ଯାସ ଗୋଦାମରେ ଦୀର୍ଘ ଦିନ ପଡି ରହିବା ଦ୍ବାରା କମ୍ ମୂଲ୍ୟରେ ବିକି କ୍ଷତି ସହୁଛୁ । ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ କିଛି ଲାଭ ହେଉନି । ଏହା ଦ୍ୱାରା ଅଞ୍ଚଳରେ ସରକାରୀ ଆଇନ୍ ଉଲଙ୍ଘନ ହେଉଛି, ଏଥିପାଇଁ ଭବିଷ୍ୟତରେ କୌଣସି ଅଘଟଣ ମଧ୍ୟ ଘଟିପାରେ ବୋଲି କହିଥିଲେ । ଏଥପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ପ୍ରଶାସନ, ବିଭାଗୀୟ ଅଧିକାରୀ, ଜିଲ୍ଲାପାଳ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନିବେଦନ କରିଛନ୍ତି ଦୋକାନରେ ଖାଉଥିବା ଗରାଖ ଈଶ୍ୱର ।।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

