ସରକାରୀ ଉଚ୍ଚ ବିଦ୍ୟାଳୟ ଗଁଦିଆରେ ଶିଶୁ ଦିବସ -୨୦୨୪ ପାଳିତ
ଢେଙ୍କାନାଳ, ଗଁଦିଆ : ତା.୧୪.୧୧.୨୦୨୪ ରିଖ 🙁 ମ ନି ସ)ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍ ର ସରକାରୀ ଉଚ୍ଚ ବିଦ୍ୟାଳୟ ଗଁଦିଆଠାରେ ଶିଶୁ ଦିବସ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୁରଲୀଧର ସାହୁଙ୍କ ଅଧ୍ୟକ୍ଷତାରେ ନଭେମ୍ବର ମାସ ଚଉଦ ତାରିଖ ପୂର୍ବାହ୍ନରେ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ଏହି ସଭାରେ ମୁଖ୍ୟ ଅତିଥି ଭାବେ ଉକ୍ତ ବିଦ୍ୟାଳୟର ମୋ ସ୍କୁଲ୍ ଅଭିଯାନର ସଭାପତି ତଥା ପ୍ରାକ୍ତନ ସ୍ବତନ୍ତ୍ର ସିବିଆଇ ବିଚାରପତି ଭିକାରୀ ଚରଣ ରାଉତ ଉପସ୍ଥିତ ହୋଇ ବିଦ୍ୟାଳୟ ପୁରାତନ ଛାତ୍ର
ହିସାବରେ ଅତୀତର ସ୍ମୃତିଚାରଣ କରିବା ସଙ୍ଗେ ସଙ୍ଗେ ଛାତ୍ରୀ,ଛାତ୍ରମାନଙ୍କୁ ଆଧୁନିକ ଭାରତର ନିର୍ମାତା ନେହେରୁଙ୍କ ବହୁମୂଖୀ ଆଦର୍ଶରେ ଅନୁପ୍ରାଣିତ ହୋଇ ମଣିଷ ପରି ମଣିଷ ହେବା ପାଇଁ ଦୃଢ଼ ଆହ୍ୱାନ ଦେଇଥିଲେ । ନ୍ୟାୟାଧୀଶ ଶ୍ରୀ ରାଉତ ଶିଶୁ ହସିଲେ ଦୁନିଆ ହସେ ଓ ଶିଶୁ ମୁଖରେ ହସ ଫୁଟାଇବା ଆମ ସମସ୍ତଙ୍କର ସର୍ବପ୍ରଥମ କର୍ତ୍ତବ୍ୟ ହେବା ଆବଶ୍ୟକ ବୋଲି ଦୃଢ଼ ମତପ୍ରକାଶ କରିଥିଲେ।ଉକ୍ତ ସଭାରେ ସମ୍ମାନୀତ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକୃତିବନ୍ଧୁ ହରିହର ସାହୁ ବିଦ୍ୟାଳୟର ଅତୀତ ଇତିହାସର ଜ୍ଵଳନ୍ତ ଉଦାହରଣ ଦେଇ ବିଦ୍ୟାଳୟ ଅନେକ ସୁଛାତ୍ରୀଛାତ୍ର ସୃଷ୍ଟି କରିବାର ଉଦାହରଣ ଦେଇ ସମାଜ ଗଠନ ଦିଗରେ ଛାତ୍ରୀଛାତ୍ରମାନେ ପ୍ରମୁଖ ଭୂମିକା ଗ୍ରହଣ କରିବାପାଇଁ ସୁପରାମର୍ଶ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଓଡ଼ିଶା ରାଜ୍ୟ ମୁଖ୍ୟମନ୍ତ୍ରୀ ପୁରସ୍କାରପ୍ରାପ୍ତ,ଜାତୀୟ ତଥା ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଶିକ୍ଷାବିତ୍ ,ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ରାଜ୍ୟ ପୁରସ୍କାରପ୍ରାପ୍ତ ଢେଙ୍କାନାଳ ଜିଲ୍ଲା ସଂଯୋଜକ ତଥା ଶତାୟୁ ,ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ପ୍ରାକ୍ତନ ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର ଯୋଗଦାନ କରି ଆଜିର ଶିଶୁମାନେ ଆସନ୍ତା କାଲିର ନାଗରିକ ଓ ଶିଶୁମାନଙ୍କର ସର୍ବାଙ୍ଗୀନ ଉନ୍ନତିରେ ଦେଶର ଉଜ୍ଜ୍ୱଳ ଭବିଷ୍ୟତ ନିର୍ଭର କରିଥାଏ ବୋଲି ଦୃଢ଼ ମତପୋଷଣ କରିଥିଲେ ଓ ଚାଚା ନେହେରୁଙ୍କ ଜୀବନୀ ଉପରେ ସବିଶେଷ ଆଲୋକପାତ କରିଥିଲେ। ସମ୍ମାନୀତ ଅତିଥି ଶ୍ରୀସାହୁ ଶିଶୁ ଦିବସ ଉପଲକ୍ଷେ ଓଡ଼ିଆ ଭାଷାରେ ଶିଶୁ ଦିବସ କବିତା ପାଠ କରିଥିବା ବେଳେ ଇଂରାଜୀ ଭାଷାରେ ଡ଼ା.ମିଶ୍ର ଶିଶୁ ଦିବସ ଉପଲକ୍ଷେ କବିତା ପାଠ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ପ୍ରାକ୍ତନ ସଫଳ ଛାତ୍ର ତଥା ବିଶିଷ୍ଟ ପରିବେଶବିତ୍ ଉପେନ୍ଦ୍ର କୁମାର ରାଉତ ଉପସ୍ଥିତ ହୋଇ ବିଦ୍ୟାଳୟ ସହିତ ଜଡ଼ିତ ତାଙ୍କର ସୁମଧୁର ସ୍ମୃତିଚାରଣ ନେହେରୁଙ୍କ ତ୍ୟାଗପୂତ ଜୀବନ ଉପରେ ଆଲୋଚନା କରିଥିଲେ। ଏହି ଉତ୍ସବରେ ମାଟ୍ରିକ ପରୀକ୍ଷାରେ ଜିଲ୍ଲା ଟପ୍ପର ପାର୍ଥସାରଥୀ ଖିଲାର ବିଦ୍ୟାଳୟର ଏ୧ ଗ୍ରେଡ୍ ହାସଲ କରି ବିଦ୍ୟାଲୟର ଗୌରବ ବୃଦ୍ଧି କରିଥିବା ଦୁଇ ଛାତ୍ରୀ ସ୍ୱାଗତିକା ଧଳ ଓ ସ୍ବୟମଶ୍ରୀ ପୃଷ୍ଟିଙ୍କୁ ପର୍ଯ୍ୟାୟକ୍ରମେ ମଞ୍ଚାସୀନ ଅତିଥିବୃନ୍ଦଙ୍କ ଦ୍ଵାରା ମାନପତ୍ର, ଅର୍ଥରାଶି ଓ ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୁରଲୀଧର ସାହୁ ଏହି ଶିଶୁ ଦିବସ ଉତ୍ସବରେ ସଭାପତିତ୍ବ କରି ସ୍ଵୀୟ ସଭାପତିଙ୍କ ଅଭିଭାଷଣରେ ଶିଶୁ ଦିବସର ଲକ୍ଷ୍ୟ, ଉଦ୍ଦେଶ୍ୟ ତଥା ଆଭିମୁଖ୍ୟ ସମ୍ପର୍କରେ ସବିଶେଷ ଆଲୋଚନା କରିବା ସଙ୍ଗେ ସଙ୍ଗେ ଶିକ୍ଷୟିତ୍ରୀ ଓ ଶିକ୍ଷକ ମାନେ ଶିକ୍ଷା କ୍ଷେତ୍ରରେ ପ୍ରମୁଖ ଭୂମିକା ନିର୍ବାହ କରି ମଣିଷ ତିଆରି କାରଖାନାରେ ମଣିଷ ତିଆରି କରି,ଦେଶ ଗଠନରେ ପ୍ରତ୍ୟେକ କ୍ଷେତ୍ରରେ ପ୍ରମୁଖ ଭୁମିକା ନିର୍ବାହ କରୁଥିବା ସମସ୍ତଙ୍କୁ ପ୍ରଣାମ ଜଣାଇ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତିର ସଫଳ ରୂପାୟନ କରିବାକୁ ସମସ୍ତେ ଆଗେଇ ଆସିବାକୁ ଦୃଢ଼ ଆହ୍ବାନ ଜଣାଇଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୂଖ୍ୟ ଅତିଥି,ସମ୍ମାନିତ ଅତିଥିଙ୍କ ସମେତ ଉପସ୍ଥିତ ସମସ୍ତେ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଫଟୋରେ ପୁଷ୍ପ ମାଲ୍ୟାର୍ପଣ,ଧୂପ ଦୀପ ଅର୍ପଣ କରିଥିଲେ ଓ ବିଦ୍ୟାଳୟର ଛାତ୍ର-ଛାତ୍ରୀମାନେ ସୁମଧୁର ସ୍ଵାଗତ ସଙ୍ଗୀତ ଗାନ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ମନୋଜ କୁମାର ସ୍ଵାଇଁ ଉଦ୍ ବୋଧନ ଦେଇଥିଲେ ଓ ଶିକ୍ଷୟିତ୍ରୀ ଅର୍ଚ୍ଚନା ସାହୁ,ନିହାରିକା ପାତ୍ର,ନିବେଦିତା ପାତ୍ର,ସ୍ବାତି ମିଶ୍ର,ମାମିନା ପୃଷ୍ଟି,ମଧୁଲିକା ରାଉଳ ଶିକ୍ଷକ ନିର୍ମଳ ସାହୁ,କୋଦଣ୍ଡ ସାହୁ,ସନ୍ତୋଷ କୁମାର ପୃଷ୍ଟି,ବଳରାମ ରାଉତ,ପ୍ରକାଶ କୁମାର ନାୟକ,ଦୁଷ୍ମନ୍ତ ସେଠୀ,ଚିରଞ୍ଜିବୀ ଦାଶ ଓ ସୁଜାତା ସ୍ବାଇଁ ପ୍ରମୁଖ ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକ ଓ କର୍ମଚାରୀବୃନ୍ଦ ସହଯୋଗ କରିଥିଲେ। ପରିଶେଷରେ ବିଦ୍ୟାଳୟର ଛାତ୍ରୀ,ଛାତ୍ରମାନଙ୍କ ଦ୍ଵାରା ସୁମଧୁର ଉଦଯାପନୀ ସଙ୍ଗୀତଗାନ କରାଯିବା ପରେ ଶିଶୁ ଦିବସ ଉପଲକ୍ଷେ କେକ୍ କଟାଯାଇ ସମସ୍ତଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୁରଲୀଧର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

