ପଞ୍ଚଭୂତ ରେ ଲୀନ ହେଲେ ଶତାୟୁ ଆଦର୍ଶ ଶିକ୍ଷକ କୁଳମଣି ମହାନ୍ତ ; ଵାମନଘାଟୀ ଉପଖଣ୍ଡରେ ଶୋକର ଛାୟା
ମୟୂରଭଞ୍ଜ – ୦୫/୦୧ // ଓଡ଼ିଶା, ମୟୂରଭଞ୍ଜ ତଥା ରାଇରଙ୍ଗପୁର ଅଂଚଳର ଶତାୟୁ ଶିକ୍ଷକ କୁଳମଣି ମହାନ୍ତ (୯୬) ଆଜି ରବିବାର ଦିନ ସୂର୍ଯ୍ୟୋଦୟ ସକାଳ ୬ ଟା ପାଖାପାଖି ସମୟରେ ରାଇରଙ୍ଗପୁର ସହର ସନ୍ନିକଟ ଦୁବୁଲାବେଡା ଗ୍ରାମରେ ତାଙ୍କ ନିଜ ବାସ ଭବନରେ ଦେହାନ୍ତ ହୋଇଯାଇଛି । ତାଙ୍କ ମୃତ୍ୟୁ ସମୟରେ ତାଙ୍କର ସାନପୁଅ,ଦୁଇ ପୁତ୍ରବଧୂ,ନାତି ନାତୁଣୀ,ଝିଅ ଏବଂ ଜୋଇଁ ବରିଷ୍ଠ ଅଧୀବକ୍ତା ବୀରେନ୍ଦ୍ର ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ସେ ଜଣେ ଆଦର୍ଶ , ମିଷ୍ଟଭାଷୀ, ମେଳାପି, ପରୋପକାରୀ, ସମାଜସେବୀ, ଧର୍ମପରାୟଣ ,ଛାତ୍ରଵତ୍ସଳ ଶିକ୍ଷକ ଥିଲେ । ସେ ଜଣେ ଶତାୟୁ ବ୍ୟକ୍ତି ଥିଲେ । କିନ୍ତୁ ତତ୍କାଳୀନ ସମୟରେ ଅଜ୍ଞତା ବା ଅଜାଣତ ଯୋଗୁଁ ଜନ୍ମ ତାଲିକାରେ ବୟସ କମ ହୋଇଯାଇଥିଲା ବୋଲି ପରିବାର ଲୋକେ ଏବଂ ଗ୍ରାମବାସୀ କୁହନ୍ତି ।ସେ ପ୍ରଥମେ ମୟୂରଭଞ୍ଜ ଜିଲ୍ଲାର ବହଳଦା ବ୍ଳକର ମଝି ଗାଁ ୟୂପି ସ୍କୁଲ ରୁ ଶିକ୍ଷକତା ଆରମ୍ଭ କରି ପରେ ପରେ ତିରିଂ ମଇ ସ୍କୁଲ, ଝରାଡିହି ମଇ ସ୍କୁଲ, ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ୟାଳୟ,ବହଳଦା ଉଚ୍ଚ ବିଦ୍ୟାଳୟ ଏବଂ ଶେଷରେ କୁସୁମି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ସ୍କୁଲ ଇନ୍ସପେକ୍ଟର ଭାବେ ନିଷ୍ଠାର ସହ ଦାୟିତ୍ଵ ସଂପନ୍ନ କରି ଅବସର ନେଇଥିଲେ ।ଜୀବନରେ ବହୁତ ବଡ଼ ବଡ଼ ଚାକିରୀ କରିବାର ସୁଯୋଗ ଆସିଥିଲା । କିନ୍ତୁ ସେ ଶିକ୍ଷକତା ହିଁ କରିବେ ବୋଲି ଲୋଭନୀୟ ଚାକିରୀକୁ ତୁଛ କରି ଫେରାଇ ଦେଇଥିଲେ ।ତାଙ୍କର ଦେହାନ୍ତରେ ମୟୂରଭଞ୍ଜ ପ୍ରାଥମିକ ବିଦ୍ୟାଳୟ,ଓଷ୍ଟା ଶିକ୍ଷକ ସଂଘର କର୍ମକର୍ତ୍ତାମାନେ ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ । ପରେ ବିକାଶନଗର ଗ୍ରାମବାସୀ, ବିବେକାନନ୍ଦ ସୋସାଇଟି ,କୁଡୁମୀ ସେନା ସଦସ୍ୟ,ସଦସ୍ୟା , ରାଇରଙ୍ଗପୁର ହାଇସ୍କୁଲ ର ଶିକ୍ଷକ,ଜ୍ଞାତି ପରିଜନ,ବଂଧୁବାନ୍ଧବ,ସହରର ମାନ୍ୟଗଣ୍ୟ ବ୍ୟକ୍ତି, ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ,ପ୍ରମୁଖ ପହଞ୍ଚି ଭାବପୁର୍ଣ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ପରେ ତାଙ୍କ ମର ଶରୀରକୁ ଵାଇଦାପୋଷୀ ଗ୍ରାମ ଶ୍ମଶାନ ଘାଟକୁ ନିଆଯାଇ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା । ତାଙ୍କ ଦେହାନ୍ତରେ ରାଇରଙ୍ଗପୁର ଏବଂ ତାଙ୍କ ପୈତୃକ ଗ୍ରାମ ଵହଳଦା ବ୍ଳକର ଭକ୍ତମହୁଲପାଣି ଗ୍ରାମରେ ଗଭୀର ଶୋକର ଛାୟା ଖେଳିଯାଇଛି ।ଶେଷରେ ପଞ୍ଚଭୂତରେ ଲୀନ ହେଲେ ଶତାୟୁ ଶିକ୍ଷକ ।
ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

