ଧର୍ମଗଡ଼: ଦେଶୀ ମଦ ଭାଟିରେ ସଶସ୍ତ୍ର ଡ଼କାୟତି ଘଟଣା
୧୧ ଟି ଜିଲ୍ଲାର ପୋଲିସ ସହାୟତାରେ ୮ ଆନ୍ତଃ ରାଜ୍ୟ ଡକାୟତ ଗିରଫ
୩କୋଟି ୫୧ ହଜାର ଟଙ୍କା ଉଦ୍ଧାର।
କଳାହାଣ୍ଡି ଜିଲ୍ଲା ପୋଲିସ ଏକ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି । ଧର୍ମଗଡ଼ ଥାନା ପୋଲିସ ଏକ ବଡ ଧରଣର ଡକାୟତି ଘଟଣାରେ ସମ୍ପୃକ୍ତ ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ନଗଦ ୩ କୋଟି ୫୧ଲକ୍ଷ ଟଙ୍କା, ବନ୍ଧୁକ, ଗୁଳି, ଅପରାଧରେ ବ୍ୟବହୃତ ଗାଡି ଏବଂ ମରଣାସ୍ତ୍ର ଆଦି ଜବତ କରିଛି। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଝାଡ଼ଖଣ୍ଡ ରାଜ୍ୟର ବୋଲି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଭୁବନେଶ୍ଵର ରାଜ୍ୟ ପୋଲିସ ମୁଖ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।
ଗିରଫ ଅଭିଯୁକ୍ତ ମାନେ ହେଲେ, ଝାଡଖଣ୍ଡ ରାଜ୍ୟ ରାଞ୍ଚି ଜିଲ୍ଲାର ତାହିର ଅନସାରୀ,ହୁସେନ୍ ଖାନ୍, ଜସିମ ଖାନ୍, ସାମିମ୍ ଅନସାରୀ,ବାସୁଦେବ ଗୋପେ, ପିଣ୍ଟୁ ଓରଫ ଆଲିମ୍,ଅନୁଜ କୁମାର ଏବଂ ସମିମ ଅନସାରୀ।
ଗତ ୩୦ ତାରିଖରେ ଧର୍ମଗଡ଼ ଠାରେ ଥିବା ଏକ ଦେଶୀ ମଦ ଭାଟିରେ ଏହି ଡକାୟତ ସଂଘଟିତ ହୋଇଥିଲା। ବିଳମ୍ବିତ ରାତିରେ ପ୍ରାୟ ୮ ଜଣ ଡକାୟତ ମାରଣାସ୍ତ୍ର ଧରି ଡକାୟତି କରିବା ଉଦ୍ଦେଶ୍ୟରେ ଏହି ଭାଟିରେ ପଶିଥିଲେ। ସେଠାରେ ବନ୍ଧୁକ ଏବଂ ମରଣାସ୍ତ୍ର ଦେଖାଇ ଧମକ ଦେଇ ବିପୁଳ ପରିମାଣର ଟଙ୍କା ଲୁଟି ନେଇଥିଲେ। ଏନେଇ ଧର୍ମଗଡ଼ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଡକାୟତଙ୍କୁ ଧରିବାକୁ କଳାହାଣ୍ଡି ଏସପି ଅଭିଳାଷ ଜି.ଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରାଯାଇଥିଲା। ଡକାୟତି କରିବା ପରେ ଅଭିଯୁକ୍ତମାନେ JH10AP4817 ନମ୍ବର ବିଶିଷ୍ଟ ବୋଲେରୋ ଯୋଗେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପ୍ରାଥମିକ ତଦନ୍ତ ସମୟରେ ସ୍ଥାନୀୟ ପୁଲିସ ଦୁଇ ଅଭିଯୁକ୍ତ ସିରାଜ ଆନସାରୀ ଏବଂ କାମେଶ୍ୱର ଯାଦବକୁ ସଂଗେ ସଙ୍ଗେ ଧର୍ମଗଡ଼ ଠାରେ ହିଁ ଗିରଫ କରିଥିଲା। ଅନୁସନ୍ଧାନ ସମୟରେ ଅପରାଧରେ ବ୍ୟବହୃତ ଗାଡିକୁ ଝାଡ଼ଖଣ୍ଡରେ ଚିହ୍ନଟ କରାଯାଇ ଠାବ କରାଯାଇଥିଲା। ଅନ୍ୟ ଅଭିଯୁକ୍ତ ମାନେ ଝାଡ଼ଖଣ୍ଡ ଅଭିମୁଖେ ଫେରାର ହୋଇଥିବା ସମ୍ପର୍କରେ ପୋଲିସ ସୂଚନା ପାଇଥିଲା। ବର୍ତ୍ତମାନ ସୁଦ୍ଧା ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରିଛି।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଡକାୟତି ହେବା ପରେ ୧୧ ଟି ଜିଲ୍ଲାର ପୋଲିସ ତୁରନ୍ତ ଏଥିରେ ସାମିଲ ହୋଇଥିଲେ। କଳାହାଣ୍ଡି ବ୍ୟତୀତ ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ଼, ରାଉରକେଲା, ଗୁମଲା, ରାଞ୍ଚି ରୁରାଲ, ଲୋହାର ଦାଗା, ୱେଷ୍ଟ ସିଂଭୁମ ଏବଂ ସିମଡେଗା ଜିଲ୍ଲା ପୋଲିସ ସାମିଲ ହୋଇଥିଲେ। ଉଭୟ ରାଜ୍ୟର ଜିଲ୍ଲା ପୋଲିସଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ଯୋଗୁଁ ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଗଲା ବୋଲି ଡିଜିପି ଶ୍ରୀ ଖୁରାନିଆ ପ୍ରକାଶ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଅଭିଯୁକ୍ତ ଯସୀମ ନାଁରେ ରାଞ୍ଚିର ବିଭିନ୍ନ ଥାନାରେ ୬ ରୁ ଅଧିକ ଧର୍ତ୍ତବ୍ୟ ମାମଲା ରହିଥିବା ବେଳେ ଅଲିମ ଅନସାରୀ ନାଁରେ ୨ଟି ଏବଂ ତାହିର ଅନସାରୀ ନାଁରେ ୩ଟି ମାମଲା ରହିଛି।
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ପୋଲିସର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଏବଂ ସଫଳତା ନିମନ୍ତେ କଳାହାଣ୍ଡି ଏସପି ଅଭିଳାଷ ଜି. ଏବଂ ତାଙ୍କ ଟିମକୁ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି।