ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ବେଣୁଧର ସୂତାର ଙ୍କ କବିତା – ଜୟ ହେ ଶ୍ରମିକ ଜୟ 

  ଜୟ ହେ ଶ୍ରମିକ ଜୟ 

          (( ବେଣୁଧର ସୂତାର ))

ନିଃଶ୍ଵ ମଣିଷର ଦରଦୀ ପ୍ରାଣରେ
ବିଶ୍ଵ ମାନବ ଗାଥା
ମଣିଷର ହିତେ ବିଶ୍ଵ ପ୍ରେମରେ 
ବୁଝେ ଅନ୍ତର ବ୍ୟଥା ।
ପ୍ରାଣ ଦାୟିନୀ ଏ ବିଶ୍ଵ ମାତାର
ସିଏ ରୂପକାର ସିନା
ମାଟି ମଣିଷ ସେ ମାଟି ଅର୍ଘ୍ୟରେ
କରିଥାଏ ନିରାଜନା । 
ମାନବ ବାଦର ତୃପ୍ତ ବାହକ
ସୃଷ୍ଟିର ବିଚିତ୍ର କର୍ମା
ନବ ଧରଣୀର ନିର୍ମାତା ସେତ
ଚଳନ୍ତି ବିଶ୍ଵକର୍ମା ।
ଯା ,ଶ୍ରମ ପରଶେ ବସୁମତୀ ହସେ
ସୃଷ୍ଟି ହୁଏ ପ୍ରାଣମୟ
ବିଶ୍ଵ ପ୍ରଗତିର ସିଏ କ୍ରାନ୍ତି ସୁର
ଶ୍ରମିକ ତା ପରିଚୟ ।
ଶ୍ରମ ବଳେ ଯାର ବିଶ୍ଵ ଛବିରେ 
ଫୁଟିଉଠେ ଚାରୁ ଧାରା 
ଦୁଃଖ ପିଇପିଇ ସୁଖ ସେ ଦିଅଇ
ହସାଇ ମର୍ତ୍ତ୍ୟ ସାରା ।
ଯାର ମେହେନତ ଫଳାଏ ଅମୃତ 
ସବୁଜ ଏ କ୍ଷେତ ମାଳେ
ଅଭାବ ତାହାର ଚିର ସହଚର
ଏ ମାଟି ପଣତ ତଳେ ।
ହାରିଯାଇନି ସେ ବର୍ଷା ଶୀତରେ
ଗ୍ରୀଷ୍ମର ତୀକ୍ଷ୍ମ ଶରେ
ନିଗାଡ଼ି ଦେଇଛି ବକ୍ଷ ରକତ 
ନିର୍ଲିପ୍ତେ ନିର୍ବିକାରେ ।
ବିଶ୍ଵ ମାନବର ନିଃସ୍ଵ ସେବକ ସେ
ଏମାଟିର କର୍ମକାର 
ଭୋଗ ବିଳାସର ଉର୍ଦ୍ଧ୍ବରେ ଯାହାର
ଜୀବନର ଇସ୍ତାହାର ।
ବୁଝେନି ଯେ ଜାତି ମାନବିକତାର 
ମହନୀୟ ମହା ଦାନ
ପ୍ରଚ୍ଛଦ ନାୟକ ସାଜି କରେ ତାର
ବକ୍ଷ ଶୋଣିତ ପାନ ।
ସାଜି କର୍ଣ୍ଣଧାର ଦେଶ ପ୍ରଗତିର 
ଭୁଲିଥାଏ କ୍ଷୁଧା ତୃଷା
ଶୁଣିନି ସେ କେବେ ସମାଜ ଓଠରୁ 
ସହାନୁଭୂତିର ଭାଷା ।
ନିଃସ୍ଵ ମଣିଷର ବିଶ୍ଵ ଛବି ଏତ
ଶ୍ରମିକ ଜୀବନ ଗାଥା
ତା ଅନ୍ତର ତଳ ଭାବନାରେ ଭରା
ମାଟି ମର୍ତ୍ତ୍ୟ ର କଥା ।
ପରିଚୟ ହୀନ ଦାନ ତା ମହାନ
ଅନନ୍ୟ ଅବର୍ଣ୍ଣନୀୟ 
ବିଶ୍ଵ ନିର୍ମାଣର ମହାନ ନାୟକ
ଜୟ ହେ ଶ୍ରମିକ ଜୟ ।

କେଶଦୁରାପାଳ କେନ୍ଦୁଝର 

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା // ଶିବ ମହିମା

Sunil Chandra Nayak

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା // ପ୍ରିୟା ପାଇଁ ପଦେ

Sunil Chandra Nayak

ଶ୍ରୀ ଭ୍ରମର ବାଗ ଙ୍କ କବିତା // ଭୋଳାନାଥ ମହେଶ୍ୱର

Sunil Chandra Nayak

Leave a Comment

error: Content is protected !!