ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡା ଜିଲ୍ଲାର ସମସ୍ତ ମ୍ୟାଟ୍ରିକ ଏ ୧ ଏ ୨ ଗ୍ରେଡ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ 

ନୂଆପଡା ଜିଲ୍ଲାର ସମସ୍ତ ମ୍ୟାଟ୍ରିକ ଏ ୧ ଏ ୨ ଗ୍ରେଡ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ 

ନୂଆପଡା, ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୁଲ୍ୟରେ ପରିଚାଳିତ ମାଟ୍ରିକ ପରୀକ୍ଷାରେ ନୂଆପଡା ଜିଲ୍ଲା ଏଥର ଭଲ ଫଳାଫଳ ରଖିଛି । ଜିଲ୍ଲାରେ ସାମଗ୍ରିକ ପାସ୍ ହାର ୯୭.୫ ପ୍ରତିଶତ ଥିଲାବେଳେ ଏହା ସମଗ୍ର ରାଜ୍ୟରେ ୧୪ ନମ୍ୱର୍ ସ୍ଥାନରେ ରହିଛି । ଗତବର୍ଷ ନୂଆପଡା ଜିଲ୍ଲାର ସ୍ଥାନ ୩୦ ନମ୍ବର୍ ରେ ଥିଲା । ଏବର୍ଷ ଜିଲ୍ଲାରେ ଏ ୧ ଗ୍ରେଡ ରେ ଦୁଇ ଜଣ ଛାତ୍ରୀ ଥିଲାବେଳେ ଏ ୨ ଗ୍ରେଡରେ ରେକର୍ଡ ସଂଖ୍ୟକ ୯୯ ଜଣ ଛାତ୍ରଛାତ୍ରୀ ଅଛନ୍ତି । ଏମାନଙ୍କୁ ସେମାନଙ୍କ ନୂତନ ଜୀବନ ଯାତ୍ରାରେ ଉତ୍ସାହିତ କରିବା ସହିତ ଆସନ୍ତା ବର୍ଷର ଛାତ୍ର ଛାତ୍ରୀ ମାନଙ୍କୁ ସଫଳ ହେବା ନିମିତ୍ତ ପ୍ରେରଣା ଯୋଗାଇବା ପାଇଁ ଜିଲ୍ଲାପାଳ ମଧୁସୂଦନ ଦାଶ ଏଇ ଏ ୧ ଏ ୨ ଗ୍ରେଡ ପାଇଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ।

 ସ୍ଥାନୀୟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଏଥିପାଇଁ ଏକ ସମ୍ବର୍ଦ୍ଧନା ସଭା ଜିଲ୍ଲା ଶିକ୍ଷାଧିକାରୀ କରୁଣାକର ଭୂଏଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ଶିକ୍ଷାବିତ୍ ତଥା ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶାର ସଦସ୍ୟ ଡଃ ଶିବ ପ୍ରସାଦ ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସୁଧାଂଶୁ ଶେଖର ମିଶ୍ର , ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଗିରିଧାରୀ ସା ପ୍ରମୁଖ ଯୋଗ ଦେଇଥିଲେ। ଏବର୍ଷ ପଞ୍ଚାୟତ ହାଇସ୍କୁଲ୍ ମୁଣ୍ଡାପଡ଼ାର ଛାତ୍ରୀ ଶ୍ରେଷ୍ଠା ପଣ୍ଡା ୯୩.୧୭ ପ୍ରତିଶତ ମାର୍କ ରଖି ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ପି ଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ସିନାପାଲିର ଛାତ୍ରୀ ଝରଣା ମେହେର ୯୧ ପ୍ରତିଶତ ମାର୍କ ରଖି ଜିଲ୍ଲାରେ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି । ଏମାନଙ୍କ ସହିତ ଏ ୨ ଗ୍ରେଡ ପାଇଥିବା ସମସ୍ତ ଛାତ୍ରଛାତ୍ରୀ ସେମାନଙ୍କ ଶିକ୍ଷକ ତଥା ଅବିଭାବକ ମାନଙ୍କ ସହିତ ଏଇ ବର୍ଣ୍ଣାଢ଼୍ୟ ସମ୍ବର୍ଦ୍ଧନା ସଭାରେ ଯୋଗଦେଇଥିଲେ । ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଜିଲ୍ଲାପାଳ ଏବଂ ଅତିଥିମାନେ ମାନପତ୍ର ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରିବା ସହିତ ସେମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ। ସମସ୍ତଙ୍କୁ ସମ୍ବୋଧିତ କରି ଜିଲ୍ଲାପାଳ କହିଲେଯେ ଏହା ସମସ୍ତଙ୍କ ପାଇଁ କେବଳ ଏକ ଖୁସି ର ମୁହୂର୍ତ୍ତ ନୁହେଁ, ବରଂ ଏକ ଆତ୍ମ ସମୀକ୍ଷା କରିବାର ବେଳ । ଜୀବନରେ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରଖି ପ୍ରଚଣ୍ଡ ଆତ୍ମ ପ୍ରତ୍ୟୟ ଓ ଆତ୍ମ ବିଶ୍ୱାସ ସହିତ ସମସ୍ତଙ୍କୁ ଆଗେଇଯିବାକୁ ପଡିବ । ସମସ୍ତ ସଂଘର୍ଷ, ସଂଘାତ, ପ୍ରତିରୋଧକୁ ନମାନି ଯେଉଁମାନେ ଆଗକୁ ମାଡି ଚାଲନ୍ତି ସେମାନେ ଜୀବନରେ ନିଶ୍ଚିତ ଭାବରେ ସଫଳତା ପାଆନ୍ତି। କଠିନ ପରିଶ୍ରମର କିଛି ବିକଳ୍ପ ନାହିଁ ।ଏହିପରି ପରିଶ୍ରମ ଓ ଏକାଗ୍ରତା ଜାରି ରଖିଲେ ତୁମେ ମାନେ ସମସ୍ତେ ଦିନେ ଜଣେ ଜଣେ କଲେକ୍ଟର ହୋଇ ପାରିବ ବୋଲି ସେ ପ୍ରୋତ୍ସାହିତ କରିଥିଲେ । ମ୍ୟାଟ୍ରିକ ବୋର୍ଡ ପରୀକ୍ଷାରେ ଜିଲ୍ଲାର ସଫଳତା ପାଇଁ ସମସ୍ତ କୃତୀ ଛାତ୍ର ଛାତ୍ରୀ , ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଜିଲ୍ଲାପାଳ ଧନ୍ୟବାଦ ଜଣାଇଛନ୍ତି । ଆଜିର ଏଇ ସମ୍ବର୍ଦ୍ଧନା ସମାରୋହରେ ଯୋଗଦେଇ ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀମାନେ ଅତ୍ୟନ୍ତ ଆନନ୍ଦ ଅନୁଭବ କରିଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଜିଲ୍ଲା ସ୍ତରୀୟ ୬ଷ୍ଠ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ 

masiha

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜାତୀୟ ଆଇନ ସେବା ଦିବସ, ୨୦୨୫ ପାଳିତ

Sunil Chandra Nayak

କର୍ଲାପାଟ୍ ଅଭୟାରଣ୍ୟର ଜଙ୍ଗଲୀ ମୂଳକରେ ବଞ୍ଚିବାର ରାହା ଖୋଜୁଛନ୍ତି ଆଦିବାସୀ

Sunil Chandra Nayak

Leave a Comment

error: Content is protected !!