ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ବାଲିଗୁଡା ରେ ମା’ ପାଟ୍ଟଖଣ୍ଡା ଠାକୁରାଣୀଙ୍କ ଯାତ୍ରାରମ୍ଭ: ନିମନ୍ତ୍ରଣ ପରେ ଫୁଲଚାଙ୍ଗୁଡ଼ି ପୂଜା ଓ ଦିଗବନ୍ଧନ ଶେଷ

ବାଲିଗୁଡା ରେ ମା’ ପାଟ୍ଟଖଣ୍ଡା ଠାକୁରାଣୀଙ୍କ ଯାତ୍ରାରମ୍ଭ: ନିମନ୍ତ୍ରଣ ପରେ ଫୁଲଚାଙ୍ଗୁଡ଼ି ପୂଜା ଓ ଦିଗବନ୍ଧନ ଶେଷ

କନ୍ଧମାଳ, ତା, ୦୬/୦୫ :(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟ୍ଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ପାଇଁ ଗାନ୍ଧୀ ଛକ ସ୍ଥିତ ମା ‘ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପରେ ଯଥାରିତି ନୀତି ଅନୁଯାୟୀ ପୂଜାର୍ଚନା ସହ ଅସ୍ଥାୟୀ ପୀଠ କୁ ପ୍ରତିଷ୍ଠା କରାଯାଇ ଯାତ୍ରାରମ୍ଭ ହୋଇଛି l ଦେବୀ ଘଟ ଧାରିଣୀ ଙ୍କୁ ସଂକଳ୍ପ ଓ ବରଣ ପରେ ପ୍ରଚଳିତ ନିୟମାନୁଯାୟୀ ପ୍ରଥମେ ମା, ଦକ୍ଷିଣ କାଳୀ ଙ୍କୁ ଆବାହନ ପରେ ମା’ ମହାମାୟୀ, ମା’ ଡେଙ୍ଗସିଲ, ମା ‘କନକଦୁର୍ଗା, ଓ ମା’ ପାଟ୍ଟଖଣ୍ଡା ଠାକୁରାଣୀଙ୍କୁ ଆବାହନ କରାଯାଇଥିଲା। ମା’ଙ୍କୁ ଆବାହନ କରିବା ପାଇଁ ଫୁଲଚାଙ୍ଗୁଡ଼ି ପୂଜା ଶେଷ ହୋଇ ଠାକୁରାଣୀଙ୍କୁ ବିଳମ୍ବିତ ରାତିରେ ମା’ଙ୍କୁ ବିଭିନ୍ନ ବାଦ୍ୟ ବାଜଣାର ଶୋଭାଯାତ୍ରାରେ ସମସ୍ତ ଠାକୁରାଣୀ ଅସ୍ଥାୟୀ ପୀଠ ମା’ ବରାଳ ଦେବୀ ମନ୍ଦିରକୁ ଯାଇଥିଲେ। ମଧ୍ୟାହ୍ନରେ ଅସ୍ଥାୟୀ ମଣ୍ଡପ ରୁ ସମସ୍ତ ଠାକୁରାଣୀ ମନ୍ଦିରକୁ ଯାଇ ରୀତିନୀତି ଅନୁଯାୟୀ ପୂଜାପାଠ କରିବା ସହ ମା’ ଙ୍କୁ ନେବା ପାଇଁ ଅନୁମତି ଭିକ୍ଷା କରିଥିଲେ । ଅନୁମତି ମିଳିବା ପରେ ସ୍ବତନ୍ତ୍ର ଭାବେ ବାଉଁଶ ପାତିଆରେ ନିର୍ମିତ ଚାଙ୍ଗୁଡ଼ିକୁ ଅଣାଯାଇ ବିଭିନ୍ନ ରଙ୍ଗରେ ସଜ୍ଜିତ କରାଯାଇ ଇଟମଳା ଫୁଲମାଳକୁ ସେଥିରେ ରଖାଯାଇଛି। ଚାଉଳ, ଗୁଆ, ହଳଦୀ ଏବଂ ଦୀପ ଲଗାଇ ଫୁଲ ଚାଙ୍ଗୁଡ଼ିକୁ ସଂକଳ୍ପ ପୂଜା କରାଯାଇଥିଲା | ଉକ୍ତ ସଂକଳ୍ପ କାର୍ଯ୍ୟକୁ ଫୁଲବାଣୀ ର ମୁଖ୍ୟ ପୂଜକ ଭାବେ ସଞ୍ଜୟ କୁମାର ଦାସ, ସନ୍ତୋଷ କୁମାର ଦାସ, ଶ୍ରୀକାନ୍ତ ପଣ୍ଡା ତୁଲାଉ ଥିବା ବେଳେ ସହଯୋଗୀ ପୂଜକ ଭାବେ ନୀଳକଣ୍ଠ ମିଶ୍ର, ପ୍ରକାଶ ଚନ୍ଦ୍ର ପାଢ଼ୀ ଓ ପିତାମ୍ବର ପଣ୍ଡା ଉପସ୍ଥିତ ରହି ନିଜ ନିଜ କାର୍ଯ୍ୟକ୍ରମ ସୁଚାରୁ ରୂପେ କରୁଛନ୍ତି। ଆମନ୍ତ୍ରଣ ସମୟରେ ଦିନତମାମ ଯେଉଁ ମାନେ ଘଟ ଧରୁଛନ୍ତି, ତାଙ୍କ ପରିବାରର ସମସ୍ତ ସଦସ୍ୟ ଉପବାସ ରହିଥିଲେ। ମଧ୍ୟରାତ୍ରରେ ମା ‘ଙ୍କ ନିଜସ୍ୱ ପାଟ୍ଟଖଣ୍ଡା ମନ୍ଦିର ରୁ ଏକ ବିରାଟ ଶୋଭାଯାତ୍ରା ବାହାରି ପୂଜାର୍ଚ୍ଚନା କରି ମା’ଙ୍କ ଆଜ୍ଞାମାଳ କୁ ଧରି ଅସ୍ଥାୟୀ ମନ୍ଦିର ଅଭିମୁଖେ ଯାତ୍ରା କରିବା ନେଇ ସିନ୍ଧାନ୍ତି ଅମୃତବେଳା ଦେଇଥିବା ଜଣାପଡିଛି। ପ୍ରତି ଦୁଇବର୍ଷକୁ ଥରେ ମା’ ନଗର ପରିଭ୍ରମଣ ପାଇଁ ଆସୁଥିବା ଯୋଗୁଁ ଏହି ସମୟକୁ ସମସ୍ତେ ଅପେକ୍ଷା କରିଥାନ୍ତି | ଏତଦ୍‍ବ୍ୟତୀତ ମା ‘ଙ୍କ ନିଜସ୍ବ ମନ୍ଦିରରେ ମଧ୍ୟ ସେବକ ମାନଙ୍କ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିବା ଦେଖିବାକୁ ମିଳିଛି। ଆଜି ଦିନତମାମ ମା’ଙ୍କୁ ରୀତିନୀତି ଅନୁଯାୟୀ ପୂଜାପାଠ କରାଯାଇଥିବା ବେଳେ ସଂଧ୍ୟାରେ ବାଳଭୋଗ ଓ ସଂଧ୍ୟାଆଳତି କରାଯାଇଥିଲା। ଚାରିଦିଗ ଦଶଦିଗପାଳ ପୂଜା ପରେ ମା’ଙ୍କ ଅନ୍ନ ଭୋଗ ପୂଜା କରାଯାଇ କିଛି ସମୟ ବିଶ୍ରାମ ପରେ ପୁଣି ମା’ଙ୍କୁ ଭୋଗ ଅର୍ପଣ କରି ବେଶପଟୁଆର ଆରମ୍ଭ ହୋଇଥାଏ l ଏହି ଯାତ୍ରା ରେ ବାଲିଗୁଡା ଏସଡ଼ିପିଓ ରାମେନ୍ଦ୍ର ପ୍ରସାଦ ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଥାନା ଅଧିକାରୀଙ୍କ ସମେତ ପୁଲିସ କର୍ମଚାରୀ, ଗୃହରକ୍ଷୀ ସୁରକ୍ଷା ପାଇଁ ମୁତୟନ କରାଯାଇଛି । ସଂଧ୍ୟାରେ ଯାତ୍ରାଞ୍ଚଳର ସମସ୍ତ ସାହିର ରାସ୍ତା ସଫା କରିବା ସହ ପାଣି ସିଞ୍ଚନ କରାଯାଇ ଝୋଟି, କୁମ୍ଭକଳସ ଓ ଦୀପ ସଜାଯାଇଛି। ମା’ଙ୍କ ସ୍ଥାୟୀ ମନ୍ଦିର ସମେତ ଅସ୍ଥାୟୀମଣ୍ଡପ ରଙ୍ଗବେରଙ୍ଗ ପୁଷ୍ପରେ ସଜ୍ଜିତ କରାଯାଇଛି ମା’ଙ୍କ ଆଗମନକୁ ସହରବାସୀ ଉତ୍ସୁକତାର ସହ ଚାହିଁ ରହିଥିବା ବେଳେ ସମସ୍ତଙ୍କ ନଜର କେତେବେଳେ ମା’ଙ୍କ ମସ୍ତକରୁ ଆଜ୍ଞାମାଳ ଖସିବ ତା’କୁ ଚାହିଁ ରହିଛନ୍ତି l ଚଳିତବର୍ଷ ଯାତ୍ରା ମଇ ୬ ତାରିଖରୁ ଆରମ୍ଭ ହୋଇ ଜୁନ ୫ ତାରିଖରେ ଶେଷ ହେବ l ଏକ ମାସ ବ୍ୟାପୀ ମା’ ଅସ୍ଥାୟୀ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେବେ। ଏ ନେଇ ସମଗ୍ର ବାଲିଗୁଡା ସହର ଉତ୍ସବ ମୁଖର ହୋଇଉଠିଛି। ଏଥି ସହ ଠାକୁରାଣୀଙ୍କ ନଗର ଭ୍ରମଣ ଖସଡା ମଧ୍ଯ ପ୍ରସ୍ତୁତ ହୋଇ ସାରିଛି । ବିଭିନ୍ନ ସାହିରେ ଆକର୍ଷଣୀୟ ମେଢ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଆକର୍ଷଣୀୟ ପୂଜା ମଣ୍ଡପ ସାଙ୍ଗକୁ ଅସ୍ଥାୟୀ ମଣ୍ଡପ ତୋରଣର ନିର୍ମାଣ କାର୍ଯ୍ୟ ଶେଷ ହୋଇଯାଇଛି। ଠାକୁରାଣୀ ଯାତ୍ରା କାଳରେ ଟାଉନ ର ନୀଳଗିରୀ ଫାର୍ମ ନିକଟ ଯାତ୍ରା ପଡିଆ ରେ ଅପେରା, ମୀନାବଜାର, ଖାଦ୍ୟ ପସରା ଭଳି ବିଭିନ୍ନ ପ୍ରକାର ଆକର୍ଷଣୀୟ କାର୍ଯ୍ୟକ୍ରମ ମନ ମୋହିବା ସୁନିଶ୍ଚିତ ଥିବା ବେଳେ ମା’ଙ୍କ କୃପା ଭିକ୍ଷା ପାଇଁ ଶ୍ରଦ୍ଧାଳୁ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ଜଣାଯାଇଛି। ଏଥିରେ ମା ‘ପାଟଖଣ୍ଡା ଦୁର୍ଗାପୂଜା ସମିତିର ସଭାପତି ଲଳିତ କୁମାର ପାତ୍ର, ସମ୍ପାଦକ ଶିବରାମ ପ୍ରଧାନୀ, କୋଷାଧକ୍ଷ ଅଶୋକ କୁମାର ସାହୁ ଏବଂ ଠାକୁରାଣୀ ଯାତ୍ରାର ଏକ ୫ଜଣିଆ କମିଟି ସଦସ୍ୟ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ପରିଚାଳନା କରୁଛନ୍ତି ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ବାହାରପୁର ରେ ମା ଶ୍ୟାମା କାଳୀ ପୂଜା 

Sunil Chandra Nayak

ଚିତା ଲାଗି ଅମାବାସ୍ୟା: ମହାପ୍ରଭୁଙ୍କ ଶ୍ରୀମୁଖରେ ଝଲସିବ ସୁବର୍ଣ୍ଣ ଚିତା

Sunil Chandra Nayak

୧୯ ଦିନରେ ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା: ପ୍ରବଳ ଗହଳି ସାଙ୍ଗକୁ ବ୍ୟାପକ ପଟୁଆର ରେ ସହର ଦୁଲୁକୁଛି

masiha

Leave a Comment

error: Content is protected !!