ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୈତରଣୀ ଓ ବ୍ରାହ୍ମଣୀ ନଦୀରେ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ତ୍ୱରିତ ପଦକ୍ଷେପ

ବୈତରଣୀ ଓ ବ୍ରାହ୍ମଣୀ ନଦୀରେ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ତ୍ୱରିତ ପଦକ୍ଷେପ

ଯାଜପୁର ୨୬ ଜୁଲାଇ ୨୦୨୫ (ପ୍ରଦୀପ କୁମାର ମଲ୍ଲିକ) : ଆଜି ଅପରାହ୍ନରେ ଯାଜପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ତଥା ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ଶିବାନନ୍ଦ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ବୈତରଣୀ ଓ ବ୍ରାହ୍ମଣୀ ନଦୀରେ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଏକ ପ୍ରସ୍ତୁତି ସମୀକ୍ଷା ବୈଠକ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଅଛି। ବୈଠକରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସ୍ବାଇଁ ବୈତରଣୀ ନଦୀରେ ଆଜି ରାତି ସୁଦ୍ଧା ଅଧିକ ବନ୍ୟାଜଳ ପ୍ରବାହିତ ହେବାକୁ ଥିବାରୁ ସମସ୍ତ ବି.ଡି.ଓ, ତହସିଲଦାର ଓ ଲାଇନ ଡିପାର୍ଟମେଣ୍ଟ ଅଧିକାରୀଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁଠି ଘାଇ ହେବାର ସମ୍ଭାବନା ରହୁଛି ସେଠାକାର ଲୋକମାନଙ୍କୁ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ବିଦ୍ୟାଳୟ ମାନଙ୍କରେ ଥିବା ଅସ୍ଥାୟୀ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତରଣ କରାଯିବ। ଆଶ୍ରୟସ୍ଥଳୀରେ ଲୋକମାନଙ୍କୁ ଖାଇବା ପିଇବା ବନ୍ଦୋବସ୍ତ କରିବାକୁ ବି.ଡି.ଓ ଏବଂ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କ୍ଷତିଗ୍ରସ୍ତ ହେବାକୁ ଥିବା ବ୍ଲକ୍ ମାନଙ୍କରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲା ରଖି ଦାୟିତ୍ଵରେ ଥିବା ଅଧିକାରୀ ଓ କର୍ମଚାରୀ ମାନଙ୍କର ନାମ ଓ ଫୋନ ନମ୍ବର ଜିଲ୍ଲା ଜରୁରୀ କାଳୀନ ବିଭାଗକୁ ପଠାଇବାକୁ କହିଥିଲେ। ଜିଲ୍ଲା ଯୋଗାଣ ଅଧିକାରୀ ଆବଶ୍ୟକୀୟ ଶୁଖିଲା ଖାଦ୍ୟ ଚୁଡ଼ା ଓ ଗୁଡ଼ ବ୍ଲକ୍ ଓ ଗ୍ରାମପଞ୍ଚାୟତ ପଏଣ୍ଟକୁ ଯୋଗାଇବାକୁ ବ୍ୟବସ୍ଥା କରିବେ। ମାର୍କେଟିଂ ଇନସ୍ପେକ୍ଟର ମାନେ ବ୍ଲକ୍ ପଏଣ୍ଟରେ ଉପସ୍ଥିତ ରହିବେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଆସନ୍ନ ପ୍ରସବ କରିବାକୁ ଥିବା ଗର୍ଭବତୀ ମହିଳାକୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଇବେ। ଦୁଇଟି ଓଡ୍ରାଫ ୟୁନିଟ ବ୍ଲକ୍ ଏବଂ ଜିଲ୍ଲା ହେଡକ୍ୱାର୍ଟରରେ ମୁତୟନ କରାଯିବ। ଜିଲ୍ଲା ଶିକ୍ଷା ଅଧିକାରୀ, ବି.ଇ.ଓ, ସି.ଆର.ସି.ସି ଓ ହେଡମାଷ୍ଟର ମାନଙ୍କୁ ପ୍ରଭାବିତ ହେବାକୁ ଥିବା ବ୍ଲକ୍ ର ବିଦ୍ୟାଳୟ ମାନଙ୍କରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଉପସ୍ଥିତ ରହି ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କୁମାର ବେହୁରିଆ ସମସ୍ତ ପ୍ରଭାବିତ ହେବାକୁ ଥିବା ଅଞ୍ଚଳର ରିଲିଫ ଓ ଉଦ୍ଧାର କାର୍ଯ୍ୟର ଫଟୋ ଗ୍ରୁପରେ ସେୟାର କରିବାକୁ ପରାମର୍ଶ ଦେଇଥିଲେ। ଶ୍ରାବଣ ମାସ ସୋମବାର ଥିବାରୁ ନଦୀର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ମାନେ ପାଣି ଉଠେଇବାକୁ ଥିବାରୁ ସେଠାରେ ଅଧିକ ସତର୍କ ରହିବାକୁ ପ୍ରଶାସନ, ପୋଲିସ ଓ ଅଗ୍ନିଶମ ବିଭାଗକୁ ପରାମର୍ଶ ଦେଇଥିଲେ। ଯାଜପୁର ପୌରାଞ୍ଚଳ ଅନ୍ତର୍ଗତ ଦେବିଗଡା ଓ ବଲ୍ଲଭୀ ଘାଟରୁ ଶ୍ରଦ୍ଧାଳୁ ମାନେ ପାଣି ଉଠେଇବାକୁ ଥିବାରୁ ନିର୍ବାହୀ ଅଧିକାରୀ ପୌର ପରିଷଦ ସତର୍କ ଓ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସମସ୍ତ ଡାକ୍ତରଖାନାରେ ସାପ କାମୁଡା ଔଷଧ ଅତ୍ୟାବଶ୍ୟକ ଔଷଧ, ଓ.ଆର.ଏସ, ବ୍ଳିଚିଂ ପାଉଡର, କ୍ଲୋରିନ ଟାବଲେଟ ମହଜୁଦ ରଖିବାକୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ବନ୍ୟା ପରେ ଜଳ ବିଶୁଦ୍ଧିକରଣ ଓ ଆବଶ୍ୟକୀୟ ପାନୀୟ ଜଳ ଯୋଗାଇ ଦେବେ। ବି.ଡି.ଓ ମାନେ ଆଜି ଭି.ସି ମାଧ୍ୟମରେ ବ୍ଲକସ୍ତରୀୟ ସମସ୍ତ ଅଧିକାରୀ, କର୍ମଚାରୀ, ପଞ୍ଚାୟତ ପ୍ରତିନିଧି, ସ୍ଵେଚ୍ଛାସେବୀ ସଂଗଠନ ମାନଙ୍କ ସହିତ ବୈଠକ କରାଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ। ଜଳସେଚନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ ୫.୦୦ ଘଟିକା ସୁଦ୍ଧା ବୈତରଣୀ ନଦୀର ଆଖୁଆପଦା ଠାରେ ବିପଦସଂକେତ ୩୮.୩୬୦ ମିଟର ଥିବା ବେଳେ ବର୍ତ୍ତମାନ ଜଳସ୍ତର ୩୯.୧୪୦ ମିଟର ରହିଛି। ସେହିପରି ଅପରାହ୍ନ ୩.୦୦ ଘଟିକା ସୁଦ୍ଧା ଜେନାପୁର ଠାରେ ୬୭ ଫୁଟ ବିପଦସଂକେତ ଥିବା ବେଳେ ବର୍ତ୍ତମାନ ୬୧.୫୦ ଫୁଟ ଜଳ ପ୍ରବାହିତ ହେଉଛି। ଏହି ବୈଠକରେ ବି.ଡି.ଓ, ତହସିଲଦାର, ଅଧିକ୍ଷଣ ଯନ୍ତ୍ରୀ, ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Related posts

ଝାଡଖଣ୍ଡରେ ଭାଲୁ ଆକ୍ରମଣରେ ଯୁବକ ଗୁରୁତର ହୋଇ ରାଇରଙ୍ଗପୁର ହସ୍ପିଟାଲରେ ଚିକିତ୍ସିତ

masiha

ଡ୍ରାଇଭର ମୋହାସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ

Sunil Chandra Nayak

ଅସହାୟର ସାଥି ସ୍ବେଛାସେବୀ ସଂଗଠନ ତରଫରୁ ସ୍ବେଛାକୃତ ରକ୍ତଦାନ ଶିବିର 

masiha

Leave a Comment

error: Content is protected !!