ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଅକ୍ଷୟ ତୃତୀୟାର ମହତ୍ତ୍ଵ

ଅକ୍ଷୟ ତୃତୀୟାର ମହତ୍ତ୍ଵ

କବି ସୌରଭ
ବୈଜୟନ୍ତୀ ମାଳା ମହାପାତ୍ର

 

ଶୁକ୍ଳ ପକ୍ଷ ବୈଶାଖର ତୃତୀୟ ତିଥିଟି ସାର

 ଅକ୍ଷୟ ତୃତୀୟା ପର୍ବ ନାମଟି ଯା’ର

ଷଷ୍ଠ ଅବତାରେ ହରି ପର୍ଶୁରାମ ରୂପ ଧରି

ଜନମିଥିଲେ ଧରାରେ ଏହି ଦିନର

ହିନ୍ଦୁ ଧର୍ମର ବଡ ପର୍ବ,

ଏହି ଦିନ ଶୁଭ ଦେଲେ ମିଳେ ଗୌରବ ll

 

ବ୍ରହ୍ମାଦେବଙ୍କ କୁମର ବୀର ଅକ୍ଷୟ କୁମାର

ଏ ଶୁଭ ଦିନରେ ଜନ୍ମି ଯଶ ରଖିଲେ

ଗଙ୍ଗାମାତା ଏ ଦିନରେ ଧରାରେ ଅବତରିଲେ

ଶ୍ରୀକୃଷ୍ଣ କୃଷ୍ଣାଙ୍କୁ ଅକ୍ଷୟ ପାତ୍ର ଦେଲେ

ଦୂରେଇଲେ ଖାଦ୍ୟ ଅଭାବ,

ଏ ଶୁଭ ଦିନ ମହିମା କେ ବଖାଣିବ !

 

ବେଦବ୍ୟାସ ମହାଋଷି ଗଣେଶ ଦେବ ଙ୍କୁ ହସି

ପଢ଼ି ଶୁଣାଇଲେ ମହାଭାରତ ଗ୍ରନ୍ଥ

ଧନପତି ଦେବ ବୋଲି କୁବେରେ ଉପାଧି ଢାଳି

ଧନଦାତା ରୂପେ ସେ ଯେ ହେଲେ ବିଖ୍ୟାତ

ଅତି ଶୁଭ ଦିନଟି ଏହି,

ସୁଦାମାଙ୍କ କ୍ଳେଶ ଗଲା କୃଷ୍ଣଙ୍କୁ ପାଇ ll

 

ଏହି ପବିତ୍ର ଦିନର ବଡଦିଅଁଙ୍କ ଯାତ୍ରାର

ରଥ ନିର୍ମାଣର ଅନୁକୂଳ ହୁଅଇ,

ଉତ୍କଳୀୟ ପଞ୍ଜିକାର ଆରମ୍ଭ ଏହି ଦିନର

ଅଦ୍ଯ କାର୍ଯ୍ୟ ଶୁଭାରମ୍ଭେ ସିଦ୍ଧି ମିଳଇ

ଏହି ଦିନ ଯେ କିଛି କାର୍ଯ୍ୟ,

ଅନୁକୂଳ ପାଇଁ କର ନିଃଶଙ୍କେ ଧାର୍ଯ୍ୟ ll

 

ଲକ୍ଷ୍ମୀଙ୍କୁ ସ୍ମରଣ କରି ଅନ୍ତରେ ଭକ୍ତିକୁ ଭରି

ବିହନ ବୁଣଇ ଚାଷୀ ଏହି ଦିନରେ

ଶୁଦ୍ଧ ପୂତ ମନ ନେଇ ପବିତ୍ର ଭାଵନା ଥୋଇ 

ଗୁହାରି ଜଣାଏ ଭାବ ଧରି ହୃଦରେ 

ଶସ୍ୟପୂର୍ଣ୍ଣ କର ଭଣ୍ଡାର,

କାମନା ସେ କରିଥାଏ ମାତା ଛାମୁର ll

 

ଦୀନ ହୀନ ନିରୀମାଖି ଅସହାୟ ଦୁଃଖୀ ଦେଖି

ଅନ୍ନ ବସ୍ତ୍ର ଆଦି ଦ୍ରବ୍ୟ କରିଲେ ଦାନ

ଲକ୍ଷ୍ମୀନାରାୟଣଙ୍କର ମିଳଇ କୃପା ଅପାର

ସୁଖ ଶାନ୍ତି ପ୍ରଗତିରେ ଭରେ ଜୀବନ 

ଅକ୍ଷୟ ତୃତୀୟାଟି ଏହି,

ମହନନ୍ଦେ ଯେ ପାଳଇ ସିଦ୍ଧି ଲଭଇ ll

 

ଅକ୍ଷୟ ତୃତୀୟା ପର୍ବ ହିନ୍ଦୁ ମାନଙ୍କ ଗୌରବ

ସବୁଠାରୁ ଶୁଭଙ୍କର ଦିନଟି ଏହି

ଉତ୍କଳ ସଂସ୍କୃତି ସାର ଐତିହ୍ୟରେ ଭରପୂର

ସୌଭାଗ୍ୟରେ ତା ସନ୍ତାନ ଆମେ ବୋଲାଇ

ଧନ୍ୟ ତାର ପର୍ବ ପର୍ବାଣି,

ଧନ୍ୟ ଆମେ ଉତ୍କଳୀୟ ଭାଇ ଭଉଣୀ ll

 

 

     ଅକ୍ଷୟ ତୃତୀୟାରେ ଏହି ମୋ ଶୁଭ କାମନା

ସୁଖ, ଶାନ୍ତି, ପ୍ରୀତି କେବେ କ୍ଷୟ ନୋହୁ

ପୂର୍ଣ୍ଣ ରହୁ ସଦ୍ଭାବନା ,

ପ୍ରତ୍ୟେକ ଅନ୍ତର ପ୍ରଫୁଲ୍ଲିତ ହେଉ

ଏହି ମୋ ଶୁଭ କାମନା….(୦)

 

ଦୋଷୀ ପାଇଁ କ୍ଷମା ଅଜାଡି ଦିଅନ୍ତୁ

ସେହି କ୍ଷମାର ସାଗର

ଅତୁଟ ଅକ୍ଷୟ ବିଶ୍ଵାସକୁ ସିଏ

ଢାଳି ଦିଅନ୍ତୁ ହୃଦର

ସବୁରି କାମନା ପୂରଣ କରନ୍ତୁ

ନ ଦିଅନ୍ତୁ ସେ ଯାତନା…..(୧)

 

ସତ୍ୟ ଧର୍ମ ନ୍ୟାୟ ପଥକୁ ପାଥେୟ

କରି ସଭିଏଁ ଚାଲନ୍ତୁ

ଏହି ଶୁଭାଶିଷ ବିଭୁ ଯେ ଅଶେଷ

ସବୁରିପରେ ଢାଳନ୍ତୁ

ପ୍ରୀତିପୂର୍ଣ୍ଣ ରହୁଏ ସାରା ଜଗତେ

ଦୂରେ ରହୁ ନିର୍ଯାତନା…(୨)

 

ସଦା ମଥାନତ ହେ ଜଗତ ନାଥ

କରୁ ଥାଅ ମୋର ପ୍ରଭୁ

ତୁମ କରୁଣାରେ ଯେତେ ଦିନ ଥିବି

ପୂର୍ଣ୍ଣ କର ଆଶା ସବୁ

କିଏ ଦୁଃଖୀ ନୋହୁ ଏ ଅଧମ ପାଇଁ

କିଏ ଯେ ନୋହୁଁ ବିମନା… (୩)

ଫୁଲବାଣୀ, କନ୍ଧମାଳ

Related posts

ନର୍ମଦା ନାୟକ ଙ୍କ କବିତା ଆମଦେଶ ସ୍ୱାଧୀନ

Sunil Chandra Nayak

ସାହିତ୍ୟ ଜୀବନ ଏବଂ ମା ମହାଲକ୍ଷ୍ମୀ ପୂଜା କମିଟି ଆନୁକୂଲ୍ୟରେ ମନୋରଞ୍ଜନ କାର୍ଯ୍ୟକ୍ରମ

Sunil Chandra Nayak

ତେନ୍ତୁଳିଖୁଣ୍ଟି ଲ୍ୟାମ୍ପ ର ସାଧାରଣ ପରିଷଦ ବୈଠକ

Sunil Chandra Nayak

Leave a Comment

error: Content is protected !!