ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳା ଓ କଳାକାର ହିତୈଷୀ ଦାବି ନେଇ ରାଜରାସ୍ତାକୁ ଓଲ୍ହେଇବା ପାଇଁ ବରିଷ୍ଠ କଳାକାର ମହାସଂଘର ସଜବାଜ

କଳା ଓ କଳାକାର ହିତୈଷୀ ଦାବି ନେଇ ରାଜରାସ୍ତାକୁ ଓଲ୍ହେଇବା ପାଇଁ ବରିଷ୍ଠ କଳାକାର ମହାସଂଘର ସଜବାଜ

ବ୍ରହ୍ମପୁର, ତା. ୦୧/୧୦/୨୫ : କଳା ଓ କଳାକାର ହିତୈଷୀ ମହାମଞ୍ଚ ” ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ “ର ଏକ କାର୍ଯ୍ୟକାରିଣୀ ବୈଠକ ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ସୁରଳ, ସୁରେଶ ହସ୍ପିଟାଲ ସଭାକ୍ଷକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ୱର ବିବୁଧ ରମେଶ ଚନ୍ଦ୍ର ସ୍ୱାଇଁ, ନାଟ୍ୟକାର ଡଃ. ବିଜୟ ଚନ୍ଦ୍ର ମହାରଣା, ବରିଷ୍ଠ କଳାକାର ମହେନ୍ଦ୍ର କୁମାର ସାହୁ ଏବଂ ବିଷିକେଶନ ସାହୁ ମଂଚାସୀନ ଥିଲେ । ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ସ୍ୱାଗତ ଭାଷଣ କ୍ରମରେ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦ୍ୱାରା ବ୍ୟକ୍ତିକୁ ଆଦର୍ଶ ତଥା ସମୂହ କୈନ୍ଦ୍ରିକ ଜୀବନ ଯାପନ ନିମନ୍ତେ ପ୍ରେରଣା ମିଳିଥାଏ ବୋଲି ମତବ୍ୟକ୍ତ କରିଥିଲେ । ପୂଜ୍ୟପୂଜା ପରମ୍ପରା କ୍ରମରେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରାୟ ଚଉଦ କୋଟି ଟଙ୍କା ବ୍ୟୟରେ ସମଗ୍ର ଓଡ଼ିଶାରେ ଜାତୀୟ ଓ ପ୍ରାଦେଶିକ ସ୍ତରର ୭୫ ଜଣ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନିମନ୍ତେ ନିଃସ୍ପତି ନେଇଥିବା ହେତୁ ମହାସଂଘ ତରଫରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରାଗଲା । 

          କେନ୍ଦ୍ର ସଂସ୍କୃତି ବିଭାଗଙ୍କ ଚଳିତ ବର୍ଷର ନୂତନ କଳାକାର ଭତ୍ତା ହିତାଧିକାରୀ ତାଲିକା ପ୍ରକାଶ କରିବାରେ ବିଳମ୍ବ, ପିପିଓ ନମ୍ବର ପାଇ ନିର୍ଦ୍ଦେଶ ମୁତାବକ କାଗଜପତ୍ର ପଠାଇଥିଲେ ବି କିଛି କଳାକାରଙ୍କ ଦୁଇ ତିନି ବର୍ଷ ଧରି ଭତ୍ତା ନ ପାଇବା, ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ପ୍ରାୟ ଦୁଇ ବର୍ଷରୁ ଉର୍ଦ୍ଧ୍ଵ କାଳ ଧରି ଆବେଦନ କରାଯାଇଥିଲେ ହେଁ ସମ୍ପୃକ୍ତ ଯୋଜନାର ହିତାଧିକାରୀ ଚୟନ କରାନଯିବା ଏବଂ କଳାକାର ଭତ୍ତା ରାଶିର ପରିମାଣ ବୃଦ୍ଧି ନକରାଯିବା ନେଇ ବୈଠକରେ ଉଦବେଗ ଓ କ୍ଷୋଭ ପ୍ରକାଶ ପାଇଥିଲା । ଏତଦ୍ ବ୍ୟତୀତ ଲୁପ୍ତପ୍ରାୟ ଲୋକକଳାର ସଂରକ୍ଷଣ କ୍ଷେତ୍ରରେ ସରକାରୀ ପଦକ୍ଷେପ ନୈରାଶ୍ୟଜନକ ବୋଲି ମତ ପ୍ରକାଶ ପାଇଥିଲା । ପୁନଶ୍ଚ ରାଜ୍ୟ କଳାକାର ଭତ୍ତା ୨୦୧୮ ମସିହା ପୂର୍ବବତ ଅଥବା କେନ୍ଦ୍ର ଭଳି ହିତାଧିକାରୀ କଳାକାରଙ୍କ ମୃତ୍ୟୁ ପରେ ତାଙ୍କ ବିଧବା ପତ୍ନୀଙ୍କୁ ଦେବା ନିମନ୍ତେ ଦାବି କରାଯାଇଥିଲା ।   ଏହି ଅବସରରେ ପବିତ୍ର ଶ୍ରୀପଞ୍ଚମୀ ତିଥି ଅର୍ଥାତ ଆଗାମୀ ଜାନୁଆରୀ ୨୩ ତାରିଖରେ ‘ଓଡ଼ିଶା ନାଟ୍ୟ ଦିବସ’ ପାଳନ ପରିପ୍ରେକ୍ଷୀରେ ରାଜ୍ୟସ୍ତରୀୟ କଳାକାର ମହାସମାବେଶ ଓ କଳାକାର ଶୋଭାଯାତ୍ରା ଆୟୋଜନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ସରକାର ଯଦି ଆମ ଦାବି ପୂରଣ ନ କରନ୍ତି ତେବେ ମହାସମାବେଶରେ କଳାକାର ଆନ୍ଦୋଳନର ଚୂଡାନ୍ତ ରୂପରେଖ ନିର୍ଦ୍ଧାରଣ କରାଯିବା ନେଇ ବୈଠକରେ ସ୍ଥିର କରାଯାଇଥିଲା । ବୈଠକରେ ମହାସଂଘ କାର୍ଯ୍ୟନିର୍ବାହୀ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରି ଥିବା ବେଳେ ନାଟ୍ୟସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା, ନାଟ୍ୟକାର ଯୁଦ୍ଧିଷ୍ଠିର ଭଞ୍ଜ ସାମନ୍ତ, ବରିଷ୍ଠ ସାରସ୍ୱତ ସାଧକ ନରେନ୍ଦ୍ର ପ୍ରସାଦ ବେହେରା, ନାଟ୍ୟକାର ଇନ୍ଦ୍ରମଣି ବାରିକ ଏବଂ ରାଜେନ୍ଦ୍ର କୁମାର ସାମନ୍ତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପରିଶେଷରେ ଉପମହାସଚିବ ପ୍ରଦୀପ କୁମାର ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ହମିରପୁର ରେ ରେଭେନ୍ୟୁ କ୍ୟାମ୍ପ ଅନୁଷ୍ଠିତ 

masiha

ଗୁଡାହାଣ୍ଡି ମଞ୍ଚରେ କୋକସରା ବ୍ଲକ ସ୍ତରୀୟ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ

masiha

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସର୍ଗିଫୁଲ୍-୨୦୨୩ ଉଦଯାପିତ

masiha

Leave a Comment

error: Content is protected !!