ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପରିପ୍ରେକ୍ଷୀରେ ରାଇରଙ୍ଗପୁର ଠାରେ ଏକତା ପଦଯାତ୍ରା ଆୟୋଜିତ।

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପରିପ୍ରେକ୍ଷୀରେ ରାଇରଙ୍ଗପୁର ଠାରେ ଏକତା ପଦଯାତ୍ରା ଆୟୋଜିତ।

ମୟୂରଭଂଜ :ତା ୨୨-୧୧-୨୦୨୫ ରିଖ — ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଳନ ପରିପ୍ରେକ୍ଷୀରେ ଆଜି ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ରାଇରଙ୍ଗପୁର ଠାରେ “ଏକତା ପଦଯାତ୍ରା ” ଆୟୋଜିତ ହୋଇଯାଇଛି।

ଏହି ଅବସରରେ ରାଇରଙ୍ଗପୁର ବିର୍ସା ମୁଣ୍ଡା ପାର୍କ ଠାରେ ଅନୁଷ୍ଠିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଉକ୍ତ ଏକତା ପଦଯାତ୍ରାକୁ ମାନ୍ୟବର ବିଧାୟକ ରାଇରଙ୍ଗପୁର, ଶ୍ରୀ ଜଲେନ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥି ମାନଙ୍କ ମଧ୍ୟରେ ରାଇରଙ୍ଗପୁର ପୌରପାଳିକାର ଉପାଧ୍ୟକ୍ଷା ଶ୍ରୀମତୀ ମମିତା ଚୌଧୁରୀ, ଉପଜିଲ୍ଲାପାଳ ଶ୍ରୀ ସୌମ୍ୟ ରଞ୍ଜନ ପ୍ରଧାନ, ସହକାରୀ ଉପଜିଲ୍ଲାପାଳ ଶ୍ରୀମତୀ ବାସନ୍ତୀ ଲାକ୍ରା, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ଗୋକୁଳା ନନ୍ଦ ସାହୁ, ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀଣୀ ଶ୍ରୀମତୀ ଶକୁନ୍ତଳା ହାଁସଦା, ବିଜେପିର ବରିଷ୍ଠ ନେତା ଶ୍ରୀ ନବୀନ ରାମ ପ୍ରମୁଖ ଯୋଗଦାନ କରିଥିଲେ।ପ୍ରାରମ୍ଭରେ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥି ମାନଙ୍କ ଦ୍ୱାରା ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହାପରେ ବନ୍ଦେ ମାତରମ ଗୀତ ପରିବେଷଣ କରାଯିବା ପରେ ଏକତା ପଦଯାତ୍ରାକୁ ମୁଖ୍ୟ ଅତିଥି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ଏହି ଅବସରରେ ମାନ୍ୟବର ବିଧାୟକ, ମହାମନୀଷୀ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୀବନର ଆଦର୍ଶ ଓ ଦୃଢ଼ମନା ମନଭାବର ସ୍ମୁତି ଚାରଣ କରିବା ସହିତ ସ୍ୱାଧୀନ ଭାରତରେ ଦେଶୀୟ ରାଜ୍ୟ ସମୂହର ମିଶ୍ରଣ କେବଳ ତାଙ୍କର ବଳିଷ୍ଠ ଉଦ୍ୟମରେ ସମ୍ଭବ ହୋଇପାରିଥିଲା ବୋଲି କହିଥିଲେ। ଆଜିର ଏଇ ଏକତା ପଦଯାତ୍ରା ବା ୟୁନିଟି ମାର୍ଚ୍ଚ ଦେଶବାସୀଙ୍କ ହୃଦୟରେ ଦେଶ ମାତୃକା ପ୍ରତି ଭକ୍ତି, ସର୍ଦ୍ଦାର ପଟେଲଙ୍କ ଅଖଣ୍ଡ ଭାରତ ଗଠନ ଓ ରାଷ୍ଟ୍ରୀୟ ଏକତା ଆଦର୍ଶ ପ୍ରତି ସମ୍ମାନ ତଥା ଦେଶପ୍ରେମ ଜାଗ୍ରତ କରିବା ଉଦେଶ୍ୟ ରେ ଅନୁଷ୍ଠିତ ହେଉଛି। ତତ ସହିତ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଭାରତକୁ ଏକ ସୁସ୍ଥ ଓ ନିଶାମୁକ୍ତ ରାଷ୍ଟ୍ର ଭାବେ ଗଠନ କରିବା, , ସ୍ବଦେଶୀକୁ ଆପଣାଇ ଏକ ଭାରତ -ଆତ୍ମ ନିର୍ଭର ଭାରତ ଗଠନ କରିବା ଲକ୍ଷ୍ୟ ନେଇ ଆୟୋଜିତ ହେଉଛି ବୋଲି କହିଥିଲେ। 

ସେହିପରି ଅନ୍ୟାନ୍ୟ ଅତିଥି ବୃନ୍ଦ ସର୍ଦ୍ଦାର ପଟେଲଙ୍କ ଆଦର୍ଶ ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷା କୁ ଅକ୍ଷୁର୍ଣ୍ଣ ରଖିବା ନିମନ୍ତେ ଜନସାଧାରଣଙ୍କ ମଧ୍ୟରେ ଜାତୀୟତାବୋଧକୁ ନିରନ୍ତର ଉଦଜୀବିତ କରିବା ଏବଂ ଦେଶର ଅଖଣ୍ଡତା ପାଇଁ ଏକତା ସୂତ୍ରରେ ସମସ୍ତେ ଭାଇଚାରା ମନଭାବରେ ବାନ୍ଧି ହୋଇ ରହିବା ପାଇଁ ଆଜିର ଏଇ ଏକତା ପଦଯାତ୍ରା ଆୟୋଜିତ ହେଉଛି ବୋଲି ମତବ୍ୟକ୍ତ କରିଥିଲେ।

ଉକ୍ତ ଏକତା ପଦଯାତ୍ରା ବିର୍ସା ମୁଣ୍ଡା ପାର୍କ ଠାରୁ ଆରମ୍ଭ ହୋଇ ସହର ପରିକ୍ରମା କରିବା ଅବସରରେ ଦୁର୍ଗା ମଣ୍ଡପ ଛକ ନିକଟ ଅସ୍ଥାୟୀ ମଞ୍ଚରେ ଦେଶାତ୍ମବୋଧ ଭିତ୍ତିକ ଓ ମୟୂରଭଞ୍ଜର ପାରମ୍ପରିକ ଛଉ ନୃତ୍ୟ ଓ ଆଦିବାସୀ ସଂସ୍କୃତି ଉପରେ ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପରିକ୍ରମା ପଥ ଅତିକ୍ରମ ସମୟରେ ପଥ ପାର୍ଶ୍ଵରେ ବୀର ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ଏବଂ ସ୍ଥାନେ ସ୍ଥାନେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନେ ଯଥା ଏସ ଏସ ଡି, ଉଚ୍ଚ ବାଳିକା ବିଦ୍ୟାଳୟ, ରାଇରଙ୍ଗପୁର ହାଇସ୍କୁଲ ପଦଯାତ୍ରାକୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱାଗତ କରିଥିଲେ। ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି ନିକଟରେ ଆଦିବାସୀ ସାଂସ୍କୃତି ସମ୍ପନ୍ନ କଳସ ନୃତ୍ୟ ପାରିବେଷିତ ହୋଇଥିଲା। ସେହିପରି ଛାତ୍ରଛାତ୍ରୀ ଙ୍କ ଦ୍ୱାରା ଏଇ ଭାରତ ଭୂମିରେ ଜନ୍ମ ନେଇଥିବା ମହାପୁରୁଷ ଓ ବୀର ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ବେଶ ଭୁଷା ହୋଇ ଅଭିନୟ ମାଧ୍ୟମରେ ତା’ଙ୍କର ଚରିତ୍ର ଓ ଆଦର୍ଶକୁ ଉପସ୍ଥାପନ କରିଥିଲେ। ଉକ୍ତ ପଦଯାତ୍ରା ବିର୍ସା ମୁଣ୍ଡା ପାର୍କ ଠାରୁ ବାହାରି, ଦୁର୍ଗା ମଣ୍ଡପ ଛକ,ମହତାବ ଭବନ (ଟାଉନ ହଲ), ଲିଙ୍କ ରୋଡ଼ ଦେଇ ପ୍ରତ୍ୟାବର୍ତ୍ତନ କରି କଚେରୀ ପଡିଆ ଠାରେ ସମାପନ ହୋଇଥିଲା। 

ଏହି ଅବସରରେ ବିଭିନ୍ନ ଅନୁଷ୍ଠାନର ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଚଳିତ ବର୍ଷ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ପ୍ରଥମ, ଦ୍ଵିତୀୟ, ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଏବଂ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ରେ ପ୍ରଥମ ଭାବେ ଶ୍ରେଷ୍ଠତା ପ୍ରତିପାଦନ କରିଥିବା ବହଳଦା ବ୍ଲକର ଇନ୍ଦଖୁଳି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ସରକାରଙ୍କ ବିବିଧ ଜନ କଲ୍ୟାଣ କାରୀ ଯୋଜନା ସମ୍ପର୍କରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଦର୍ଶିତ ହୋଇଥଲା

ଏହାପରେ ଅତିଥି ବୃନ୍ଦ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। କଚେରୀ ପଡିଆ ଠାରେ ସରକାରଙ୍କ ବିଭିନ୍ନ ବିଭାଗର ଯୋଜନା ସମ୍ପର୍କ ରେ ସଚେତନତା ପାଇଁ ଶ୍ରମ, ପରିବହନ, ମତ୍ସ୍ୟ ସମ୍ପଦ, ପ୍ରାଣୀ ସମ୍ପଦ, କୃଷି ବିଭାଗ ଇତ୍ୟାଦି ତରଫରୁ ଷ୍ଟଲ ଖୋଲାଯାଇ ବିଭିନ୍ନ ସରକାରୀ ଜନ କଲ୍ୟାଣ ଯୋଜନା ସମ୍ବନ୍ଧରେ ଲୋକଙ୍କୁ ଅବଗତ କରାଯାଇଥିଲା। ସେହିପରି ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଉଦ୍ୟୋଗୀଙ୍କ ଦ୍ୱାରା ଉତ୍ପାଦିକା ସାମଗ୍ରୀ ଓ ପୌରପାଳିକା ତରଫରୁ ମୋ ଖତ ଷ୍ଟଲ ଖୋଲାଯାଇ ଲୋକଙ୍କୁ ଏହାର ଉପଯୋଗ ପାଇଁ ସଚେତନ କରାଯାଇଥିଲା।

ଉକ୍ତ ଏକତା ପଦଯାତ୍ରା କାର୍ଯ୍ୟକ୍ରମରେ ବିଭିନ୍ନ ଜନପ୍ରତିନିଧି, ବିଜେପି ଦଳର ବିଭିନ୍ନ ନେତୃବୃନ୍ଦ, କର୍ମକର୍ତ୍ତା, ପ୍ରଶାସନର ବରିଷ୍ଠ ଅଧିକାରୀ, ବିଭିନ୍ନ ବିଭାଗୀୟ ଅଧିକାରୀ, ପୋଲିସ ପ୍ରଶାସନର ଅଧିକାରୀ ବୃନ୍ଦ,ଅବସରପ୍ରାପ୍ତ ପୂର୍ବତନ ସୈନିକ ସଙ୍ଘ ର ସଦସ୍ୟ ବୃନ୍ଦ, ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କଳାକାର ବୃନ୍ଦ, ଏନ ସି ସି,ରେଡ଼କ୍ରସ, ସ୍କାଉଟ ଗାଇଡ, ଏନ ଏସ ଏସ ର ଛାତ୍ର ଛାତ୍ରୀ ସ୍ବେଛାସେବୀ, ବିଭିନ୍ନ କ୍ରୀଡ଼ାବିତ, ଗଣମାଧ୍ୟମର ପ୍ରତିନିଧି ଓ ନାଗରିକ ଇତ୍ୟାଦି ବିଭିନ୍ନ ବର୍ଗର ଜନସାଧାରଣ ଅଂଶ ଗ୍ରହଣ କରିଥିଲେ। 

ଉପ ଜିଲ୍ଲାପାଳ ଶ୍ରୀ ସୌମ୍ୟ ରଞ୍ଜନ ପ୍ରଧାନଙ୍କ ତତ୍ୱାବଧାନରେ ତଥା ବିଭିନ୍ନ ବିଭାଗର ସମନ୍ୱୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ଶ୍ରୀ ରଞ୍ଜନ ନନ୍ଦ ସଂଚାଳନ କରିଥିଲେ। ଅବସର ପ୍ରାପ୍ତ ଶିକ୍ଷକ ଦିଲୀପ ମହାନ୍ତି ଓ ଅଧ୍ୟାପକ ବିଜୟ ରାମ, ଜିଲ୍ଲା କ୍ରୀଡା ଅଧିକାରୀ ସୁଭାଶିଷ ନାୟକ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବକାଶ ରଞ୍ଜନ ମହାନ୍ତିଙ୍କ ସମେତ ରାଇରଙ୍ଗପୁର ପୌର ପାଳିକାର ଓ ଉପଜିଲ୍ଲାପାଳ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନେ ପରିଚାଳନା ରେ ସହଯୋଗ କରିଥିଲେ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ପୋଖରୀ ପାଣି ବିସାକ୍ତ,ବଡଟିକରା ଗୁଡା,ସଂକ୍ରମଣ ଆଶଙ୍କା

masiha

ପଞ୍ଚମ ବାର୍ଷିକ ଶ୍ରୀ ସଚ୍ଚିଦାନନ୍ଦ ପାଇକା ମହୋତ୍ସବ ଉଦ୍ଘାଟନ 

Sunil Chandra Nayak

ବିଦ୍ୟାଳୟର କନିଷ୍ଠ ସହାୟକଙ୍କ ଅବସରକାଳୀନ ସମ୍ୱର୍ଦ୍ଧନା ସଭା 

masiha

Leave a Comment

error: Content is protected !!