ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ନବନିର୍ମିତ ଶିବମନ୍ଦିର ପ୍ରତିଷ୍ଠା ଉତ୍ସବର ପୂର୍ଣ୍ଣାହୁତୀ 

ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ନବନିର୍ମିତ ଶିବମନ୍ଦିର ପ୍ରତିଷ୍ଠା ଉତ୍ସବର ପୂର୍ଣ୍ଣାହୁତୀ 

ସିନାପାଲି :୨୭/୦୪- ( ବିଘ୍ନରାଜ ତାଣ୍ଡି ଙ୍କ ରିପୋର୍ଟ )-ନୂଆପଡା ଜିଲ୍ଲା ସିନାପାଲି ଠାରେ ନବନିର୍ମିତ ଭବ୍ୟ ଶିବମନ୍ଦିର ପ୍ରତିଷ୍ଠା ଉତ୍ସବର ଆଜି ପୂର୍ଣ୍ଣାହୁତୀ ହୋଇଯାଇଛି l ଆଜି ସକାଳୁ ଧ୍ବଜାରୋହଣ, ବିଗ୍ରହଙ୍କ ନଗରପରିକ୍ରମା ଓ ମନ୍ଦିର ପ୍ରବେଶ ନୀତି ସହ ପାଞ୍ଚଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ଏହି ଧାର୍ମିକ ସମାରୋହର ପରିସମାପ୍ତି ହୋଇଛି l ଗତ ଗୁରୁବାର ଦିନ ଠାରୁ ଭବ୍ୟ କଳସ ଶୋଭାଯାତ୍ରା ସହ ଆରମ୍ଭ ହୋଇଥିବା ଏହି ଉତ୍ସବରେ ପ୍ରତ୍ୟହ ଦିନ ଘୃତଯଜ୍ଞ, ଜ୍ଞାନଯଜ୍ଞ, ଅନ୍ନଯଜ୍ଞ ଆଦି ସହ ନୂତନ ମନ୍ଦିରର ଗର୍ଭାଧାନ, ରୁଦ୍ରାଭିଷେକ, ଷୋଡଶଉପଚାର, ଚଣ୍ଡୀପାଠ, ସୂର୍ଯ୍ୟପୂଜା ଆଦି ରୀତିନୀତି ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ବୈଠକୀ ଓ ସଂକୀର୍ତନ ମୁଖ୍ୟ ଆକର୍ଷଣ ଥିଲା l ପ୍ରତିଷ୍ଠା ଉତ୍ସବରେ ଅଞ୍ଚଳ ତଥା ଅଞ୍ଚଳ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ଅଂଶ ଗ୍ରହଣ କରିଥିଲେ l ସମସ୍ତ କାର୍ଯ୍ୟକ୍ରମକୁ ଉତ୍ସବ ପରିଚାଳନା କମିଟିର ସଭାପତି ସୁବାଷ ଅଗ୍ରୱାଲ, ଉପସଭାପତି ଈଶ୍ୱର ପ୍ରସାଦ ମେହେର, ସମ୍ପାଦକ ଚନ୍ଦ୍ରଶେଖର ମେହେର, ସହ ସମ୍ପାଦକ ଗଣେଶରାମ ମେହେର, କୋଷାଧକ୍ଷ ସନ୍ତୋଷ କୁମାର ମେହେରଙ୍କ ସହ ଲୋକନାଥ ମେହେର, ଖଗେଶ୍ୱର ମେହେର (ଟେରିକଟ) ଉଦ୍ଧବ ମେହେର, ପ୍ରଦୀପ ମେହେର, କ୍ଷୀରସିନ୍ଧୁ ମେହେର, ମୁରଲୀଧର ମେହେର, କେଶରୀ ମେହେର ପ୍ରମୁଖ ପରିଚାଳନା କରିଥିଲେ l ଉତ୍ସବରେ ଦଶ ଯୋଡ଼ା ଦମ୍ପତି କର୍ତ୍ତା ଭାବରେ ରହିଥିବା ବେଳେ ମୁଖ୍ୟ ପୂଜକ ଭାବରେ ହରିଶ୍ଚନ୍ଦ୍ର ଖମାରୀ ଦାୟିତ୍ୱ ନିର୍ବାହ କରିଥିଲେ l ସୂଚନାଯୋଗ୍ୟ ଯେ ସେତେବେଳର ଶିବ ଉପାସକଙ୍କ ଆଗ୍ରହକୁ ଦେଖି ପ୍ରାୟ ୧୯୪୦ ମସିହା ବେଳକୁ ଏଠିକାର ଜଣେ ଧର୍ମପ୍ରାଣ ବ୍ୟକ୍ତି ଧନୁ ମେହେର ନିଜସ୍ୱ ପ୍ରୟାସରେ ଏଠାରେ ଏକ ଗଛ ମୂଳରେ ଉଭୟ ସିନାପାଲି ଓ କାପସି ଗ୍ରାମର କିଛି ଭଦ୍ର ବ୍ୟକ୍ତିଙ୍କ ଚେଷ୍ଟାରେ ପୂଜା ପାଇ ଆସୁଥିବା ଶିବ ଭଗବାନଙ୍କ ପାଇଁ ଏକ ଗୁଡ଼ି ତିଆରି କରିଥିଲେ, ଯାହା ମହାଦେବଗୁଡ଼ି ଭାବରେ ଅଦ୍ୟବଧି ଲୋକଙ୍କ ବିଶ୍ୱାସର ପ୍ରତୀକ ହୋଇ ରହିଆସିଥିଲା l ଅନେକ ଭକ୍ତ ନିଜ ମନସ୍କାମନା ପୂର୍ଣ୍ଣ ନିମନ୍ତେ ଏଠାରେ ପାଳ ପଡି ଭଗବାନ ଶିବଙ୍କ ଆଶୀର୍ବାଦ ପାଇଥିବା ଶୁଣାଯାଏ, ଯାହା ଏହି ମନ୍ଦିରର ମହତ୍ୱକୁ ଅଧିକ ପରିବର୍ଦ୍ଧିତ କରେ l ବଂଶାନୁକ୍ରମେ ସୌଦାଗର ଦାସଙ୍କ ପରିବାର ଏହି ମନ୍ଦିରର ପୂଜା ଦାୟିତ୍ୱରେ ରହିଆସିଥିବା ବେଳେ ଏବେ ତାଙ୍କ ଉତ୍ତରାଧିକାରୀ ଭାବେ ଭୀଷ୍ମରାଜ ଦାସ ମନ୍ଦିର ପୂଜକ ରହିଛନ୍ତି l ତେବେ ଗତ ୨୦୧୬ରେ ସେତେବେଳର ସରପଞ୍ଚ ସତ୍ୟବାନ ମେହେର ଓ କିଛି ଭଦ୍ର ବ୍ୟକ୍ତିଙ୍କ ଉଦ୍ୟମରେ ଯମୁନା ମେହେର ଦାନ ଦେଇଥିବା ଭୂମିରେ ସର୍ବସାଧାରଣଙ୍କ ସହଯୋଗରେ ଏହି ଗୁଡିକୁ ଭବ୍ୟ ମନ୍ଦିର କରିବାକୁ ପ୍ରୟାସ ଆରମ୍ଭ ହୋଇଥଲା l ଆଜି ଏଭଳି ଭବ୍ୟ ଓ ଆକର୍ଷଣୀୟ ଶିବ ମନ୍ଦିର ପ୍ରତିଷ୍ଠାକୁ ନେଇ ସାରା ଅଞ୍ଚଳରେ ଉତ୍ସାହ ଖେଲି ଯାଇଛି l

Related posts

ଲଡୁଗାଁ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

masiha

ଇନ୍ଦ୍ରାବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ୩୫ ତମ ବାର୍ଷିକ ଉତ୍ସବ

masiha

ରୋଗୀ କଲ୍ୟାଣ ସମିତି ର ବୈଠକ ଅନୁଷ୍ଠିତ କିନ୍ତୁ ସ୍ଥାୟୀ କମିଟି ସଦସ୍ୟ ଅନୁପସ୍ଥିତ

Leave a Comment

error: Content is protected !!