ଦର୍ଶନ ଆକାଡେମୀର ଗ୍ରୀଷ୍ମ କାଳୀନ ଶିବିରରେ ଶିକ୍ଷା, ଶୃଙ୍ଖଳା ଓ ସୃଜନଶୀଳତାର ଅନନ୍ୟ ସମନ୍ୱୟ
ଔଷଧୀୟ ଚାରା ରୋପଣ ସହ ଦିଆଗଲା ସବୁଜ ଭବିଷ୍ୟତର ସନ୍ଦେଶ
ସୁନ୍ଦରଗଡ଼: ଗ୍ରୀଷ୍ମ ଛୁଟିକୁ ଶିକ୍ଷା, ସୃଜନଶୀଳତା ଓ ଆନନ୍ଦର ଏକ ସ୍ମରଣୀୟ ଅଭିଜ୍ଞତାରେ ପରିଣତ କରିଛି ଦର୍ଶନ ଆକାଡେମୀ, ସୁନ୍ଦରଗଡ଼। ବିଦ୍ୟାଳୟର ପ୍ରଧାନପାଟ କ୍ୟାମ୍ପସରେ ଆୟୋଜିତ ଛଅଦିନିଆ ଗ୍ରୀଷ୍ମ କାଳୀନ ଶିବିର (ସମର କ୍ୟାମ୍ପ) ଆଜି ଉତ୍ସାହ, ଆନନ୍ଦ ଓ ସ୍ମୃତିମୟ ପରିବେଶ ମଧ୍ୟରେ ସଫଳତାର ସହ ପରିସମାପ୍ତ ହୋଇଛି। ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଡ. ଆର.ଭି. ପ୍ରଦୀପଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କ୍ୟାମ୍ପ ୪ ମେ ଠାରୁ ଆରମ୍ଭ ହୋଇଥିଲା।
ଏହି ସମର କ୍ୟାମ୍ପରେ ପ୍ରାୟ ୭୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନୃତ୍ୟ, ସଙ୍ଗୀତ, ଚିତ୍ରାଙ୍କନ, ବିଜ୍ଞାନ ପରୀକ୍ଷା, ମଡେଲ ପ୍ରଦର୍ଶନୀ, ସୃଜନାତ୍ମକ ଖେଳ ଓ ବିଭିନ୍ନ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମରେ ନିଜର ଲୁକାୟିତ ପ୍ରତିଭାକୁ ପ୍ରକାଶ କରିଥିଲେ। ଶିଶୁମାନଙ୍କ ମନୋବୃତ୍ତି ଓ ଆଗ୍ରହକୁ ଧ୍ୟାନରେ ରଖି କ୍ୟାମ୍ପରେ ଶିକ୍ଷା ସହ ଆନନ୍ଦକୁ ମିଶାଇ ଏକ ଅନନ୍ୟ ପରିବେଶ ସୃଷ୍ଟି କରାଯାଇଥିଲା।
କେବଳ ପାଠ୍ୟମୂଳକ କାର୍ଯ୍ୟକଳାପରେ ସୀମିତ ନ ରହି, ଛାତ୍ରଛାତ୍ରୀମାନଙ୍କ ପାଇଁ ପାହାଡ଼ ଟ୍ରାକିଂ, ପରିବେଶ ସୁରକ୍ଷା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ, ଅଗ୍ନି ବିନା ଖାଦ୍ୟ ପ୍ରସ୍ତୁତି, ଦଳୀୟ କାର୍ଯ୍ୟକଳାପ ଓ ବ୍ୟବହାରିକ ପ୍ରଶିକ୍ଷଣର ଆୟୋଜନ କରାଯାଇଥିଲା। ଛାତ୍ରଛାତ୍ରୀ ମାନେ ଏହି ସମସ୍ତ କାର୍ଯ୍ୟକ୍ରମରେ ଅତ୍ୟନ୍ତ ଉତ୍ସାହ ଓ ଆଗ୍ରହର ସହିତ ଭାଗ ନେଇ ନୂତନ ଅନୁଭବ ହାସଲ କରିଥିଲେ।
ଛାତ୍ରଛାତ୍ରୀମାନଙ୍କ ଶାରୀରିକ ଓ ମାନସିକ ବିକାଶକୁ ଗୁରୁତ୍ୱ ଦେଇ ପ୍ରତିଦିନ ସକାଳେ ଯୋଗ ଓ ଧ୍ୟାନ ଶିବିରର ଆୟୋଜନ କରାଯାଉଥିଲା। ଏହା ଦ୍ୱାରା ଶିଶୁମାନଙ୍କର ମନୋବଳ, ଏକାଗ୍ରତା ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଥିଲା। ସେହିପରି ଛାତ୍ରଛାତ୍ରୀମାନଙ୍କ ରୁଚି ଓ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ପ୍ରତିଦିନ ବିଶେଷ ପୁଷ୍ଟିକର ଜଳଖିଆର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।
ସମର କ୍ୟାମ୍ପକୁ ସଫଳ କରିବାରେ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ଭୂମିକା ବିଶେଷ ଉଲ୍ଲେଖନୀୟ ରହିଥିଲା। ସେମାନେ ନିଜର ସମର୍ପଣ, ଶୃଙ୍ଖଳା ଓ ସକ୍ରିୟ ସହଯୋଗ ମାଧ୍ୟମରେ ପ୍ରତ୍ୟେକ କାର୍ଯ୍ୟକ୍ରମକୁ ଆକର୍ଷଣୀୟ ଓ ସଫଳ କରିପାରିଥିଲେ। କ୍ୟାମ୍ପ ସମୟରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ମଧ୍ୟରେ ଏକ ଆତ୍ମୀୟ ଓ ସକାରାତ୍ମକ ପରିବେଶ ସୃଷ୍ଟି ହୋଇଥିଲା।
ସମର କ୍ୟାମ୍ପର ଶେଷ ଦିନ ଛାତ୍ରଛାତ୍ରୀମାନଙ୍କ ପାଇଁ ରେନ ଡାନ୍ସର ଆୟୋଜନ କରାଯାଇଥିଲା। ଛାତ୍ରଛାତ୍ରୀ ମାନେ ସଙ୍ଗୀତର ତାଳେ ନୃତ୍ୟ କରି ବହୁତ ଆନନ୍ଦ ଉପଭୋଗ କରିଥିଲେ। ସମଗ୍ର ପରିସର ହସ, ଖୁସି ଓ ଉତ୍ସାହରେ ମୁଖରିତ ହୋଇଉଠିଥିଲା।
ଉଦଯାପନୀ ସମାରୋହରେ ଗ୍ରୀନ ମେମୋରୀ କ୍ୟାମ୍ପେନର ସହଯୋଗରେ ଏକ ସଚେତନତା ସଭା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ବିଶିଷ୍ଟ ପରିବେଶବିତ ତଥା ଗ୍ରୀନ ମେମୋରୀ କ୍ୟାମ୍ପେନର ପ୍ରତିଷ୍ଠାତା ଦିଗାମ୍ବର ଉପାଧ୍ୟାୟ ଯୋଗଦାନ କରି ପରିବେଶ ସୁରକ୍ଷା, ବୃକ୍ଷରୋପଣ ଓ ସବୁଜ ଭବିଷ୍ୟତ ଗଠନର ଆବଶ୍ୟକତା ଉପରେ ପ୍ରେରଣାଦାୟକ ବକ୍ତବ୍ୟ ପ୍ରଦାନ କରିବା ସହିତ ଗଛ ଲଗାଇବା ସହିତ ସେଗୁଡିକର ସୁରକ୍ଷା ଓ ପରିଚର୍ଯ୍ୟା କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ। ଏହି ଅବସରରେ ବିଦ୍ୟାଳୟ ପରିସରରେ ୧୦ଟି ଔଷଧୀୟ ଚାରା ରୋପଣ କରାଯାଇଥିଲା।ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ କୁହାଯାଇଛି ଯେ, ଏପରି ସମର କ୍ୟାମ୍ପ ଛାତ୍ରଛାତ୍ରୀ ମାନଙ୍କର ସର୍ବାଙ୍ଗୀନ ବିକାଶ, ସୃଜନଶୀଳତା, ନେତୃତ୍ୱଗୁଣ ଓ ଆତ୍ମବିଶ୍ୱାସ ବୃଦ୍ଧିରେ ବିଶେଷ ସହାୟକ ହୋଇଥାଏ। ଶିକ୍ଷା ସହିତ ଜୀବନମୂଳକ ଅନୁଭବ ଦେବାରେ ଏହିପରି କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ବିଦ୍ୟାଳୟ ପକ୍ଷରୁ ପ୍ରକାଶ କରାଯାଇଛି।
ସୁନ୍ଦରଗଡ଼ ରୁ ଟୋନିସ ରୋହିଦାସ ଙ୍କର ରିପୋର୍ଟ

