ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

“ଇସ୍ପାତ ମନ୍ତ୍ରୀ ନାମକୁ ମାତ୍ର, ସଚିବ ସର୍ବେସର୍ବା”

“ଇସ୍ପାତ ମନ୍ତ୍ରୀ ନାମକୁ ମାତ୍ର, ସଚିବ ସର୍ବେସର୍ବା”

ରାଉରକେଲା: ବର୍ତ୍ତମାନ ରାଉରକେଲା ଇସ୍ପାତ କାରଖାନା ଏକ ଘଡ଼ିସନ୍ଧି ମୁହୂର୍ତ୍ତ ମଧ୍ୟରେ ଗତି କରୁଛି। ଏନେଇ ରାଉରକେଲା ଶ୍ରମିକ ସଂଘ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଘର ସମ୍ପାଦକ ପ୍ରଶାନ୍ତ ବେହେରା ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ଇସ୍ପାତ କାରଖାନାର ଉତ୍ପାଦନ କ୍ଷମତା ୪.୫ ମିଲିୟନ ଟନରୁ ୯.୮ ମିଲିୟନ ଟନକୁ ବୃଦ୍ଧି କରିବା ଲକ୍ଷ୍ୟରେ ସମ୍ପ୍ରସାରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ଜମି ଚିହ୍ନଟ, ବସ୍ତି ଉଚ୍ଛେଦ ଏବଂ ବସ୍ତିବାସୀଙ୍କ ଥଇଥାନ ବ୍ୟବସ୍ଥା ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ରାଉରକେଲା ଶ୍ରମିକ ସଂଘ ପ୍ରଥମରୁ ଏହି ସମ୍ପ୍ରସାରଣକୁ ସମର୍ଥନ କରିଆସୁଛି। ସମ୍ପ୍ରସାରଣ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ବିଧାୟକ, ସାଂସଦ, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଦେବା ସହ ବିଭିନ୍ନ ସ୍ତରରେ ଆଲୋଚନା କରାଯାଇଛି। କାରଣ ରାଉରକେଲା ଶ୍ରମିକ ସଂଘ ଦୃଢ଼ ଭାବେ ବିଶ୍ୱାସ କରେ ଯେ, ରାଉରକେଲା ସହରର ସର୍ବାଙ୍ଗୀନ ବିକାଶ ପାଇଁ ଇସ୍ପାତ କାରଖାନାର ଆଧୁନିକୀକରଣ ଅତ୍ୟନ୍ତ ଜରୁରୀ। କିନ୍ତୁ ଅନ୍ୟପକ୍ଷରେ କେନ୍ଦ୍ର ସରକାର, ବିଶେଷକରି ଇସ୍ପାତ ସଚିବଙ୍କ ଶ୍ରମିକ ବିରୋଧୀ ନୀତି, ରାଉରକେଲା ଇସ୍ପାତ କାରଖାନାର କର୍ମଚାରୀମାନଙ୍କ ମଧ୍ୟରେ ଗଭୀର ଆତଙ୍କ ସୃଷ୍ଟି କରିଛି।

ଦିନକୁ ଦିନ ଉତ୍ପାଦନ ବଢୁଥିବା ବେଳେ କର୍ମଚାରୀ ସଂଖ୍ୟା ଲଗାତାର ହ୍ରାସ ପାଉଛି। ଫଳରେ କର୍ମଚାରୀମାନେ ଅସହ୍ୟ କାର୍ଯ୍ୟଚାପ ମଧ୍ୟରେ କାମ କରିବାକୁ ବାଧ୍ୟ ହେଉଛନ୍ତି।

୨୦୨୫-୨୬ ଆର୍ଥିକ ବର୍ଷରେ ସେଲ୍ ୪ ହଜାର କୋଟି ଟଙ୍କାରୁ ଅଧିକ ଲାଭ ଅର୍ଜନ କରିବାକୁ ଯାଉଥିବା ସତ୍ତ୍ୱେ କର୍ମଚାରୀମାନଙ୍କୁ ୩୯ ମାସର ଏରିୟର ପ୍ରଦାନ କରାଯାଇନାହିଁ। ସେପରି ୯ ବର୍ଷ ୬ ମାସ ବିତିଯାଇଥିଲେ ମଧ୍ୟ ପୂର୍ଣ୍ଣାଙ୍ଗ ମଜୁରୀ ଚୁକ୍ତି ସ୍ୱାକ୍ଷର ନ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ବିଗତ ଦୁଇ ଦଶକ ଧରି ଇସ୍ପାତ କର୍ମଚାରୀଙ୍କ ଇନସେନଟିଭ ଓ ରିୱ।ର୍ଡ ସ୍କିମ୍ ରେ ପରିବର୍ତ୍ତନ ହୋଇନାହିଁ। ରାଉରକେଲା ଶ୍ରମିକ ସଂଘ ପକ୍ଷରୁ ସ୍ଥାନୀୟ ଇସ୍ପାତ କର୍ତ୍ତୃପକ୍ଷଙ୍କ ସହ ବହୁବାର ଆଲୋଚନା କରି ଚୂଡାନ୍ତ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ତାହା ଅନୁମୋଦନ ନାଁରେ କର୍ପୋରେଟ କାର୍ଯ୍ୟାଳୟ ରେ ଦୀର୍ଘଦିନ ଧରି ପଡ଼ିରହିଛି । ଏଭଳି ଅନେକ ସମସ୍ୟା ମଧ୍ୟରେ ଇସ୍ପାତ କର୍ମଚାରୀମାନେ ଗତି କରୁଥିବା ବେଳେ, ଇସ୍ପାତ ସଚିବଙ୍କ ମନମୁଖୀ କାର୍ଯ୍ୟଶୈଳୀ କର୍ମଚାରୀଙ୍କ ମନୋବଳକୁ ଭାଙ୍ଗି ଏକ ଅପ୍ରୀତିକର ପରିସ୍ଥିତି ଆଡ଼କୁ ନେଇଯାଉଛି।

ଇତିହାସରେ ପ୍ରଥମ ଥର କୌଣସି ଇସ୍ପାତ ସଚିବ ପ୍ରତି ସପ୍ତାହରେ ଭିଡିଓ କନଫରେନ୍ସ ମାଧ୍ୟମରେ ପ୍ଲାଣ୍ଟର ମୁଖ୍ୟ ମହାପ୍ରବନ୍ଧକ, ନିର୍ବାହୀ ନିର୍ଦ୍ଦେଶକ, ମୁଖ୍ୟ ପରିଚାଳକ ମାନଙ୍କ ସହ ଆଲୋଚନା କରି ଏକ ଘରୋଇ ସଂସ୍ଥା ଭଳି ଶ୍ରମିକ ବିରୋଧୀ ନିଷ୍ପତ୍ତି ନେବାକୁ ବାଧ୍ୟ କରୁଛନ୍ତି। ସ୍ଥାୟୀ କର୍ମଚାରୀମାନେ କାମ କରୁନଥିବାର ଆରୋପ ଲଗାଇ ଅପମାନିତ କରିବା, ଅନାବଶ୍ୟକ ଭାବେ ଗେଟ୍ ରେ ବାଇମେଟ୍ରିକ ମେସିନ୍ ଲଗେଇବା । ବିଭିନ୍ନ କାରଣରୁ ଅନୁପସ୍ଥିତି ରହୁଥିବାର ଆଳ ଦେଖାଇ କର୍ମଚାରୀଙ୍କୁ ଚାକିରିରୁ ବାହାର କରିବା ପାଇଁ ଚକ୍ରାନ୍ତ କରିବା କର୍ମଚାରୀଙ୍କ ଅସନ୍ତୋଷର ମୁଖ୍ୟ କାରଣ ହୋଇଛି।

ଆହୁରି ମଧ୍ୟ ଟାଉନ ଇଞ୍ଜିନିୟରିଂ ( ଇଲେକ୍ଟ୍ରିକାଲ , ସିଭିଲ, ୱଟର ସପ୍ଲାଇ) ବିଭାଗ,ଟାଉନ ସର୍ଭିସ୍,ହର୍ଟିକଲଚର ଏବଂ ଆଇଜିଏଚ କୁ ଘରୋଇକରଣ କରିବା ପାଇଁ ନୀତିଗତ ନିଷ୍ପତ୍ତି ନିଆଯାଇ ସେ ଦିଗରେ କାର୍ଯ୍ୟ ଆରମ୍ଭ ହୋଇସାରିଛି। ଫଳସ୍ୱରୂପ ଆଇଜିଏଚ ଡାକ୍ତରମାନଙ୍କୁ ଚାକିରି ଛାଡ଼ିବାକୁ ବାଧ୍ୟ କରାଯାଉଛି ଏବଂ ବିଭିନ୍ନ ଆଳ ଦେଖାଇ ଏହିସବୁ ବିଭାଗର କର୍ମଚାରୀ ଓ ଅଧିକାରୀମାନଙ୍କୁ ବଦଳି କରାଯାଇ ମାନସିକ ଚାପ ସୃଷ୍ଟି କରାଯାଉଛି। ଆରଆଇଏନଏଲ ର ଉଦାହରଣ ଦେଇ ସାରା ସେଲ୍ ରେ ୪୦ ପ୍ରତିଶତ ସ୍ଥାୟୀ କର୍ମଚାରୀ ଏବଂ ଠିକା କର୍ମଚାରୀଙ୍କୁ କମାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଆଗରୁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅବସରପ୍ରାପ୍ତ କର୍ମଚାରୀଙ୍କୁ ଲାଇସେନ୍ସ ରେ ଘର ଏବଂ ବିଭିନ୍ନ ଅନୁଷ୍ଠାନକୁ ଘର ଆବଣ୍ଟନ କରାଯାଉଥିଲା। କିନ୍ତୁ ଏବେ ସେହି ସମସ୍ତ ଅଧିକାର ଇସ୍ପାତ ସଚିବ ନିଜ ଅକ୍ତିଆରକୁ ନେଇଛନ୍ତି।

ଶତାଧିକ ଅଧିକାରୀଙ୍କୁ ଅନ୍ୟ ପ୍ଲାଣ୍ଟକୁ ବଦଳି କରିବା ଯୋଜନା ଚାଲିଛି, ଯାହାର ମୂଳ ଉଦ୍ଦେଶ୍ୟ ହେଉଛି ଚାପ ସୃଷ୍ଟି କରି ସେମାନଙ୍କୁ ଚାକିରିରୁ ବାହାର କରିବା। ଏବେ ଭିଆର ଓ ସିଆର ଆଣି କର୍ମଚାରୀ ଓ ଅଧିକାରୀମାନଙ୍କୁ ଚାକିରିରୁ ବାହାର କରିବା ପାଇଁ ନୀତିଗତ ନିଷ୍ପତ୍ତି ନିଆ ସରିଛି। ଏପରିକି କର୍ମଚାରୀରୁ ଅଧିକାରୀ ହେବାକୁ ଯାଉଥିବା ଇଓ କ୍ୟାଡରର ୫୦ ପ୍ରତିଶତଙ୍କୁ ଅନ୍ୟ ପ୍ଲାଣ୍ଟରେ ପୋଷ୍ଟିଂ କରିବା ପାଇଁ ମଧ୍ୟ ନୀତିଗତ ନିଷ୍ପତ୍ତି ନିଆଯାଇଛି।

ଆମେ ଆଶା କରୁଥିଲୁ ଯେ ପ୍ଲାଣ୍ଟ ସମ୍ପ୍ରସାରଣ ହେଲେ ସ୍ଥାନୀୟ ଅଧିବାସୀ ଓ ଯୁବପିଢ଼ୀ ପାଇଁ ନୂତନ ଚାକିରିର ସୁଯୋଗ ସୃଷ୍ଟି ହେବ। କିନ୍ତୁ ବର୍ତ୍ତମାନ ଚାକିରି ସୃଷ୍ଟି ପରିବର୍ତ୍ତେ ଛଟେଇର ପରିବେଶ ତିଆରି ହେଉଛି। ଏହାରୁ ସ୍ପଷ୍ଟ ଯେ ଇସ୍ପାତ ସଚିବ ରାଉରକେଲା ଇସ୍ପାତ କାରଖାନାକୁ ଘରୋଇ ସଂସ୍ଥାଙ୍କ ହାତକୁ ଟେକିଦେବା ପାଇଁ ଏକ ପ୍ରକାର କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି। ଅଭିଯୋଗ କରାଯାଇଛି କି ଇସ୍ପାତ ମନ୍ତ୍ରୀ ସ୍ଥାଣୁ । ସଂସଦରେ ଇସ୍ପାତ ଶ୍ରମିକଙ୍କ ବିଷୟରେ ପ୍ରଶ୍ନ ହେଲେ ମନ୍ତ୍ରୀ ଙ୍କ ଉତ୍ତର ଆସୁଛି ସେଥିପାଇଁ ଦ୍ବିପାକ୍ଷିକ ଫୋରମ୍ ଏନଜେସିଏସ୍ ଅଛି,ସେଇଠି ସବୁ ନିର୍ଣ୍ଣୟ ହେବ କିନ୍ତୁ ଦୁର୍ଭାଗ୍ୟ ବିଗତ ଅଢ଼େଇ ବର୍ଷ ଭିତରେ ଗୋଟିଏ ବି ମିଟିଂ ଡକାଯାଇନାହିଁ । ଏମଓୟୁ ଆଧାରରେ ପାଞ୍ଚୋଟି ଇସ୍ୟୁ କୁ ସବକମିଟି ରେ ନିଷ୍ପତି କରିବାକୁ ଛାଡି଼ିବା ପରେ କେବଳ ପେ ସ୍କେଲ ଓ ନାଇଟ୍ ସିପ୍ଟ ଆଧାର କରି ବାକି ଏରିୟର, ଘରଭଡ଼ା ଇତ୍ୟାଦିକୁ ଝୁଲେଇ ରଖି ଦିଆଗଲା। ୟୁନିୟନ ମାନଙ୍କ ଧର୍ମଘଟ ପରେ ଚିଫ୍ ଲେବର କମିଶନ ଙ୍କ ନିକଟରେ ଦୁଇ ଦୁଇ ଥର କନସିଲେସନରେ ମଧ୍ୟ ମ୍ୟାନେଜମେଣ୍ଟ ଏ ବିଷୟରେ ସନ୍ତୋଷଜନକ ଉତ୍ତର ନରଖି ବିଭିନ୍ନ ଆଳରେ ଖସିଯିବାକୁ ଚେଷ୍ଟା କରୁଛି । ହେଲେ ସବୁଠାରୁ ପରିତାପର ବିଷୟ ମଜୁରୀ ଚୁକ୍ତିନାମାର ୯ ବର୍ଷ ୬ ମାସ ବିତିଯାଇଥିଲେ ବି ପ୍ରକୃତ ସତ୍ୟ କୁ ଲୋକଲୋଚନକୁ ନ ଆଣି ନିଜର ନ୍ୟସ୍ତ ସ୍ବାର୍ଥକୁ ଚରିତାର୍ଥ କରିବାକୁ ୟୁନିୟନ ମାନେ କେବଳ ପରସ୍ପର ଉପରେ କାଦୁଅ ଫିଙ୍ଗିବାରେ ବ୍ୟସ୍ତ ଯାହା ଇସ୍ପାତ ମନ୍ତ୍ରଣାଳୟକୁ ଆହୁରି ସୁହାଉଛି।” କୁମ୍ଭୀର ନେଇ ମଝି ନଈରେ ହେଲାଣି”, ଏବେ ଯଦି ନ ଚେତିବା ତେବେ ନେଡି ଗୁଡ଼ କହୁଣୀକୁ ବୋହି ଗଲେ ସବୁ ସରିଯିବ । ତେଣୁ ଏବେ ପ୍ଲାଣ୍ଟ, ଆଇଜିଏଚ ଓ ଟାଉନସିପ୍ କୁ ବଞ୍ଚାଇବା ପାଇଁ ସଂଘର୍ଷର ସମୟ ଆସି ପହଞ୍ଚିଛି।

ରାଉରକେଲା ଶ୍ରମିକ ସଂଘ ବାରମ୍ବାର ବିକ୍ଷୋଭ ଓ ଚିଠି ମାଧ୍ୟମରେ ଏହାର ବିରୋଧ କରିଆସୁଛି। କିନ୍ତୁ ଏବେ ସମସ୍ତ ୟୁନିୟନଙ୍କୁ ଏକାଠି ହୋଇ ଲଢ଼ିବାକୁ ପଡ଼ିବ। ନଚେତ୍ ଏମିତି ସମୟ ଆସିବ , ନା ୟୁନିୟନ ରହିବ, ନା କର୍ମଚାରୀଙ୍କ ସ୍ୱାଧୀନତା। ରାଉରକେଲା ଶ୍ରମିକ ସଂଘ ସାମ୍ବାଦିକ ଙ୍କ ମାଧ୍ୟମରେ ଜଣାଇବାକୁ ଚାହେଁ ଯେ, ଏହି ସମସ୍ତ ଅନ୍ୟାୟ ବିରୋଧରେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯାଇ ଲଢ଼େଇକୁ ଏକ ନିର୍ଣ୍ଣାୟକ ସ୍ଥିତିକୁ ନିଆଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

15th Bharat Muni Saman Samaroh has started in Odisha.

masiha

ପୋଲିସ ନିଯୁକ୍ତିରେ ଏସ୍ ସି, ଏସଟି ଏବଂ ଓବିସିଙ୍କୁ ପାତରଅନ୍ତର ଅଭିଯୋଗ

Sunil Chandra Nayak

ବିଦ୍ୟାଳୟ ବାର୍ଷିକ ଉତ୍ସବରେ ଯୋଗଦେଲେ ବିଧାୟକ ସମ୍ବିତ ରାଉତରାୟ

Sunil Chandra Nayak

Leave a Comment

error: Content is protected !!