ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଶାସ୍ତ୍ରୀୟ ରଥଯାତ୍ରାକୁ ନେଇ ଅସନ୍ତୋଷ, ଜଗନ୍ନାଥ ପରମ୍ପରା ସୁରକ୍ଷା ପାଇଁ ଦାବି

ଅଶାସ୍ତ୍ରୀୟ ରଥଯାତ୍ରାକୁ ନେଇ ଅସନ୍ତୋଷ, ଜଗନ୍ନାଥ ପରମ୍ପରା ସୁରକ୍ଷା ପାଇଁ ଦାବି

ବ୍ରହ୍ମପୁର, ୧୯/୦୫ : ଶ୍ରୀ ପୁରୁଷୋତ୍ତମ ଜଗନ୍ନାଥ ଚେତନ ଫାଉଣ୍ଡେସନ ଏବଂ ଏହାର ଯୁବ ସଂଗଠନ ବୀରଭଦ୍ର ସେନା ପକ୍ଷରୁ ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଓ ପାରମ୍ପରିକ ରଥଯାତ୍ରାର ପବିତ୍ରତା ରକ୍ଷା ପାଇଁ ଭାରତର ମହାମହିମ ରାଷ୍ଟ୍ରପତି ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ସ୍ମାରକପତ୍ର ପ୍ରେରଣ କରାଯାଇଛି। ଏହି ସ୍ମାରକପତ୍ରଟି ବ୍ରହ୍ମପୁର ସାଉଥର୍ନ ରେଞ୍ଜ ଆର.ଡି.ସି ଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିବା ସୂଚନା ମିଳିଛି।

            ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଆଷାଢ଼ ମାସରେ ଶାସ୍ତ୍ରୋକ୍ତ ନୀତି ଓ ପରମ୍ପରା ଅନୁସାରେ ପାଳନ କରାଯାଇଥାଏ। ସ୍କନ୍ଦ ପୁରାଣ, ବ୍ରହ୍ମ ପୁରାଣ, ପଦ୍ମ ପୁରାଣ, ବାମଦେବ ସଂହିତା ଏବଂ ନୀଳାଦ୍ରି ମହୋଦୟ ପରି ପବିତ୍ର ଗ୍ରନ୍ଥମାନଙ୍କରେ ରଥଯାତ୍ରାର ସଠିକ୍ ସମୟ ଓ ବିଧିବିଧାନ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି।

              ତେବେ କିଛି ସଂଗଠନ ଓ ଅନ୍ତର୍ଜାତୀୟ ଧାର୍ମିକ ସଂସ୍ଥାମାନଙ୍କ ଦ୍ୱାରା ଭାରତ ସହ ବିଭିନ୍ନ ବିଦେଶୀ ଦେଶରେ ଅଶାସ୍ତ୍ରୀୟ ସମୟରେ ରଥଯାତ୍ରା ଆୟୋଜନ କରାଯାଉଥିବା ନେଇ ଫାଉଣ୍ଡେସନ ଗଭୀର ଅସନ୍ତୋଷ ପ୍ରକାଶ କରିଛି। ସମ୍ପ୍ରତି ଉତ୍ତର ପ୍ରଦେଶ ସହ ଆମେରିକା, ମାଲେସିଆ, ଦକ୍ଷିଣ ଆଫ୍ରିକା ଓ ୟେମେନ ଭଳି ଦେଶରେ ଏପରି କାର୍ଯ୍ୟକ୍ରମ ହୋଇଥିବା ଅଭିଯୋଗ ଉଠିଛି।

             ଫାଉଣ୍ଡେସନର ମତାନୁସାରେ, ଏପରି ଅଶାସ୍ତ୍ରୀୟ ଆୟୋଜନ ଓଡ଼ିଆ ଅସ୍ମିତା, ଜଗନ୍ନାଥ ସଂସ୍କୃତି ଏବଂ ପାରମ୍ପରିକ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଉଛି। ତେଣୁ ସରକାର ତୁରନ୍ତ ହସ୍ତକ୍ଷେପ କରି ଜଗନ୍ନାଥ ସଂସ୍କୃତିର ମୂଳ ପରମ୍ପରା ଓ ପବିତ୍ରତାର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରାଯାଇଛି।

             ଫାଉଣ୍ଡେସନର ଉପାଧ୍ୟକ୍ଷା ସ୍ମତି ସଞ୍ଜୁକ୍ତା ଦାସ କହିଛନ୍ତି ଯେ, “ଜଗନ୍ନାଥ ସଂସ୍କୃତି କେବଳ ଏକ ଧାର୍ମିକ ପରମ୍ପରା ନୁହେଁ, ଏହା ଓଡ଼ିଶାର ଆଧ୍ୟାତ୍ମିକ ପରିଚୟ ଓ ସାଂସ୍କୃତିକ ଗୌରବର ପ୍ରତୀକ।”

             ସେହିପରି ଫାଉଣ୍ଡେସନର ସଭାପତି ଶ୍ରୀ ପଦ୍ମ ଚରଣ ଦାସ କହିଥିଲେ, “ମହାପ୍ରଭୁ ଶ୍ରୀଜଗନ୍ନାଥ କେବଳ ଓଡ଼ିଶାର ଆସ୍ଥାର କେନ୍ଦ୍ରବିନ୍ଦୁ ନୁହନ୍ତି, ସେ ସମଗ୍ର ବିଶ୍ୱର ଆଧ୍ୟାତ୍ମିକ ଚେତନାର ପ୍ରତୀକ। ତେଣୁ ଜଗନ୍ନାଥ ସଂସ୍କୃତି ଓ ରଥଯାତ୍ରାର ପାରମ୍ପରିକ ନୀତିନିୟମକୁ ଅବିକୃତ ଭାବେ ସୁରକ୍ଷିତ ରଖିବା ସମସ୍ତଙ୍କର ନୈତିକ ଦାୟିତ୍ୱ। ଶାସ୍ତ୍ର ବିରୋଧୀ ଭାବେ ରଥଯାତ୍ରା ଆୟୋଜନ କରାଯିବା ଭକ୍ତମାନଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ସହ ଓଡ଼ିଆ ଅସ୍ମିତାକୁ ମଧ୍ୟ କ୍ଷୁଣ୍ଣ କରୁଛି।”

Related posts

ଧୋଡ୍ରା ମଣ୍ଡଳସ୍ତରୀୟ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ କର୍ମଶାଳା ଉଦଯାପିତ 

Sunil Chandra Nayak

ଅଭାବୀ ପରିବାର କୁ ମାଏରା ଚେରିଟେବୁଲ ଟ୍ରଷ୍ଟର ସହାୟତା ପ୍ରଦାନ

Sunil Chandra Nayak

ନବରଙ୍ଗପୁର ଜିଲ୍ଲା ସଦର ମହକୁମାରେ ୭୪ ତମ ବନ ମହୋତ୍ସବ ପାଳିତ

Leave a Comment

error: Content is protected !!