ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁରାତନ “କୁର୍ଲା ବନ୍ଧ” (ଦରଳି ବନ୍ଧ)ରେ ଶ୍ମଶାନ ନିର୍ମାଣକୁ ବିରୋଧ : ପ୍ରଶାସନର ନୀରବତାକୁ ନେଇ କେବିଡି ଓ ଡଙ୍ଗରୀପଡା ଗ୍ରାମବାସୀଙ୍କ ଅସନ୍ତୋଷ

ପୁରାତନ “କୁର୍ଲା ବନ୍ଧ” (ଦରଳି ବନ୍ଧ)ରେ ଶ୍ମଶାନ ନିର୍ମାଣକୁ ବିରୋଧ : ପ୍ରଶାସନର ନୀରବତାକୁ ନେଇ କେବିଡି ଓ ଡଙ୍ଗରୀପଡା ଗ୍ରାମବାସୀଙ୍କ ଅସନ୍ତୋଷ

ଧର୍ମଗଡ: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅଞ୍ଚଳର କେବିଡ଼ି ଗ୍ରାମର ପୁରାତନ ପୋଖରୀ “କୁର୍ଲା ବନ୍ଧ” କୁ ନେଇ ଏବେ ଗ୍ରାମବାସୀଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଦେଖାଦେଇଛି। ପୁରାତନ କାଳରୁ ଏହି ପୋଖରୀ ଗ୍ରାମବାସୀଙ୍କ ଦୈନନ୍ଦିନ କାର୍ଯ୍ୟ, ପାଣି ବ୍ୟବହାର ଓ ସାମାଜିକ ଜୀବନର ଏକ ଅଂଶ ହୋଇ ଆସିଛି। ବିଶେଷକରି ଡଙ୍ଗରୀପଡା ଓ ଆଖପାଖ ଅଞ୍ଚଳର ଲୋକମାନଙ୍କର ଏହି ପୋଖରୀ ସହ ଦୀର୍ଘଦିନର ଆଧ୍ୟାତ୍ମିକ ଓ ସାଂସ୍କୃତିକ ସମ୍ପର୍କ ରହିଛି। 

ସମ୍ପ୍ରତି କିଛି ଜଣ ମୁଷ୍ଟିମେୟ ଓ ରାଜନୈତିକ ଦ୍ବାରା ପରିଚାଳିତ ଲୋକ ଏହି ପୋଖରୀ ନିକଟରେ ଏକ ଶ୍ମଶାନ ନିର୍ମାଣ ପାଇଁ ପ୍ରୟାସ କରୁଥିବାରୁ ଗ୍ରାମବାସୀ ତୀବ୍ର ବିରୋଧ ପ୍ରକାଶ କରିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁସାରେ, ଶ୍ମଶାନ ନିର୍ମାଣ ହେଲେ ପୋଖରୀର ପରିବେଶ ଓ ପରିଚ୍ଛନ୍ନତା ନଷ୍ଟ ହେବା ସହ ଗ୍ରାମର ସାଧାରଣ ଲୋକଙ୍କ ଦୈନନ୍ଦିନ କାର୍ଯ୍ୟକଳାପ ଗୁରୁତର ଭାବେ ପ୍ରଭାବିତ ହେବ। ଏହାସହ ପୋଖରୀର ଚାରିପାଖ ୧୦୦ ମିଟର ମଧ୍ୟରେ ସାଧାରଣ ଲୋକଙ୍କ ବସୋବାସ ଥିବାରୁ ଏଠାରେ ଶ୍ମଶାନ ନିର୍ମାଣ କରାଯିବା ସ୍ୱାସ୍ଥ୍ୟ, ପରିବେଶ ଓ ସାମାଜିକ ଦୃଷ୍ଟିକୋଣରୁ ଉଚିତ ନୁହେଁ ବୋଲି ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି।

ଏହାକୁ ନେଇ ଗ୍ରାମବାସୀମାନେ ଉପଜିଲ୍ଲାପାଳ ଧର୍ମଗଡ଼, ଏନ୍‌ଏସି ଇଓ ଧର୍ମଗଡ଼, ତହସିଲଦାର ଧର୍ମଗଡ଼, ଏନ୍‌ଏସି ଅଧ୍ୟକ୍ଷ ଓ ମାନ୍ୟବର ବିଧାୟକ, ଧର୍ମଗଡ଼ଙ୍କ ନିକଟରେ ଲିଖିତ ଅଭିଯୋଗ ପତ୍ର ଦାଖଲ କରିଥିଲେ। କିନ୍ତୁ ଦୁଃଖର ବିଷୟ, ଏପର୍ଯ୍ୟନ୍ତ ପ୍ରଶାସନ କିମ୍ବା ମାନ୍ୟବର ଧର୍ମଗଡ ବିଧାୟକ ଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଓ କ୍ଷୋଭ ବୃଦ୍ଧି ପାଇଛି।

ଗ୍ରାମବାସୀମାନେ କହିଛନ୍ତି ଯେ, ଏହି ପବିତ୍ର ଓ ଐତିହାସିକ ସ୍ଥାନରେ ଶ୍ମଶାନ ନିର୍ମାଣ ପରିବର୍ତ୍ତେ ଏକ “ପ୍ରହରୀ ମଣ୍ଡପ” ନିର୍ମାଣ କରାଯାଇ ସେଠାରେ ଆଧ୍ୟାତ୍ମିକ, ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉ।

ଏହି ଦାବିକୁ ନେଇ ଆଜି ଗ୍ରାମବାସୀମାନେ ସମୁହିକ ଭାବେ ସେଠାରେ “ଶୁଭ ଖମ୍ବ” ସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗ୍ରାମର ଶ୍ରୀଯୁକ୍ତ ଦେବରାଜ ନାଏକ,ଶ୍ରୀ ଜୟସଙ୍କର ନାଏକ, ସଂଜୟ ନାଏକ,ସରାଧାକର ନାଏକ , ହୃଷୀକେଶ ନାଏକ, ଶ୍ରୀମତୀ ସନ୍ତୋଷୀନି ନାଏକ , ଶ୍ରୀମତୀ ମମତା ବାଗ , ନରେନ୍ଦ୍ର ନାଏକ, ଡାକେ ଲହଜଲ ଓ ମନୋଜ କୁମାର ନାଏକ ଙ୍କ ସହ ବହୁ ବୟୋଜ୍ୟେଷ୍ଠ ଓ ଯୁବକ ଉପସ୍ଥିତ ଥାଇ କୁର୍ଲା ବନ୍ଧର ସୁରକ୍ଷା ଓ ଗ୍ରାମର ଐତିହ୍ୟ ରକ୍ଷା ପାଇଁ ଏକତାର ସନ୍ଦେଶ ଦେଇଥିଲେ।

ଏବେ ସମସ୍ତଙ୍କ ଦୃଷ୍ଟି ପ୍ରଶାସନର ପଦକ୍ଷେପ ଉପରେ ରହିଛି। ଗ୍ରାମବାସୀ ଶୀଘ୍ର ଏହି ସମସ୍ୟାର ସମାଧାନ ଓ ପୁରାତନ କୁର୍ଲା ବନ୍ଧର ସୁରକ୍ଷା ପାଇଁ ଦୃଢ଼ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ରାଉରକେଲା ବିମାନ ବନ୍ଦରର ଉନ୍ନତିକରଣ ପାଇଁ ଦାବି

masiha

ରାଇରଙ୍ଗପୁର ଡାକ୍ତରଖାନାରେ ବିଭିନ୍ନ ସମସ୍ୟା ନେଇ ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ‘ମାସା’ ତରଫରୁ ଦାବିପତ୍ର

masiha

ଜୟଦେବ କଳା ବିକାଶ କେନ୍ଦ୍ରର ୮ ମ ବାର୍ଷିକୋତ୍ସବ ସମ୍ପନ୍ନ 

masiha

Leave a Comment

error: Content is protected !!