ନବରଙ୍ଗପୁର ଜିଲା ଅଖିଳ ଭାରତୀୟ ଭତରା ବିକାଶ ପରିଷଦ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ସଭା ଓ ରାଜ୍ୟ କମିଟି ଗଠନ
ଡାବୁଗାଁ, ୩୦/୫ (ମ.ନି.ସ.)- ନବରଙ୍ଗପୁର ଜିଲା ଝରିଗାଁ ବ୍ଳକ ଧାମନାଗୁଡା ଗ୍ରାମ ପଞ୍ଚାୟତ ର ସଦରମହକୁମାରେ ଥିବା ମାଁ ଦନ୍ତେଶ୍ଵରୀ ଓ ବାବା ଭୈରବ ମନ୍ଦିର ପାଖରେ ଥିବା କଲ୍ୟାଣ ମଣ୍ଡପ ଠାରେ ଶନିବାର ଅପରାହ୍ନରେ ନବରଙ୍ଗପୁର ଜିଲା ଅଖିଳ ଭାରତୀୟ ଭତରା ବିକାଶ ପରିଷଦ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ସଭା ଓ ରାଜ୍ୟ କମିଟି ଗଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ନବରଙ୍ଗପୁର ଜିଲା ଅଖିଳ ଭାରତୀୟ ଭତରା ବିକାଶ ପରିଷଦ ଜିଲା ସଭାପତି ଜଗନ୍ନାଥ ମାଝୀ ଙ୍କ ସଭାପତିତ୍ଵରେ ସଭା କାର୍ଯ୍ୟ ଆରମ୍ଭ ପୂର୍ବରୁ ମା ଦାନେଶ୍ଵରୀ ଓ ବାବା ଭୈରବଙ୍କ ପାଖରେ ଧୂପ ଦୀପ ପ୍ରଜ୍ଜ୍ଵଳନ କରାଇ ଭୋଗ ନୈବେଦ୍ୟ ଦେଇ ପ୍ରଣାମ ନିବେଦନାନ୍ତେ ସଭା ସ୍ଥଳକୁ ଯାଇ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା l ଉକ୍ତ ସମ୍ବର୍ଦ୍ଧନା ସଭା ରେ ଅତିଥି ଆସନରେ ନବରଙ୍ଗପୁର ବିଧାୟକ ତଥା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଗୌରୀ ଶଙ୍କର ମାଝୀ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ଡାବୁଗାଁ ପୂର୍ବତନ ବିଧାୟକ ଭୂଜବଳ ମାଝୀ, ଜିଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ବାସନ୍ତୀ ମାଝୀ ଓ ଉପାଧ୍ୟକ୍ଷ ଲିଙ୍ଗରାଜ ଭତ୍ରl, କଳାହାଣ୍ଡି ଜିଲା ସଭାପତି ନୀଳକଣ୍ଠ ମାଝୀ, କୋରାପୁଟ ଜିଲା ସଭାପତି ମଙ୍ଗରାଜ ରନ୍ଧାରୀ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଦଶ ଗୋଟି ବ୍ଳକ ସଭାପତି, ସମ୍ପାଦକ ଦୁଇ ଗୋଟି ପୌରାଞ୍ଚଳ କର୍ମକର୍ତ୍ତା ଙ୍କ ସହ ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ମାଲକାନଗିରି ଓ ନୂଆପଡା ଜିଲାରୁ କର୍ମକର୍ତ୍ତା ବହୁସଂଖ୍ୟାରେ ଯୋଗ ଦେଇଥିଲେ l ଉକ୍ତ ସଭାରେ ନବରଙ୍ଗପୁର ବିଧାୟକ ତଥା ଯୋଜନା ବୋର୍ଡ଼ ଅଧ୍ୟକ୍ଷ, ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ସମସ୍ତ ଅତିଥି ଭତରା ସମ୍ପ୍ରଦାୟର ଉନ୍ନୟନ ଉପରେ ନିଜ ନିଜର ମତବ୍ୟକ୍ତ କରିଥିଲେ l ରାଜ୍ୟ କମିଟିର ନିର୍ବାଚନ ଅଧ୍ୟକ୍ଷ ଭାବେ ନବରଙ୍ଗପୁର ଜିଲାର ଗୋପିନାଥ ମାଝୀ, କଳାହାଣ୍ଡି ଜିଲାର ଗରୁଡ଼ଧ୍ଵଜ ମାଝୀ ଙ୍କୁ ଦାୟିତ୍ଵ ଦିଆଯାଇଥିଲା l ସେମାନେ ରାଜ୍ୟ ସଭାପତି ଭାବେ ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ଉପସଭାପତି ଭାବେ କୈଳାଶ ଚନ୍ଦ୍ର ମାଝୀ (କଳାହାଣ୍ଡି), ଦାମୋଦର ପୂଜାରୀ (ନବରଙ୍ଗପୁର), ଗୌର ଚନ୍ଦ୍ର ନାୟକ (କୋରାପୁଟ), ସାଧାରଣ ସମ୍ପାଦକ ରାଜମନ ଭତ୍ରl, ସହ ସମ୍ପାଦକ ଭାବେ କଳାହାଣ୍ଡି ଜିଲାର ରୁତୁ ରାଜ ମାଝୀ ଓ ନବରଙ୍ଗପୁର ଜିଲାର ହୃଦାନନ୍ଦ ନାୟକ, ସଂଯୋଜକ ସୁଶାନ୍ତ କୁମାର ମାଝୀ ଓ ସମସ୍ତ ମଞ୍ଚରେ ଉପସ୍ଥିତ ଅତିଥିବୃନ୍ଦଙ୍କୁ ପରାମର୍ଶ ଦାତା ଭାବେ ମନୋନୀତ କରାଯାଇ ସମସ୍ତଙ୍କୁ ଉତ୍ତରୀୟ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇ ଶପଥ ପାଠ କରାଯାଇଥିଲା l ପ୍ରତାପ ଚନ୍ଦ୍ର ନାୟକ, ଜୟ ରାମ ଭତ୍ରl, ଦୈତାରୀ ପୂଜାରୀ ଓ ଚନ୍ଦରୁ ପୂଜାରୀ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ l ପାପଡାହାଣ୍ଡି ବ୍ଳକ ମଇଦଲପୁର ପାଖ ସାନବାର୍ଲି ଗ୍ରାମର କେଶବ ମାଝୀ ଓଡିଶା ପ୍ରାଶାସନିକ ସେବା ପରୀକ୍ଷାରେ କୃତିତ୍ଵ ଅର୍ଜନ କରିଥିବାରୁ ଏଇ ମଞ୍ଚରେ ଉତ୍ତରୀୟ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରାଯାଇଥିଲା l ପିଲାଟି ବେଳରୁ ମାତାଙ୍କୁ ହରାଇ ବହୁ କଷ୍ଟରେ ବାପା ଓ ବଡ ଭାଇଙ୍କ ପ୍ରଚେଷ୍ଟାରେ ଏଇ ସଫଳତା ପାଇଥିବା ସୂଚନା ଦେଇଥିଲେ କେଶବ l ସେ ନିଜ ସାମାଜ କାମରେ ନିୟୋଜିତ ରହି ଉନ୍ନୟନ କାମ କରିବେ ବୋଲି ସ୍ୱୀକୃତି ପ୍ରଦାନ କରିଥିଲେ l ତାଙ୍କର ଏଇ ସଫଳତା ଭତରା ସାମାଜ ଯୁବପୀଢି ପାଇଁ ଉଦାହରଣ ହେଇ ରହୁ, ସମସ୍ତ ଯୁବ ପୀଢି ମନଦେଇ ପାଠ ପଢି ବହୁ ସଂଖ୍ୟାରେ ଏଇ ସଫଳତା ପାଆନ୍ତୁ ବୋଲି ମତବ୍ୟକ୍ତ କରିଥିଲେ l
ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

