ପୋଲସରା ରେ ରୋଜା ଟ୍ରେଡ଼ର୍ସ ଠକେଇ ଘଟଣା… ୮ ମାସ ପରେ ତାଲା ଭାଙ୍ଗି ସାମାନ ଜବତ କଲା ପୁଲିସ , ଲୁଟିଥିଲା କୋଟିଏ, ମିଳିଲା ମାତ୍ର ଲକ୍ଷେ!
ପୋଲସରା,୦୪/୦୬/୨୬ :ପୋଲସରା ରେ ବହୁ ଚର୍ଚ୍ଚିତ ରୋଜା ଟ୍ରେଡ଼ର୍ସ ଆଣ୍ଡ ସପ୍ଲାଇୟାର୍ସ ର ଠକେଇ ଘଟଣାର ୮ ମାସ ପରେ ସ୍ଥାନୀୟ ପ୍ରଶାସନ ଓ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଠକେଇ ସଂସ୍ଥା ପକ୍ଷରୁ ଖୋଲିଥିବା ଦୋକାନ ଘରକୁ ବୁଧବାର ପୋଲସରା ଅତିରିକ୍ତ ତହସିଲଦାର ତଥା ଏକଜୁଟିଭ ମାଜିଷ୍ଟ୍ରେଟ ରମେଶ ଚନ୍ଦ୍ର ମଲ୍ଲିକ ଙ୍କ ଉପସ୍ଥିତ ରେ ପୁଲିସ ତାଲାଭଙ୍ଗୀ ଭିତରେ ଥିବା କିଛି ସାମାନ ଜବତ କରିଛି। କିନ୍ତୁ କୌତୁହଳର କଥା ହେଲା ଯେତେବେଳେ ତାଲା ଭଂଗାଯାଇଥିଲା ଉପସ୍ଥିତ ପୁଲିସ କର୍ମଚାରୀ ଓ କିଛି ଗ୍ରାହକ ତାଜୁବ ହୋଇଯାଇଥିଲେ। କାରଣ କିଛି ଫର୍ନିଚର ଓ ଛୋଟ ମୋଟ ସାମାନ ଛାଡିଦେଲେ ଅନ୍ୟ କିଛି ମୂଲ୍ୟବାନ ଉପକରଣ ନଥିଲା । ଯାହା ଗ୍ରାହକଙ୍କୁ ଗୋଟିଏ ପ୍ରକାର ଝଟକା ଲାଗିଥିଲା କାହିଁକିନା ଗ୍ରାହକଙ୍କ ମନରେ ବିଶ୍ୱାସ ଭରିରହିଥିଲା ଦୋକାନ ତାଲା ଭାଙ୍ଗିଲା ପରେ କିଛି ନା କିଛି ସାମାନ ମିଳିବ। କିନ୍ତୁ ଗ୍ରାହକ ଙ୍କ ଏତେ ମାସର ଅପେକ୍ଷା ଓ ଆଶା ଧୂଳିସାତ ହୋଇଯାଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାଇ ଜବତ ସାମଗ୍ରୀ ମଧ୍ୟରେ ଡବଲ ବେଡ଼, ସୋଫା, ଆଲମିରା, ଅଫିସ ଟେବୁଲ, ଷ୍ଟଡି ଟେବୁଲ ସମେତ ଅଳ୍ପ ପରିମାଣରେ ଫର୍ନିଚାର ଜବତ ହୋଇଛି। ଏବଂ ତାହାର ଆନୁମାନିକ ମୂଲ୍ୟ ପାଖାପାଖି ଲକ୍ଷେ କି ୨ ଲକ୍ଷେ ହୋଇପାରେ ବୋଲି ଅନୁମାନ କରାଯଉଛି । ସୂଚନା ଯେ ପୋଲସରା ଏନଏସି ଅନ୍ତର୍ଗତ ପାଟଣାପଦର ଛକରେ ତାମିଲନାଡୁ ପୁଦିକଟା ଜିଲ୍ଲାରୁ କିଛି ଯୁବକ ରୋଜା ଟ୍ରେଡ଼ର୍ସ ଆଣ୍ଡ ସପ୍ଲାଇୟାର୍ସ ନାଁ ଏକ ସଂସ୍ଥା ଖୋଲି ନାମୀଦାମୀ ଜିନିଷ ସବୁ ଶସ୍ତା ରେ ବିକ୍ରି କରୁଥିଲେ। ଗତ ବର୍ଷ ଜୁଲାଇ ମାସରେ ଖୋଲିଥିବା ଏହି ସଂସ୍ଥାର ଜିନିଷ ଓ ଏହାର ଦରଦାମ ଆକର୍ଷଣୀୟ ଥିଲା ଯାହାଫଳରେ ଦୈନିକ ଲକ୍ଷ ଲକ୍ଷ ଟଙ୍କାର କାରବାର ହେଉଥିଲା। ସକାଳୁ ରାତି ପର୍ଯ୍ୟନ୍ତ ଲୋକଙ୍କ ଭିଡ ଯମୁଥିଲା ଆଗୁଆ ବୁକିଂ କରିବା ପାଇଁ କାହିଁକି ନା ସବୁଜିନିଷ ଉପରେ ପାଖାପାଖି ପଚାଶପ୍ରତିଶତ ପର୍ଯ୍ୟନ୍ତ ରିହାତି ଥିଲା ସେଥିପାଇଁ ପ୍ରଥମେ ଗ୍ରାହକଙ୍କୁ ପଇସା ଦେଇ ଜିନିଷ ପାଇଁ ୧୫ ଦିନ ଅପେକ୍ଷା କରିବାକୁ ପଡିଥାଏ। ନୂଆ ନୂଆରେ ଗ୍ରାହକଙ୍କ ଇଚ୍ଛା ମୁତାବକ ଶୀଘ୍ର ଶୀଘ୍ର ଜିନିଷର ଡେଲିଭେରୀ ଦେଉଥିଲା ଯାହାର ଫଳ ସ୍ୱରୂପ ଏହି ସଂସ୍ଥାର ପ୍ରଚାର ପ୍ରସାର ଚାରିଆଡେ ମାଡିଗଲା ଓ ଆଖ ପାଖ ଅଂଚଳରୁ ଲୋକଙ୍କ ସୁଅ ଛୁଟିଲା କିଏ ଟିଭି, ଫ୍ରିଜ଼, ୱାସିଂ ମେସିନ ପାଇଁ ତ ଆଉ କିଏ ଖଟ, ସୋଫା, ଗଦି ପାଇଁ ଆଉ କିଏ କିଏ ବାସନ କୁସନ ପାଇଁ ଏପରିକି କେହି କେହି ଲକ୍ଷ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅଗ୍ରୀମ ପଇସା ଦେଇଥିବା ଜଣାପଡୁଛି। କିନ୍ତୁ କେହି ସଚେତନତା ନଥିଲେ ଏହାପ୍ରତି ବରଂ ପଇସା ଦେଲା ପରେ ରସିଦ ନେଇ ଖୁସିରେ ଫେରୁଥିଲେ ଯଦି ବି ମନରେ ଟିକିଏ ଆଶଙ୍କା ରହୁଥିଲା କିନ୍ତୁ ତାଠୁ ଅଧିକ ଲୋଭ ଥିଲା ମନରେ। ଯାହାର ସିଧା ଫାଇଦା ଉଠାଇଥିଲା ଠକ ସଂସ୍ଥା ଏବଂ ଲୋକଙ୍କୁ ଆକର୍ଷିତ କରି ଗତବର୍ଷ ଜୁଲାଇ ମାସ ୪ ତାରିଖ ରେ ଉକ୍ତ ସଂସ୍ଥା ଗ୍ରାହକଙ୍କୁ ଲୋଭ ଦେଖାଇ ଚମ୍ପଟ ମାରିଥିଲା । ସୂଚନା ଯେ ଗ୍ରାହକ ଠକାମୀ ପୂର୍ବରୁ ଏନେଇ ପ୍ରଥମେ ଦୈନିକ ଖବର କାଗଜ “ସକାଳ” ରେ ପ୍ରଥମେ ଲୋଭନୀୟ ଆକର୍ଷଣ ଦେଖାଇ ଠକାମୀ ରେ ପଡି ପାରନ୍ତି ବୋଲି ପ୍ରକାଶ ପାଇଥିଲା।

