“ଜୁନାଗଡ଼ରେ ଭକ୍ତି, ସେବା ଓ ସଂସ୍କାରର ବାର୍ତ୍ତା ଦେଲା ରଥଯାତ୍ରା”
ଜୁନାଗଡ଼୧୭/୭, (ମନୀ ସ): ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଓଡ଼ିଆ ଜାତିର ସଂସ୍କୃତି, ପରମ୍ପରା ଓ ଆଧ୍ୟାତ୍ମିକ ଆସ୍ଥାର ଏକ ଅନନ୍ୟ ପର୍ବ। ଏହି ପବିତ୍ର ଅବସରରେ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ସହରରେ ମହାଆଡମ୍ବର ଓ ଭକ୍ତିମୟ ପରିବେଶ ମଧ୍ୟରେ ରଥଯାତ୍ରା ପାଳିତ ହୋଇଥିଲା।
ସକାଳୁ ହିଁ ହଜାର ହଜାର ଶ୍ରଦ୍ଧାଳୁ ରଥ ଦର୍ଶନ ଓ ରଥଟାଣିବା ପାଇଁ ଏକତ୍ରିତ ହୋଇଥିଲେ। “ଜୟ ଜଗନ୍ନାଥ” ଧ୍ୱନିରେ ସମଗ୍ର ସହର ପ୍ରକମ୍ପିତ ହୋଇଉଠିଥିଲା ଏବଂ ଭକ୍ତମାନେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଥିଲେ।ସ୍ଥାନୀୟ ଦଧିବାବନ ମନ୍ଦିର, ଦଙ୍ଗାଘାଟପଡା ଜଗନ୍ନାଥ ମନ୍ଦିର, କଲମପୁର ଛକ ଶୈଳେଶ୍ୱରୀ କ୍ଷେତ୍ର ,ଓ ହିଂଜିଲି ବାହଲି ଜଗନ୍ନାଥ ମନ୍ଦିର ମାନଙ୍କରେ ନିର୍ଦ୍ଧାରିତ ରୀତି କାନ୍ତି ସହିତ ପ୍ରବଳ ଉତ୍ସାହ ,ଓ ଶାନ୍ତି ଶୃଙ୍ଖଳା ସହ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା।ଏଥିନେଇ ସହର ପ୍ରବଳ ଜନଗହଳି ହୋଇ ଥିଲା।
ଏହି ଅବସରରେ ମାରୱାଡ଼ି ମହିଳା ସମିତି, ଜୁନାଗଡ଼ (ଉତ୍କଳ ପ୍ରଦେଶ) ଆନୁକୂଲ୍ୟରେ ଏବଂ ମିତ୍ତଲ ପରିବାରଙ୍କ ସହଯୋଗରେ ଏକ ନିଆରା ରଥଯାତ୍ରାର ଆୟୋଜନ କରାଯାଇଥିଲା। କୁନି କୁନି ଛୁଆମାନେ ନିଜ ହାତରେ ଏକ ସୁନ୍ଦର କ୍ଷୁଦ୍ର ରଥ ନିର୍ମାଣ କରି ରଥଯାତ୍ରାରେ ସାମିଲ ହୋଇ ନୂତନ ପିଢ଼ିକୁ ଧାର୍ମିକ ସଂସ୍କାର, ଓଡ଼ିଆ ପରମ୍ପରା ଓ ସେବାଭାବ ସହ ଯୋଡ଼ିବାର ଏକ ସୁନ୍ଦର ବାର୍ତ୍ତା ପ୍ରଦାନ କରିଥିଲେ। ଶିଶୁମାନଙ୍କ ଏହି ପ୍ରୟାସ ଉପସ୍ଥିତ ସମସ୍ତଙ୍କ ମନକୁ ଆକର୍ଷିତ କରିଥିଲା।
ସେହିପରି ରଥଯାତ୍ରାରେ ଯୋଗଦେଇଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କ ପାଇଁ ସମିତି ପକ୍ଷରୁ ମାଗଣା ପ୍ରସାଦ ବଣ୍ଟନର ବ୍ୟବସ୍ଥା କରାଯାଇଥିଲା। ସମିତିର ମହିଳା ସଦସ୍ୟାମାନେ ନିଷ୍ଠା ଓ ଆନ୍ତରିକତାର ସହିତ ଭକ୍ତମାନଙ୍କୁ ପ୍ରସାଦ ବିତରଣ କରି ସେବାର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ସୃଷ୍ଟି କରିଥିଲେ। ଭକ୍ତି, ସେବା ଓ ସଂସ୍କାରର ଏହି ସୁନ୍ଦର ସମନ୍ୱୟ ଜୁନାଗଡ଼ ରଥଯାତ୍ରାକୁ ଆହୁରି ଆକର୍ଷଣୀୟ କରିଥିବା ବେଳେ, ଏଭଳି ମହତ୍ ପ୍ରୟାସକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଶ୍ରଦ୍ଧାଳୁମାନେ ଉଚ୍ଚ ପ୍ରଶଂସା କରିଛନ୍ତି।
ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍

