ନମିତା ବୁଖରା : ଶିକ୍ଷା ପାଇଁ ସମର୍ପିତ ପ୍ରାଣ ଟିଏ
ରାଉରକେଲା/ବାଲିଶଙ୍କରା :- ସାଂପ୍ରତିକ ପରିସ୍ଥିତିରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦାୟୀତ୍ଵବୋଧତାକୁ ନେଇ ଅନେକ ପ୍ରଶ୍ନ ଉଠୁଥିବା ବେଳେ ଏହାର ଏକ ବ୍ୟତିକ୍ରମ ହେଉଛନ୍ତି ସୁନ୍ଦରଗଡ଼ ମାତୃବିହାର ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ଶିକ୍ଷୟିତ୍ରୀ ନମିତା ବୁଖରା। ଶିକ୍ଷା ପାଇଁ ତାଙ୍କ ନିଷ୍ଠା, ଅନୁରାଗ ଓ ସମର୍ପଣ ଭାବ ଛାତ୍ରଛାତ୍ରୀଙ୍କ ମହଲରେ ତାଙ୍କୁ ବେଶ୍ ଆଦୃତ କରିଥିବା ବେଳେ ଅଭିଭାବକ ମହଲରେ ମଧ୍ୟ ବେଶ୍ ଆଦୃତ କରିଛି। ତାଛଡା ତାଙ୍କ ସରଳତା, ନମ୍ରତା, ଛାତ୍ର ବତ୍ସଲତା ମଧ୍ଯ ଅନେକଙ୍କ ପାଇଁ ଉଦାହରଣ ପାଲଟିଛି। ବାଲିଶଙ୍କରା ବ୍ଲକ୍ ଅନ୍ତର୍ଗତ ରାମପୁର୍ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ପଞ୍ଚାନନ ବୁଖରା ଓ ଗୋଲାପି ମହାନନ୍ଦିଆଙ୍କ ଜୈଷ୍ଠ କନ୍ୟା ନମିତା ଛୋଟ ଦିନରୁ ଜଣେ ମେଧାବୀ ଛାତ୍ରୀ ହୋଇଥିବା ବେଳେ ଶିକ୍ଷା ପାଇଁ କିଛି କରିବାର ସ୍ବପ୍ନ ଛୋଟ ଦିନରୁ ହିଁ ତାଙ୍କ ମନରେ ଖୁନ୍ଦି ହୋଇଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ଉଚ୍ଚ ଶିକ୍ଷା ଗ୍ରହଣ କଲାପରେ ସେ ସୁନ୍ଦରଗଡ଼ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରରେ ଶିକ୍ଷୟିତ୍ରୀ ଭାବରେ ଯୋଗଦେଇ ନିଜର ଅଧୁରା ସ୍ବପ୍ନକୁ ପୂରଣ କରିବା ଦିଗରେ ଅଗ୍ରସର ହୋଇଥିଲେ। ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରରେ ଯୋଗଦେବାର ଅଳ୍ପ ଦିନ ପରେ ହିଁ ଶ୍ରେଣୀଗୃହରେ ତାଙ୍କ ପାଠ ପଢ଼ାଇବାର ଶୈଳୀ ଛାତ୍ରଛାତ୍ରୀଙ୍କ ସମେତ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପରିଚାଳନା ସମିତିର ଦୃଷ୍ଟି ଆକର୍ଷଣ କରିଥିଲା। ଛାତ୍ରଛାତ୍ରୀଙ୍କୁ ମାଆ ଭଳି ଅତି ଆଦର କରି ଅତି ପ୍ରାଞ୍ଜଳ ଭାବରେ ବୁଝାଇ ପାଠ ପଢ଼ାଉଥିବା ନମିତାଙ୍କ ଶିକ୍ଷାଦାନ ଶୈଳୀ ସ୍ଵତନ୍ତ୍ର ହୋଇଥିବା ବେଳେ ଏହା ଛାତ୍ରଛାତ୍ରୀଙ୍କ ଜ୍ଞାନ ଆହରଣ ପାଇଁ ସହଜ ସାବ୍ୟସ୍ତ ହେଉଛି। ଏଭଳି ଅଭିନବ ପ୍ରୟାସ ସମ୍ପର୍କରେ ନମିତାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଶିକ୍ଷା କେବଳ ଏକ ଡିଗ୍ରୀ ହାସଲ କରିବାର ମାଧ୍ୟମ ନୁହେଁ। ବରଂ ଏହା ମଣିଷର ବ୍ୟକ୍ତିତ୍ୱ ବିକାଶ, ନୈତିକ ଚେତନା, ସାମାଜିକ ଦାୟିତ୍ୱବୋଧ ଓ ଜୀବନ ଜୀବିକାର ଦକ୍ଷତା ଅର୍ଜନର ଭିତ୍ତିଭୂମି ଅଟେ। ତେଣୁ ନୈତିକ ଓ ମୂଲ୍ୟବୋଧ ଆଧାରିତ ଶିକ୍ଷାକୁ ଆମକୁ ପୁନର୍ଜୀବିତ କରିବାକୁ ହେବ। ସତ୍ୟନିଷ୍ଠା, ସହାନୁଭୂତି, ସହନଶୀଳତା, ସାମାଜିକ ଦାୟିତ୍ୱବୋଧ ଓ ମାନବିକତା ପରି ଗୁଣଗୁଡ଼ିକ ଛାତ୍ରଛାତ୍ରୀ ଭିତରେ ଉଦ୍ରେକ କରିବାକୁ ପଡିବ। ତେବେ ଯାଇ ଏକ ସୁସ୍ଥ ସମାଜ ଏବଂ ବୈଭବଶାଳୀ ଭାରତ ଗଠନ ସମ୍ଭବ ହୋଇପାରିବ ବୋଲି ନମିତା ପ୍ରକାଶ କରିଛନ୍ତି।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

