ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିଚିଆ ଶିବମନ୍ଦିର ଖେଳ ପଡ଼ିଆରେ ବିନା ସୂଚନା ଫଳକରେ ଷ୍ଟେଜ ନିର୍ମାଣ

ଚିଚିଆ ଶିବମନ୍ଦିର ଖେଳ ପଡ଼ିଆରେ ବିନା ସୂଚନା ଫଳକରେ ଷ୍ଟେଜ ନିର୍ମାଣ

ଜୁନାଗଡ଼ (ମ ନି ସ):- କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚିଚିଆ ଗ୍ରାମ ପଞ୍ଚାୟତର ଶିବମନ୍ଦିର ଖେଳ ପଡ଼ିଆରେ ବିନା ସୂଚନା ଫଳକରେ ଏକ ଷ୍ଟେଜ ନିର୍ମାଣ କାମ ଚାଲିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଓ ଅନିଶ୍ଚିତତା ପ୍ରକାଶ ପାଇଛି। କାମଟି କେଉଁ ଯୋଜନାରେ, କେତେ ଅର୍ଥ ବ୍ୟୟରେ ଏବଂ କେଉଁ ବିଭାଗ ଦ୍ୱାରା କରାଯାଉଛି, ସେ ସମ୍ପର୍କରେ କୌଣସି ସୂଚନା ସାର୍ବଜନୀନ ଭାବେ ପ୍ରଦର୍ଶିତ ହୋଇନଥିବାରୁ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ୨୦୨୨–୨୩ ଆର୍ଥିକ ବର୍ଷରେ ମନରେଗା ଯୋଜନା ଅଧୀନରେ ପ୍ରାୟ ୧୦ ଲକ୍ଷ ଟଙ୍କା ବ୍ୟୟରେ ଶିବମନ୍ଦିର ଖେଳ ପଡ଼ିଆର ଉନ୍ନତିକରଣ ସହ ଏକ ଷ୍ଟେଜ ନିର୍ମାଣ ପାଇଁ ଅନୁମୋଦନ ମିଳିଥିଲା। ତେବେ ସେହି କାମ ସମ୍ପୂର୍ଣ୍ଣ ହୋଇଥିଲା କି ନାହିଁ ଏବଂ ଅନୁମୋଦିତ ଅର୍ଥର ସଠିକ୍ ବିନିଯୋଗ ହୋଇଥିଲା କି ନାହିଁ, ତାହାକୁ ନେଇ ସ୍ଥାନୀୟ ଲୋକ ପ୍ରଶ୍ନ ଉଠାଇଛନ୍ତି। ବର୍ତ୍ତମାନ ପୁଣି ଷ୍ଟେଜ ନିର୍ମାଣ ହେଉଥିବାରୁ ଏହା ନୂତନ ପ୍ରକଳ୍ପ ନା ପୂର୍ବରୁ ଅନୁମୋଦିତ କାମର ଅବଶିଷ୍ଟ ଅଂଶ, ତାହା ସ୍ପଷ୍ଟ ହୋଇନାହିଁ। ସାଧାରଣତଃ ସରକାରୀ ନିର୍ମାଣ କାର୍ଯ୍ୟ ସ୍ଥଳରେ କାମର ନାମ, ଯୋଜନା, ପ୍ରକଳ୍ପ ମୂଲ୍ୟ, କାର୍ଯ୍ୟ ଅବଧି ଓ କାର୍ଯ୍ୟନିର୍ବାହୀ ସଂସ୍ଥା ସମ୍ପର୍କିତ ବିବରଣୀ ସହ ସୂଚନା ଫଳକ ପ୍ରଦର୍ଶନ କରାଯାଏ। କିନ୍ତୁ ଏହି କାର୍ଯ୍ୟସ୍ଥଳରେ ସେପରି କୌଣସି ସୂଚନା ଫଳକ ନଥିବାରୁ କାମର ସ୍ୱଚ୍ଛତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଗ୍ରାମବାସୀମାନେ ଦାବି କରିଛନ୍ତି ଯେ, ସମ୍ପୃକ୍ତ ବିଭାଗ ତୁରନ୍ତ କାମର ସମସ୍ତ ତଥ୍ୟ ସାର୍ବଜନୀନ କରିବା ସହ ୨୦୨୨–୨୩ ମସିହାରେ ମନରେଗା ଅଧୀନରେ ଅନୁମୋଦିତ ଖେଳ ପଡ଼ିଆ ଓ ଷ୍ଟେଜ ନିର୍ମାଣ ପ୍ରକଳ୍ପର ଅଗ୍ରଗତି ଏବଂ ବ୍ୟୟ ସମ୍ପର୍କରେ ତଦନ୍ତ କରାଯାଉ। ଯଦି କୌଣସି ଅନିୟମିତତା ହୋଇଥାଏ, ତେବେ ତାହାର ନିରପେକ୍ଷ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି। ଏହି ଘଟଣା ସମ୍ପର୍କରେ ଗୋଲାମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ୱନାଥ ରାଉତଙ୍କ ପ୍ରତିକ୍ରିୟା ମାଗିବାରୁ ସେ କହିଥିଲେ, “ମୋ ମାଇଣ୍ଡକୁ କମ୍ପ୍ୟୁଟର ଭଳି ସଜାଡୁଛି, ପରେ ପ୍ରତିକ୍ରିୟା ଦେଇପାରିବି। ସରପଞ୍ଚ ଓ ପିଓଙ୍କୁ କୁହନ୍ତୁ, ମୋତେ ଫୋନ୍ କରିବେ।” ଏହି ପ୍ରତିକ୍ରିୟାକୁ ନେଇ ଗଣମାଧ୍ୟମ ପ୍ରତିନିଧି ମହଳରେ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ, ଚିଚିଆ ସରପଞ୍ଚ ମଦନ ପଟେଲଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି ଯେ, ବର୍ତ୍ତମାନ ଚାଲିଥିବା ଷ୍ଟେଜ ନିର୍ମାଣ ଏକ ନୂଆ କାମ। ଏପର୍ଯ୍ୟନ୍ତ ଜିଓଟ୍ୟାଗିଂ କିମ୍ବା ପ୍ରକଳ୍ପ ଫାଇଲ୍ ଖୋଲାଯାଇନାହିଁ। ଫାଇଲ୍ ଖୋଲାଯିବା ପରେ ସୂଚନା ଫଳକରେ କାମର ସମସ୍ତ ବିବରଣୀ ଉଲ୍ଲେଖ କରାଯିବ। ତେବେ ଗ୍ରାମବାସୀଙ୍କ ପ୍ରଶ୍ନ ହେଉଛି, ପ୍ରକଳ୍ପର ଫାଇଲ୍ ଓ ଜିଓଟ୍ୟାଗିଂ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପୂର୍ବରୁ କିପରି ନିର୍ମାଣ କାମ ଆରମ୍ଭ କରାଗଲା ଏବଂ ସୂଚନା ଫଳକ ବିନା କାମ କରାଯିବା ସରକାରୀ ନିୟମାବଳୀ ସହ ସଙ୍ଗତିପୂର୍ଣ୍ଣ କି ନୁହେଁ । ଏ ନେଇ ଏହି କାମ ଉପରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ନିରପେକ୍ଷ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି ।

ଜଗଜ୍ଜିବନ ସାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

masiha

ବହୁବୁଧ ସେବାରେ ସାମାଜିକ ସଂଗଠନ ବିପଦର ବନ୍ଧୁ ସଙ୍ଗଠନ 

masiha

ନ୍ୟୁ ଇଣ୍ଡିଆ ଦ୍ୱାରା ବର୍ଷାଜଳ ସଂରକ୍ଷଣ ସଚେତନତା

Sunil Chandra Nayak

Leave a Comment

error: Content is protected !!