ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ପୌରପାଳିକାରେ ୭୩ତମ ସ୍ଥାନୀୟ ସ୍ଵାୟତ୍ତ ଶାସନ ଦିବସ-୨୦୨୬ ପାଳିତ  ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଉଦ୍‌ଘାଟିତ

ନବରଙ୍ଗପୁର ପୌରପାଳିକାରେ ୭୩ତମ ସ୍ଥାନୀୟ ସ୍ଵାୟତ୍ତ ଶାସନ ଦିବସ-୨୦୨୬ ପାଳିତ 

୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଉଦ୍‌ଘାଟିତ

ନବରଙ୍ଗପୁର:(ତା. ୩୧.୦୮.୨୦୨୬)(ରବି ନାରାୟଣ ମହାନ୍ତି) ନବରଙ୍ଗପୁର ପୌରପାଳିକା କାର୍ଯ୍ୟାଳୟ ପରିସରରେ ଆଜି ଉତ୍ସାହ ଓ ଉଦ୍ଦୀପନାର ସହିତ ୭୩ତମ ସ୍ଥାନୀୟ ସ୍ୱାୟତ୍ତ ଶାସନ ଦିବସ-୨୦୨୬ ପାଳିତ ହୋଇଯାଇଛି। ସହରାଞ୍ଚଳର ବିକାଶ, ଉତ୍ତମ ନାଗରିକ ସେବା ପ୍ରଦାନ, ସ୍ୱଚ୍ଛତା, ପରିମଳ ଓ ମୌଳିକ ଭିତ୍ତିଭୂମିର ସୁଦୃଢ଼ୀକରଣ ଦିଗରେ ସ୍ଥାନୀୟ ସ୍ଵାୟତ୍ତ ଶାସନ ସଂସ୍ଥାର ଭୂମିକାକୁ ସ୍ମରଣ କରି ଏହି ଦିବସ ପାଳନ କରାଯାଇ ଥିଲା।ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ନବରଙ୍ଗପୁରର ମାନ୍ୟବର ସାଂସଦ (ଲୋକସଭା )ବଳଭଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନବରଙ୍ଗପୁରର ମାନ୍ୟବର ବିଧାୟକ ତଥା ଅଧ୍ୟକ୍ଷ ଜିଲ୍ଲା ଯୋଜନା ବୋର୍ଡ ଗୌରୀଶଙ୍କର ମାଝୀ, ନବରଙ୍ଗପୁର ଜିଲ୍ଲାପାଳ ଡଃ ମହେଶ୍ୱର ସ୍ୱାଇଁ, ନବରଙ୍ଗପୁର ପୌରପାଳିକାର ଅଧ୍ୟକ୍ଷ କୁନୁ ନାୟକ, ଉପାଧ୍ୟକ୍ଷା ସୌମ୍ୟା ମହାପାତ୍ର ,ପୌରପାଳିକା ନିର୍ବାହୀ ଅଧିକାରୀ ଅଶୋକ କୁମାର କର୍ଣ୍ଣ ପ୍ରମୁଖ ମଞ୍ଚାସୀନ ଥିଲେ।

ଏଥିସହିତ ନବରଙ୍ଗପୁର ପୌରପାଳିକାର ସମସ୍ତ ୱାର୍ଡ କାଉନସିଲର, ପୌରପାଳିକାର ଅଧିକାରୀ ଓ କର୍ମଚାରୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ପୂର୍ବତନ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ, ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତିବର୍ଗ, ବିଦ୍ୟାଳୟର ଛାତ୍ରଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି ଓ ବହୁ ସଂଖ୍ୟକ ଜନସାଧାରଣ ଉପସ୍ଥିତ ଥିଲେ।ସମାରୋହରେ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ-୨୦୨୬ ପାଳନ କାର୍ଯ୍ୟକ୍ରମକୁ ସିଧା ପ୍ରସାରଣ ମାଧ୍ୟମରେ ଉପସ୍ଥିତ ଅତିଥି, ଜନପ୍ରତିନିଧି ଓ ଜନସାଧାରଣ ଦେଖିଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହର ୨.୦ (PMAY-U 2.0) ଅଧୀନରେ ମୋଟ ୫୪ ଜଣ ହିତାଧିକାରୀଙ୍କୁ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ (Work Order) ପ୍ରଦାନ କରାଯାଇଥିଲା। ଏହା ମାଧ୍ୟମରେ ଆବାସହୀନ ଓ ଆବାସ ଆବଶ୍ୟକତା ଥିବା ପରିବାରମାନଙ୍କୁ ସୁରକ୍ଷିତ ଓ ସମ୍ମାନଜନକ ଆବାସ ଯୋଗାଇବା ଦିଗରେ ପଦକ୍ଷେପ ନିଆଯାଇଛି।ସେହିପରି ମଧୁବାବୁ ପେନସନ ଯୋଜନା (MBPY) ଅଧୀନରେ ୧୦ ଜଣ ହିତାଧିକାରୀଙ୍କୁ ମଞ୍ଜୁରୀ ଆଦେଶ ପ୍ରଦାନ କରାଯାଇଥିଲା।

ପୌରପାଳିକାର ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥାକୁ ସୁଚାରୁ ରଖିବାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ସାନିଟେସନ୍ କର୍ମଚାରୀମାନଙ୍କୁ ପୋଷାକ ଓ ଶାଢ଼ୀ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା।ନବରଙ୍ଗପୁର ପୌରପାଳିକାର ବିକାଶ ଓ ପ୍ରଗତିରେ ଅବଦାନ ରଖିଥିବା ପୂର୍ବତନ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷମାନଙ୍କୁ ପୌରପାଳିକା ପକ୍ଷରୁ ଏହି ଅବସରରେ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ଥାନୀୟ ସ୍ୱୟଂଶାସନ ବ୍ୟବସ୍ଥାକୁ ମଜବୁତ କରିବାରେ ସେମାନଙ୍କ ଅବଦାନକୁ ଅତିଥିମାନେ ପ୍ରଶଂସା କରିଥିଲେ।ବିଭିନ୍ନ କ୍ଷେତ୍ରରେ ଆୟୋଜିତ ପ୍ରତିଯୋଗିତାରେ ଉତ୍କର୍ଷ ପ୍ରଦର୍ଶନ କରିଥିବା ଉତ୍ତୀର୍ଣ୍ଣ ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ ଓ ସମ୍ମାନିତ କରାଯାଇଥିଲା।

ସ୍ଥାନୀୟ ସ୍ୱାୟତ୍ତ ଶାସନ ଦିବସ ଅବସରରେ ନବରଙ୍ଗପୁର ପୌରପାଳିକା ଅଧୀନରେ ଜନସାଧାରଣଙ୍କ ସୁବିଧା ଓ ସହରର ଭିତ୍ତିଭୂମି ବିକାଶ ପାଇଁ ନିର୍ମିତ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରାଯାଇଥିଲାଏଥିମଧ୍ୟରେ ପୌରପାଳିକା କାର୍ଯ୍ୟାଳୟର OSWAN କେନ୍ଦ୍ର, ସ୍ମାର୍ଟ ପାର୍କ, ପେଭର ରୋଡ୍ ଓ ହାଇମାଷ୍ଟ ଲାଇଟ୍‌ ଭଳି ବିଭିନ୍ନ ପ୍ରକଳ୍ପ ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପଗୁଡ଼ିକର ମୋଟ ମୂଲ୍ୟ ୨ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହୋଇଥିବା ବେଳେ, ଏହା ଦ୍ୱାରା ନବରଙ୍ଗପୁର ସହରର ଭିତ୍ତିଭୂମି, ସୌନ୍ଦର୍ଯ୍ୟୀକରଣ, ଆଲୋକୀକରଣ ଓ ନାଗରିକ ସୁବିଧାରେ ଉଲ୍ଲେଖନୀୟ ଉନ୍ନତି ଆସିବ।ଅତିଥିମାନେ ନିଜ ଅଭିଭାଷଣରେ ସ୍ଥାନୀୟ ସ୍ୱୟଂଶାସନ ସଂସ୍ଥାଗୁଡ଼ିକୁ ଅଧିକ ଜନମୁଖୀ, ସ୍ୱଚ୍ଛ ଓ ଉତ୍ତରଦାୟୀ କରିବା ସହିତ ନାଗରିକମାନଙ୍କୁ ସମୟୋପଯୋଗୀ ଓ ଉତ୍ତମ ସେବା ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ। ସହରର ସାମଗ୍ରିକ ବିକାଶ ପାଇଁ ଜନପ୍ରତିନିଧି, ପୌର ପ୍ରଶାସନ ଓ ନାଗରିକମାନଙ୍କ ମଧ୍ୟରେ ସମନ୍ୱୟ ଓ ସହଯୋଗ ଅତ୍ୟନ୍ତ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଶିକ୍ଷଣ ବ୍ୟବସ୍ଥା କୁ ନୂତନ ରୂପରେ ଶିକ୍ଷା ଦେବା ଉପରେ ତାଲିମ

Sunil Chandra Nayak

ଚାରି ଦଫା ଦାବି ନେଇ ନିଖିଳ ଓଡିଶା ବିଦ୍ୟୁତ୍ ମଜଦୁର ମହାସଂଘର ଜିଲ୍ଲାପାଳଙ୍କୁ ଦାବୀ ପତ୍ର

Sunil Chandra Nayak

ଓମ୍ବାଡସି ଓଏସ୍‌ଡିଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ ବିଭିନ୍ନ ପାଠାଗାରର ନିରୀକ୍ଷଣ ଏବଂ ଆଞ୍ଚଳିକ ଖାଦ୍ୟ ପରୀକ୍ଷଣ ପ୍ରୟୋଗଶାଳାର କାର୍ଯ୍ୟ ସମୀକ୍ଷା

Sunil Chandra Nayak

Leave a Comment

error: Content is protected !!