ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ସାମ୍ବାଦିକ ଗୌରବ ଶାଳବଣ ର କବି ଗିରୀଶ ଚନ୍ଦ୍ର ନନ୍ଦଙ୍କ ଶ୍ରାଦ୍ଧ ଦିବସ ରେ ବୃକ୍ଷ ରୋପଣ , ୨- ଭୀମଭୋଇ ସାମର୍ଥ୍ୟ ଶିବିର ରେ ୨୨୬ ଭିନ୍ନକ୍ଷମ ପଞ୍ଜୀକୃତ , ୩- ମାଳମାଳ ସମସ୍ୟା ଭିତରେ ସ୍ମାର୍ଟ ସିଟିର ସ୍ୱପ୍ନ ଦେଖୁଛି ଢେଙ୍କାନାଳ”, ୪-ଢେଙ୍କାନାଳରେ ଖୋଲା କୂଅରୁ ଆହତ ମାଈ ହାତୀ ଛୁଆ ଉଦ୍ଧାର, ୫- ଗୋରୁଙ୍କ କବ୍‌ଜାରେ ରାଜରାସ୍ତା,  ସଂପୃକ୍ତ ଗୋରୁ ମାଲିକଙ୍କୁ ଚି଼ହ୍ନଟ କରି ଜୋରିମାନା ଆଦାୟ କରନ୍ତୁ , ୬- ମା’ବ୍ରାହ୍ମଣୀ ନଦୀରେ ପ୍ରସ୍ତାବିତ ଟନେଲ ପାଇଁ ୧୫୫୦ କୋଟି, ଜିଲ୍ଲାପାଳଙ୍କୁ ଭେଟି ତଥ୍ୟ ମାଗିଲା ଆପ୍ , ୭-ଢେଙ୍କାନାଳ ସହରରେ ଖାଦ୍ୟ ସୁରକ୍ଷା ବିଭାଗର ଚଢ଼ାଉ , ୮- ବେଢାପାଳ ଗାଁରେ ଉତ୍ତେଜନା, ସୋଲାର ବାଡ଼କୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ , ୯- ଶିଳାନ୍ୟାସର ୫ ବର୍ଷ ପରେ ବି ଅଧାପନ୍ତରିଆ ପଡ଼ିଛି ଶିକ୍ଷକ ଭବନ,  ଶିକ୍ଷକ ମହଲରେ ଅସନ୍ତୋଷ ,୧୦-ମୃତ ସନାତନ ହେଲେ ପୁନଃର୍ଜୀବିତ,ଶବସତ୍କାରର ମାସେପରେ ଘରକୁ ଫେରିଲେ ସନାତନ , ୧୧- ମିଳିତ ଭାବେ ଗଣେଷ ପୂଜା ଭଷାଣି ପାଇଁ ନିଷ୍ପତି , ୧୨- ଗ୍ରାମ ସ୍ତରୀୟ ଶିଶୁ କଲ୍ୟାଣ ଓ ସୁରକ୍ଷା କମିଟିର ବୈଠକ

ସାମ୍ବାଦିକ ଗୌରବ ଶାଳବଣ ର କବି ଗିରୀଶ ଚନ୍ଦ୍ର ନନ୍ଦଙ୍କ ଶ୍ରାଦ୍ଧ ଦିବସ ରେ ବୃକ୍ଷ ରୋପଣ

କାମାକ୍ଷାନଗର, କାମାକ୍ଷାନଗର,କାମାକ୍ଷାନଗର ସହର ସନ୍ନିକଟ ଜିଆରିଡ଼ାମାଳି ସ୍ଥିତ ରାଗୁନଥଜୀଉ ଉଚ୍ଚ ବିଦ୍ୟାଳୟ ପରିସରରେ ସାମ୍ବାଦିକ ଗୌରବ ଶାଳବଣ ର କବି ଗିରୀଶ ଚନ୍ଦ୍ର ନନ୍ଦଙ୍କ ଷଷ୍ଠ ଶ୍ରାଦ୍ଧ ଦିବସ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସହକାରୀ ଜିଲାପାଳ ଦୀପକ କୁମାର ମିଶ୍ର ଯୋଗଦେଇ ଆନୁଷ୍ଠାନିକ ଭାବେ ବୃକ୍ଷ ରୋପଣ ଉଦଘାଟନ କରି ସାମ୍ବାଦିକ ଗୌରବ ଶାଳବଣ ର କବି ଗିରୀଶ ଚନ୍ଦ୍ର ନନ୍ଦ ଜଣେ ଏକା ଧାରରେ ସାମ୍ବାଦିକ, କବି,ସମାଜସେବୀ, ପ୍ରକୃତି ପ୍ରେମୀ ଭାବେ ଅଞ୍ଚଳରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ l ତାଙ୍କର ସ୍ମୁତିରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇ ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ l ଅନ୍ୟତମ ସହକାରୀ ଜିଲାପାଳ ସୋମ୍ୟଜିତ ପାଇକରାୟ, ପୂର୍ବତନ ନଗରପାଳ ଗୋବିନ୍ଦ ଚନ୍ଦ୍ର ସାହୁ, ପାଠକ ବିଚାର ମଞ୍ଚ ର ଉପଦେଷ୍ଟା ମେଜର ପ୍ରଭାତ କୁମାର ଦାଶ, ସଦସ୍ୟ ପ୍ରମୋଦ କୁମାର ସ୍ୱାଇଁ, ରସାନନ୍ଦ ଦେହୁରୀ,ମଧୁସୂଦନ ରାଉତ, ଦୀପକ କୁମାର ପାତ୍ର,ସାମ୍ବାଦିକ ସଙ୍ଘର ସଭାପତି ଶୁଭମୟ ନନ୍ଦ ସଂପାଦକ ପ୍ରକାଶ କୁମାର ପାତ୍ର, ସଦସ୍ୟ ପ୍ରହଲ୍ଲାଦ ମୁଦୁଲି, ସୋମ୍ୟରଞ୍ଜନ ନାୟକ, ଦିଲ୍ଲୀପ ନାୟକ, ବିଷ୍ଣୁ ପ୍ରସାଦ ସେଠି, ଜ୍ୟୋତି ରଞ୍ଜନ ସାହୁ,ମଧୁସୂଦନ ରାଉତ,ବିଶ୍ୱରଞ୍ଜନ ବିଶ୍ୱାଳ,ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିଶିର କୁମାର ସାହୁ, ସୂର୍ଯ୍ୟମଣି ସାମଲ, ସୁନୀଲ କୁମାର ରାଉତ, ସୁମିତ୍ରା ରାଣୀ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ l

ଭୀମଭୋଇ ସାମର୍ଥ୍ୟ ଶିବିର ରେ ୨୨୬ ଭିନ୍ନକ୍ଷମ ପଞ୍ଜୀକୃତ 

କାମାକ୍ଷାନଗର – ଢେ଼ଙ୍କାନାଳ ଜିଲ୍ଲା ଭୁବନ ପଞ୍ଚାୟତ ସମିତି ( ବ୍ଲକ ପ୍ରଶାସନ) ତରଫରୁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଭୀମ ଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।ସମୁଦାୟ ୨୨୬ ଜଣ ଭିନ୍ନକ୍ଷମ ସେମାନଙ୍କ ନାମ ପଞ୍ଜୀକରଣ କରିଥିଲେ । ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିର କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମାନସିକ ଅନଗ୍ରସର ୪୪ ଜଣ, ଅସ୍ଥିଶଲ୍ୟ ୧୦୫, ଜଣ,ଦୃଷ୍ଟି ବାଧକ ୩୨ ଜଣ, ଶ୍ରବଣ ବାଧକ ୩୫ ଜଣ,ଭେଷଜ ୫ ଜଣ ଓ ଅନ୍ୟାନ୍ୟ ୫ ଜଣ ସମୁଦାୟ ୨୨୬ ଜଣ ଙ୍କୁ ବିଶେଷଜ୍ଞ ମାନଙ୍କ ଦ୍ଵାରା ପରୀକ୍ଷା କରାଯାଇଥିଲା । ବିଡିଓ ଶ୍ରୀମତୀ ଆୟୁସୀ ମହାପାତ୍ର ଙ୍କ ତତ୍ତ୍ଵାବଧାନରେ ବିଭିନ୍ନ ବିଭାଗର ଡାକ୍ତର ମାନେ ଭିନ୍ନକ୍ଷମ ମାନଙ୍କୁ ପରୀକ୍ଷା କରି ୧୪୫ ଜଣ ଙ୍କୁ ଭିନ୍ନକ୍ଷମ ଉପକରଣ,ଔଷଧ ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନରେଶ କୁମାର ସ୍ବାଇଁ, , ଭୁବନ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମୁକେଶ ରଥ ଓ ସମସ୍ତ କର୍ମଚାରୀ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ। ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ,ମହିଳା ମହାବିଦ୍ୟାଳୟ ର ଏନ୍ ଏସ ଏସ ,ଭୁବନ ଉଚ୍ଚ ବିଦ୍ୟାଳୟ ର ସ୍କାଉଟ ଆଣ୍ଡ ଗାଇଡ ଛାତ୍ର ଏବଂ ପୋଲିସ ବାହିନୀ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ।

ମାଳମାଳ ସମସ୍ୟା ଭିତରେ ସ୍ମାର୍ଟ ସିଟିର ସ୍ୱପ୍ନ ଦେଖୁଛି ଢେଙ୍କାନାଳ”

ବର୍ଷା ହେଲେ ଘରେ ପଶୁଛି ନର୍ଦ୍ଦମା ପାଣି, ଅନ୍ଧାରରେ ସାହି-ଗଳି; ରାସ୍ତାରେ ବୁଲାଗୋରୁଙ୍କ ଦୌରାତ୍ମ୍ୟ

 ଢେଙ୍କାନାଳ – ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ସହର ଢେଙ୍କାନାଳ। ଚାରିପଟେ ପାଣି ଓହଳା, କୋରିଆଁ, କୁଣ୍ଟୁଣିଆ, ମେଘା ଭଳି ପାହାଡରେ ଘେରା ଏହି ସହର ପ୍ରକୃତିର ଅନନ୍ୟ ଆଶୀର୍ବାଦ ପାଇଛି। ପାହାଡ଼ ଓ ସବୁଜିମା ସହରକୁ ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବରୁ ଅନେକାଂଶରେ ସୁରକ୍ଷା ଦେବା ସହ ଏଠାକାର ଲୋକଙ୍କୁ ଦେଇଆସୁଛି ମନୋରମ ପରିବେଶ ଓ ସୁନ୍ଦର ଜଳବାୟୁ। ରାଜାରାଜୁଡ଼ା ଅମଳରୁ ଗଢ଼ିଉଠିଥିବା ଓଡ଼ିଶାର ଏହି ପୁରାତନ ସହର ସମୟ ସହ ଆଧୁନିକତାର ପଥରେ ଆଗେଇ ଚାଲିଛି। ବଢ଼ୁଛି ସହରର କଳେବର, ବଢ଼ୁଛି ଜନସଂଖ୍ୟା। ହେଲେ ସହରର ବିକାଶ ସହ ତାଳ ଦେଇ ନାଗରିକ ସୁବିଧାର ବିକାଶ ହୋଇପାରୁନଥିବାରୁ ମୌଳିକ ସମସ୍ୟାରେ ଛନ୍ଦି ହୋଇପଡ଼ିଛନ୍ତି ସହରବାସୀ। ସ୍ୱାୟତ୍ତ ଶାସନ ଦିବସରେ ଢେଙ୍କାନାଳକୁ ସ୍ମାର୍ଟ ସିଟିର ସ୍ୱପ୍ନ ଦେଖାଯାଉଥିବା ବେଳେ ଅନ୍ୟପଟେ ଡ୍ରେନେଜ୍, ରାସ୍ତା, ପାନୀୟ ଜଳ ଓ ବୁଲାଗୋରୁ ଭଳି ସମସ୍ୟା ସହରବାସୀଙ୍କ ଦୁଃଖ ବଢ଼ାଇ ଚାଲିଛି।

ଢେଙ୍କାନାଳରେ ଖୋଲା କୂଅରୁ ଆହତ ମାଈ ହାତୀ ଛୁଆ ଉଦ୍ଧାର

ଢେଙ୍କାନାଳ- ଢେଙ୍କାନାଳ ବନଖଣ୍ଡର ଢେଙ୍କାନାଳ ରେଞ୍ଜର ଗଦାଶିଳା ସେକ୍ସନ ଅନ୍ତର୍ଗତ କାଉଁରିଆପାଳ ବିଟ ରେ ଏକ ଖୋଲା କୂଅରୁ ପ୍ରାୟ ତିନି ବର୍ଷ ବୟସର ଏକ ଆହତ ମାଈ ଜଙ୍ଗଲୀ ହାତୀ ଛୁଆ ମିଳିଛି। ହାତୀଟି ଭୁଲବଶତଃ ଖୋଲା କୂଅରେ ପଡ଼ି ଆହତ ହୋଇଥିଲା। ସୂଚନା ପାଇ ବନ ବିଭାଗର ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଢେଙ୍କାନାଳ ବନ ବିଭାଗ ଏବଂ ଅଗ୍ନିଶମ ସେବାର ରାପିଡ୍ ରେସପନ୍ସ ଟିମ୍ (RRT) ସହାୟତାରେ ଆହତ ହାତୀ ଛୁଆଟିକୁ କୂଅରୁ ସଫଳତାର ସହ ଉଦ୍ଧାର କରାଯାଇଥିଲା।

ହାତୀଟିର ଆଉ କୌଣସି କ୍ଷତି ନହୋଇ ଉଦ୍ଧାର କାର୍ଯ୍ୟ ସଫଳତାର ସହ ସମାପ୍ତ ହୋଇଥିଲା। କୂଅରୁ ବାହାର କରାଯିବା ପରେ ତୁରନ୍ତ ପଶୁଚିକିତ୍ସା ଦଳ ଦ୍ୱାରା ହାତୀଟିର ପରୀକ୍ଷା କରାଯାଇଥିଲା ଏବଂ ଘଟଣାସ୍ଥଳରେ ଆବଶ୍ୟକୀୟ ପ୍ରାଥମିକ ଚିକିତ୍ସା ଏବଂ ସହାୟକ ଚିକିତ୍ସା ଯୋଗାଇ ଦିଆଯାଇଥିଲା। ହାତୀଟି ବର୍ତ୍ତମାନ ସ୍ଥିର ଅବସ୍ଥାରେ ଅଛି ଏବଂ ତାକୁ କଡ଼ା ନଜର ରଖାଯାଇଛି।

ପଶୁଚିକିତ୍ସା ଦଳର ପରାମର୍ଶ ଅନୁଯାୟୀ, ହାତୀଟିର ସଠିକ୍ ଆରୋଗ୍ୟ ପାଇଁ ନିରନ୍ତର ଚିକିତ୍ସା ଏବଂ କଡ଼ା ନଜର ରଖିବା ଆବଶ୍ୟକ। ଏହାର ଅଧିକ ପଶୁଚିକିତ୍ସା ଯତ୍ନ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଉଛି। ବନ ବିଭାଗ ଉଦ୍ଧାର ହୋଇଥିବା ହାତୀ ଛୁଆଟିର ଅବସ୍ଥା ଉପରେ କଡ଼ା ନଜର ରଖିଛି ଏବଂ ଏହାର ନିରାପଦ ପୁନରୁଦ୍ଧାର ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନେଉଛି। ବନଖଣ୍ଡ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି l

ଗୋରୁଙ୍କ କବ୍‌ଜାରେ ରାଜରାସ୍ତା,  ସଂପୃକ୍ତ ଗୋରୁ ମାଲିକଙ୍କୁ ଚି଼ହ୍ନଟ କରି ଜୋରିମାନା ଆଦାୟ କରନ୍ତୁ

ଢେଙ୍କାନାଳ- ଢେଙ୍କାନାଳଜିଲ୍ଲା ରେ ସହରମଧ୍ୟରେ ରାଜରାସ୍ତା ଉପରେ ଏବେ ବୁଲାଗୋରୁ ଓ ଷଣ୍ଢଙ୍କ କବ୍‌ଜାରେ ରହିଛି। ସହରର ବିଭିନ୍ନ ପ୍ରମୁଖ ରାସ୍ତାରେ ଦଳଦଳ ହୋଇ ଗୋରୁ ବୁଲିବା ସହ ରାସ୍ତା ମଝିରେ ଘଣ୍ଟାଘଣ୍ଟା ଧରି ଶୋଇ ରହୁଛନ୍ତି। ସାଧାରଣ ଯାତ୍ରୀଙ୍କ ଯାତାୟାତ ବାଧାପ୍ରାପ୍ତ ହେବା ସହ ଦୁର୍ଘଟଣା ଘଟୁଛି। ଦୁଇଚକିଆ ଚାଳକଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ରାତିରେ ଏପରି ସମସ୍ୟା ଆହୁରି ଗମ୍ଭୀର ହେଉଛି। ଅନ୍ଧାରରେ ରାସ୍ତା ଉପରେ ଥ‌ିବା ଗୋରୁପଲ ଦୂରରୁ ଠିକ୍ ଭାବେ ଦେଖାଯାଉନଥିବାରୁ ଚାଳକମାନେ ହଠାତ୍ ବ୍ରେକ୍ ମାରିବା କିମ୍ବା ଗାଡ଼ି ବୁଲାଇବା ସମୟରେ ସମସ୍ୟା ସୃଷ୍ଟି ହେଉଛି । ଅନେକ ସମୟରେ ଦୁର୍ଘଟଣାରେ ମଣିଷ ସହ ନିରୀହ ପଶୁଙ୍କ ଧକ୍କା ହୋଇ ଜୀବନ ଯାଉଛି । କିଛି ଦିନ ତଳେ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ପରୀକ୍ଷାମୂଳକ ଭାବେ ବୁଲା ଗୋରୁଙ୍କ ବେକରେ ରେଡିଅମ୍ ବେଲ୍ଟ ପିନ୍ଧାଯାଇଥିଲା । ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ କିଛି ବି ଆଖି ଦୃଷ୍ଟିଆ ପଦକ୍ଷେପ ନିଆଯାଇନଥିବା ନେଇ ଅଭିଯୋଗ ହେଉଛି । ଏବେ ବି ଶହଶହ ଗୋରୁ ଓ ଷଣ୍ଢ ବିଭିନ୍ନ ରାସ୍ତାରେ ବିନା ବେଲ୍ମରେ ଅବାଧରେ ବୁଲୁଛନ୍ତି। କେବଳ ରେଡିଅମ୍ ବେଲ୍ଟ ଲଗାଇଦେଲେ ଏହାର ସମାଧାନ ହେଇଯିବ ନୁହେଁ ବରଂ ରାସ୍ତାରେ ଗୋରୁ ଛାଡୁଥିବା ମାଲିକଙ୍କୁ ଚିହ୍ନଟ କରାଯିବା,ବୁଲା ଗାଈଗୋରୁ ମାନଙ୍କୁ ନିୟମିତ ଧରାଯାଇ ଗୋଶାଳାରେ ରଖାଯିବା ଏବଂ ଆବଶ୍ୟକସ୍ଥଳେ ସଂପୃକ୍ତ ଗୋରୁ ମାଲିକ ମାନଙ୍କୁ ଜୋରିମାନା ବ୍ୟବସ୍ଥା କରାଗଲେ ବୋଧହୁଏ କିଛି ପ୍ରତିକାର ହେବା ନେଇ ମତପ୍ରକାଶ ପାଇଛି। ଜିଲାର ବିଭିନ୍ନ ବଜାର ଅଞ୍ଚଳ ଏବଂ ସାରା ରାଜ୍ୟର ବିଭିନ୍ନ ରାଜରାସ୍ତାରେ ଏଭଳି ଗାଈଗୋରୁଙ୍କ ଅବାଧ ବିଚରଣ ଏବେ ଏକ ବଡ଼ ସଡ଼କ ସୁରକ୍ଷା ସମସ୍ୟା ଭାବେ ଉଭା ହୋଇଛି।

ମା’ବ୍ରାହ୍ମଣୀ ନଦୀରେ ପ୍ରସ୍ତାବିତ ଟନେଲ ପାଇଁ ୧୫୫୦ କୋଟି, ଜିଲ୍ଲାପାଳଙ୍କୁ ଭେଟି ତଥ୍ୟ ମାଗିଲା ଆପ୍ 

ଢେଙ୍କାନାଳ – ମା’ବ୍ରାହ୍ମଣୀ ନଦୀରେ ପ୍ରସ୍ତାବିତ ଟନେଲ ପାଇଁ ରାଜ୍ୟ ସରକାର ୧୫୫୦ କୋଟି ପ୍ରଦାନ କରିଛନ୍ତି। ରାଜ୍ୟ ସଂଗଠନ ସମ୍ପାଦକ ଭରତ କୁମାର ଦାସଙ୍କ ନେତୃତ୍ୱରେ ଆମ୍ ଆଦମୀ ପାର୍ଟିର ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଥିଲେ। ଏସମ୍ପର୍କରେ ଜିଲ୍ଲାପାଳ ଜାଣିନାହାନ୍ତି ଏବଂ ସାତ ଦିନ ଭିତରେ ତଥ୍ୟ ସଂଗ୍ରହ କରି ଆପ୍ କୁ ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି। ପ୍ରକାଶ ଥାଉକି ପୂର୍ବରୁ ଧାମରା ବନ୍ଦରକୁ ବିଜେପି ସରକାର ଗୌତମ ଅଦାନିଙ୍କୁ ବିକ୍ରି କରି ସାରିଛନ୍ତି ଏବଂ ରାଜ୍ୟରେ ବିଜେପି ସରକାର ଆସିବା କ୍ଷଣି ମା’ବ୍ରାହ୍ମଣୀ ନଦୀରେ କଂକ୍ରିଟ ଟନେଲ ତିଆରି କରିବାପାଇଁ ୧୫୫୦ କୋଟି ଟଙ୍କା ଅନୁଦାନ ଦେଇଛନ୍ତି, କେଉଁ ସ୍ୱାର୍ଥରେ? ଏଠି ପ୍ରଶ୍ନ ଉଠୁଛି ଯେ ଆଦାନୀ ବନ୍ଦର ଏବଂ ବ୍ୟବସାୟ ପାଇଁ ସାଧାରଣ ଜନତାଙ୍କ ଟ୍ୟାକ୍ସରୁ ଏତେ ଟଙ୍କା ଦିଆଗଲା କାହିଁକି? ଏବେ କେନ୍ଦ୍ରର ବିଜେପି ସରକାର ଖଣି ଆଇନକୁ ପରିବର୍ତ୍ତନ କରି ରାଜ୍ୟର ସମସ୍ତ ଖଣି ଖାଦାନକୁ ନିଜ କ୍ଷମତାକୁ ମଧ୍ୟ ନେଇଗଲେଣି। ଧୀରେ ଧୀରେ ଦେଶର ସମ୍ପତ୍ତିକୁ ଏ ବିଜେପି ସରକାର ବିକ୍ରି କରିବାରେ ସଫଳ। ଏହି ପରିପ୍ରେକ୍ଷୀରେ ଢେଙ୍କାନାଳବାସୀଙ୍କ ମନରେ କେତେକ ପ୍ରଶ୍ନ? ପ୍ରଥମତଃ, ବ୍ରାହ୍ମଣୀ ନଦୀରେ ହେବାକୁଥିବା କଂକ୍ରିଟ ଟନେଲ ଭିତରେ କେବଳ ମାଲବୁହା ଜାହାଜ ଦ୍ଵାରା ଖଣିଜ ସମ୍ପଦ ପରିବହନ ହେବ ନା ଦୁଇ କୂଳରେ ଜେଟି/ଘାଟ ତିଆରି କରାଯାଇ ସାଧାରଣ ଲୋକଙ୍କ ପାଇଁ ଯାତାୟାତର ସୁବିଧା କରାଯିବ। ଦ୍ଵିତୀୟତଃ, କେବଳ ଉକ୍ତ ସିମେଣ୍ଟ ଟନେଲରେ ପାଣି ଛଡ଼ା ଯିବ ନା ଯେମିତି ପାଣି ଚାଲୁଛି ସେହିପରି ଚାଲିବ? ଉକ୍ତ କଂକ୍ରିଟ ଟନେଲ ଦେଇ ପାଣି ଛଡ଼ା ଗଲେ ନଦୀର ଦୁଇ ପାର୍ଶ୍ୱ ଶୁଖିଯିବ। ଫଳରେ ନଦୀକୂଳ ଚାଷୀମାନେ କୃଷିରୁ ବଞ୍ଚିତ ହେବେ ଏବଂ ସାଧାରଣ ଲୋକମାନେ ପିଇବା ପାଣିରୁ ବଞ୍ଚିତ ହେବେ। ମା’ବ୍ରାହ୍ମଣୀ ନଦୀରେ ହେବାକୁ ଥିବା ଟନେଲ ସମ୍ପର୍କରେ ସବିଶେଷ ତଥ୍ୟ ସାଧାରଣରେ ପରିପ୍ରକାଶ କରି ଜନସାଧାରଣଙ୍କ ମନରେ ଉଠିଥିବା ପ୍ରଶ୍ନର ସମାଧାନ କରିବାପାଇଁ ଦଳ ପକ୍ଷରୁ ଅନୁରୋଧ କରାଯାଇଛି । ଯଦି ଏହି ପ୍ରଶ୍ନ ଗୁଡିକର ସମାଧାନ ୭ ଦିନ ମଧ୍ୟରେ ନ ହୁଏ ତେବେ ଆମ୍ ଆଦମୀ ପାର୍ଟି ବାଧ୍ୟ ହୋଇ ସାଧାରଣ ଲୋକମାନଙ୍କୁ ସଚେତନ କରି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଜିଲ୍ଲା ସଭାପତି ପଙ୍କଜ ନାୟକ, ଉପସଭାପତି ପ୍ରସନ୍ନ ବରାଳ, ନଗର ଉପସଭାପତି ବିଜୟ କୁମାର ଦାସ, ବରିଷ୍ଠ ନେତା ଜୟନ୍ତ ଦାସ, ଯୁଧିଷ୍ଠିର ଦାସ, ଗୋବିନ୍ଦ ସାହୁ, ଚିନ୍ମୟ ସେନାପତି ପ୍ରମୁଖ ଚେତାବନୀ ଦେଇଛନ୍ତି।

ଢେଙ୍କାନାଳ ସହରରେ ଖାଦ୍ୟ ସୁରକ୍ଷା ବିଭାଗର ଚଢ଼ାଉ

-୧୫୦ କିଲୋଗ୍ରାମ ବାସି ଓ କୃତ୍ରିମ ରଙ୍ଗଯୁକ୍ତ ଖାଦ୍ୟ ନଷ୍ଟ 

-୨.୧୦ ଲକ୍ଷ ଟଙ୍କା ଜରିମାନା

ଢେଙ୍କାନାଳ- ଖାଦ୍ୟର ଗୁଣବତ୍ତା ଓ ସୁରକ୍ଷା ସୁନିଶ୍ଚିତ କରିବା ତଥା ଜନସାଧାରଣଙ୍କୁ ସୁସ୍ଥ ଓ ନିରାପଦ ଖାଦ୍ୟ ଯୋଗାଣ ଉଦ୍ଦେଶ୍ୟରେ ଆଜି ଢେଙ୍କାନାଳ ସହରର ବିଭିନ୍ନ ଅଞ୍ଚଳରେ ହୋଟେଲ, ରେଷ୍ଟୁରାଣ୍ଟ ଓ ମିଠା ଦୋକାନଗୁଡ଼ିକରେ ମିଳିତ ଭାବେ ଖାଦ୍ୟ ସୁରକ୍ଷା ଯାଞ୍ଚ କରାଯାଇଥିଲା।

ଦକ୍ଷିଣକାଳୀ ରୋଡ୍, ମେଡିକାଲ ବାଇପାସ୍ ରୋଡ୍, ମହାବୀର ବଜାର, ମୀନା ବଜାର, ଗଣେଶ ବଜାର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟସ୍ଥ ଅଞ୍ଚଳ ଏବଂ ତହସିଲ କାର୍ଯ୍ୟାଳୟ ନିକଟସ୍ଥ ଅଞ୍ଚଳରେ ଏହି ଯାଞ୍ଚ କରାଯାଇଥିଲା। ଏହି ଅଭିଯାନରେ ମୋଟ ୧୮ଟି ଖାଦ୍ୟ ବ୍ୟବସାୟ ପ୍ରତିଷ୍ଠାନ ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ପ୍ରାୟ ୧୫୦ କିଲୋଗ୍ରାମ ବାସି ଖାଦ୍ୟ ଏବଂ କୃତ୍ରିମ ରଙ୍ଗ ବ୍ୟବହୃତ ଖାଦ୍ୟ ନଷ୍ଟ କରାଯାଇଥିଲା। ଏଥିସହ ପୁନଃବ୍ୟବହାର ପାଇଁ ରଖାଯାଇଥିବା ପ୍ରାୟ ୨୦ ଲିଟର ବ୍ୟବହୃତ ରନ୍ଧନ ତେଲ ମଧ୍ୟ ନଷ୍ଟ କରାଯାଇଥିଲା। ନିୟମ ଉଲ୍ଲଂଘନ କରିଥିବା ୧୦ଟି ଖାଦ୍ୟ ବ୍ୟବସାୟ ପ୍ରତିଷ୍ଠାନ ଉପରେ ମୋଟ ୨ ଲକ୍ଷ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।

ଏହି ଯାଞ୍ଚ ରେ ବିଭିନ୍ନ ଖାଦ୍ୟ ସାମଗ୍ରୀର ୨୭ଟି ସନ୍ଦିଗ୍ଧ ନମୁନା ସଂଗ୍ରହ କରାଯାଇ ଲାବୋରେଟୋରୀ ପରୀକ୍ଷା ପାଇଁ ପଠାଯାଇଛି। ଏହାସହ ଖାଦ୍ୟ ବ୍ୟବସାୟୀ ଓ କର୍ମଚାରୀମାନଙ୍କୁ ଖାଦ୍ୟ ସୁରକ୍ଷା ସମ୍ପର୍କରେ ସଚେତନ ଓ ସମ୍ବେଦନଶୀଳ କରାଯାଇଥିଲା। ବିଶେଷକରି—

– ଖାଦ୍ୟ ପ୍ରସ୍ତୁତି ଓ ପରିବେଷଣ ସମୟରେ ମୁଣ୍ଡରେ ହେଡ୍ କ୍ୟାପ୍ ବ୍ୟବହାର କରିବା;

– ବୈଧ FSSAI ଲାଇସେନ୍ସର ନକଲ ଗ୍ରାହକଙ୍କ ଦୃଷ୍ଟିଗୋଚର ହେବା ଭଳି ସ୍ଥାନରେ ପ୍ରଦର୍ଶନ କରିବା

– ଖାଦ୍ୟ ପ୍ୟାକିଂ କିମ୍ବା ଗୁଡ଼ାଇବା ପାଇଁ ଖବରକାଗଜ ବ୍ୟବହାର ନକରିବା 

– ପ୍ରସ୍ତୁତ ଖାଦ୍ୟରେ କୃତ୍ରିମ ଖାଦ୍ୟ ରଙ୍ଗର ଅନୁମୋଦନବିହୀନ ବ୍ୟବହାର ସମ୍ପୂର୍ଣ୍ଣ ନିଷିଦ୍ଧ ଥିବା ବିଷୟରେ ସଚେତନ କରାଯାଇଥିଲା।

ଏହି ଚଢ଼ାଉରେ ନିୟମ ଉଲ୍ଲଂଘନ ଯୋଗୁଁ ଦକ୍ଷିଣକାଳୀ ରୋଡ୍ ସ୍ଥିତ ହୋଟେଲ ମିଲନ ପ୍ଲାଜ଼ା ଏବଂ ଇସ୍କନ ମନ୍ଦିର ନିକଟସ୍ଥ ହୋଟେଲ ରାଧା ଗୋବିନ୍ଦକୁ ସିଲ କରାଯାଇଥିଲା। ଏହି ମିଳିତ ଚଢ଼ାଉରେ ଆଇଏଏସ ପ୍ରୋବେଶନର ସୁଧା ଚୌହାନ, ଉପଜିଲ୍ଲାପାଳ ଶ୍ରୀ ପଦ୍ମ ଚରଣ ସାହୁ, ଖାଦ୍ୟ ସୁରକ୍ଷା ଅଧିକାରୀ ଏମ. ସ୍ଵାଗତିକା, ପୁଲିସ ଟିମ୍, ଢେଙ୍କାନାଳ ପୌରପାଳିକାର ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍ ଏବଂ ଖାଦ୍ୟ ସୁରକ୍ଷା ବିଭାଗର ଟିମ୍ ସାମିଲ ହୋଇଥିଲେ।

ବେଢାପାଳ ଗାଁରେ ଉତ୍ତେଜନା, ସୋଲାର ବାଡ଼କୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ 

କାମାକ୍ଷାନଗର- ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବେଢାପାଳ ଗାଁରୁ ଆସିଛି ବଡ଼ ଖବର । ସୋଲାର ବାଡ଼ ଦେବାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉଗ୍ର ରୂପ ନେଇଛି। ପରିସ୍ଥିତି ଏତେ ଉତ୍ତେଜନାପୂର୍ଣ୍ଣ ହୋଇଛି ଯେ, ଉଭୟ ପକ୍ଷ ମଧ୍ୟରେ ପଥର ମାଡ଼ ହୋଇଥିବା ଅଭିଯୋଗ ହୋଇଛି।ଏହି ଘଟଣାରେ ଉଭୟ ପକ୍ଷରୁ ଏକାଧିକ ଲୋକ ଆହତ ହୋଇଛନ୍ତି। ଗୋଟିଏ ପକ୍ଷରୁ ୧୫ରୁ ଊର୍ଦ୍ଧ୍ୱ ଲୋକ ଆହତ ଓ ଗୁରୁତର ହୋଇଥିବା ବେଳେ, ଅନ୍ୟ ପକ୍ଷରୁ ପ୍ରାୟ ୮ ଜଣ ଆହତ ହୋଇଥିବା ଜଣାପଡ଼ିଛି।ଆହତ ସମସ୍ତଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଅଧିକ ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।ଘଟଣା ପରେ ବେଢାପାଳ ଗାଁରେ ଉତ୍ତେଜନା ଦେଖାଦେଇଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଗାଁରେ ୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି।ପୋଲିସ ଉଭୟ ପକ୍ଷ ସହ ଆଲୋଚନା କରି ପରିସ୍ଥିତି ଶାନ୍ତ କରିବାକୁ ଉଦ୍ୟମ ଜାରି ରଖିଛି।ସୂଚନା ଅନୁଯାୟୀ, ପ୍ରାୟ ବର୍ଷେ ତଳେ ମଧ୍ୟ ଏକ ଜାଗାକୁ କେନ୍ଦ୍ର କରି ଗାଁରେ ଦୁଇ ପକ୍ଷ ମଧ୍ୟରେ ବିବାଦ ହୋଇଥିଲା। ପରେ ଢେଙ୍କାନାଳ ଜିଲ୍ଲାପାଳ ଓ ଏସ୍‌ପିଙ୍କ ହସ୍ତକ୍ଷେପରେ ଉଭୟ ପକ୍ଷ ମଧ୍ୟରେ ସମାଧାନ ହୋଇଥିଲା।ତେବେ ପୁଣିଥରେ ସୋଲାର ବାଡ଼କୁ ନେଇ ବିବାଦ ଦେଖାଦେଇଛି। ଗୋଟିଏ ପକ୍ଷର ଅଭିଯୋଗ ହେଉଛି, ସେମାନେ ଲଗାଇଥିବା ସୋଲାର ବାଡ଼କୁ ଅନ୍ୟ ପକ୍ଷ ଭାଙ୍ଗି ଦେଇଛନ୍ତି। ଅନ୍ୟପକ୍ଷ ଏହି ଅଭିଯୋଗକୁ ଖଣ୍ଡନ କରିଛି।ବର୍ତ୍ତମାନ ଗାଁରେ ପୋଲିସ ଛାଉଣୀ କରାଯାଇଥିବା ବେଳେ, କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଯେପରି ନଘଟେ, ସେଥିପାଇଁ ପୋଲିସ ପକ୍ଷରୁ କଡ଼ା ନଜର ରଖାଯାଇଛି।

ଶିଳାନ୍ୟାସର ୫ ବର୍ଷ ପରେ ବି ଅଧାପନ୍ତରିଆ ପଡ଼ିଛି ଶିକ୍ଷକ ଭବନ,  ଶିକ୍ଷକ ମହଲରେ ଅସନ୍ତୋଷ

ଢେଙ୍କାନାଳ – ଗଁଦିଆ ବ୍ଲକରେ ଶିକ୍ଷକମାନଙ୍କ ପାଇଁ ଏକ ଶିକ୍ଷକ ଭବନ ନିର୍ମାଣ ନିମନ୍ତେ ଆର୍ଥିକ ଅନୁଦାନ ଆସିଥିଲା। ଶ୍ରୀରାମଚନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟ ପରିସର ଭିତରେ ୨୦୧୮-୧୯ ଆର୍ଥିକ ବର୍ଷରେ ଢେଙ୍କାନାଳର ମାନ୍ୟବର ପୂର୍ବତନ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସରୋଜ କୁମାର ସାମଲଙ୍କର କରକମଳରେ ଏହାର ଶିଳାନ୍ୟାସ କରାଯାଇ କାର୍ଯ୍ୟ ଆରମ୍ଭ ହୋଇଥିଲା। ସେତେବେଳେ ଖୁବ୍ ଶୀଘ୍ର ନିର୍ମାଣ କାର୍ଯ୍ୟ ଶେଷ କରାଯିବ ବୋଲି ପୂର୍ବତନ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ।ମାତ୍ର ଦୁଃଖର ବିଷୟ, ଶିକ୍ଷକ ଭବନ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ଦୀର୍ଘ ପାଞ୍ଚ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଏହା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରିଲାନାହିଁ ଏବଂ ତାହା ଏବେସୁଦ୍ଧା ଅଧାପନ୍ତରିଆ ଭାବରେ ପଡ଼ିରହିଛି। ଉକ୍ତ ଅର୍ଦ୍ଧ ନିର୍ମିତ ଭବନ ଏକ ପ୍ରକାର ବୁଦୁ ବୁଦୁକିଆ ଗଛର ସମାହାରରେ ଏକ ଛୋଟିଆ ଜଙ୍ଗଲରେ ପରିଣତି ହୋଇଛି ଯାହାକୁ ଦେଖିଲେ ସାଧାରଣ ଜନତାର କ୍ରୋଧ ଆପେ ଆପେ ବାହାରି ଆସୁଛି ସମାଜ ଗଠନ କ୍ଷେତ୍ରରେ ଯେଉଁ ଶିକ୍ଷକ ମାନଙ୍କର ଭୂମିକା ଅତ୍ୟନ୍ତ ଏପରିହାର୍ଯ୍ୟ ସେମାନଙ୍କର ବହୁ ଦିନର ସ୍ବପ୍ନ ଆଜି ଅବହେଳିତ ଅବସ୍ଥାରେ ରହିଛି ଏହାକୁ ନେଇ ସ୍ଥାନୀୟ ଶିକ୍ଷକ ମହଲରେ ଗଭୀର ଅସନ୍ତୋଷ ଦେଖାଦେଇଛି।ତତ ସହିତ ସ୍ଥାନୀୟ ବୁଦ୍ଧିଜୀବୀ ବରିଷ୍ଠ ନାଗରିକ ସାଧାରଣ ଜନତା ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳୁଛି lତେଣୁ ଢେଙ୍କାନାଳ ବିଧାୟକ, ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ଢେଙ୍କାନାଳ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ଅଧାପଡ଼ିଥିବା ନିର୍ମାଣ କାର୍ଯ୍ୟକୁ ତୁରନ୍ତ ଶେଷ କରିବାକୁ ଶିକ୍ଷକ ସଂଘ ଓ ସାଧାରଣ ଜନସାଧାରଣଙ୍କ ତରଫରୁ ଜୋରଦାର ଦାବି କରାଯାଉଛି।

ମୃତ ସନାତନ ହେଲେ ପୁନଃର୍ଜୀବିତ,ଶବସତ୍କାରର ମାସେପରେ ଘରକୁ ଫେରିଲେ ସନାତନ

ଢେଙ୍କାନାଳ – ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଘଟିଛି ଆଶ୍ଚର୍ଯ୍ୟଜନକ ଚାଞ୍ଚଲ୍ୟକର ଘଟଣା ମୃତ୍ୟୁଘୋଷଣାର ମାସେପରେ ଘରକୁ ଫେରିଲା ପୁଅ ଯାହାକୁ ନେଇ ଉପଖଣ୍ଡରେ ଚର୍ଚ୍ଚା ଜୋରଧରିଛି। ଖବରରୁ ପ୍ରକାଶ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାଲିମୀ ଥାନା ବିର୍ଷିଙ୍ଗା ଗ୍ରାମର ଲିଙ୍ଗରାଜ ନାଏକ ଓ ମଞ୍ଜୁ ନାଏକଙ୍କ ମାନସିକ ବିକାରଗ୍ରସ୍ଥ ପୁଅ ସନାତନ ନାଏକ ପ୍ରାୟ ମାସେ ତଳେ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ଖୋଜାଖୋଜି ଜାରି ରଖିଥିବାବେଳେ ଗତ ଜୁଲାଇ ୨୭ ତାରିଖରେ ରାସୋଳ ଥାନା କୁନୁଆଁ ଗାଁ’ର ଏକ ଚାଷଜମିରୁ ଏକ ଗଳିତ ମୃତଦେହ ଉଦ୍ଧାର ହୋଇଥିଲା। ମୃତ ଦେହକୁ ରାସୋଳ ପୋଲିସ ପକ୍ଷରୁ ବ୍ୟବଚ୍ଛେଦ କରି ସତ୍କାର କରାଯାଇଥିଲା।ତେବେ ଗଣମାଧ୍ୟମରେ ଖବରପ୍ରସାରିତ ହେବାପରେ ପରିବାର ଲୋକେ ରାସୋଳ ଥାନାରେ ପହଞ୍ଚି ଶବଟି ସନାତନଙ୍କର ବୋଲି ଦାବି କରି ସନାତନଙ୍କର ଶୁଦ୍ଧିକ୍ରିୟା ରୀତିନୀତି ପାଳନ କରିଥିଲେ। 

ହଠାତ୍ ମାସେ ପରେ ସନାତନ ନାଏକ ଜୀବିତ ଅବସ୍ଥାରେ ଘରକୁ ଫେରିଆସିଥିଲେ ଯାହାକୁନେଇ ସମସ୍ତେ ଆଚମ୍ବିତ ।ତେବେ ସବୁଠାରୁ ବଡ଼ ପ୍ରଶ୍ନ ଏବେ ଉଠୁଛି—ଜୁଲାଇ ୨୭ ତାରିଖରେ କୁନୁଆଁ ଗାଁ ଚାଷ ଜମିରୁ ଉଦ୍ଧାର ହୋଇଥିବା ସେହି ଗଳିତ ମୃତଦେହଟି କାହାର?

ସନାତନ ଜୀବିତ ଥିବା ସ୍ପଷ୍ଟ ହେବା ପରେ  ମୃତଦେହର ପରିଚୟ ନେଇ ରହସ୍ୟ ଆହୁରି ଘନୀଭୂତ ହୋଇଛି।ତେବେ ଉଦ୍ଧାର ଶବର ଡ଼ିଏନଏ ଟେଷ୍ଟ ପାଇଁ ରସୋଳ ପୋଲିସ ପଠାଇଥିବାବେଳେ ମୃତକ ଅଜଣା ବ୍ୟକ୍ତିଙ୍କ ଶବ ଚି଼ହ୍ନଟ ନହୋଇପାରିବା, ସନାତନ ନିଖୋଜ କିମ୍ବା ମୃତ ବୋଲି ସଠିକ ତଦନ୍ତ କରାନଯିବା ଇତ୍ୟାଦିକୁ ନେଇ ଜନସାଧାରଣ ସନ୍ଦେହ ଘେରରେ ଥିବାବେଳେ ଏବେ ପୁଲିସର ତଦନ୍ତ କେଉଁ ଦିଗକୁ ଯିବ ତାହା ଦେଖିବାକୁ ବାକି ରହିଲା।

ମିଳିତ ଭାବେ ଗଣେଷ ପୂଜା ଭଷାଣି ପାଇଁ ନିଷ୍ପତି

କାମାକ୍ଷାନଗର – ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ସଭାଗୃହରେ ମିଳିତ ଭାବେ ଗଣେଷ ପୂଜା ଭଷାଣି ଶୋଭାଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଦ୍ବିତିୟ ଥର ପାଇଁ କାମାକ୍ଷାନଗରରେ ଏହି ଭଷାଣି ଉତ୍ସବ ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ପ୍ରାୟ ୧୯ଟି ଗଣେଷ ପୂଜା କମିଟି ଉପସ୍ଥିତ ରହି ନିଜର ସମତି ପ୍ରକାଶ କରିଥିଲେ।ଦ୍ବିତିୟ ବର୍ଷ ପାଇଁ ଭଷାଣି ଶୋଭାଯାତ୍ରାକୁ କିପରି ଶାନ୍ତ ଶୃଙ୍ଖଳା ସହ ସମାପନ ହୋଇପାରିବ ସମସ୍ତ କମିଟି ସଦସ୍ୟ କହିଥିଲେ।ଆସନ୍ତା ଅଗଷ୍ଟ ମାସ ୧୪ ତାରିଖରେ ଗଣେଷ ପୂଜା ଅନୁଷ୍ଠିତ ହେବ ଓ ୧୯ ତାରିଖ ଶନିବାର ଦିନ ମିଳିତ ଭଷାଣି କରାଯିବା ନେଇ ବୈଠକରେ ଆଲୋଚନା କରାଯାଇଥିଲା। ୧୯ ତାରିଖ ଦିନ ସ୍ଥାନିୟ ସାରଙ୍ଗଧର ଷ୍ଟାଡିୟମ ଠାରେ ସମସ୍ତ ମେଢ ଗୁଡିକ ଏକତ୍ରିତ ହେବା ପରେ ସେଠାରେ ଅତିଥି ମାନଙ୍କୁ ନେଇ ସଭା କାର୍ଯ୍ୟ ଅନୁଷ୍ଠିତ ହେବ।ପରେ ଲଡୁ ନିଲାମ ଓ ସମସ୍ତ ପୂଜା କମିଟିକୁ ପୂର୍ବରୁ ଦିଆଯାଇଥିବା କ୍ରମିକ ନମ୍ବର ଅନୁଯାୟି ଭଷାଣି ଶୋଭାଯାତ୍ରା ଅନୁଷ୍ଠିତ ହେବ।ସାରଙ୍ଗଧର ଷ୍ଟାଡିୟମ ଭଷାଣି ଶୋଭାଯାତ୍ରା ବାହାରି କଳ୍ପନା କ୍ଲବ ଦେଇ ଲକ୍ଷ୍ମି ବଜାର,ତରୁଣ ବଜାର,ଜଗନ୍ନାଥ ବଜାର,ହନୁମାନ ବଜାର ଦେଇ ବସଷ୍ଟାଣ୍ଡ ଠାରେ ସମାପ୍ତ ହେବ।ଏହି ବୈଠକରେ ଉପଜିଲ୍ଲାପାଳ ବିକାଶ କୁମାର ମହାନ୍ତି,ସହକାରି ଜିଲ୍ଲାପାଳ ଦିପକ କୁମାର ମିଶ୍ର,ଉପଖଣ୍ଡ ଆରକ୍ଷି ଅଧିକ୍ଷକ ଚିତରଞ୍ଜନ ବେହେରା,ଏନଏସି ନିର୍ବାହି ଅଧିକାରି ପ୍ରଦତ୍ତ କୁମାର ସାହୁ,,ଓକିଲ ସଂଘ ସଭାପତି ରଞ୍ଜନ କୁମାର ରାଉତ ସମେତ ସମସ୍ତ କ୍ଲବର ସଦସ୍ୟ ମାନେ ଉପସ୍ଥିତ ଥିଲେ । ଏହି ଭଷାଣି କାର୍ଯ୍ୟକ୍ରମରେ ତରୁଣ ବଜାର ପୂଜା କମିଟି,ଶ୍ରିଗଣେଷ କ୍ଲବ,ୟୁନିକ ବଏଜ,ଜଗନ୍ନାଥ ପୂଜା କମିଟି,ମହିମା ନଗର,ଭବାନି କ୍ଲବ,ଫ୍ରେଣ୍ଡସ କ୍ଲବ,ମା ମଙ୍ଗଳା ୟୁଥ କ୍ଲବ,ବଜରଙ୍ଗି କ୍ଲବ,ଓମ କ୍ଲବ,ଦ ବଏଜ କ୍ଲବ,କଳିଙ୍ଗ ୟୁଥ କ୍ଲବ,ସାଇ ଗଣେଶ କ୍ଲବ,ଗୋଡିସାହି ଗଣେଷ ପୂଜା କମିଟି,ବିଗ୍ନେଶ ବଏଜ,ବଜରଙ୍ଗି ୟୁଥ କ୍ଲବ,ମହାବିର କ୍ଲବ ମାନେ ଯୋଗଦେବା ନେଇ ସୂଚନା ରହିଛି।

ଗ୍ରାମ ସ୍ତରୀୟ ଶିଶୁ କଲ୍ୟାଣ ଓ ସୁରକ୍ଷା କମିଟିର ବୈଠକ

କାମାକ୍ଷାନଗର – ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ପଲସଡ଼ଙ୍ଗୀ ଗ୍ରାମରେ ବିଶ୍ୱ ଯୁବ କେନ୍ଦ୍ର ସଂସ୍ଥା (ଜଷ୍ଟ ରାଇଟ ଫର ଚିଲଡ୍ରେନ) ଆନୁକୁଲ୍ୟରେ ଗ୍ରାମସ୍ତରୀୟ ଶିଶୁ କଳ୍ୟାଣ ଓ ସୁରକ୍ଷା କମିଟିର ଏକ ସଚେତନତାମୂଳକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମଟି ବିଶ୍ୱ ଯୁବ କେନ୍ଦ୍ରର ପ୍ରକଳ୍ପ ସାହାୟାକା ସୁମିତ୍ରା ଦେହୁରୀ ତତ୍ବାବଧାନରେ ସଫଳତାର ସହ ସମ୍ପନ୍ନ ହୋଇଥିଲା। ସମାଜରୁ ବାଲ୍ୟ ବିବାହ ଭଳି କୁପ୍ରଥାକୁ ସମୂଲେ ନିରାକରଣ କରିବା ଏବଂ ଶିଶୁମାନଙ୍କ ଭବିଷ୍ୟତକୁ ସୁରକ୍ଷିତ ଓ ସୁନିଶ୍ଚିତ କରିବା ଥିଲା ଏହି ବୈଠକର ମୂଳ ଲକ୍ଷ୍ୟ।ଉକ୍ତ ବୈଠକରେ ଗ୍ରାମଅଙ୍ଗନାୱାର୍ଡ,ୱାର୍ଡ ମେମ୍ବର,ଗ୍ରାମର ,ସକ୍ରିୟ ମହିଳା, ଆଶା କର୍ମୀ, କିଶୋର ବାଳକ, କିଶୋରୀ ବାଳିକା, ଭାବେ ଉପସ୍ଥିତ ରହି ସମାଜିକ ଦାୟିତ୍ୱବୋଧର ପରିଚୟ ପ୍ରଦାନ କରିଥିଲେ। ବୈଠକରେ ବାଲ୍ୟ ବିବାହର ଭୟାବହ କୁପରିଣାମ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଅପରିପକ୍ୱ ବୟସରେ ବିବାହ ହେବା ଫଳରେ କିଶୋରୀମାନଙ୍କ ଶାରୀରିକ ଓ ମାନସିକ ବିକାଶ ବାଧାପ୍ରାପ୍ତ ହେବା, ଶିକ୍ଷାରୁ ବଞ୍ଚିତ ହେବା, ମାତୃମୃତ୍ୟୁ ଓ ପୌଷ୍ଟିକ ଅଭାବ ପରି ଗୁରୁତର ସମସ୍ୟା ଦେଖା ଦେବା ଆଦି ବିଷୟରେ ଆଲୋଚନା କରା ଯାଇଥିଲା।ଏହା ସହିତ ବାଲ୍ୟ ବିବାହ ନିଷେଧ ଆଇନ ଓ ଏହା ସହ ସଂପୃକ୍ତ ଦଣ୍ଡ ବିଧାନ ବିଷୟରେ ମଧ୍ୟ ସମସ୍ତଙ୍କୁ ସଚେତନ କରାଯାଇଥିଲା। ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏହି କୁପ୍ରଥା ବିରୋଧରେ ସଜାଗ ରହିବା ସହ ଯେକୌଣସି ବାଲ୍ୟ ବିବାହ ସମ୍ପର୍କିତ ସୂଚନା ତୁରନ୍ତ ପ୍ରଶାସନ କିମ୍ବା ସମ୍ପର୍କିତ ବିଭାଗକୁ ଜଣାଇବା ପାଇଁ ଆହ୍ୱାନ ଦିଆଯାଇଥିଲା। Emergency no 1098 କଲ କରିବେ କୁହା ଯାଇଥିଲା  ବୈଠକର ଶେଷ ପର୍ଯ୍ୟାୟର ସମସ୍ତ ଉପସ୍ଥିତ ବ୍ୟକ୍ତି ବାଲ୍ୟ ବିବାହ ମୁକ୍ତ ସମାଜ ଗଠନ ପାଇଁ ଏକତ୍ରିତ ଭାବେ ଶପଥ ଗ୍ରହଣ କରିଥିଲେ। ସମାଜରେ ସଚେତନତାର ଆଲୋକ ପ୍ରଜ୍ୱଳିତ କରି ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ, ସୁରକ୍ଷିତ ଓ ଶିକ୍ଷିତ ପରିବେଶ ସୃଷ୍ଟି କରିବାର ସଙ୍କଳ୍ପ ସହିତ ବୈଠକଟି ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଥିଲା।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ତେରେସିଂହାରେ ମାଁ ଡୋକରୀ ଯାତ୍ରା ପାଳିତ

Sunil Chandra Nayak

୧- ଅଲ ଇଣ୍ଡିଆ କ୍ଷେତ ମଜୁଦୁର କିଷାନ ର ସଭା ଅନୁଷ୍ଠିତ ,୨- ଯୁବତୀକୁ ଦୁଷ୍କର୍ମ ଅଭିଯୋଗରେ ସମିତି ମେମ୍ବର ଥାନାରେ ଅଟକ 

Sunil Chandra Nayak

ଉମରକୋଟ ଠାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!