ଆଜିର ଦିବସର ଅନୁଚିନ୍ତା:ଅକ୍ଟୋବର ୨୧ ତାରିଖ: ଇତିହାସର ଆଲୋକରେ ଆତ୍ମସମୀକ୍ଷା ଓ ସଂକଳ୍ପର ଦିବସ:(ନେତାଜୀଙ୍କ ଆଜାଦ୍ ହିନ୍ଦ୍ ସରକାର ଗଠନର ଘୋଷଣା,ବିଶ୍ୱ ଆୟୋଡିନ୍ ଅଭାବ ଦିବସ ଓ ଭାରତରେ ପୋଲିସ ସ୍ମୃତି ଦିବସ)
ଡା.ଦେବୀ ପ୍ରସାଦ ମିଶ୍ର,
ସମୟର ଅବିରତ ସ୍ରୋତର ପ୍ରବାହରେ ପ୍ରତ୍ୟେକ ଦିନ ଇତିହାସର ଏକ ନୂତନ ପୃଷ୍ଠା।ଅକ୍ଟୋବର ୨୧ କେବଳ କ୍ୟାଲେଣ୍ଡରର ଏକ ସାଧାରଣ ତାରିଖ ନୁହେଁ;ଏହା ରାଷ୍ଟ୍ରଭକ୍ତି,ବୀରତ୍ୱ,ବୈଜ୍ଞାନିକ ଚେତନା ଓ ମାନବୀୟ ସେବାର ସ୍ମୃତିବହନ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ଦିବସ।ଅତୀତର ଅନୁଭୂତିରୁ ଶିକ୍ଷା ଗ୍ରହଣ କରି ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବାର ସଂକଳ୍ପ ହିଁ ଏହି ଦିନ ଆମ ମନରେ ଜାଗ୍ରତ ହୋଇଥାଏ।
ବିଶ୍ୱ କ୍ଷେତ୍ରରେ ବିଜ୍ଞାନ ଜଗତରେ ଅକ୍ଟୋବର ୨୧ର ଗୁରୁତ୍ୱ ମଧ୍ୟ ଉଲ୍ଲେଖନୀୟ।୧୮୩୩ ମସିହା ଏହି ଦିନ ସ୍ୱିଡେନର ଷ୍ଟକହୋମଠାରେ ଜନ୍ମଗ୍ରହଣ କରିଥିଲେ ବିଶ୍ୱବିଖ୍ୟାତ ବୈଜ୍ଞାନିକ,ଆବିଷ୍କାରକ ଓ ଉଦ୍ୟୋଗପତି ଆଲଫ୍ରେଡ୍ ନୋବେଲ୍। ଡାଇନାମାଇଟ୍ର ଉଦ୍ଭାବକ ଭାବେ ପରିଚିତ ନୋବେଲ୍ ନିଜ ଇଚ୍ଛାପତ୍ର ମାଧ୍ୟମରେ ମାନବଜାତିର ଉପକାର ପାଇଁ ନୋବେଲ୍ ପୁରସ୍କାର ପ୍ରତିଷ୍ଠାର ବ୍ୟବସ୍ଥା କରିଥିଲେ।୧୯୦୧ ମସିହାଠାରୁ ଏହି ପୁରସ୍କାର ବିଭିନ୍ନ କ୍ଷେତ୍ରରେ ଅସାଧାରଣ ଅବଦାନ ପାଇଁ ପ୍ରଦାନ କରାଯାଉଛି।ଅନ୍ୟପକ୍ଷରେ, ଆୟୋଡିନ୍ର ଅଭାବଜନିତ ରୋଗ ପ୍ରତିରୋଧ ସମ୍ପର୍କରେ ଜନସଚେତନତା ପାଇଁ ଅକ୍ଟୋବର ୨୧ରେ ବିଶ୍ୱ ଆୟୋଡିନ୍ ଅଭାବ ଦିବସ ପାଳନ କରାଯାଏ।ଆୟୋଡିନ୍ଯୁକ୍ତ ଲୁଣର ଉପଯୋଗ ଓ ସନ୍ତୁଳିତ ପୋଷଣର ଆବଶ୍ୟକତା ଏହି ଦିବସ ଆମକୁ ସ୍ମରଣ କରାଏ।
ଭାରତ କ୍ଷେତ୍ରରେ ଭାରତର ସ୍ୱାଧୀନତା ସଂଗ୍ରାମର ଇତିହାସରେ ୧୯୪୩ ମସିହା ଅକ୍ଟୋବର ୨୧ ତାରିଖ ଏକ ସ୍ମରଣୀୟ ଦିନ।ଏହି ଦିନ ସିଙ୍ଗାପୁରଠାରେ ଓଡ଼ିଶାର କଟକ ମାଟିର ସୁଯୋଗ୍ୟ ସନ୍ତାନ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସ୍ୱାଧୀନ ଭାରତର ଅସ୍ଥାୟୀ ସରକାର ‘ଆଜାଦ୍ ହିନ୍ଦ୍ ସରକାର’ ଗଠନର ଘୋଷଣା କରିଥିଲେ।ତାଙ୍କର ଅଦମ୍ୟ ସାହସ, ଅସୀମ ଦେଶପ୍ରେମ ଓ ଦୂରଦୃଷ୍ଟି ଭାରତୀୟଙ୍କ ମନରେ ସ୍ୱାଧୀନତାର ନୂତନ ଆଶା ସଞ୍ଚାର କରିଥିଲା।
ଏହି ଦିନ ଭାରତରେ ‘ପୋଲିସ ସ୍ମୃତି ଦିବସ’ ଭାବେ ପାଳିତ ହୁଏ।୧୯୫୯ ମସିହା ଅକ୍ଟୋବର ୨୧ ତାରିଖରେ ଲଦାଖର ହଟ୍ ସ୍ପ୍ରିଙ୍ଗ୍ସ ଅଞ୍ଚଳରେ ଚୀନ୍ ସେନାର ଆକ୍ରମଣରେ ଦଶ ଜଣ ଭାରତୀୟ ପୋଲିସ କର୍ମଚାରୀ ସହିଦ ହୋଇଥିଲେ।ଦେଶର ସୁରକ୍ଷା ଓ ଜନସେବାରେ ପ୍ରାଣବଳି ଦେଇଥିବା ସମସ୍ତ ପୋଲିସ କର୍ମଚାରୀଙ୍କ ତ୍ୟାଗକୁ ଏହି ଦିନ ଶ୍ରଦ୍ଧାର ସହ ସ୍ମରଣ କରାଯାଏ।ଏହା ଆମକୁ କର୍ତ୍ତବ୍ୟନିଷ୍ଠା,ସାହସ ଓ ନିଷ୍ଠାପର ସେବାର ମହତ୍ତ୍ୱ ବୁଝାଇଥାଏ।କଳା ଓ ସଂସ୍କୃତି ଜଗତରେ ମଧ୍ୟ ଏହି ତାରିଖ ସ୍ମରଣୀୟ।୧୯୩୧ ମସିହା ଅକ୍ଟୋବର ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ହିନ୍ଦୀ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ଶମୀ କପୁର।୨୦୧୨ ମସିହା ଏହି ଦିନ କିମ୍ବଦନ୍ତୀ ଚଳଚ୍ଚିତ୍ର ନିର୍ଦ୍ଦେଶକ ୟଶ୍ ଚୋପ୍ରାଙ୍କର ଦେହାନ୍ତ ହୋଇଥିଲା।ଏହି ଦୁଇ ବ୍ୟକ୍ତିତ୍ୱଙ୍କ ଅବଦାନ ଭାରତୀୟ ଚଳଚ୍ଚିତ୍ର ଜଗତରେ ସ୍ମରଣୀୟ ହୋଇ ରହିଛି।
ଓଡ଼ିଶା କ୍ଷେତ୍ରରେ ଆଜି ମଧ୍ୟ ବୁଧବାରରେ ଶ୍ରୀ ମନ୍ଦିରରେ ବିଜୟାଦଶମୀ ପାଳନର ଦିବସ।ଏହା ଅସତ୍ୟ ଉପରେ ସତ୍ୟ,ଅନ୍ୟାୟ ଉପରେ ନ୍ୟାୟ ଓ ଅନ୍ଧକାର ଉପରେ ଆଲୋକର ବିଜୟର ପ୍ରତୀକ। ଏହି ପବିତ୍ର ଅବସରରେ ଆସନ୍ତୁ, ଆମେ ସମସ୍ତେ ମାନବିକତା,ସଦ୍ଭାବ ଓ ନୈତିକତାର ପଥରେ ଆଗେଇ ଯିବା।
ବାସ୍ତବିକ୍ କହିବାକୁ ଗଲେ ଅକ୍ଟୋବର ୨୧ ତାରିଖର ଏହି ଐତିହାସିକ ଘଟଣାବଳୀ ଆମକୁ ଏକ ମୌଳିକ ସତ୍ୟର ସ୍ମରଣ କରାଏ ଯେ ଜାତିର ଗୌରବ କେବଳ ଅତୀତର କୀର୍ତ୍ତିରେ ନୁହେଁ,ବରଂ ବର୍ତ୍ତମାନର କର୍ତ୍ତବ୍ୟପରାୟଣତା ଓ ଭବିଷ୍ୟତର ସଂକଳ୍ପରେ ନିହିତ।ନେତାଜୀଙ୍କ ଦେଶପ୍ରେମ,ସହିଦମାନଙ୍କ ଆତ୍ମତ୍ୟାଗ,ବୈଜ୍ଞାନିକମାନଙ୍କ ଅନୁସନ୍ଧାନୀ ମନୋଭାବ ଓ କଳାକାରମାନଙ୍କ ସୃଜନଶୀଳତାରୁ ପ୍ରେରଣା ନେଇ ଆମେ ଏକ ଶିକ୍ଷିତ,ସମୃଦ୍ଧ,ସୁସ୍ଥ, ବିଜ୍ଞାନମନସ୍କ ମାନବିକତା ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଭିତ୍ତିକ ବିଶ୍ୱସମାଜ ଗଠନ ପାଇଁ ଆଗେଇ ଆସିବା ଆବଶ୍ୟକ।ପରିଶେଷରେ ଆଜିର ଦିବସର ଅନୁଚିନ୍ତା ସମ୍ପର୍କରେ ଅନୁଶୀଳନ କଲେ ଜଣାପଡ଼େ ଯେ ଆଜିର ଶ୍ରେଷ୍ଠ ଅନୁଚିନ୍ତନ ଆମ ହୃଦୟରେ ରାଷ୍ଟ୍ରଭକ୍ତି,ମାନବୀୟତା ଓ ସେବାର ଚେତନା ଜାଗ୍ରତ କରୁ।ଅତୀତର ଗୌରବ ଆମ ପାଇଁ ପ୍ରେରଣା ହେଉ,ବର୍ତ୍ତମାନର କର୍ତ୍ତବ୍ୟ ଆମର ଧର୍ମ ହେଉ ଏବଂ ଭବିଷ୍ୟତର ଉନ୍ନତି ଆମର ଲକ୍ଷ୍ୟ ହେଉ।
ଡା.ଦେବୀ ପ୍ରସାଦ ମିଶ୍ର,

