ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ପ୍ରବନ୍ଧ

ଆଜିର ଦିବସର ଅନୁଚିନ୍ତା : ନଭେମ୍ବର ୧୦ ତାରିଖ :ବିଜ୍ଞାନ,ଶାନ୍ତି ଓ ଐତିହାସିକ ଚେତନାର ଏକ ଅନନ୍ୟ ଦିବସ

ଆଜିର ଦିବସର ଅନୁଚିନ୍ତା : ନଭେମ୍ବର ୧୦ ତାରିଖ :ବିଜ୍ଞାନ,ଶାନ୍ତି ଓ ଐତିହାସିକ ଚେତନାର ଏକ ଅନନ୍ୟ ଦିବସ

ଡା.ଦେବୀ ପ୍ରସାଦ ମିଶ୍ର,

କାଳର ଅନନ୍ତ ପ୍ରବାହରେ ପ୍ରତ୍ୟେକ ଦିନ ଇତିହାସର ଫର୍ଦ୍ଦରେ ଏକ ନୂତନ ଅଧ୍ୟାୟ ଯୋଡ଼ିଥାଏ।ଆଜି ନଭେମ୍ବର ୧୦ ତାରିଖ। ବିଶ୍ୱ ଇତିହାସ,ବିଜ୍ଞାନ,ସାହିତ୍ୟ ଓ ମାନବୀୟ ଚେତନାର ଦୃଷ୍ଟିକୋଣରୁ ଏହି ଦିବସର ରହିଛି ସ୍ୱତନ୍ତ୍ର ମହତ୍ତ୍ୱ।ଅତୀତର ଘଟଣାବଳୀ ଆମକୁ କେବଳ ଇତିହାସର ସ୍ମୃତି ଦିଏ ନାହିଁ, ବରଂ ଭବିଷ୍ୟତ ଗଠନ ପାଇଁ ନୂତନ ପ୍ରେରଣା ମଧ୍ୟ ଯୋଗାଇଥାଏ।

ବିଶ୍ୱ କ୍ଷେତ୍ରରେ ଆଜିର ଦିନଟି ସମଗ୍ର ବିଶ୍ୱରେ ‘ଶାନ୍ତି ଓ ବିକାଶ ପାଇଁ ବିଶ୍ୱ ବିଜ୍ଞାନ ଦିବସ’ ଭାବେ ପାଳିତ ହେଉଛି।ୟୁନେସ୍କୋ ୨୦୦୧ ମସିହାରେ ଏହି ଦିବସର ଘୋଷଣା କରିଥିଲା ଏବଂ ୨୦୦୨ ମସିହାରେ ପ୍ରଥମେ ପାଳନ କରାଯାଇଥିଲା।ବିଜ୍ଞାନକୁ ସମାଜର ସାମୂହିକ କଲ୍ୟାଣ,ମାନବୀୟ ଉନ୍ନତି,ପରିବେଶ ସୁରକ୍ଷା ଓ ବିଶ୍ୱଶାନ୍ତିର ମାଧ୍ୟମ ଭାବେ ବିନିଯୋଗ କରିବା ଏହାର ମୂଳ ଉଦ୍ଦେଶ୍ୟ।ଆଧୁନିକ ପ୍ରଯୁକ୍ତିବିଦ୍ୟା ଇତିହାସରେ ୧୦ ନଭେମ୍ବର ୧୯୮୩ ମଧ୍ୟ ଏକ ସ୍ମରଣୀୟ ଦିନ। ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍ସ ଏହି ଦିନ ୱିଣ୍ଡୋଜ୍ ପ୍ରଯୁକ୍ତିର ପ୍ରଥମ ସାର୍ବଜନୀନ ଘୋଷଣା କରିଥିଲେ।ପରେ ୧୯୮୫ ମସିହାରେ ୱିଣ୍ଡୋଜ୍ ୧.୦ ବଜାରକୁ ଆସି କମ୍ପ୍ୟୁଟର ବ୍ୟବହାରରେ ଏକ ନୂତନ ଯୁଗର ଆରମ୍ଭ କରିଥିଲା।

ଭାରତ କ୍ଷେତ୍ରରେ ଇତିହାସର ପୃଷ୍ଠାରେ ୧୬୯୮ ମସିହା ନଭେମ୍ବର ୧୦ ଏକ ଉଲ୍ଲେଖନୀୟ ତାରିଖ।ଏହି ଦିନ ମୋଗଲ ରାଜକୁମାର ଆଜିମ୍-ଉସ୍-ଶାନ୍‌ଙ୍କ ମଧ୍ୟସ୍ଥତାରେ ଇଷ୍ଟ ଇଣ୍ଡିଆ କମ୍ପାନୀ ସୁତାନୁଟି,ଦିହି କଲିକତା ଓ ଗୋବିନ୍ଦପୁର ଗ୍ରାମର ଜମିଦାରୀ ସ୍ୱତ୍ୱ ହାସଲ କରିଥିଲା।ପରବର୍ତ୍ତୀ ସମୟରେ ଏହି ତିନୋଟି ଗ୍ରାମ ଆଧୁନିକ କଲିକତା ସହରର ବିକାଶର ମୂଳଭିତ୍ତି ହୋଇଥିଲା।୧୮୫୫ ମସିହାର ଆଜିର ଦିନରେ ସାନ୍ତାଳ ହୁଲ୍ ବା ସାନ୍ତାଳ ବିଦ୍ରୋହକୁ ଦମନ କରିବା ପାଇଁ ବ୍ରିଟିଶ ସରକାର ସାମରିକ ଆଇନ ଲାଗୁ କରିଥିଲେ।ସିଦ୍ଧୁ, କାନ୍ହୁ,ଚାନ୍ଦ ଓ ଭୈରବଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ଆଦିବାସୀ ଜନଜାଗରଣ ଶୋଷଣ,ଅନ୍ୟାୟ ଓ ଔପନିବେଶିକ ଶାସନ ବିରୋଧରେ ଏକ ସାହସିକ ପ୍ରତିରୋଧର ପ୍ରତୀକ।

ଭାରତୀୟ ଜାତୀୟ ଜାଗରଣର ଅନ୍ୟତମ ଅଗ୍ରଦୂତ ତଥା ‘ରାଷ୍ଟ୍ରଗୁରୁ’ ଭାବେ ପରିଚିତ ସୁରେନ୍ଦ୍ରନାଥ ବାନାର୍ଜୀଙ୍କ ଜନ୍ମ ୧୮୪୮ ମସିହା ନଭେମ୍ବର ୧୦ରେ କଲିକତାଠାରେ ହୋଇଥିଲା।ଭାରତୀୟ ଜାତୀୟ ସଂଗଠନ ଗଠନ, ଜନସଚେତନତା ସୃଷ୍ଟି ଓ ଦେଶାତ୍ମବୋଧର ପ୍ରସାରରେ ତାଙ୍କର ଅବଦାନ ଅବିସ୍ମରଣୀୟ।

ଓଡ଼ିଶା ପ୍ରସଙ୍ଗରେ ନଭେମ୍ବର ୧୦ର କେତେକ ସ୍ମରଣୀୟ ଘଟଣାଗୁଡ଼ିକ ମଧ୍ୟରୁ ଓଡ଼ିଶାର କୃଷି,ପୁଷ୍ଟି ଓ ଐତିହାସିକ ଚେତନା ଦୃଷ୍ଟିରୁ ନଭେମ୍ବର ୧୦ ଏକ ଉଲ୍ଲେଖନୀୟ ଦିବସ। ୨୦୨୨ ମସିହାରେ ଓଡ଼ିଶା ସରକାର ମାର୍ଗଶୀର ମାସର ପ୍ରଥମ ଗୁରୁବାରକୁ ‘ମାଣ୍ଡିଆ ଦିବସ’ ଭାବେ ପାଳନ କରିବାର ନିଷ୍ପତ୍ତି ନେଇଥିଲେ।ସେହି ବର୍ଷ ନଭେମ୍ବର ୧୦ରେ ଏହା ପାଳିତ ହୋଇଥିଲା।ମାଣ୍ଡିଆର ପୁଷ୍ଟିକର ଗୁଣ, ଆଦିବାସୀ ଜୀବନଧାରାରେ ଏହାର ଗୁରୁତ୍ୱ, ଜଳବାୟୁ ସହନଶୀଳ କୃଷି ଓ କୃଷକଙ୍କ ଆର୍ଥିକ ସମୃଦ୍ଧିକୁ ପ୍ରୋତ୍ସାହନ ଦେବା ଏହାର ମୁଖ୍ୟ ଲକ୍ଷ୍ୟ।ଐତିହାସିକ ଦୃଷ୍ଟିରୁ ୧୯୩୬ ମସିହା ନଭେମ୍ବର ୧୦ରେ ପଣ୍ଡିତ ଜବାହରଲାଲ ନେହରୁ ପ୍ରଥମଥର ପାଇଁ ଓଡ଼ିଶା ଗସ୍ତ କରିଥିଲେ।ଏହି ଗସ୍ତ ସମୟରେ ସେ ଅବିଭକ୍ତ ଗଞ୍ଜାମ, ପୁରୀ ଓ କଟକ ଅଞ୍ଚଳ ପରିଦର୍ଶନ କରିଥିଲେ। ବ୍ରହ୍ମପୁରରେ ପୂର୍ଣ୍ଣ ସ୍ୱରାଜ ଦାବି ସମ୍ପର୍କରେ ଭାଷଣ ଦେବା ସହ କଟକ ଟାଉନ୍ ହଲ୍‌ରେ ଏକ ବିଶାଳ ଜନସମାବେଶକୁ ଉଦ୍‌ବୋଧନ ଦେଇଥିଲେ।ଏହି ଗସ୍ତ ଓଡ଼ିଶାର ଜାତୀୟ ଆନ୍ଦୋଳନ ସହ ସମ୍ପର୍କର ଏକ ସ୍ମରଣୀୟ ଅଧ୍ୟାୟ।

ଆଜିର ଦିବସର ଅନୁଚିନ୍ତାକୁ ଅନୁଶୀଳନ କଲେ ଜଣାପଡ଼େ ଯେ ଏହି ଦିବସ ଆମକୁ ଏକ ମହତ୍ତ୍ୱପୂର୍ଣ୍ଣ ଶିକ୍ଷା ପ୍ରଦାନ କରେ। ବିଜ୍ଞାନର ଶକ୍ତି ଯଦି ମାନବ କଲ୍ୟାଣରେ ନିୟୋଜିତ ହୁଏ, ତେବେ ଏହା ସଭ୍ୟତାର ଆଶୀର୍ବାଦ;କିନ୍ତୁ ଯଦି ଏହା ବିନାଶ ଓ ଯୁଦ୍ଧର ହାତିଆର ହୁଏ,ତେବେ ମାନବତା ପାଇଁ ଅଭିଶାପ। ତେଣୁ ବୈଜ୍ଞାନିକ ମନୋଭାବ,ଯୁକ୍ତିବାଦ,ମାନବିକତା ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନକୁ ଆମ ଜୀବନର ଆଦର୍ଶ କରିବା ଆବଶ୍ୟକ।ତେବେ ଆସନ୍ତୁ,ଜ୍ଞାନର ଆଲୋକରେ ଅଜ୍ଞାନତାର ଅନ୍ଧକାର ଦୂର କରି ବିଜ୍ଞାନ,ସଂସ୍କୃତି ଓ ମାନବୀୟ ମୂଲ୍ୟବୋଧର ସମନ୍ୱୟରେ ଏକ ସୁନ୍ଦର,ସମୃଦ୍ଧ ଓ ଶାନ୍ତିପୂର୍ଣ୍ଣ ସମାଜ ଗଠନ ପାଇଁ ସଂକଳ୍ପବଦ୍ଧ ହେବା।ସମସ୍ତଙ୍କ ପାଇଁ ଆଜିର ଦିବସ ହେଉ ଜ୍ଞାନ,ଜାଗରଣ ଓ ନୂତନ ସମ୍ଭାବନାର ଶୁଭାରମ୍ଭ।

ଡା.ଦେବୀ ପ୍ରସାଦ ମିଶ୍ର,

Related posts

ଆଜିର ଦିବସର ଅନୁଚିନ୍ତା: ମେ ୨୧ ତାରିଖ : ଚେତନା,ସଂସ୍କୃତି ଓ ସଂକଳ୍ପର ଦିବସ 

ଆଜିର ଦିବସର ଅନୁଚିନ୍ତା : ଜୁନ୍ ୧୦ ତାରିଖ ଜିଜ୍ଞାସା,ସଂଘର୍ଷ,ପ୍ରତିରକ୍ଷା ଓ କ୍ରୀଡ଼ାର ସମନ୍ୱୟ 

Sunil Chandra Nayak

ଆଜିର ଦିବସର ଅନୁଚିନ୍ତା : ଅକ୍ଟୋବର ୩ ତାରିଖ : ଜର୍ମାନୀର ପୁନଃଏକତ୍ରୀକରଣ ,କୋଲକାତାରେ ଭାରତର ପ୍ରଥମ ଏବଂ ବିଶ୍ୱର ଦ୍ୱିତୀୟ ଟେଷ୍ଟ୍ ଟ୍ୟୁବ୍ ବେବି (ଦୁର୍ଗା) ଜନ୍ମଗ୍ରହଣ,ଅହିଂସା ପ୍ରତୀକ ସେଣ୍ଟ ଫ୍ରାନ୍ସିସ୍ ଅଫ୍ ଆସିସିଙ୍କର ଶ୍ରାଦ୍ଧ ଦିବସ,ଇରାକ ବ୍ରିଟିଶ୍ ଶାସନରୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଲାଭର ଦିବସ 

Sunil Chandra Nayak

Leave a Comment

error: Content is protected !!